//BREAKING//
Loading...

କିଛିଶ୍ରୁତି ଅତୀତର-"ଅନ୍ଧାରିଆ ମାଡ଼"


 କିଛିଶ୍ରୁତି ଅତୀତର-"ଅନ୍ଧାରିଆ ମାଡ଼"

 ପିଲା ଦିନର ଅନେକ ଶ୍ରୁତି ଦିନେ ଦିନେ ମନେ ପଡିଗଲେ ହୃଦୟ ରୋମାଂଚିତ ହୋଇଯାଏ ।ଜଣେ କୋମଳ ହୃଦୟ ବାଳକ କିଛି ନୁଆଁ ଦେଖେ ତ ଯେତେ ବିପଦ ଜନକ ଘଟଣା ଘଟୁଥିଲେ ମଧ୍ୟ ନିର୍ଭୟରେ ଦେଖି ଚାଲି ଥାଏ  ।ସେ ଜାଣି ନ ଥାଏ କେତେ ବେଳେ କଣ ଘଟିଲେ ନିଜ ର କିଛି ଅସୁବିଧା ହେବନି ତ ! କଳାହାଣ୍ଡି ଜିଲ୍ଲାରେ ଆମ ଭାଷା ବି ବହୁତ ଉନ୍ନତ ।ଛୋଟ ଛୋଟ ପିଲା ବା କେହି ବି ଯଦି ଦୁଷ୍ଟ ହୁଏ ତେବେ ବଡ଼ ମାନେ କୁହନ୍ତି " ତକେ ଅନ୍ଧରିଆ ମାଡ଼ ଦରକାର ରେ ପିଲା " ।କିନ୍ତୁ କେବଳ କଥାରେ ତେବେ ବାସ୍ତବିକ ଜୀବନରେ କେହି ଅନ୍ଧରିଆ ମାଡ଼ ଘଟଣା ଦେଖିଥିବେ ତେବେ କେତେ କେମିତି ଲାଗିବ ।ଏହିପରି ଏକ ଅନ୍ଧରିଆ ମାଡ଼ ଘଟଣା ମୁଁ ଦେଖିଛି କେତେ ଭୟଙ୍କର ମାଡ଼ ଯାହାକି ସମସ୍ତଙ୍କ କଳ୍ପନା ବାହାରେ ।

