ତର୍ଜମା ନ୍ୟୁଜ ବ୍ୟୁରୋ
ନୂଆଦିଲ୍ଲୀ: ବୁଧବାର ଲୋକସଭାରେ କେନ୍ଦ୍ର ଗୃହ ମନ୍ତ୍ରୀ ୩ଟି ଗୁରୁତ୍ଵପୂର୍ଣ୍ଣ ବିଲ୍ ଆଗତ କରିଛନ୍ତି । ବିଲ୍ ଅନୁସାରେ, ଗମ୍ଭୀର ଅପରାଧିକ ଅଭିଯୋଗରେ ୩୦ ଦିନ ପର୍ଯ୍ୟନ୍ତ ଜେଲ୍ରେ ରହିଲେ ପ୍ରଧାନମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଅଥବା ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ମନ୍ତ୍ରୀଙ୍କୁ ପଦଚ୍ୟୁତ କରିବାର ବ୍ୟବସ୍ଥା ରହିଛି । ସଂସଦରେ ଏହି ବିଲ୍ ଆଗତ ବେଳେ ଜୋରଦାର ହଙ୍ଗାମା ହେବା ସହ ବିପକ୍ଷ ସାଂସଦ ବିଲ୍ କପିକୁ ଚିରି ଫିଙ୍ଗିଛନ୍ତି ।
କେନ୍ଦ୍ର ଗୃହମନ୍ତ୍ରୀ ଲୋକସଭାରେ ବିଲ୍ ଆଗତ କରିବା ସମୟରେ ବିରୋଧୀ ସାଂସଦ ହୋହଲ୍ଲା କରିଥିଲେ । କିଛି ସାଂସଦ ବିଲ୍ କପିକୁ ଚିରିବା ସହ ଅମିତ ଶାଙଙ୍କ ଉପରକୁ କାଗଜ ଖଣ୍ଡ ଫିଙ୍ଗିଥିଲେ । ବିଲ୍ ଆଗତ ବେଳେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି, ସରକାର ଏହି ବିଲ୍କୁ ଜେପିସିକୁ ପଠାଇବାର ପ୍ରସ୍ତାବ ରଖୁଛନ୍ତି । ଏହା ସତ୍ତ୍ଵେ ବି ବିରୋଧୀ ବିଲ୍କୁ ବିରୋଧ କରିଥିଲେ । ୧୩୦ତମ ସମ୍ବିଧାନ ସଂଶୋଧନ ବିଲ୍ ଆଗତ ସମୟରେ ସଂସଦରେ ନାରାବାଜି ଲାଗି ରହିଥିଲା । ଗୃହମନ୍ତ୍ରୀଙ୍କ ମାଇକ୍ ଭାଙ୍ଗିବାକୁ ବି ଉଦ୍ୟମ କରିଥିଲେ ବିପକ୍ଷ ସଦସ୍ୟ ।
ସମ୍ବିଧାନ (୧୩୦ତମ ସଂଶୋଧନ) ବିଲ୍, ୨୦୨୫
ସମ୍ବିଧାନ ସଂଶୋଧନ ବିଲ୍ ଅନୁସାରେ, ଦୁର୍ନୀତି ଅଥବା ଅନ୍ୟ କୌଣସି ସଙ୍ଗୀନ ଅଭିଯୋଗରେ ୩୦ରୁ ଅଧିକ ଜେଲ୍ରେ ରହିଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କୁ ପଦରୁ ହଟାଇବା ଲାଗି ନିୟମ ଆସିବ । ତେବେ ଏହି ବିଲ୍ରେ ସଙ୍ଗୀନ ଅପରାଧ (୫ ବର୍ଷରୁ ଅଧିକ ଜେଲ୍) କ୍ଷେତ୍ରରେ ୩୦ ଦିନରୁ ଅଧିକ ହେପାଜତରେ ଥିବା ମନ୍ତ୍ରୀଙ୍କୁ ପଦରୁ ହଟାଇବାର ବ୍ୟବସ୍ଥା ରହିଛି । ଏହାର ଉଦ୍ଦେଶ୍ୟ ସାମ୍ବିଧାନିକ ନୈତିକତା ଓ ସୁଶାସନ ସୁନିଶ୍ଚିତ କରିବା ।
ଜାମ୍ମୁ-କାଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍, ୨୦୨୫
ଏହି ବିଲ୍ରେ ଜାମ୍ମୁ-କାଶ୍ମୀର ପୁନର୍ଗଠନ ଅଧିନିୟମ, ୨୦୧୯ର ଧାରା ୫୪ରେ ସଂଶୋଧନ ପ୍ରସ୍ତାବ ରହିଛି । ନୂଆ ଧାରା (5A) ପ୍ରକାରେ ସଙ୍ଗୀନ ଅପରାଧରେ ୩୦ ଦିନ ପର୍ଯ୍ୟନ୍ତ ଜେଲ୍ରେ ରହିଥିବା ମନ୍ତ୍ରୀଙ୍କୁ ଉପରାଜ୍ୟପାଳଙ୍କ ଦ୍ଵାରା ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକ୍ରମେ ୩୧ଦିନ ଯାଏଁ ହଟାଇ ଦିଆଯିବ । ମୁଖ୍ୟମନ୍ତ୍ରୀ ପରାମର୍ଶ ନ ଦେଲେ ମନ୍ତ୍ରୀ ସ୍ଵୟଂ ପଦମୁକ୍ତ ହୋଇଯିବେ । ମୁଖ୍ୟମନ୍ତ୍ରୀଙ୍କ କ୍ଷେତ୍ରରେ ବି ଏହା ଲାଗୁ ହେବ । ଜେଲରୁ ଫେରିବା ପରେ ଉପରାଜ୍ୟପାଳଙ୍କ ଦ୍ଵାରା ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀଙ୍କୁ ପୁନଃନିଯୁକ୍ତ କରାଯାଇ ପାରିବ ।
କେନ୍ଦ୍ର ଶାସିତ ପ୍ରଦେଶ ସରକାର (ସଂଶୋଧନ) ବିଲ୍, ୨୦୨୫
ଏହି ବିଲ୍ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକରେ ସମାନ ନିୟମ ଲାଗୁ କରିବାର ପ୍ରୟାସ । ଫଳରେ ସୁଶାସନ ପ୍ରତି ଜନତାଙ୍କ ବିଶ୍ଵାସ ରହିବ । ଏଥିରେ ସଙ୍ଗୀନ ଅପରାଧରେ ଗିରଫ ମୁଖ୍ୟମନ୍ତ୍ରୀ ଅଥବା ମନ୍ତ୍ରୀଙ୍କୁ ହଟାଇବାର ବ୍ୟବସ୍ଥା ରହିଛି ।
Post a Comment