//BREAKING//
Loading...


 ଅକୁହା କଥା:

ତାତ୍ସଲ୍ୟ, କଟାକ୍ଷ ଓ ଘୃଣା ର ଶିକାର ମୁଁ ମୋ ସୃତି ରେ !!!


ସମୟ କାହାକୁ ଅପେକ୍ଷା କରେନାହି ମନୁଷ୍ୟ ର ସଂଘର୍ଷ ମୟ ଜୀବନ ରେ କେବଳ ଶ୍ରୁତି ରହିଯାଏ ଶେଷ ନିଶ୍ୱାସ ଯାଏଁ । ଜୀବନରେ ଶାନ୍ତି ଓ ସୁଖ ଖୋଜୁ ଥିବା ବ୍ୟକ୍ତି ବେଳେ ବେଳେ ଦିଗହରା କିମ୍ବା ମୋ ପରି ଭବିଷ୍ୟତ ଚିନ୍ତା ନ କରି ବର୍ତ୍ତମାନ ରେ ବଞ୍ଚୁଥିବା ମଣିଷ ପରିଣତ ବୟସରେ ଶାନ୍ତି ଖୋଜିବା ବେଳେ ଜୀବନ ଯନ୍ତ୍ରଣା ର ଅନେକ ଘଟଣା ଚଳଚିତ୍ର ଭଳି ଭାସିଆସେ ଚକ୍ଷୁ ପଟଳରେ ଆଉ ଅଜାଣତରେ ଆଖିରୁ ଝରିଯାଏ ଦୁଇଟୋପା ଗରମ ଲୁହ ।ଆତ୍ମ ଚିନ୍ତନ କରିବାକୁ ବାଧ୍ୟ ହୁଏ ଓ ଭାବି ବସେ ଏ ଭଳି ତମାମ ଜୀବନ ଶାନ୍ତି ଖୋଜି ଖୋଜି ସଂଘର୍ଷ ପୂର୍ଣ ଜୀବନର ସାୟାହ୍ନ ରେ କେତେ ବେଳେ ପହଞ୍ଚି ଗଲି ଜାଣି ପାରିଲି ନାହିଁ ।ବର୍ତ୍ତମାନ ରେ ବଞ୍ଚୁଥିବା ମଣିଷ ପାଇଁ ବୋଧହୁଏ ଜରାଶ୍ରଣ(ବୃଦ୍ଧାଶ୍ରମ) ପୁଣ୍ୟ ପାଇବା ପାଇଁ ସ୍ୱେଚ୍ଛାସେବୀ ସଂଗଠନ ଗୁଡ଼ିକ ତିଆରି କରି ଥାଆନ୍ତି ଯେଉଁଠି ମୋ ପରି ଅଦୁରଦର୍ଶୀ, ବର୍ତମାନ ରେ ବଞ୍ଚୁଥିବା ବ୍ୟକ୍ତି ପାଇଁ ନିର୍ମିତ ହୋଇ ଥାଏ ।ଦୁର୍ଭାଗ୍ୟ କୁ କଳାହାଣ୍ଡି ଜିଲ୍ଲାରେ ଗୋଟିଏ ଜରାଶ୍ରମ ନାହିଁ ନଚେତ ମୁଁ ମଧ୍ୟ ଶେଷ ଜୀବନ ରେ ଶାନ୍ତି ପାଇବା ପାଇଁ ସେଇଠି ଆଶ୍ରୟ ନିଅନ୍ତି ।


ଦିନ ଥିଲା ମୁଁ ମଧ୍ୟ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ମାନଙ୍କ ଦ୍ୱାରା ତାତ୍ସଲ୍ୟ, କଟାକ୍ଷ ଓ ଘୃଣା ର ଶିକାର ହୋଇ ଥିଲି ।ମୋ ବଡ଼ ପରିବାର ଭିତରେ ଆମେ ଆଠ ଭାଇ, ପାଞ୍ଚ ଭଉଣୀ କୁ ନେଇ ପରିବାର ର ସମସ୍ତ ଦାୟିତ୍ୱ ରେ ହାତ ବାଣ୍ଟିବା କୁ ପଡୁଥାଏ । ପାରିବାରିକ ସଂସ୍କାର ରେ ଆମ ପୂର୍ବଜ ମାନେ କେବେବି ଛୁଆଁ ଅଛୁଆଁ, ଜାତିଆଣ ଭେଦଭାଵ କିମ୍ବା ଉଚ୍ଚ ନୀଚ ବିଷୟରେ ଶିକ୍ଷା ପାଇ ନାହୁଁ ।କଳାହାଣ୍ଡି ମାଟିର ମହନୀୟତା ଫଳରେ ଦୀର୍ଘ ୨୦୦ ବର୍ଷ ରୁ ଅଧିକ ହେବ ଆମ ପରିବାର ଏଇ ମାଟି ର ପାଣି, ପବନ ଓ ସଂସ୍କୃତି ସହ ଜଡିତ ହୋଇ ରହିଛୁ ।କେବେ ବି ମନ ଭିତରେ ମୁଁ ଜଣେ ମୁସଲିମ ବ୍ୟକ୍ତି ଭାବେ ଅନୁଭବ କରି ନାହିଁ କେବଳ ସଦାବେଳେ ଆମେ କଳାହାଂଡିଆ ଓ ଆମ ସଂସ୍କୃତି ବିଶ୍ୱର ସମସ୍ତ ସଂସ୍କୃତି ଠାରୁ ମହାନ ଓ ଭିନ୍ନ ବୋଲି ହୃଦୟ ଭିତରେ ପିଲାଟି ଦିନରୁ ଆମ ପୂର୍ବଜ ମାନେ ଭରି ଦେଇଛନ୍ତି ଯାହାକି ଆଜିବି ସେହି ସଂସ୍କୃତି ଓ ପରମ୍ପରା ଆମ ମାନଙ୍କ ଦୈନନ୍ଦିନ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଛି ଓ ରହିଥିବ ଚିରକାଳ ।ହାଇସ୍କୁଲ ଜୀବନରେ ମୁଁ ମୋ ଆଈ ମାଆ ଙ୍କ ପାଖରେ ରହି ପାଠ ପଢୁ ଥାଏ ।ଛୁଟି ହେଲେ ଗାଁ କୁ ମାଆ କୁ ଦେଖିବାକୁ ଯାଏ ।ମୋ ବଡ଼ମା ସ୍ୱର୍ଗତା ଜୈବୁନ ବେଗମ କଳାହାଣ୍ଡି ଜିଲ୍ଲାରେ ପ୍ରଥମ ଧାଇ ଓ ପ୍ରଥମ ମହିଳା (ସାଇକଲ ଚଢାଳି) ମେଡିକାଲ ରେ ଚାକିରୀ କରୁଥାନ୍ତି ।ଗମନାଗମନ ର ଅସୁବିଧା ସତ୍ୱେ ମାସକୁ ଥରେ ନିଜ ଚାକିରୀ କ୍ଷେତ୍ର ମହାଳିଙ୍ଗ-ଚପରିଆ, ହାତିବନ୍ଧା, କିମ୍ବା ଅବିଭକ୍ତ କକାହାଣ୍ଡି ଜିଲ୍ଲାର ଖରିଆର ରୁ ମଧ୍ୟ ନିଶ୍ଚୟ ସାଇକେଲ ରେ ଭବାନୀପାଟଣା ଆସିବେ ଓ ସେତେବେଳେ ମଧ୍ୟ ମୋ ବଡ଼ ମା ସାଇଲେଲ ର ପଛପଟେ ମତେ ବସେଇ ରାଜରାସ୍ତା ରେ ଯିବା ବେଳେ ଅନେକ କଟାକ୍ଷ ଶୁଣୁ ଥାଆନ୍ତି କିନ୍ତୁ ନିର୍ଭୀକ ଭାବରେ ଭବାନୀପାଟଣା ଆସିବେ ।250 ଟଙ୍କା ଦରମା ରୁ ଆଈ ମାଆ ଙ୍କୁ ମାସକ ଘରଖର୍ଚ୍ଚ 40ଟଙ୍କା ଦେବା ସହ ମତେ ବି 2/3ଟଙ୍କା ଦେଇ ଫେରିଯିବେ କର୍ମକ୍ଷେତ୍ର କୁ ।ଆମେ ଦୁଇ ଜଣ 40 ଟଙ୍କା ରେ ମାସକ ଚଳିବାକୁ ପଡେ ।ଏଥିସହ ବେଳେବେଳେ ବାପାଙ୍କ ପୁରୁଣା ମାଛ ବଜାର ରେ ଥିବା ଟେଲର ଦୋକାନ ରେ ବାପା ନ ଥିବା ସମୟରେ ମୁଁ ଯାଇ ନିଜ ଖର୍ଚ୍ଚ ପାଇଁ ରିପେରିଂ କରି କିଛି ମିଳିଗଲେ ଚାଲିଆସେ ।ଏଇମିତି ଭାବରେ ଜୀବନ ରେ ଆଗକୁ ଯିବା ପାଇଁ ପ୍ରତିକୂଳ ପରିସ୍ଥିତି ରେ ମଧ୍ୟ ଅନ୍ୟ ମାନଙ୍କ ସହ ତାଳ ଦେଇ ଚାଲିବାକୁ ପଡେ ।ପାଠ ପଢା ସମୟରେ ଜନାଵ ହାଜି ସାବିର ହୁସେନ, ଙ୍କ ପ୍ରତ୍ୟକ୍ଷ ଦିଗଦର୍ଶନ ଓ ଗାଇଡ଼ ଯୋଗୁଁ ଶୃଙ୍ଖଳିତ ଛାତ୍ର ଭାବେ ନିୟମିତ ସ୍କୁଲ ଯିବା ସହ ଘରେ ସକାଳୁ ଦୁଇ ଘଣ୍ଟା ଓ ସନ୍ଧ୍ୟା ରେ ଦୁଇଘଣ୍ଟା ପଢିବା ପାଇଁ ବାଧ୍ୟ ।ତଥାପି ମଧ୍ୟ ମାଟ୍ରିକ ପରୀକ୍ଷା ପ୍ରକାଶ ପାଇଲା ପରେ ଓଡ଼ିଆ ଭାଷାରେ ମୁ ଦୁର୍ବଳ ଥିବା ଓ 2nd ଡିଭିଜନ ମାର୍କ ପାଇଥିଲେ ମଧ୍ୟ ଓଡ଼ିଆ ରେ ୨୧ ମାର୍କ ପାଇ ମାଟ୍ରିକ ଫେଲ ହେଲି ।କମ୍ପାର୍ଟମେଂଟ ପରୀକ୍ଷା ଦେବା ପାଇଁ ବାପା ଙ୍କ ଅନୁରୋଧ କ୍ରମେ ମୋର ଗୁରୁ ସ୍ବର୍ଗତ ରାମ ରଥ ଆଜ୍ଞା ଙ୍କ ଘରକୁ ନିୟମିତ ଦୁଇମାସ ଟ୍ୟୁସନ ହେଲି କିନ୍ତୁ ଆଜ୍ଞା ମୋ ପାଇଁ ଦୁଇମାସ କଠୋର ପରିଶ୍ରମ କରି ଟଙ୍କା ଟିଏ ମଧ୍ୟ ନେଇ ନ ଥିଲେ ।ଓଡ଼ିଆ ରେ ଜ୍ଞାନ ଶୁନ ଥିବା ମୋ ପରି ମୂର୍ଖ କୁ ଜ୍ଞାନ ଦେବାରେ ସ୍ବର୍ଗତ ରାମ ରଥ ଆଜ୍ଞା ଙ୍କ ଅବଦାନ ଅତୁଳନୀୟ ।ପରୀକ୍ଷା ସମୟରେ କେବଳ ୪୦ମାର୍କ ର ବ୍ୟାକରଣ କରି ଚାଲି ଆସିଲି ଓ ୩୮ ମାର୍କ ପାଇ ମାଟ୍ରିକ ପାସ କଲି ।ସେବେଠୁ ଓଡ଼ିଆ ଭାଷା,ବ୍ୟାକରଣ ର ଶୁଦ୍ଧତା, ଓ ଶବ୍ଦ ପ୍ରୟୋଗ ସଂଯୋଜନା ଶିଖି ପାରିଥିଲି ।ମାଟ୍ରିକ ପାସ କଲା ପରେ ମୁଁ ଖୁସି ରେ ଆତ୍ମ ହରା ।ଆମ ସମୟରେ ଗୁରୁ -ଶିଷ୍ୟ ଙ୍କ ସମ୍ପର୍କ ଏପରିଥିଲା ଯେ, ନିଜ ଛାତ୍ର କୁ ଗୁରୁ ନିଜ ପୁଅ ଠୁ ବି ବେସି ଭଲ ପାଉଥିଲେ ଓ ଗର୍ବ ଅନୁଭବ କରୁଥିଲେ । ମାଟ୍ରିକ ପାସ କରି ଗୁରୁ ଦକ୍ଷିଣା ରେ ଆଜ୍ଞାଙ୍କ ପାଇଁ ନିଜ ହାତରେ ତିଆରି କରି ଗୋଟିଏ ପ୍ୟାଣ୍ଟ ଓ ମିଠା ନେଇ ଘରକୁ ଯାଇଥିଲି ।ଆଜ୍ଞା ଙ୍କୁ ତାହା ଭେଟି ଦେବା ପରେ ଆଜ୍ଞା ଭାବୁକ ହୋଇ ଆଖି ଛଳ ଛଳ ହୋଇ କୁଣ୍ଢେଇ ଧରି ପକେଇ ଥିଲେ । ଅନ୍ୟପଟେ ବାପା ଙ୍କ ଟେଲର ଦୋକାନ ସହ 1970 ରୁ 1981 ଏଗାର ବର୍ଷ ଧରି ସରପଞ୍ଚ ଥାଆନ୍ତି ।ଦୋକାନରେ ରାଜନେତା ଙ୍କ ଆଡ୍ଡା ଜମେ ।ରବିବାର କିମ୍ବା ଛୁଟି ଦିନରେ ସମସ୍ତଙ୍କ ପାଇଁ ଚା ଆଣିବା ଠାରୁ ଆବଶ୍ୟକ ସବୁ ନିର୍ଦେଶ ପାଳନ କରିବାକୁ ହୁଏ ।ସ୍ବର୍ଗତ ଗଙ୍ଗାଧର ହୋତା, ସ୍ବର୍ଗତ ବସନ୍ତ କୁମାର ଦାସ( ପୂର୍ବତନ ସାଂସଦ ତଥା ଅରଣ୍ୟ ନାଗରା ସାପ୍ତାହିକି ଖବର କାଗଜ ର ମୁଖ୍ୟ ସମ୍ପାଦକ, ସ୍ବର୍ଗତ କୃଷ୍ଣ ଚନ୍ଦ୍ର ଯୋଶୀ(ମତାମତ ସାପ୍ତାହିକି ଖବର କାଗଜ ର ମୁଖ୍ୟ ସମ୍ପାଦକ )ସ୍ବର୍ଗତ କିରଣ ଚନ୍ଦ୍ର ସିଂହ ଦେଓ, ସ୍ବର୍ଗତନଗେନ୍ଦ୍ର ନାଥ ଚୌଧରୀ, ସ୍ବର୍ଗତ ଚନ୍ଦ୍ରଭାନୁ ସିଂହ, ସ୍ବର୍ଗତମହମ୍ମଦ ଅବଦୁଲ ସିଦ୍ଧିକ, ସ୍ବର୍ଗତ ଯୁଗଳ କିଶୋର ଯୋଶୀ, ସ୍ବର୍ଗତ ଅକ୍ରୁର ନାଏକ, ସ୍ବର୍ଗତ ପ୍ରଦେଶୀ ନାଏକ, ସ୍ବର୍ଗତ ନାରାୟଣ ସାଏ, ଶ୍ରୀଯୁକ୍ତ ଦୁର୍ଗା ଶଙ୍କର କର ଙ୍କ ସମେତ ଅନେକ ଯୁବନେତା ସ୍ବର୍ଗତ ଭାଗ୍ୟବାନ ଦାସ, ସ୍ବର୍ଗତ ଶିବ ଶଙ୍କର ପଟ୍ଟନାୟକ, ସ୍ବର୍ଗତ ହରିମିଶ୍ର, ଙ୍କ ସମେତ କଳାହାଣ୍ଡି ମାଟିର ଅନେକ ଅମୃତ ସନ୍ତାନ ଙ୍କ ଭିଡ଼ ଭିତରେ ରହିବାର ସୁଯୋଗ ପାଇଛି ।ସେଇଠି ଆରମ୍ଭ ହୁଏ ଡିବଡିବି ସାପ୍ତାହିକି ର ପରିକଳ୍ପନା ।ସ୍ବର୍ଗତ ପ୍ରହଲ୍ଲାଦ ରାୟ ଅଗ୍ରୱାଲ ପ୍ରକାଶକ ଓ ସ୍ବର୍ଗତ ଗଙ୍ଗାଧର ହୋତା ମୁଖ୍ୟ ସମ୍ପାଦକ ।ମୋ କାମ ବାପା ଙ୍କ ଦୋକାନ ରେ ବସି ହୋତା ଆଜ୍ଞା ଲେଖିଥିବା ନ୍ୟୁଜ, ଆର୍ଟିକଲ ସବୁ ନେଇ ଅଗ୍ରୱାଲ ପ୍ରେସ ରେ ଦେବା, ରାସ୍ତା ରେ ଚାଲି ଚାଲି ଯିବା ବେଳେ ଲେଖାସବୁ ପଢି ପଢି ଯିବା ।ପୃପ କରେକ୍ସନ ପାଇଁ ଆଣିବା ହୋତା ଆଜ୍ଞା ପୃପ କରେକ୍ସନ କରିଦେଲେ ପ୍ରିଣ୍ଟ ଆରମ୍ଭ ପର୍ଯ୍ୟନ୍ତ ରହି କୋଉ ନିଉଜ କୋଉ ପେଜ ରେ ରହିଛି ନା ନାହିଁ ଦେଖିବା ଓ ପ୍ରଥମ ପ୍ରିଣ୍ଟ ନେଇ ଆସି ହୋତା ଆଜ୍ଞା ଙ୍କୁ ଦେବା ।ଏଥିସହ ମାଟ୍ରିକ ପରେ କଲେଜ ଜୀବନରେ ଧରିତ୍ରୀ ଖବର କାଗଜ ର ପ୍ରଥମ ଜିଲ୍ଲା ପ୍ରତିନିଧି ସ୍ବର୍ଗତ ଡ଼ଃ, ରମଜାନ ଅଲ୍ଲୀ ଖାଁ ମତେ ତାଙ୍କ କ୍ଲିନିକ ରେ ବସେଇ ନ୍ୟୁଜ ଡାକିବେ ମୁଁ କାଗଜ ରେ ଲେଖି ତାକୁ ପୋଷ୍ଟ ଅଫିସ ରେ ନେଇ ପୋଷ୍ଟ କରିବା ଓ ପାଞ୍ଚ ଦିନ ପରେ ନ୍ୟୁଜ ବାହାରିଲେ ତାକୁ ପଢି ନିଜେ ନିଜେ ଆନନ୍ଦିତ ହଉଥିଲି । ସ୍ବର୍ଗତ ବସନ୍ତ ଦାସ ଙ୍କ ଇଂରାଜୀ ଡ୍ରାଫ୍ଟ କୁ ଟାଇପ କରିବା ପାଇଁ ମୀରା ରେଷ୍ଟୁରାଣ୍ଟ ବାରଣ୍ଡା ରେ ଟାଇପ ମେସିନ ନେଇ ବସିଥିବା ସ୍ବର୍ଗତ କୁଶ ଆଜ୍ଞା ଙ୍କ ପାଖରେ ଟିଣ ଚୌକି ରେ ବସି ଟାଇପ ସରିଗଲେ ଆଣିଦେବା ହଉ କି ସାମନ୍ତବାଦୀ ଶକ୍ତି ବିରୁଦ୍ଧରେ ଗାନ୍ଧୀ ଚୌକ ରେ ସେତେବେଳେ କଂଗ୍ରେସ ଯୁବନେତା ଶ୍ରୀଯୁକ୍ତ ଜଗନ୍ନାଥ ପଟ୍ଟନାୟକ, ମନମୋହନ ମାଥୁର, ହରି ମିଶ୍ର, ହାଇଦର ଅଲ୍ଲୀ କରୁଥିବା ସାଧାରଣ ସଭା ରେ ଭାଷଣ ଦେବା ପାଇଁ ମୋ ମାମୁଁ ମହମ୍ମଦ ଅବଦୁଲ ସିଦ୍ଧିକ ଆମ ଦୋକାନ ରେ ବସି ଭାଷଣ ଲେଖିଦେଇ ମୋତେ ଜଗନ୍ନାଥ ଆଜ୍ଞା ଙ୍କ ପାଖକୁ ପଠେଇ ଦଉଥିଲେ ।ମୁଁ ରାସ୍ତା ଯାକ ସେହି ଲେଖା ଭାଷଣ ପଢି ପଢି ଯାଏ ଓ ସନ୍ଧ୍ୟା ରେ ସେହି ଲେଖା ଭାଷଣ ଶୁଣି ଆସେ ।ଆରଦିନ ମାମୁଁ ଙ୍କୁ କୁହେ "କଲ ଆପ କା ଲିଖା ହୁଆ ଭାଷଣ ପୁରା ପଢ଼ଲିୟେ ଜଗନ୍ନାଥ ଆଜ୍ଞା ।ମାମୁଁ ଙ୍କ ଉତ୍ତର କଳାହାଣ୍ଡି ଜିଲ୍ଲା ପାଇଁ ଯୁବ ନେତୃତ୍ୱ ର ଆବଶ୍ୟକତା ଅଛି ।ଏହି ଯୁବନେତା ମାନେ କଳାହାଣ୍ଡି ର ଭବିଷ୍ୟତ ନିର୍ମାଣ କରିବେ ।


        ସମୟ କ୍ରମେ ବଡ଼ ପରିବାର ଯୋଗୁଁ କଲେଜ ପଢ଼ା ସମ୍ପୂର୍ଣ କରି ପାରିଲି ନାହିଁ ଓ ଆଦରିନେଲି ଟେଲରିଂ କୁ ।ବହୁତ ସରକାରୀ ଚାକିରୀ ପାଇଥିଲି କିନ୍ତୁ ମନ ଭିତରେ ଭରି ରହିଥାଏ ଚାକିରୀ ଅର୍ଥ ଚାକର ଆଉ ମୁଁ କାହାର ଚାକର ହେବିନାହିଁ ।ଟେଲରିଂ ରେ ମଧ୍ୟ ରାଜ୍ୟରେ ଇତିହାସ ହୋଇ ରହିଗଲି କାରଣ ମାତ୍ର 17 ବର୍ଷ ବୟସରେ ଏକ ରଙ୍ଗୀନ ଚଳଚିତ୍ର ରେ କସଟ୍ୟୁମ ଦେବା ତାହାବି ଆମ ପଶ୍ଚିମ ଓଡିଶାର ଟେଲର ମାନଙ୍କ ପାଇଁ ନୂଆ ବିଷୟ ।ମହାନ ଚଳଚିତ୍ର ଅଭିନେତ୍ରୀ ମହାଶ୍ୱତା ରାୟ ଙ୍କୁ ପ୍ରଥମ ଥର ପାଇଁ ପରଦା ରେ ଜିନ୍ସ ଓ ଜାକେଟ ପିନ୍ଧା ଲୂକ ରେ ଦେଖିବାକୁ ମିଳିଥଲା ।ଯାହାକି ମୋ ପାଇଁ ଅବିସ୍ମରଣୀୟ ଘଟଣା ଅଟେ ନାଟ୍ୟରଶ୍ମୀ ସ୍ବର୍ଗତ ପ୍ରଫୁଲ୍ଲ କୁମାର ରଥଙ୍କ ମୋ ପ୍ରତି ଅକୁଣ୍ଠ ବିଶ୍ୱାସ ଓ ପ୍ରତ୍ୟକ୍ଷ ଆଶୀର୍ବାଦ ରେ ଭବାନୀପାଟଣା ରେ ନାଟକ ମାନଙ୍କରେ ଡ୍ରେସ ସେଟ୍ଟୀଙ୍ଗ କରିବା ସହ ଡ୍ରେସ ର କଲର ଉପରେ ଗୁରୁତ୍ୱ ଦେବା ପାଇଁ ମହାନ ଚିତ୍ରଶିଳ୍ପୀ ସ୍ବର୍ଗତ ରଘୁନାଥ କୁମାର , କେମେରା ର ଯାଦୁଗର ସ୍ବର୍ଗତ ରବିନ ସାହୁ ଙ୍କ ପରି ଯୋଗ୍ୟତମ କଳାକାର ଙ୍କ ପ୍ରେରଣା ରେ ସ୍ବର୍ଗତ ବଦ୍ରୀ ମହାପାତ୍ର,ବିଶ୍ୱ ମିଶ୍ର , କୋଶଳ ଗୋୟଲ, ଗାନ୍ଧୀ ସିଂହ, ବନ୍ଧୁ ସ୍ବର୍ଗତ ଚନ୍ଦ୍ର ନାଏକ, ସ୍ବର୍ଗତ ବସନ୍ତ ପଣ୍ଡାଙ୍କ ପରି ସୁନାମଧନ୍ୟ କଳାକାର ମାନଙ୍କ ପାଇଁ ଡ୍ରେସ ଯୋଗାଡ଼ କରିବା ଓ ରାତି ତମାମ ଉଜାଗର ରହି କେବଳ ନିଜ ସଉକ ଭାବେ ନେଇଥିଲି ।ଚଳଚିତ୍ର ରେ ମଧ୍ୟ ଏମାନଙ୍କ ପ୍ରେରଣା ଯୋଗୁଁ ଜଣେ ସଫଳ କସଟ୍ୟୁମ ଡିଯାଇନର ହେଲେ ମଧ୍ୟ ଜୀବନ ରେ ଆଗକୁ ଯିବା ପାଇଁ ଏକ ନିର୍ଦ୍ଧିଷ୍ଠ ଲକ୍ଷ୍ୟ ନ ଥିଲା ।କାଳକ୍ରମେ ଦିନେ ଏଇମିତି କଥା କଥାରେ ଜିଲ୍ଲାରେ ଗୋଟିଏ ନିରପେକ୍ଷ ସାପ୍ତାହିକି ଖବର କାଗଜ ପ୍ରକାଶନ କରିବା ପାଇଁ ମୋ ଗୁରୁ ବରିଷ୍ଠ ସାମ୍ବାଦିକ, ଲେଖକ, କ୍ରୀଡା ସଂଗଠକ ପୂର୍ବତନ ମନ୍ତ୍ରୀ ଓ ସାଂସଦ ଙ୍କୁ ଅନୁରୋଧ କଲି ।ଆଜ୍ଞା ହସିଦେଲେ କିଛି କହିଲେ ନାହିଁ କି ମୁଁ ବି ଆଉ ବାଧ୍ୟ କଲିନାହିଁ । ୧୯୮୫ ମସିହାରେ ବିପ୍ଲବୀ କବି ସ୍ବର୍ଗତ ମୁନିର ବିଶ୍ଵବନ୍ଧୁ ମୋ ମାମୁଁ ଙ୍କ ପ୍ରେରଣା ରେ "ସମୟ"ସାପ୍ତାହିକି ନାମ ଦେଇ RNI REGD ପାଇଁ ଆବେଦନ କଲି ।କିନ୍ତୁ କାରଣ ସେହି ନା ଟି ଆଗରୁ RNI ସ୍ୱୀକୃତି ପାଇଥାଏ ।ଅନ୍ୟ ନା ଦେବା ପାଇଁ ଇଚ୍ଛା ହେଲା ନାହିଁ ।ତାହା ବି ଫେଲ ମାରିଥିଲା ।ସେହି ପୁରୁଣା ଫାଇଲ କପି ର ଫର୍ମ ନେଇ ରାସ ବିହାରୀ ଆଜ୍ଞା ଙ୍କୁ ଦେଲି ଓ ଆଜ୍ଞା ଆର୍ଜ୍ଜି ନା REGD କରି 1998 ମସିହାରେ ପ୍ରକାଶନ ଆରମ୍ଭ କରିଥିଲେ ।ସେହି ଦିନ ଠାରୁ ଦୀର୍ଘ 13 ବର୍ଷ ଅର୍ଜ୍ଜି ର ଜିଲ୍ଲା ପ୍ରତିନିଧି ଭାବରେ କାର୍ଯ୍ୟକରିଛି ।ଜଣେ ଶୃଙ୍ଖଳିତ ବ୍ୟକ୍ତିତ୍ୱ, ଗାଇଡ଼, ମୋ ପାଇଁ ପ୍ରେରଣା ର ଜୀବନ୍ତ କିମ୍ବଦନ୍ତୀ ରାସ ଆଜ୍ଞା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଭାଷା ଶୈଳୀ, ଲିଖିବା, ଓ ଲେଖିବା ପାଇଁ ପଢିବା, ସଠିକ ତଥ୍ୟ ସଂଗ୍ରହ ସହ ସାମ୍ବାଦିକତା ର ପ୍ରତ୍ୟେକ ଦିଗ ପ୍ରତି ପ୍ରେରଣା ପାଇ ନିର୍ଭୀକ ଭାବରେ ଲେଖି ଚାଲିଲି।ସେତେ ବେଳେ ଯୋଉ ଯେତେ ଜଣ ବରିଷ୍ଠ ସାମ୍ବାଦିକ ଙ୍କ ଅହଂକାର ପ୍ରକୃତି, ପ୍ରବୃତ୍ତି ଓ ଆକ୍ଷେପ ଆଜିବି ହୃଦୟ ଭିତରେ ସତେଜ ରହିଛି ।"ହେଇ ଦେଖ ହେ, ଗୋଟାଏ ମ୍ଳେଚ୍ଛ, ଟେଲର ଫଟା ଟୁଟା ସିଲେଇ କରି ପେଟ ପୋଷିବା ପିଲା କଣ ନା ସାମ୍ବାଦିକ ହେବ ।ରାସ ବାବୁ ଙ୍କୁ ପିଲା ମିଳିଲେ ନାହିଁ ୟାକୁ ରଖିଛନ୍ତି ତା ସହ ପୁଣି ଆମେ ସାମ୍ବାଦିକ ସମ୍ମିଳନୀରେ ବସିବୁ ।କେତେ ତଳକୁ ଗଲାଣି ସାମ୍ବାଦିକତା ।ଏଥିସହ ସାପ୍ତାହିକ ପେପର ଗୁଟେ ପେପର କାଏଁ କିଏ ପଢୁଛେ ଆମେ ଦୈନିକ ଖବର କାଗଜ ର ଜିଲ୍ଲା ପ୍ରତିନିଧି ଆମ ର ନ୍ୟୁଜ ପୁରା ଓଡିଶା ପଢୁଛେ । ଅର୍ଜ୍ଜି ତ-- ରାସ ଆଜ୍ଞା ଙ୍କ କିଛି କାମ ନାଇଁ ତ ପେପର ଗୁଟେ ହେଟାବି ସାପ୍ତାହିକି ବାହାର କଲେ କିଏ ପଚାରୁଛେ ।ଏହି ପରି କଟାକ୍ଷ ଶୁଣି ଶୁଣି ମନ ଦୃଢ଼ ହେଉଥାଏ ।ପିଲାଟି ଦିନରୁ ଜିଦ ଖୋର ମନୋବୃତି ଓ ବେଖାତିରି ମନୋଭାବ ସତ୍ୱେ ଅନେକ ଥର ଗାଳି ଶୁଣି ଶୁଣି 13 ବର୍ଷ ଭିତରେ ବେଦାନ୍ତ ପ୍ରସଙ୍ଗ, ମିଥ୍ୟା ସତ୍ୟପାଠ ମାମଲା, ବିସିସି ବ୍ୟାଙ୍କ ଦୁର୍ନୀତି, ହାଉସିଂ ବୋର୍ଡ ଦୁର୍ନୀତି ହଉ କି "ବରବୁଲା ଷଣ୍ଢ" ବ୍ୟଙ୍ଗ କଲମ ପାଇଁ ଶବ୍ଦ, ଭାଷା ଓ ପ୍ରେରଣା ଯେଉଁ ମାନଙ୍କ ଠାରୁ ପାଇଛି ସେମାନେ ହେଲେ ଅଧ୍ୟାପକ ଡ଼ଃ, ପରମେଶ୍ୱର ମୁଣ୍ଡ ଏବଂ ବ୍ୟଙ୍ଗ କବି, ନାଟ୍ୟକାର ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ମୁଣ୍ଡ ଙ୍କ ଦିଗଦର୍ଶନ ମୋ କଲମ କୁ ଶାଣିତ କରିବା ସହ ତଥ୍ୟ ଭିତ୍ତିକ ସମ୍ବାଦ ନିର୍ଭୀକ ଭାବରେ ଖୋଜି ବାହାର କରି ଲେଖିବା ଓ ତାକୁ ଶ୍ରୀଯୁକ୍ତ ରାସ ଆଜ୍ଞା ଅର୍ଜ୍ଜି ରେ ପ୍ରକାଶନ କରୁଥିଲେ ।ଏପରି ସମୟ ଆସିଲା ସାଧାରଣ ଲୋକେ ବୁଧବାର ଅର୍ଜ୍ଜି ପ୍ରକାଶନ ଦିନ କୁ ଅପେକ୍ଷା କରୁଥିଲେ ଏଥିସହ ଯେଉଁ ମାନେ ବ୍ୟକ୍ତିଗତ ଭାବେ ମତେ କଟାକ୍ଷ କରୁଥିଲେ ସେମାନେ ମଧ୍ୟ ଅର୍ଜ୍ଜି କିଣି ନେଇ ଲେଖା କୁ କପି ପେଷ୍ଟ କରି ନିଜ ଦୈନିକ ଖବର କାଗଜ ରେ ପ୍ରକାଶ କରି ବା.. ହା..ବା ନେଉଥିଲେ ।କିଛି ଚାଲିଗଲେ ଆରପାରିକୁ ଆଉ କିଛି ଆଜିବି ବଞ୍ଚିଛନ୍ତି ଆତ୍ମ ବଡିମା ମାନସିକତା ର ଅସହିସ୍ତୁ ବରିଷ୍ଠ ମାନେ ଯେଉଁମାନେ କି କାହାର ସଫଳତା କୁ ସହଜେ ହଜମ କରି ପାରନ୍ତି ନାହିଁ ।କାଳକ୍ରମେ ଅର୍ଜ୍ଜି ବନ୍ଦ ହେବା ପରେ ମୁଁ ନିଜେ 2012 ରୁ 2019/20 ପର୍ଯ୍ୟନ୍ତ ନିଜର ଗୋଟିଏ ପାକ୍ଷିକ ତର୍ଜମା ପ୍ରକାଶ କଲି ।ସାତ ଆଠ ବର୍ଷ ଧରି ନିୟମିତ ଭାବେ ପ୍ରକାଶ କରି ଆର୍ଥିକ ଅନାଟନ ର ଶିକାର ହେଲି କାହିଁକି ନା ବିଜ୍ଞାପନ ମିଳିବା ହଉ କି ସ୍ଥାନୀୟ ଖବରକାଗଜ ପଢିବା ଓ ବିଜ୍ଞାପନ ଦେବା ପାଇଁ ଲୋକଙ୍କ ଅଭାବ, ପାଠକ ଙ୍କ ଅଭାବ ରହିଛି ।ଏଠାରେ ୨୦ଖଣ୍ଡ ଦୈନିକ ପେପର ମଗେଇ ଅଫିସ ଅଫିସ ବୁଲି ବାଣ୍ଟି ଦେଇ କପି ପେଷ୍ଟ ତିନି ଦିନ ପୁରୁଣା ଖବର ଧରି ନିଜକୁ ସାମ୍ବାଦିକ ପରିଚୟ ଦେଇ ବଡ଼ ଜ୍ଞାନୀ ଗୁଣି ବୋଲି ଦେଖେଇ ହେବା ମାନଙ୍କ ଅଭାବ ନାହିଁ ।ସାମ୍ବାଦିକତା କୁ ନିଶା ଭାବରେ ଗ୍ରହଣ ନ କରି ପେଶା ଭାବରେ ଗ୍ରହଣ କରି ବଞ୍ଚିବାର ଏକ ସୁରକ୍ଷିତ ଆଶ୍ରୟ ସ୍ଥଳୀ ହୋଇ ଯାଇଛି କଳାହାଣ୍ଡି ରେ ସାମ୍ବାଦିକତା ।


  ତଥାପି ମୋ ପରି ଅନେକ ଅଛନ୍ତି ସ୍ୱାଭିମାନ ସହ ବଞ୍ଚି ସାଲିସ ବିହୀନ ସଂଗ୍ରାମ କୁ ନିଜ ଜୀବନ ର ଅବିଛେଦ୍ୟ ଅଙ୍ଗ ଭାବେ ଗ୍ରହଣ କରି ନିର୍ଭୀକ ଭାବରେ ସାମ୍ବାଦିକତା ନିଶା ରେ ଆଜି ବି ମସଗୁଲ ।ସେମାନଙ୍କୁ ହୃଦୟ ରୁ ପ୍ରଣାମ ଜଣାଉଛି ।ତେବେ ଉନ୍ନତ ବୈଷୟିକ ଜ୍ଞାନ କୌଶଳ କୁ ଆପଣେଇ ଆଜି ସମସ୍ତ ଖବରକାଗଜ ଓ ବୈଦ୍ୟୁତିକ ଗଣ ମାଧ୍ୟମ "ଦୁନିଆଁ ମେରୀ ମୁଠୀ ମେ" କହି ନିଜର ୱେବ ପେଜ ପ୍ରକାଶ କରିବାକୁ ବାଧ୍ୟ ଓ କରିଛନ୍ତି ମଧ୍ୟ ।ମୁଁ ବି କିପରି ବାଦ ଯାଇଥାନ୍ତି ସବୁବେଳେ ସାମ୍ବାଦିକତା ରେ ନୂଆ କିଛି କରିବା ର ସ୍ବପ୍ନ ନେଇ ବୈଷୟିକ ଜ୍ଞାନ କୌଶଳ ର ସହାୟତା ପାଇ ସ୍ବପ୍ନ କୁ ସାକାର କରିବା ପାଇଁ ଆରମ୍ଭ କରିଛି "ତର୍ଜମା ନ୍ୟୁଜ" ..ସମ୍ପୂର୍ଣ regd।ଆଜକୁ ଦୁଇ ବର୍ଷ ହେବ ନିୟମିତ ବଛା ବଛା ନ୍ୟୁଜ ଲୋକଙ୍କୁ ଭେଟି ଦେଉଛି "ତର୍ଜମା ନ୍ୟୁଜ" ଜରିଆରେ ।ଯେ କେହିବି ଗୁଗୁଲ କୁ ଯାଇ www. tarzamanews.com ରେ ପଢିବା ସହ ୟୁ ଟ୍ୟୁବ ରେ ମଧ୍ୟ ଦେଖିପାରିବେ ।ଆଜି କିଛି ଅତୀତ ର ଶ୍ରୁତି କୁ ମନେ ପକାଇବାର ସୁଯୋଗ ସହ ନିଜକୁ ଆଉ ଅଧିକ କଠୋର, ନିର୍ଭୀକ ଭାବରେ ଜିଦ ଖୋର ମନୋବୃତ୍ତି ସହ ଜୀବନର ଶେଷ ପର୍ଯ୍ୟନ୍ତ ନିଜ ଇଚ୍ଛା ଅନୁସାରେ ମୁଁ ନିଜ ଜୀବନ ବଞ୍ଚିବାର ଲକ୍ଷ ନେଇ ଆଗେଇବି ତାହା ଭଗବାନ ଙ୍କ ପାଖରେ ବିନୀତ ପ୍ରାର୍ଥନା କରିବା ସହ ସମସ୍ତ ଶୁଭ ଚିନ୍ତକ, ଶୁଭେଚ୍ଛୁ ଓ ନିନ୍ଦୁକ, ପ୍ରତିହିଂସା ପରାୟଣ ଙ୍କ ସହଯୋଗ, ଆଶୀର୍ବାଦ କାମନା କ୍ରରୁଛି ।


    ଶୁଭରାତ୍ରୀ ।

ମହମ୍ମଦ ଅଲ୍ଲୀ ଖାଁ 


ବରିଷ୍ଠ ସାମ୍ବାଦିକ, 

ଚିଫ୍ ଏଡିଟର, ତର୍ଜମା ନ୍ୟୁଜ ।

ଫୋନ୍ ନ:--୯୪୩୭୨୯୩୮୬୭                        ବି ଦ୍ର:-ଅତୀତ ର ଏହି ଶ୍ରୁତି କୁ ପଢି ମତାମତ ଦେଲେ ନିଜକୁ ଧନ୍ୟ ମନେ କରିବି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe