ଜୟପୁର ଦେଇ ବିଶାଖାପାଟଣା ଟ୍ରେନକୁ ଭୁବନେଶ୍ୱର ସମ୍ପ୍ରସାରଣ ଦାବୀ
ଜୟପୁର:-------
( ତର୍ଜମା ନ୍ୟୁଜ )
ପ୍ରତିଦିନ ରାତ୍ରରେ ଜୟପୁର ଦେଇ ଯିବା ଆସିବା କରୁଥିବା କିରଣ୍ଡୁଲ----ବିଶାଖାପାଟଣା ଏକ୍ସପ୍ରେସ ଟ୍ରେନକୁ ଭୁବନେଶ୍ୱର ଯାଏଁ ସମ୍ପ୍ରସାରଣ କରିବାକୁ ଦାବି ରଖିଛି ଜୟପୁର ଜନ କଲ୍ୟାଣ ମଞ୍ଚ । ଏନେଇ ଏକ ଦାବି ପତ୍ର ମାଞ୍ଚ ପକ୍ଷରୁ ବିଶାଖାପାଟଣା ଡିଆରଏମ ଅନୁପ ଶତପଥିଙ୍କୁ ପ୍ରଦାନ କରାଯାଇଛି । ଏଥିରେ କୁହାଯାଇଛି ଯେ, ଏହି ଟ୍ରେନଟି ବିଶାଖାପାଟଣାରେ ଭୋର ୩ଟାରେ ପହଂଚି ପୁଣି ରାତ୍ର ୯ଟା ରେ ଛାଡ଼ୁଛି । ବିଶାଖାପାଟଣାରେ ଟ୍ରେନଟି ୧୮ ଘଣ୍ଟା କାଳ ପଡିରହୁଛି । ସେଠାରୁ ଭୁବନେଶ୍ୱର ଯିବା ଆସିବା ପାଇଁ ସମୟ କେବଳ ୧୨ ଘଣ୍ଟା ଲାଗିବ । ଟ୍ରେନ ରକ୍ଷଣାବେକ୍ଷଣ ଏବଂ ସଫା ସୁତରା ପାଇଁ ବଳକା ୬ ଘଣ୍ଟା ଭୁବନେଶ୍ୱରରେ ଉପଯୋଗ କରିପାରିବ । ଏପରିକି ଏହି ରାସ୍ତାରେ ଭୁବନେଶ୍ୱରକୁ ୨୦ କିମି ଦୂରତା ବି କମିବ । ତେଣୁ ଉକ୍ତ ଟ୍ରେନକୁ ତୁରନ୍ତ ସମ୍ପ୍ରସାରଣ କରାଯାଉ । ଯଦ୍ୱାରା ଅବିଭକ୍ତ କୋରାପୁଟ ଜିଲ୍ଲା ବାସିନ୍ଦା ଉପକୃତ ହେବେ ବୋଲି ମଞ୍ଚ ଡ଼ିଆରଏମଙ୍କୁ ଜଣାଇଛି । ଦାବି ପତ୍ର ପ୍ରଦାନ ବେଳେ ଆବାହକ ରାଜେନ୍ଦ୍ର କୁମାର ଗୌଡ଼, ଟି ଗୋୖରୀ ଶଙ୍କର, ପ୍ରଦୀପ୍ତ ପାଣିଗ୍ରାହୀ, ନିରଦ ନାୟକ ଉପସ୍ଥିତ ଥିଲେ ।
Post a Comment