          ବୋଧହୁଏ 1970/71 ମସିହା ବେଳର ଘଟଣା ।ସେତେ ବେଳେ ପ୍ରାଇଭେଟ ବିଦ୍ୟୁତ ବଣ୍ଟନ ବ୍ୟବସ୍ଥା ନ ଥିଲା ।ରାଜ୍ୟ ସରକାରଙ୍କ " ଓଡିଶା ଷ୍ଟେଟ ଇଲେକ୍ଟ୍ରି ବୋର୍ଡ" ଅଧୀନରେ ଥାଏ ।କଳାହାଣ୍ଡି ଜିଲ୍ଲାରେ ରାଜନୈତିକ ସଚେତନତା ନ ଥିଲା ।ଲୋକସଭା ସଦସ୍ୟ ଭାବରେ ଥାଆନ୍ତି ସ୍ବର୍ଗତ ମହାରାଜା ପ୍ରତାପ କେଶରୀ ଦେଓ ଏବଂ ବିଧାୟକ ଭାବରେ ତାଙ୍କର ଦଳୀୟ ସମର୍ଥକ ।ଜନସଂଖ୍ୟା ବି କମ ଥାଏ ।ରାଜନୈତିକ ଝଡ଼ ହଉ ନ ଥିଲା ।ସେହି ସମୟରେ ବରିଷ୍ଠ ଆଇନଜୀବୀ ସ୍ବର୍ଗତ ବଳରାମ ପଟ୍ଟନାୟକ ବିଭିନ୍ନ ସଂଗଠନ କରି କର୍ମଚାରୀ ମାନଙ୍କ ଦାବି ପୂରଣ କରିବା ପାଇଁ ବେଳେ ବେଳେ ଆନ୍ଦୋଳନ କରୁଥାନ୍ତି ।ସ୍ବର୍ଗତ ପଟ୍ଟନାୟକ  OSEB ବା ଓଡିଶା ରାଜ୍ୟ ବିଦ୍ୟୁତ  ବୋର୍ଡ କର୍ମଚାରୀ ସଂଘ ର ସଭାପତି ଥାଆନ୍ତି ।ତାଙ୍କରି ନେତୃତ୍ୱରେ ବିଦ୍ୟୁତ ବିଭାଗ କର୍ମଚାରୀ ମାନେ ବିଭିନ୍ନ ଦାବୀ ନେଇ ଆନ୍ଦୋଳନ ଆରମ୍ଭ କଲେ ।ଗାନ୍ଧିଚୌକ ନିକଟରେ ଥିବା ପାୱାର ହାଉସ ସେତେ ବେଳେ ବିଦ୍ୟୁତ ବିଭାଗର ମୁଖ୍ୟ କାର୍ଯ୍ୟାଳୟ ଥିଲା ।କର୍ମଚାରୀ ମାନେ ଦୁର୍ଗା ମଣ୍ଡପ ପାର୍ଶ୍ୱ ଅଫିସ ର ପ୍ରବେଶ ପଥରେ ଏକତ୍ରିତ ହୋଇ ଅନିର୍ଦିଷ୍ଠ କାଳ ପାଇଁ ଆନ୍ଦୋଳନ ଆରମ୍ଭ କଲେ ।ସମଗ୍ର ସହରରେ ବିଦ୍ୟୁତ ବଣ୍ଟନ ବନ୍ଦ ହୋଇ ଗଲା ।ତେବେ ଆନ୍ଦୋଳନ ସମୟରେ ସାଧାରଣ ଲୋକଙ୍କୁ ବିଦ୍ୟୁତ ସେବା ଯୋଗାଇବା ବଦଳରେ ଲୋକେ ହନ୍ତସନ୍ତ ହେଲେ ।ଏହିପରି ତିନିଦିନ ବିତିଗଲା ।ଏପ୍ରିଲ, ମେ ମାସ ର ଗରମ ସାଙ୍ଗକୁ ପ୍ରବଳ ଗୁଳୁଗୁଳି ସମୟରେ ସମଗ୍ର ସହର ଅନ୍ଧାରରେ ବୁଡି ରହିଥାଏ ।ପ୍ରତିବାଦ କିମ୍ବା ସଂଗଠନ ସହ କଥା ହୋଇ ସମାଧାନ କରିବା ପାଇଁ ନା ପ୍ରଶାସନ ନା କେହି ଉଦ୍ୟମ କରିଥିଲେ ସମସ୍ତେ ନିରଵଦ୍ରଷ୍ଟା ।ଏହିପରି ଏକ ଘଡିସନ୍ଧି ସମୟରେ ବରିଷ୍ଠ ଆଇନଜୀବୀ, ଓଜସ୍ବନୀ ବକ୍ତା ନିର୍ଭୀକ ବ୍ୟକ୍ତିତ୍ୱ ଶ୍ରୀଯୁକ୍ତ ଗଙ୍ଗାଧର ହୋତା ( ବର୍ତମାନ 96  ବର୍ଷ ଜୀବିତ ) ଯୁବା ବସ୍ଥା ।ବିଜୁବାବୁଙ୍କ ଅତ୍ୟନ୍ତ ଘନିଷ୍ଟ ସହ ଓକିଲାତି ରେ ଅନେକ ଲୋକପ୍ରିୟ ବ୍ୟକ୍ତିତ୍ୱ ।

