ନକଲି ଔଷଧ ଜାଲ ରେ କଳାହାଣ୍ଡି ।
କଳାହାଣ୍ଡି ଜିଲ୍ଲାରେ ନକଲି, ଭେଜାଲ ସାମଗ୍ରୀ ର ପେଣ୍ଠସ୍ଥଳୀ ରେ ପରିଣତ ହୋଇ ଥିବା ଜଣାପଡିଛି ।ସରଳ ଓ ଅନଗ୍ରସର କଳାହାଣ୍ଡି ଜିଲ୍ଲାରେ ଅବାଧରେ ଅତୀତରେ ନକଲି ତେଲ ଠୁ ଆରମ୍ଭ କରି ଅନେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବିକ୍ରି କରିବା ସହ ନିରୀହ ଲୋକଙ୍କୁ ଲୁଟ କରା ଯାଇଥିବା ନଜିର ରହିଛି ।ଏବେ ଜିଲ୍ଲାର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ର ଅନେକ ଛୋଟବଡ ଦୋକାନରେ ଅବାଧରେ ଭେଜାଲ ବିସ୍କୁଟ ଓ ଚକଲେଟ ବିକ୍ରି ଚାଲିଛି ।ତେବେ ଅନଗ୍ରସର କଳାହାଣ୍ଡି ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ଓ 178 ଜଣ ଡାକ୍ତର ଅଭାବ ଯୋଗୁଁ କିଛି ଲାଭଖୋର କ୍ୱାର୍କ ଡାକ୍ତର, ସହରାଞ୍ଚଳ ହଉ କି ଗ୍ରାମାଞ୍ଚଳ ରେ ପ୍ରାଇଭେଟ ପ୍ରାକ୍ଟିସ କରୁ ଥିବା କିଛି ଲାଭ ଖୋର ଡାକ୍ତର ରୋଗୀସେବା ଆଢୁଆଳରେ ବିଭିନ୍ନ ଉପାୟରେ ରୋଗୀ ଶୋଷଣ କରୁଥିବା ଜଣା ପଡ଼ିଛି ।ନିକଟରେ କଟକରେ ମେଡିଲଏଡ଼ ମେଡିକାମେଣ୍ଟ ମେଲୋନେକ ପ୍ରା: ଲି: ଔଷଧ ବିତରକ କମ୍ପାନୀ ଜରିଆରେ ନକଲି କରୋନା ଔଷଧ ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଯାଇଥିବା ଜଣାପଡିଥିଲା ।ରାଜ୍ୟ ସରକାର ଏହି ପରି ଏକ ଗୁରୁତର ଅଭିଯୋଗ ର ସତ୍ୟତା ଉନ୍ମୋଚନ ପାଇଁ ରାଜ୍ୟ କ୍ରାଇମବ୍ରାଞ୍ଚ SIT କୁ ତଦନ୍ତ ଭାର ଦେଇଛନ୍ତି ।SIT ଟିମ କଟକ ର ବିତରକ ମାଲିକ ଶିବ ପ୍ରସନ୍ନ ଜେନାଙ୍କୁ ଗିରଫ କରି କୋର୍ଟ ଚଳାନ ମଧ୍ୟ କରିଛନ୍ତି ।ଅନ୍ୟପଟେ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସ୍ଥିତ ବିଜୟ ଫାର୍ମାସିୟୁଟିକାଲ ଏବଂ ଧର୍ମଗଡ଼ ସ୍ଥିତ ଜୟହିନ୍ଦ ଟ୍ରେଡର୍ସ ଚଢ଼ାଉ କରି କିଛି ଔଷଧ ଜବତ କରି ପରୀକ୍ଷା ପାଇଁ ପଠାଇଥିବା ଜଣା ପଡ଼ିଛି ।କଳାହାଣ୍ଡି ଜିଲ୍ଲାର ଦୁଇଟି ସବ ଡିଭିଜନ ରେ ଦୁଇଟି ଔଷଧ ବିକ୍ରୟ ସଂସ୍ଥା କଟକସ୍ଥିତ ନକଲି ଔଷଧ ବିତରକ ସହଭାଗିତା ରେ କଳାହାଣ୍ଡି ଜିଲ୍ଲାର ଗ୍ରାମାଞ୍ଚଳରେ ନକଲି , ଭେଜାଲ ଔଷଧ ବିକ୍ରୟ ର ସାମ୍ରାଜ୍ୟ ଦୀର୍ଘଦିନ ରୁ ଚଳେଇ ଆସୁଛନ୍ତି ।କମ୍ପାନୀ ଦ୍ୱାରା ଅଧିକ ଲାଭ ଓ ବିଭିନ୍ନ ପ୍ରକାର ଆକର୍ଷଣୀୟ ଅଫର ଲୋଭ ର ବଶବର୍ତ୍ତୀ ହୋଇ ଏହି କମ୍ପାନୀ ଦ୍ୱାରା ପ୍ରସ୍ତୁତ ଔଷଧ ଗ୍ରାମାଞ୍ଚଳ ରୁ ସହରାଞ୍ଚଳ ଯାଏଁ ବହୁଳ ଭାବରେ ବିକ୍ରୟ କରାଯାଇଛି ।ଜିଲ୍ଲାରେ ସରକାରୀ ଓ ବେସରକାରୀ ଡାକ୍ତରଙ୍କ ଠାରୁ କ୍ୱାର୍କ ଡାକ୍ତରଙ୍କ ସଂଖ୍ୟା ଅଧିକ ରହିଛି । ସହରାଞ୍ଚଳ ର ସରକାରୀ ଡାକ୍ତର ଯେଉଁ ମାନେ ବେସରକାରୀ ଭାବେ ରୋଗୀ ଚିକିତ୍ସା କରନ୍ତି ସେମାନେ ମଧ୍ୟକମ୍ପାନୀ ର ଆକର୍ଷଣୀୟ ଅଫର ର ଲୋଭ ର ବଶବର୍ତ୍ତୀ ହୋଇ ରୋଗୀଙ୍କୁ ଆବଶ୍ୟକ ଠାରୁ ଅଧିକ ଔଷଧ ( ଓଭର ଡୋଜ ) ଦେବା ଓ ଭେଜାଲ ଔଷଧ ଲେଖି ବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।ଏହି କମ୍ପାନୀ ଦ୍ୱାରା ପ୍ରସ୍ତୁତ Melonec praz tab ବିକ୍ରୟ ରାଜ୍ୟରେ ସବୁଠୁ ଅଧିକ କଳାହାଣ୍ଡି ଜିଲ୍ଲାରେ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।ଏହି ଔଷଧ ଲେଖିବାରେ କଳାହାଣ୍ଡି ଜିଲ୍ଲାର ଦୁଇଜଣ ଗୋଲଡ଼ ମେଡାଲ ଧାରୀ ଭେଷଜ ବିଶେଷଜ୍ଞ ଡାକ୍ତର ଙ୍କ ସମେତ ଚହକା ରେ ଥିବା ଜଣେ ବଙ୍ଗାଳୀ କ୍ୱାର୍କ ଡାକ୍ତର ମଧ୍ୟ ସାମିଲ ଅଛନ୍ତି ।