ଜୁନାଗଡ଼-୦୬/୦୭ (ତର୍ଜମା ନିୟୁଜ) : କଳାହାଣ୍ଡି ଜିଲ୍ଲା ବନ ବିଭାଗକୁ ଛାଡ଼ି ପାରୁନି ଦୁର୍ନୀତିର ଭୂତ। କେତେବେଳେ ଇଡି ପସିଲାଣି ତୋ କେତେବେଳେ ଭିଜିଲାନ୍ସ ମାଡିବସୁଛି। ତଥାପି ବିଭାଗ ସୁଧୁରିବାର ନାଁ ଧରୁନି। ବିଭାଗରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଦୁର୍ନୀତିର ଚେର।ଏଥିରେ ବିଭାଗ ତଳୁ ଉପର ଯାଏଁ ଛନ୍ଦି ହୋଇ ପଡ଼ୁଥିବା ବେଳେ, ଜିଲ୍ଲା ବନ ଅଧିକାରୀ ଚେଇଁ ଶୋଇଛନ୍ତି। ଏଥି ସହିତ ପୁଣି ଯୋଡ଼ି ହୋଇଛି ଆଉ ଦୁର୍ନୀତି।ଜୁନାଗଡ ବନାଞ୍ଚଳ ଅଧିନସ୍ଥ ରାଜପୁର ବିଟ ଅନ୍ତର୍ଗତ କାର୍ଲି ପିଆରଏଫ ରେ ବିନା କାମରେ ଉଠିଛି ଟଙ୍କା। ଏଠାରେ ସୂଚନା ଫଳକ ଲାଗି ନ ଥିବା ବେଳେ, କାମର ନା ଗନ୍ଧ ଦେଖିବାକୁ ମିଳୁନାହିଁ। ଅଥଚ, ୫୧ ହାଜର ଟଙ୍କା ଉଠାଣ ହୋଇ ସାରିଥିବା ଜଣାପଡ଼ିଛି। ଅଭିଯୋଗ ମୁତାବକ ଏହି ସ୍ଥାନରେ ଚଳିତ ବର୍ଷ ଟଙ୍କାଟିଏ ମଧ୍ୟ କାମ ହୋଇନାହିଁ। ସୂଚନା ଅନୁସାରେ ଏହି ଠାରେ ଏଲବିସିଡି କାର୍ଯ୍ୟ ୩ ଲକ୍ଷ ୧୫ ହଜାର ୨୧ ଟଙ୍କାର ହେବା ପାଇଁ ମଞ୍ଜୁର ହୋଇଥିବା ବେଳେ ଏଥିରୁ ୫୧ହଜାର ୫୧ ଟଙ୍କା ୪ ଗୋଟି ଏମଆର ରେ ଟଙ୍କା ଉଠିସାରିଛି। ଏଥିରେ ସମୁଦାୟ ୩୫ ଜଣ ଶ୍ରମିକ ନିୟୋଜିତ ହୋଇଥିବା ଜଣାପଡ଼ି ଥିବା ବେଳେ, ୧୮୭ ଶ୍ରମ ଦିବସ ସୃଷ୍ଟି ହୋଇଛି। ଏଥିରେ ଶ୍ରମିକ ବଦଳରେ ନିଜ ସଂପର୍କିୟ ଓ ବିଭାଗରେ ନିୟୋଜିତଙ୍କ ପରିବାର ର ଆକାଉଣ୍ଟ ରେ ଟଙ୍କା ଜମା ହୋଇଥିବା ଅଭିଯୋଗ ହୋଇଛି। ଏନେଇ ବନାଞ୍ଚଳ ଅଧିକାରୀ ସିମାଞ୍ଚଳ ମିଶ୍ର, ବନପାଳ ଶ୍ରୀକାନ୍ତ ପଟ୍ଟନାୟକ ଓ ବିଟ୍ ଗାର୍ଡ ରିନା ମାଝି ଙ୍କୁ ପଚାରିବାରୁ ସେମାନଙ୍କ ଉତ୍ତରରେ ତାଳମେଳ ରହୁନାହିଁ। ବନପାଳ କହୁଛନ୍ତି ୨୫ ଟି ଏଲ୍ ବି ସି ଡି ନିର୍ମାଣ ସରିଛି,ଆମ ବିଟ୍ ଗାର୍ଡ ଯାଇ ଦେଖାଇ ଦେବ।ବିଟ୍ ଗାର୍ଡ କହୁଛନ୍ତି ୩ ଟି ଏଲ୍ ବି ସି ଡି ହୋଇଛି ଓ ସୂଚନା ଫଳକ ମଧ୍ୟ ଲାଗିଛି ।
ହେଲେ ସୂଚନା ଫଳକ କୁ ଯାଞ୍ଚ କଲା ବେଳକୁ ଏକ ପୁରୁଣା ସୂଚନା ଫଳକ ଯାହାକି ପୂର୍ବରୁ ବୃକ୍ଷ ରୋପଣ ପାଇଁ ଲଗାଯାଇଥିବା ସୂଚନା ଫଳକ କୁ ଦେଖାଇ ଯୁକ୍ତି କରିଛନ୍ତି।ବନାଞ୍ଚଳ ଅଧିକାରୀ କହୁଛନ୍ତି ସୂଚନା ଫଳକ ହୋଇନି ୫ ଟି ଏଲ ବି ସି ଡି ସରିଛି । ହେଲେ ଏହି ବିଟ ରେ କାମ କରୁଥିବା ଥିବା ୱାଚର ସୟମ୍ବର ମାଝୀ ଏହି ବର୍ଷ କୌଣସି ଏଲ ବି ସି ଡି ନିର୍ମାଣ ହୋଇନି ବୋଲି ସ୍ପଷ୍ଟ ଭାବରେ ପ୍ରତିକ୍ରିୟା ରଖିଛନ୍ତି। ତେବେ ବିଭାଗରେ ଏତେ ସବୁ କାଣ୍ଡ ଘଟି ଚାଲିଥିବା ବେଳେ ସୁଧୁରିବାର ନା ଧରୁନି କାହିଁକି ? ଏନେଇ ବନ ସୁରକ୍ଷା ସମିତିର କର୍ମକର୍ତ୍ତା ମାନେ ତିବ୍ର ଅସନ୍ତୋଷ ପ୍ରକାଶ କରିଥିବା ବେଳେ,ଗ୍ରାମବାସୀ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଏହି ଦୁର୍ନୀତି ଅଭିଯୋଗ ଉପରେ କଳାହାଣ୍ଡି ଦକ୍ଷିଣ ବନ ଅଧିକାରୀ ତଦନ୍ତ କରି କର୍ଯ୍ୟାନୁଷ୍ଠାନ ନେବି ବୋଲି ପ୍ରକାଶ କରିଛନ୍ତି।
Post a Comment