         ତିନିଦିନ ଅନ୍ଧାର ରେ ସହର ବୁଡିଥିବା ବେଳେ ଚତୁର୍ଥ ଦିନ ରାତି ପ୍ରାୟ 9 ଘଣ୍ଟା ସମୟ ।ଏକ ଟର୍ଚ୍ଚ ଲାଇଟ ଧରି ଶ୍ରୀଯୁକ୍ତ ଗଙ୍ଗାଧର ହୋତା ନିଜ ବାସ ଭବନରୁ  ବାହାରି ଗାନ୍ଧୀ ଚୌକ ଆସିଲେ ।ଗରମ ଓ ଅନ୍ଧାର ରେ ବୁଡିରହି ଥିବା ସହରବାସୀ ରାସ୍ତା ଉପରେ ପବନ ଟିକିଏ ପାଇଁ ବୁଲୁଥାନ୍ତି ।ଏନେକ  ହୋତା ଆଜ୍ଞା ଙ୍କୁ ଦେଖି ଆଶ୍ଚର୍ଯ୍ୟରେ ଏ ଅନ୍ଧାର ରାତିରେ ଗାନ୍ଧିଚୌକ ରେ ଦେଖି ଆଶ୍ଚର୍ଯ୍ୟ ।ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଏତେ ରାତିରେ କାହିଁକି ।ସେହି ଗାନ୍ଧୀ ଚୌକ ରେ ହୋତା ଆଜ୍ଞା ବଡ଼ ପାଟିରେ ରାଗରେ ଅନ୍ଧାର ଭିତରେ ଆଉ କେତେ ଦିନ ଯନ୍ତ୍ରଣା ଭୋଗିବେ ସହର ବାସୀ ନା ସରକାର ଚିନ୍ତିତ ନା ଜିଲ୍ଲା ପ୍ରଶାସନ ଚିନ୍ତିତ ବୋଲି ମତଦେଇ ଅନେକଙ୍କୁ ଏକତ୍ରିତ କରି ଧରଣାରତ ବିଦ୍ୟୁତ କର୍ମଚାରୀ ଙ୍କ ଧାରଣା ସ୍ଥଳରେ ପହଁଚିଲେ ।ଆଜ୍ଞା ଙ୍କ ସହ ଶହ ଶହ ଲୋକ ।ଧାରଣା ସ୍ଥଳେ ରେ ଗେସ ଲାଇଟ ଜଳୁଥାଏ । ହୋତା ଆଜ୍ଞା କର୍ମଚାରୀ ମାନଙ୍କୁ ଅନୁରୋଧ କଲେ ଆନ୍ଦୋଳନ କର କିନ୍ତୁ ସହରକୁ ଅନ୍ଧାରରେ ରଖି ଲୋକଙ୍କୁ ପ୍ରବଳ ଗରମରେ ହନ୍ତସନ୍ତ କରନ୍ତୁ ନାହିଁ କିନ୍ତୁ ଧାରଣାରେ ବସିଥିବା କର୍ମଚାରୀ ମାନେ  ଲୋକଙ୍କ କୌଣସି ଅନୁରୋଧ ମାନିଲେ ନାହିଁ ।ଏହି ସମୟରେ ହୋତା ଆଜ୍ଞା ପ୍ରବଳ ରାଗି ଯାଇ ଥିଲେ ।ଲୋକଙ୍କ ଆଡ଼କୁ ମୁହଁ କରି ବଡ଼ ପାଟିରେ କହିଲେ ଏମାନେ ଏମିତି ମାନିବେ ନାହିଁ ଏମାନଙ୍କୁ ଅନ୍ଧରିଆ ମାଡ଼ ଦରକାର ।

       ଏତିକି କହିବା ଥିଲା ସେଇଠି ଏକତ୍ରିତ ଶହଶହ ସହର ବାସୀ ମଧ୍ୟ ଉତ୍ତେଜିତ ହୋଇ ବିଦ୍ୟୁତ କର୍ମଚାରୀ ଙ୍କ ଜିଦ କୁ ବିରୋଧ କଲେ ।ସହଜେ ଆମେ କଳାହାଂଡିଆ  ଶାନ୍ତ, ସରଳ କିନ୍ତୁ ରାଗିଗଲେ 1857 ସିପାହୀ ବିଦ୍ରୋହ ପୂର୍ବର କନ୍ଧମେଳି ସମ୍ପର୍କରେ ଇତିହାସ ର ସ୍ବର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ।ପାଖରେ ପୋଲିସ ଷ୍ଟେସନ ଟାଉନ ଓ ସଦର ଥାନା ପାଇଁ ଏକମାତ୍ର ଥାନା ।ପୋଲିସ କହିଲେ ଅଳ୍ପ ।ସେତେବେଳେ ଜରୁରୀ  ଯୋଗାଯୋଗ ବ୍ୟବସ୍ଥା ପାଇଁ  କୌଣସି ପ୍ରକାର ବ୍ୟବସ୍ଥା ନ ଥାଏ ।ଲୋକଙ୍କ ପାଟିତୁଣ୍ଡ ଓ ହୋହଲ୍ଲା ଦେଖି ମୋ ସମେତ ଆମ ପଡା ର ସମସ୍ତେ ପାଖ ସମ୍ମୁଖରେ ଥିବା ହନୁମାନ ମନ୍ଦିର ପାଚେରୀ କୁ ଲାଗି ଛିଡା ହୋଇ ସବୁ ଦେଖୁଥାଉ ।