ଏହି ପ୍ରକାର ଭେଜାଲ ଔଷଧ ର ବିକ୍ରି ବୃଦ୍ଧି ପାଇଁ ରୋଗୀ କୁ ଆବଶ୍ୟକ ପରିମାଣ ର ଔଷଧ ବଦଳରେ ଓଭର ଡୋଜ ଔଷଧ ଲେଖି ଡାକ୍ତର ମାନେ ମାଲେମାଲ ହଉଛନ୍ତି ।ଏପରିକି ବେସରକାରୀ ଡାକ୍ତର ମାନେ ଯେଉଁ ଔଷଧ ଲେଖନ୍ତି ତାହା ନିର୍ଦିଷ୍ଠ ଔଷଧ ଦୋକାନରେ ଉପଲବ୍ଧ ହୋଇ ଥାଏ ।ସେହି ନିର୍ଦ୍ଧିଷ୍ଠ ନକଲି ଔଷଧ ବିକ୍ରି ବଦଳରେ ଡାକ୍ତର ରୋଗୀଠାରୁ ଫିସ ବ୍ୟତୀତ ଔଷଧ ଦୋକାନୀ ଠାରୁ କମିଶନ ବାବଦରେ 30/40 % ଅର୍ଥ ପାଇଥାନ୍ତି ।ଏଥିସହ ରୋଗୀର ଆବଶ୍ୟକୀୟ ପେଥୋଲୋଜି ପରୀକ୍ଷା ପାଇଁ ମଧ୍ୟ ଏକ ନିର୍ଦ୍ଧିଷ୍ଠ ପେଥୋଲୋଜି ରେ କରେଇ ଆଣିବା କୁ ପରାମର୍ଶ ଦେଇ ପେଥୋଲୋଜି ମାଲିକ ଠାରୁ ମଧ୍ୟ 30/35% ଅର୍ଥ ପାଇଥାନ୍ତି ।ରୋଗୀକୁ ଉଚ୍ଚ ମାନର ଔଷଧ ପରିବର୍ତେ ଭେଜାଲ ଓ ନକଲି ତଥା ଯୋଉ ଔଷଧ ବିକ୍ରୟ ରେ ଅଧିକ ଲାଭ ରହିଛି ସେହି ଔଷଧ ଲେଖିବା ଓ ଅଧିକ ଓଭର ଡୋଜ ଔଷଧ ଲେଖିବା ଯୋଗୁଁ ରୋଗୀ ମୃତ୍ୟୁ ମୁଖରେ ପଡିବା, କିଡନୀ ଫେଲ, ହୃଦଘାତ ର ଶିକାର ହେଉଥିବା ଜଣା ପଡ଼ିଛି ।କଳାହାଣ୍ଡି ଜିଲ୍ଲାରେ ଏହିପରି ନକଲି ଔଷଧର ପ୍ରକୋପ ରେ କିଡନୀ ରୋଗୀ, ଜଣ୍ଡିସ, ହୃଦ ଘାତ ଭଳି ମାରାତ୍ମକ ରୋଗରେ ପୀଡିତ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।
ସର୍ବ ଭାରତୀୟ ସ୍ତରରେ ଯେ କୌଣସି ଔଷଧ ପ୍ରସ୍ତୁତ ହେବା ପରେ ତାହା କେନ୍ଦ୍ର ସରକାରଙ୍କ ପରୀକ୍ଷଣ କେନ୍ଦ୍ର ଦ୍ୱାରା ପାରିତ ହେବା ପରେ ଯାଇ ଔଷଧ ବିତରକ, ହୋଲସେଲର , ରିଟେଲର ଙ୍କ ପାଖକୁ ଯାଇଥାଏ ।ସେହି ଔଷଧର ଗୁଣାତ୍ମକ ମାନ ସମ୍ପର୍କରେ ସମ୍ପୃକ୍ତ କମ୍ପାନୀ ର ମେଡିକାଲ ରିପ୍ରେଜେଣ୍ଟଟେଟିଭ ଡାକ୍ତର ମାନଙ୍କ ପାଖକୁ ଯାଇ ଔଷଧର ଗୁଣାତ୍ମକ ମାନ ଓ ଲାଭ ସମ୍ପର୍କରେ ସୂଚନା ଦେବାସହ ସେହି ଔଷଧ ଲେଖିଲେ ଓ ଔଷଧ ଦୋକାନିଦ୍ୱାରା ସେହି ଔଷଧ ବିକ୍ରି ବଢିଲେ କମ୍ପାନୀ ତରଫରୁ ଉଭୟ ଡାକ୍ତର ଓ ରିଟେଲର ଔଷଧଦୋକାନୀ କୁ କମ୍ପାନୀ ତରଫରୁ ଆକର୍ଷଣୀୟ ଲୋଭନୀୟଉପହାର ସହ ଔଷଧ ବିକ୍ରୟ ର କିଛି ଲାଭାଂଶ ମଧ୍ୟ ମିଳିଥାଏ ।ବଜାରରେ ନକଲି ଓ ଭେଜାଲ ଔଷଧ ଉପରେ ଅଙ୍କୁଶ ଲଗେଇବା ପାଇଁ ଡ୍ରଗ ଇନିସ୍ପେକ୍ଟର, (RSM) ଆଞ୍ଚଳିକ ସେଲସ ମେନେଜର, (ZSM) ଜୋନାଲ ସେଲସ ମେନେଜର ପ୍ରମୁଖ ରହିଥାନ୍ତି ।ଏତେ ସମସ୍ତ ବ୍ୟବସ୍ଥା ଭିତରେ ନକଲି ଔଷଧ କାରବାର ଜିଲ୍ଲାର ଗ୍ରାମଞ୍ଚଳ ଭିତରକୁ ଏପରି ବ୍ୟାପିଛି ଯେ ତାର ଚେର ର ଗଭୀରତା କେତେ ଦୂର ତାହା ସାଧାରଣ ଲୋକ ଜାଣିବା କଷ୍ଟକର ।ଏହିପରି ଭାବରେ ଜିଲ୍ଲାର ଅବ୍ୟବସ୍ଥିତ ସ୍ୱାସ୍ଥ୍ୟ ସେବା ର ସୁଯୋଗ ନେଇ କେତେକ ନିର୍ଦ୍ଧିଷ୍ଠ ଲାଭଖୋର ଔଷଧ ବ୍ୟବସାୟୀ, ପ୍ରାଇଭେଟ ଲାଭଖୋର ବିଶେଷଜ୍ଞ ଡାକ୍ତର, ହୋଲସେଲର ଜିଲ୍ଲାର ରୋଗୀଠାରୁ ଦିନ ଦ୍ବୀପହରରେ ଲୁଟ କରିଚାଲିଛନ୍ତି ।ତେବେ ରାଜ୍ୟ ସରକାରଙ୍କ ତରଫରୁ ନିଯୁକ୍ତ SIT ଟିମ ରୋଗୀ ଙ୍କୁ ନକଲି ଔଷଧ ବଦଳରେ କୋଟି କୋଟି ଟଙ୍କା ଲାଭ କମେଇଥିବା ଏହି ଡାକ୍ତର, ମେଡ଼ିସିନ ରିପ୍ରେଜେଣ୍ଟଟିଭ , ଓ ଗ୍ରାମଞ୍ଚଳ ଠୁ ଆରମ୍ଭ କରି ସହରାଞ୍ଚଳରେ ଡାକ୍ତର ରଖି ଔଷଧ ବିକ୍ରୟ କରୁଥିବା ବ୍ୟବସାୟୀ ମାନଙ୍କୁ ତଦନ୍ତ ପରିସର ଭୁକ୍ତ କଲେ ଯାଇ ନକଲି ଓ ଭେଜାଲ ଔଷଧ କାରବାର ର ଅନେକ ଗୁମର ପଦା କୁ ଆସିବା ସହ ରୋଗୀଙ୍କୁ ଲୁଟ ର ପର୍ଦାଫାଶ ହୋଇ ପାରିବ ନଚେତ ତଦନ୍ତ ରେ ଶିଥିଲତା ହେଲେ ଏହିପରି ନକଲି ଓ ଭେଜାଲ ଔଷଧ ମାତ୍ରାଧିକ ଖାଇ କଳାହାଣ୍ଡି ରୋଗୀ ମୃତ୍ୟୁକୁ ଆଲିଙ୍ଗନ କରୁଥିବେ ।
ମହମ୍ମଦ ଅଲ୍ଲୀ,
ବରିଷ୍ଠ ସାମ୍ବାଦିକ,




Post a Comment