....ନିର୍ଭୀକ ପଥାର ଯାତ୍ରୀ....
------------------
ଜୀବନ ରେ ଅନେକ ଝଡଝଞ୍ଜା ର ସାମ୍ନା କରିଛି, ମୁକାବିଲା ବି କରିଛି ଓ ସଫଳ ବି ହୋଇଛି । ନିଜ ଔକାତ୍ ଭିତରେ ରହି କୌଣସି ଉଚ୍ଚ ଆଶା ନ ରଖି କର୍ମ କୁ ହିଁ ନିଜ ଜୀବନ ର ଅଂଶ ଭାବିଛି । ଅନେକ ସ୍ୱାର୍ଥପର ଙ୍କ ସହ ବି ବିନା ସ୍ୱାର୍ଥରେ ମିଶିବା ଓ ନିଜ କର୍ତ୍ତବ୍ୟ ସମ୍ପାଦନ ରେ ନିଷ୍ଠା ପରତା କୁ କେବେ ଭୁଲି ନାହିଁ । ତେବେ 68 ବର୍ଷ ର ଜୀବନ କାଳ ଭିତରେ କେବେ ବି ନିଜ ଆତ୍ମ ସମ୍ମାନ ଓ ଲକ୍ଷ୍ମଣ ରେଖା ଅତିକ୍ରମ କରିବା ପାଇଁ ଉଦ୍ୟମ କରି ନାହିଁ । ବହୁତ୍ ସହିଛି, ବହୁତ୍ ହରେଇଛି, ବହୁତ୍ ସୁଖ ବି ପାଇଛି କିଛି କ୍ଷଣ ପାଇଁ, ଓ ଦୁଃଖ ର ବାଦଲ ଭିତରେ କିଛି କ୍ଷଣ ପାଇଁ ହତାଶ ହେଲେ ମଧ୍ୟ ପୁଣି ସୂର୍ଯ୍ୟାଲୋକ ପାଇ ଫେରି ଆସିଛି ନିଜ ସେଇ ସେଇ ଚିରାଚରିତ ପଥ ଅତିକ୍ରମ କରିବା ପାଇଁ । କେଜାଣି କାହିଁକି ଆଜି ଅତୀତ ର ଅନେକ ଶ୍ରୁତି ଚକ୍ଷୁ ପଟଳ ରେ ଭାଷୀ ଆସୁଛି । ଯାହାକୁ, ଯେଉଁ ମାନଙ୍କୁ ମୁଁ ଜୀବନ ର ସବୁ ସୁଖ ତ୍ୟାଗ କରି ଅନ୍ଧ ଭାବରେ ଭଲ ପାଇଛି, ସେଇ ମାନେ ହିଁ ବେଳେ ବେଳେ ନିଜର ସୁଖ ମୁହୂର୍ତ୍ତ ରେ ଭୁଲି ଯାନ୍ତି ଓ ହରେଇ ବସନ୍ତି ଅନେକ କିଛି । ମୁଁ କିନ୍ତୁ ଜୀବନ ରେ କିଛି ହରେଇ ନାହିଁ କି କିଛି ପାଇବା ର ଲକ୍ଷ୍ୟ ବି ନାହିଁ । ଅନେକ ଥର ସାକ୍ଷାତ ମୃତ୍ୟୁ ସହିତ ସଂଗ୍ରାମ କରିଛି ଓ ବଞ୍ଚିଛି , ରହିଛି ସେ ବିଶ୍ଵ ନିୟନ୍ତା ଙ୍କ ଆଶିର୍ବାଦ ।
ତେବେ ଶେଷ ଜୀବନ ଭିତରେ ନିଜ ନିଷ୍ଠା, ଆଦର୍ଶ କିମ୍ବା ସେଇ ଜିଦ୍ ଖୋର ମନୋବୃତି ବି ତ୍ୟାଗ କରିବା ବି ଅସମ୍ଭବ ମୋ ପାଇଁ । ମୋ ଆଦର୍ଶ " ମୋ କାର୍ଯ୍ୟ ହିଁ ମୋ କର୍ମ ମୋ କାର୍ଯ୍ୟ ହିଁ ମୋ ଧର୍ମ" । ମୁଁ ଜାଣିଛି ଜୀବନ ଟି ଏକ ଅଶାନ୍ତି ପୂର୍ଣ୍ଣ, ଝଡ୍ ପୂର୍ଣ୍ଣ ଅଟେ କିନ୍ତୁ ତାରି ଭିତରେ ବି ନିଜର ଆତ୍ମ ସମ୍ମାନ ଓ ଆତ୍ମ ମର୍ଯ୍ୟାଦା କୁ ଅକ୍ଷୁର୍ଣ୍ଣ ରଖିବା ବି ଗୋଟିଏ ସଂକଳ୍ପ ପୂର୍ଣ୍ଣ କାର୍ଯ୍ୟ । ତଥାପି ବି ମୁଁ ମୋ ସଂକଳ୍ପ ପଥ ର ନିର୍ଭୀକ ଯାତ୍ରୀ । କିଏ ଅପମାନ ଦେବାକୁ ଚେଷ୍ଟା କଲେ ମଧ୍ୟ ମୋ କର୍ତ୍ତବ୍ୟ ନିଷ୍ଠା ଆଗରେ ସବୁ ତୁଚ୍ଛ ।
ଶେଷ ଜୀବନ ଯାଏଁ ମୋ ଜିଦ୍ ଜିଦ୍ ଆଉ ଜିଦ୍ ନିଶ୍ଚୟ ବଜାୟ ରଖିବା ପାଇଁ ଚେଷ୍ଟା କରୁଥିବି ଓ ସଫଳ ନିଶ୍ଚୟ ହେବି, ଏ ବିଶ୍ୱାସ ରହିଛି ଭଗବାନ ଙ୍କ ଆଶୀର୍ବାଦ ବି ମୋ ଉପରେ ରହିଛି । ସେଇଥି ପାଇଁ ତ୍ ମୁଁ ନିର୍ଭୀକ ପଥର ଯାତ୍ରୀ ।
ମହମ୍ମଦ ଅଲ୍ଲୀ,
ବରିଷ୍ଠ ସାମ୍ବାଦିକ,
ମୁଖ୍ୟ ସମ୍ପାଦକ, "ତର୍ଜମା"



Post a Comment