       ହଟାତ ଆରମ୍ଭ ହେଲା ଧରଣାରତ ବିଦ୍ୟୁତ କର୍ମଚାରୀ ମାନଙ୍କ ଉପରେ ଅନ୍ଧରିଆ ମାଡ଼ ।ଆଜ୍ଞା ବିଶ୍ୱାସ କରି ହେବ ନାହିଁ ସେତେ ବେଳେ ଆଖ ପାଖରେ ଘର ତିଆରି କାମ ଚାଲୁ ଥାଏ ।ସେଇମିତି ବି କଳାହାଣ୍ଡି ରେ ବାଉଁଶ ଠେଙ୍ଗା ଓ କାଠ ର ଅଭାବ ନ ଥାଏ ।ଜବର ମାଡ଼ କେବଳ ବାଉଁଶ ଠେଙ୍ଗା ଓ କାଠ ଠେଙ୍ଗା ରେ ଅନ୍ଧରିଆ ମାଡ଼ ।ଜୀବନ ବଞ୍ଚେଇବା ପାଇଁ ବିଦ୍ୟୁତ କର୍ମଚାରୀ ମାନେ ପ୍ରାଣ ବିକଳରେ ଏ ପଟେ ସେପଟେ ଦୌଡ଼ ଜୀବନ ରକ୍ଷା କରିବା ପାଇଁ ଦୌଡ଼ିଲେ ।କିନ୍ତୁ କଳାହାଂଡିଆ ମାନେ ବି ନ ଛୋଡ ଵନ୍ଦା ।ସେମାନଙ୍କୁ ରାଜରାସ୍ତା ରେ , କାର୍ଯ୍ୟାଳୟ ପଛପଟ ରାସ୍ତା ରେ ସବୁଆଡେ ଛିନ୍ନ ଛତ୍ର କର୍ମଚାରୀ ମାନଙ୍କୁ  ଦୌଡାଇ ଦୌଡାଇ ଠେଙ୍ଗା ପାହାର ଆରମ୍ଭ ହେଲା ।ଏନେକ କର୍ମଚାରୀ ରକ୍ତାକ୍ତ ହୋଇ ଆହତ ହେଲେ ତ  ଅନେକ ଙ୍କ ଠେଙ୍ଗା ମାଡ଼ରେ ହାତ ଗୋଡ଼ ମଧ୍ୟ ଭାଙ୍ଗି ରାସ୍ତା ରେ ପଡି ଛଟପଟ ହେଲେ ।

       ପରିସ୍ଥିତି ସେତିକିରେ ଶାନ୍ତ ପଡି ନ ଥିଲା ।ସହର ବାସୀ  ହୋତା ଆଜ୍ଞା ଙ୍କ ପଛେ ପଛେ ଚାଲିଲେ ବିଦ୍ୟୁତ କର୍ମଚାରୀ ସଙ୍ଘ ସଭାପତି ସ୍ବର୍ଗତ ବଳରାମ ପଟ୍ଟନାୟକ ଆଜ୍ଞା ଙ୍କ ବାସଭବନ ସମ୍ମୁଖରେ ଏକତ୍ରିତ ହେଲେ ।ବଳରାମ ପଟ୍ଟନାୟକ ଆଜ୍ଞା ଘର ସାମନାରେ ରେ କୋଳାହଳ ଶୁଣି ବାହାରକୁ ଆସିଲେ ।ଦୁଇ ଆଇନଜୀବୀ ସାମ୍ନା ସାମ୍ନି ।ସାଧାରଣ ଜନତା ଙ୍କୁ କଲବଳ କରି ଅନ୍ଧାରରେ ରଖି ଆନ୍ଦୋଳନ କେତେଦୂର ଯୁକ୍ତିଯୁକ୍ତ ଅଟେ ।ତେବେ ଅନେକ ଯୁକ୍ତିତର୍କ ପରେ ସ୍ବର୍ଗତ ବଳରାମ ପଟ୍ଟନାୟକ ଆଜ୍ଞା ମଧ୍ୟ ଏକ ଟର୍ଚ୍ଚ ଧରି ଆସିଲେ ଧାରଣା ସ୍ଥଳକୁ ।ପୋଲିସ ମଧ୍ୟ ଆସିଲେ ସମସ୍ତଙ୍କ ଉପସ୍ଥିତିରେ ଆପୋଷ ଆଲୋଚନା ହୋଇ ସହର ବାସୀଙ୍କ ପାଇଁ ତୁରନ୍ତ ବିଦ୍ୟୁତ ସଂଯୋଗ କରାଗଲା ।ସେତେବେଳେ ଗଙ୍ଗାଧର ହୋତା ଆଜ୍ଞା ଜିଲ୍ଲା କଂଗ୍ରେସ ର ସଭାପତି ଓ ବରିଷ୍ଠ ରାଜନେତା ଶ୍ରୀଯୁକ୍ତ ଦୁର୍ଗା ଶଙ୍କର କର ଜିଲ୍ଲା କଂଗ୍ରେସ ର ସାଧାରଣ ସମ୍ପାଦକ ଥିଲେ ।

         ଏହିପରି ଅନ୍ଧରିଆ ମାଡ଼ ଘଟଣା ବାସ୍ତବିକ ମୋ ଜୀବନରେ ଏକ ଶ୍ରୁତି ହୋଇ ରହିଛି ।ଅନ୍ଧରିଆ ମାଡ଼ କେବଳ ଏକ କଳାହାଣ୍ଡିଆ ଢଗ ନୁହଁ ।ବାସ୍ତବିକ ଜୀବନରେ ନିଜର ହକ ହାସଲ କରିବା ପାଇଁ " ଅନ୍ଧରିଆ ମାଡ଼ " ର ପ୍ରାସଙ୍ଗିକତା ରହିଛି ।କହିବା ବାହୁଲ୍ୟ ଯେ , ଯେତେଦିନ ପର୍ଯ୍ୟନ୍ତ ସାଧାରଣ ଜନତା ନିଜ ହକ ହାସଲ ପାଇଁ ସ୍ୱର ଉତ୍ତୋଳନ ନ କରିବେ ତେବେ କେହି ଶୁଣିବେ ନାହିଁ ।ସେତେବେଳେ ମୁଁ ଅଷ୍ଟମ କିମ୍ବା ନବମ ଶ୍ରେଣୀରେ ପଢୁଥାଏ । 

          ଅତୀତର ଏହି ଅନ୍ଧରିଆ ମାଡ଼ ଘଟଣା କେଜାଣି କାହିଁକି  ଆଜି ଶ୍ରୁତି ପଟଳରେ ନାଚି ଉଠିଲା କାରଣ ବର୍ତମାନ ର ବିଜୁଳି ର ଲୁଚକାଳି ଖେଳ କୁ ରୋକ ଲଗେଇବା ପାଇଁ କେବଳ ଓ କେବଳ କଳାହାଣ୍ଡିଆ ଅନ୍ଧରିଆ ମାଡ଼ ତତ୍ୱ ହିଁ  ସ୍ଥାୟୀ ସମାଧାନ ଦେଇପାରିବ ବୋଲି ଆଶା ।

  ଆଜିବି ଅନ୍ଧରିଆ ମାଡ଼ ର ଆଵଶ୍ୟକତା ଅଛି ନା ନାହିଁ ନିରପେକ୍ଷ ଭାବରେ କମେଣ୍ଟ କଲେ ପ୍ରେରଣା ପାଇବି ।


        ମହମ୍ମଦ ଅଲ୍ଲୀ  

ବରିଷ୍ଠ ସାମ୍ବାଦିକ ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe