//BREAKING//
Loading...

ପବିତ୍ର ବାହୁଡା ଯାତ୍ରା: ଆଜି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡିବେ ଶ୍ରୀଜିଉ



ତର୍ଜମା ନ୍ୟୁଜ ପୁରୀ: ଆଜି ପବିତ୍ର ବାହୁଡ଼ାଯାତ୍ରା । ଆଷାଢ଼ ଶୁକ୍ଳ ଦଶମୀ ତିଥିରେ ଆଜି ବାହୁଡ଼ିବେ ଦାରୁବ୍ରହ୍ମ। ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦୀରୁ ଶରଧାବାଲିରେ ଥିବା ରଥ ଉପରେ ପହଣ୍ଡି ବିଜେ କରିବେ। ବଡ଼ଦାଣ୍ଡରେ ଘର ଘର ନାଦକରି ଶ୍ରୀମନ୍ଦିର ସିଂହଦ୍ବାର ଅଭିମୁଖେ ଗଡ଼ିବ ତିନିରଥ। ପୁଣିଥରେ ଭକ୍ତ ଓ ଭଗବାନଙ୍କ ମହାମିଳନ ହେବ। ନବଦିନ ବ୍ୟାପୀ ଆଡ଼ପମଣ୍ଡପ ଲୀଳା ଶେଷକରି ବାହୁଡ଼ାଯାତ୍ରା କରିବେ ମହାପ୍ରଭୁ। ବିଶ୍ବବ୍ରହ୍ମାଣ୍ଡର ତ୍ରାଣକର୍ତ୍ତା ପରଂବ୍ରହ୍ମ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କ ଫେରିବା ବାଟକୁ ପ୍ରବଳ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ରଥ, ପଥ ଓ ଭକ୍ତ। ଜନ୍ମବେଦୀ ଲୀଳା ସରିବା ପରେ ଆଡପ ମଣ୍ଡପ ଛାଡି ରଥାରୂଢ ହୋଇ ବାହୁଡ଼ିବେ ମହାବାହୁ । ଗତକାଲି ନବମୀ ସନ୍ଧ୍ୟା ଦର୍ଶନରେ ଲକ୍ଷାଧିକ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରି ଧନ୍ୟ ହୋଇଥିବା ବେଳେ ଗୁଣ୍ଡିଚା ମନ୍ଦିରରେ ରାତ୍ର ପହୁଡ଼ ନୀତି ସମ୍ପନ୍ନ ହୋଇଥିଲା। ପରେ ଶ୍ରୀବିଗ୍ରହମାନଙ୍କର ଶ୍ରୀମୁଖ ଖଣ୍ଡୁଆ ସମ୍ପନ୍ନ କରାଯାଇ ଭିତର ନୀତି କରାଯାଇଥିଲା। ରାତି ୧୨ଟା ସୁଦ୍ଧା କୋଠ ସୁଆଁସିଆ ସେବକମାନେ ଚାର ବନ୍ଧା ନୀତି ଶେଷ କରିବା ପରେ ଦଇତାପତି ସେବକ ପ୍ରବେଶ କରିଥିଲେ।


ଶ୍ରୀଜିଉମାନଙ୍କର ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ରୋଷ ହୋମ ଆଦି ନୀତି କରାଯାଇ ଗୋପାଳ ବଲ୍ଲଭ ଓ ସକାଳ ଧୂପରେ ଖେଚୁଡ଼ି ଭୋଗ ଅନୁଷ୍ଠିତ ହେବ। ଏହା ପରେ ମହାପ୍ରଭୁଙ୍କୁ ଧାଡି ପହଣ୍ଡିରେ ରଥ ଉପରକୁ ବିଜେ କରାଯିବ । ଶ୍ରୀମସ୍ତକରେ ଆକର୍ଷଣୀୟ ଟାହିଆ ଲଗାଇ ସେବକଙ୍କ ମେଳରେ ମିଳିତ ଘଣ୍ଟବାଦ୍ୟ, ବୀର କାହାଳୀ ଏବଂ ପଖଉଜ ବାଦ୍ୟ ସହ ତାଳମିଳାଇ ଝୁଲି ଝୁଲି ରଥ ଉପରେ ବିଜେ କରିବେ ମହାପ୍ରଭୁ। ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ପରେ ମଦନ ମୋହନ, ରାମ ଓ କୃଷ୍ଣଙ୍କ ପହଣ୍ଡି କରାଯିବ। ପରେ ଗଜପତି ମହାରାଜା ଛେରା ପହଁରା ନୀତି ସମ୍ପାଦନ କରିବେ। ଛେରା ପହଁରା ନୀତି ପରେ ତିନି ରଥରୁ ଚାର ଖୋଲାଯାଇ ଘୋଡା ବନ୍ଧା ଯିବା ସହ ରଥଟଣା କାର୍ଯ୍ୟ ଆରମ୍ଭ ହେବ। ଆଜି ସକାଳୁ ବାହୁଡା଼ ଯାତ୍ରା ପାଇଁ ଶରଧାବାଲିରେ ପ୍ରବଳ ଭକ୍ତଙ୍କ ଭିଡ଼ ଜମିଛି

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe