ଯନ୍ତ୍ରଣା ର ଅନ୍ୟ ନାମ ଜୀବନ ଓ ଜୀବନର ଅନ୍ୟ ନାମ ସଂଘର୍ଷ ଅଟେ ।ବିଶେଷ କରି ବାପ ମାଁ ଙ୍କ ପାଇଁ ନିଜ ପୁଅ ଝିଅ ଙ୍କ ଜୀବନ ଅମୂଲ୍ୟ ଅଟେ।ହଟାତ କୌଣସି ଦୁର୍ଘଟଣା ବା ଅଘଟଣ ଘଟିଗଲେ କିମ୍ବା ସଙ୍କଟ ସମୟରେ ବାପ ମାଁ ଙ୍କ ହୃଦୟ ରେ ଯାହା ବିତେ ତାହା କେହି ଜାଣି କିମ୍ବା ବୁଝି ପାରନ୍ତି ନାହିଁ। ସମାଜ, ବନ୍ଧୁବର୍ଗ, ସାଙ୍ଗସାଥି କିମ୍ବା ଶୁଭଚିନ୍ତକ ମାନେ କେବଳ ଆଶ୍ୱାସନା ଦେଇଥାନ୍ତି, ପ୍ରାର୍ଥନା କରିଥାନ୍ତି ଭଗବାନ ଙ୍କ ନିକଟରେ ନିଜର ଆତ୍ମୀୟ ଙ୍କ ସଙ୍କଟ ମୋଚନ ପାଇଁ ।ତେବେ ଭଗବାନଙ୍କ କୃପା ଓ ନିଜ ଆତ୍ମବଳ କିମ୍ବା ଭଗବାନଙ୍କ ପ୍ରତି ଗଭୀର ବିଶ୍ୱାସ ଯୋଗୁଁ ସଙ୍କଟ ରୁ ରକ୍ଷା ପାଇଥାଏ ଓ ସମୟ ସ୍ରୋତ ରେ ପୁଣି ଫେରି ପାଏ ନିଜର ପରିବାର ରେ ଶାନ୍ତି , ସ୍ନେହ ଓ ଅସୁମାରୀ ସୁଖ ।
ଏଇମିତି ଏକ ଘଟଣା ଘଟି ଥିଲା ଭବାନୀପାଟଣା ସହରରେ ଗତ ତା ୨୧- ୦୮-୨୦୨୦ ମସିହାରେ ।ସହର ମଧ୍ୟରେ ଏକ ଜଙ୍ଗଲୀ ଭାଲୁ ପଶି ଆସି ଲୋକଙ୍କ ମଧ୍ୟରେ କକୁଆ ଭୟ ସୃଷ୍ଟି କରିଥିଲା ।କେତେବେଳେ କୋଉ ପଡା ଭିତରେ ଭାଲୁ ପଶିଛି ତାହା ର ଗୁଜବ ଶୁଣି ଶୁଣି ଅନେକ ଆଶଙ୍କା ମଧ୍ୟରେ ଥାଆନ୍ତି ।ରାସ୍ତା ଘାଟ ଶୁନଶାନ ।ଦୋକାନ ବଜାର ବନ୍ଦ ।ଏତେ ସବୁ ଭୟ ର ବାତାବରଣ ଭିତରେ କିନ୍ତୁ ଅନେକ ଅନଭିଜ୍ଞ ଥାଇ ନିଜ ନିଜ ଦୈନନ୍ଦିନ କାର୍ଯ୍ୟ ରେ ବ୍ୟସ୍ତ ।କେହିବି ଆଶା କରି ନ ଥିଲେ ଯେ, ଭାଲୁ ଟି ସହରର ପ୍ରାଣ କେନ୍ଦ୍ର ଗାନ୍ଧିଚୌକ କିମ୍ବା ମହାବୀର ପଡା ଭିତରେ ପସିଯିବ ଓ ଜଣେ ୧୮ ବର୍ଷ ବୟସ୍କ ଯୁବକ କୁ ହଟାତ ଆକ୍ରମଣ କରି ଲହୁଲୁହାନ କରିଦେବ ।
ଏଇମିତି ଏକ ଘଟଣାର ଶିକାର ହେଲେ ଶ୍ରୀଗୁଳିଶ ପଣ୍ଡା ନାମକ ୧୮ ବର୍ଷ ବୟସ୍କ ଯୁବକ । ବାପ ମାଆ ଙ୍କ ଏକ ମାତ୍ର ପୁତ୍ର ।ବାପା ବନ୍ଧୁ ମନୋଜ ପଣ୍ଡା ଓ ମାଆ କୁମୁଦିନି ମୁଣ୍ଡ ଙ୍କ ଏକ ମାତ୍ର ପୁତ୍ର,ଦୁଇ ଝିଅ ।ବଡ଼ ଝିଅ ଵର୍ତମାନ ଆମେରିକା ରେ ।ମାଆ କୁମୁଦିନି ମୁଣ୍ଡ ବଡ଼ ଝିଅ ପାଖକୁ ଆମେରିକା ଯାଇଥାନ୍ତି । ଶ୍ରୀଗୁଳିଶ ସହରରେ ଭାଲୁପ୍ରବେଶ କରିଥିବା ଖବର ରୁ ଅନଭିଜ୍ଞ ଓ ନିଜ ବନ୍ଧୁ ପାଖକୁ ମହାବୀର ପଡା ସ୍ଥିତ ବାସ ଭବନକୁ ଯାଇ ଥାଆନ୍ତି ।ଦିନ ପ୍ରାୟ ୧୧.୩୦ ରୁ ୧୨.୦୦ ମଧ୍ୟରେ ଶ୍ରୀଗୁଳିଶ ନିଜ ବନ୍ଧୁ ଘରୁ ବାହାରିଲେ ଘରକୁ ।ବନ୍ଧୁ ଘର ଅଗଣା ପାର ହୋଇ ମୁଖ୍ୟ ରାସ୍ତା କୁ ଆସିବା ପୂର୍ବରୁ ହଠାତ ଭାଲୁ ବନ୍ଧୁଙ୍କ ଘର ବାରିପଟୁ ପଛ ପଟୁ ଆକ୍ରମଣ କଲା ।ମୁଣ୍ଡ ଓ ଚେହେରା ରେ ଆକ୍ରମଣ କରି କ୍ଷତ ବିକ୍ଷତ କରି ଦେଇଥିଲା ଓ ଶ୍ରୀଗୁଳିଶ ରକ୍ତାକ୍ତ ହୋଇ ରାସ୍ତା ଉପରେ ପଡି ଥାଆନ୍ତି ।ଲୋକଙ୍କ କୋଳାହଳ ରେ ଭାଲୁ ପଳେଇଲା ଓ ଗୁରୁତର ଆହତ ଅବସ୍ଥାରେ ମୁଖ୍ୟ ଡାକ୍ତରଖାନା କୁ ଶ୍ରୀଗୁଳିଶ ଙ୍କୁ ଭର୍ତି କରାଗଲା ।ବାପା ମନୋଜ ଙ୍କ ଉପରେ ଏ ଅଦିନିଆ ବଜ୍ରପାତ କୁ ସହଜେ ଗ୍ରହଣ କରି ପାରୁ ନ ଥିଲେ ।ଅପରେସନ ଥିଏଟର ବାହାରେ କେବଳ ଭଗବାନଙ୍କୁ ସ୍ମରଣ କରି ଏ ଦାରୁଣ ଦୁଖଃ ରୁ ଉଦ୍ଧାର କରିବା ପାଇଁ ଭଗବାନ ଙ୍କ ନିକଟରେ ପ୍ରାର୍ଥନା ଛଡା ଅନ୍ୟ ଉପାୟ ନ ଥିଲା ।ମୁଣ୍ଡ ଓ ଚେହେରା ରେ କେବଳ ଧଳା ବେଣ୍ଡିଜ କନା । ଗୁଳିଶ ଙ୍କ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ନେବାକୁ ସ୍ଥିର କଲେ ବାପା ମନୋଜ ।ତୁରନ୍ତ ଭୁବନେଶ୍ୱର ର ଆମରି ହସ୍ପିଟାଲ କୁ ନିଆଗଲା । ଆମରୀ ହସ୍ପିଟାଲ ରେ ଦୀର୍ଘ ସମୟ ଧରି ଅପରେସନ ଓ ୪୧ ରୁ ଅଧିକ ଷ୍ଟିଚ ସହ ଦୁଇଦିନ ପରେ ଗୁଳିଶ ଙ୍କ ଚେତା ଫେରିଥିଲା ।ପାଖରେ କେବଳ ବାପା ମନୋଜ ପଣ୍ଡା ।ସୁଦୂର ଆମେରିକା ରେ ଥିବା ମାଁ କେବଳ ଭିଡିଓ କଲ ରେ ନିଜର ଏକ ମାତ୍ର ପୁତ୍ର ର ଅବସ୍ଥା ଦେଖି ଭାଙ୍ଗି ପଡ଼ିଥିଲେ । ମହାମାରୀ କରୋନା ଯୋଗୁଁ ଭାରତ ଫେରିବା ମଧ୍ୟ ଅସମ୍ଭବ ।ସରକାରୀ କଟକଣା ଯୋଗୁଁ ଝିଅ ଘରେ ଆମେରିକା ରେ ରହି କେବଳ ପୁଅ କୁ ଆଶ୍ୱାସନା ଦେବା ବ୍ୟତୀତ ଅନ୍ୟ ଉପାୟ ନ ଥାଏ ।ବାପା ମନୋଜ କିନ୍ତୁ ଭାଙ୍ଗି ନ ଯାଇ ପୁଅ ପାଖରେ ଛାୟା ପରି ରହି ଧର୍ଯ୍ୟ ଓ ସାହସ ରଖିବାକୁ ନିଜ ପୁଅ କୁ ପ୍ରେରଣା ଦଉ ଥାଆନ୍ତି ।ଉଭୟ ମାଁ ଓ ବାପାର କର୍ତ୍ତବ୍ୟ କରୁଥାନ୍ତି ମନୋଜ ।ଦୀର୍ଘ ୨୦ ଦିନ ରୁ ଅଧିକ ସମୟ ହସ୍ପିଟାଲ ରେ ରହିବା ପରେ ଘରକୁ ଫେରନ୍ତି ଗୁଳିଶ ।ସୁନ୍ଦର ଚେହେରା କ୍ଷତ ବିକ୍ଷତ ହୋଇ ଏପରି ଦିଶୁ ଥାଏ ଯେ ଗୁଳିଶ ଦର୍ପଣ ଦେଖିବାକୁ ମଧ୍ୟ ଭୟ କରୁଥିଲେ ।କିନ୍ତୁ ବାପା ମନୋଜ ନିଜ ପୁଅକୁ ଭାଙ୍ଗିବାକୁ ଦେଇ ନଥିଲେ ।ପ୍ରତି ମୁହୂର୍ତ୍ତ ରେ ନିଜ ପୁଅ ଭିତରେ ଦୃଢ଼ ଆତ୍ମବିଶ୍ବାସ ଦେବାକୁ ଚେଷ୍ଟା କରିଥିଲେ ।ନୂଆ ଆଶା ଓ ବିଶ୍ୱାସ ନେଇ ଜୀବନ ର ଏକ ଲମ୍ବା ପଥ ଅତିକ୍ରମ କରିବାକୁ ଧର୍ଯ୍ୟ ଓ ପ୍ରେରଣା ଦେଇ ଗୁଳିଶ ର ଆତ୍ମବଳ ବୃଦ୍ଧି କରିଥିଲେ ।କିଛି ମାସ ପରେ ଗୁଳିଶ କୁ ଚେନାଇ ର ବିଖ୍ୟାତ ସ୍କିନ ସ୍ପେସିଆଲିଷ୍ଟ ଙ୍କ ପାଖକୁ ନେଇଥିଲେ ଓ ଡାକ୍ତର ଙ୍କ ଅକ୍ଲାନ୍ତ ପରିଶ୍ରମ ଫଳରେ ଗୁଳିଶ ନିଜ ପୂର୍ବ ଚେହେରା ଫେରି ପାଇଲେ ।ନୂଆ ଉତ୍ସାହ ଓ ବାପା ଓ ମାଁ ଙ୍କ ପ୍ରେରଣା ସହ ଆତ୍ମୀୟଜନ ଙ୍କ ଭଲପାଇବା ଓ ଭଗବାନ ଙ୍କ ଆଶୀର୍ବାଦ ଫଳରେ ଏକ ନୂଆ ଜୀବନ ଫେରି ପାଇଲେ ।
ସମ୍ପ୍ରତି ଗୁଳିଶ ବାପା ମାଁ ଙ୍କ ପ୍ରେରଣା ପାଇ ନୂଆ ଉତ୍ସାହ ର ସହ ସର୍ଵ ଭାରତୀୟ ସ୍ତରରେ JEE ମେନ ପରୀକ୍ଷା ରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ହିମାଚଳ ପ୍ରଦେଶ ର ଉନା ସ୍ଥିତ IIIT ( ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଇଂଫରମେସନ ଟେକ୍ନୋଲୋଜି) ରେ ଚାରି ବର୍ଷିଆ ବି ଟେକ କୋର୍ସ କରିବା ପାଇଁ ନାମ ଲେଖେଇ ଛନ୍ତି । ସମ୍ପର୍କରେ ବନ୍ଧୁ ମନୋଜ ଙ୍କ ପୁଅ ମତେ ମାମୁଁ ସମ୍ବୋଧନ କରନ୍ତି କାରଣ ପିଲା ଟି ଦିନରୁ ମହାବୀର ପଡା ନିବାସୀ ଦୁର୍ଦ୍ଧସ ଫୁଟବଲ ଖେଳାଳି ସ୍ବର୍ଗତ ହରି ମୁଣ୍ଡ ଆଜ୍ଞା କୁମୁଦିନି ମୁଣ୍ଡ ଙ୍କ ବାପା ଙ୍କୁ ମୁଁ ବଡବାପା ମାନ୍ୟତା ଦେଇ ଆସୁଛି ଏଣୁ କୁମୁଦିନି ମୁଣ୍ଡ ମୋ ଛୋଟ ଭଉଣୀ ।ଆଉ ଏକ କଥା ମହାବୀର ପଡା ହଉ କି ବଜାର ପଡା ଭବାନୀ ପାଟଣା ସହର ଭାଇଚାରା ଓ ସଂସ୍କୃତି ସମ୍ପନ୍ନ ସହର ।ଜୁନାଗଡ଼ ରୁ ନାଗବଂଶୀ ରାଜା ଙ୍କ ନୂଆ ରାଜଧାନୀ ଭବାନୀପାଟଣା କୁ ସ୍ଥାନନ୍ତର ହେବା ପରେ ନୂଆ ରାଜଧାନୀ ରେ ବସବାସ କରୁଥିବା ପ୍ରତ୍ୟେକ ପରିବାର ମଧ୍ୟରେ ଆତ୍ମୀୟତା ଏତେ ଘନିଷ୍ଟ ଓ ସୁଦୃଢ଼ ଥିଲା ଯେ ସମସ୍ତେ ସମସ୍ତଙ୍କ ସୁଖ ଦୁଃଖ ରେ ସହଭାଗୀ ଥିଲେ ।ଆଜିବି ସେଇ ପୁରୁଣା ପରିବାର ମାନଙ୍କ ଭିତରେ ସେଇ ସ୍ନେହ ଓ ପରସ୍ପର ପ୍ରତି ଶ୍ରଦ୍ଧା ରହି ଆସିଛି ।
ଆଶା ଭଣଜା ଗୁଳିଶ ବିତି ଯାଇଥିବା ସମସ୍ତ ଦୁର୍ଘଟଣା ଓ ଅଘଟଣ କୁ ଭୁଲି ନୂଆ ଉତ୍ସାହ ସହ ନିଜର ଲକ୍ଷ୍ୟ ପଥକୁ ଆନାୟାସ ରେ ଅତିକ୍ରମ କରି ନିଜର ଜୀବନର ଲକ୍ଷପଥରେ ଆଗେଇବେ ଏବଂ ବାପା ଓ ମାଁ ଙ୍କ ଆଶା ବିଶ୍ୱାସ ଓ ସ୍ୱପ୍ନ କୁ ସାକାର କରିବେ । ମାଆ ମାଣିକେଶ୍ୱରୀ ଙ୍କ ଅପାର କୃପା ଗୁଳିଶ ଙ୍କ ପ୍ରତି ଓ ତାଙ୍କ ବାପା ମନୋଜ ପଣ୍ଡା ଓ ମାଁ ଶ୍ରୀମତୀ କୁମୁଦିନି ମୁଣ୍ଡ ଙ୍କ ପ୍ରତି ସଦାସର୍ବଦା ରହି ଥାଉ ।ଏତିକି କହିବି କୌଣସି ଦୈବୀ ଅଘଟଣ, ଦୁର୍ଘଟଣା ରେ ଭାଙ୍ଗି ନ ଯାଇ ନିଜ ପରିବାର ଓ ସନ୍ତାନ ମାନଙ୍କ ପାଇଁ ବନ୍ଧୁ ମନୋଜ ପଣ୍ଡା ଓ ଭଉଣୀ କୁମୁଦିନି ମୁଣ୍ଡ ପରି ପ୍ରେରଣା ଓ ଉତ୍ସାହ ଦାୟୀ ବାପା ମାଁ ସମସ୍ତଙ୍କୁ ଦିଅନ୍ତୁ ଏବଂ ପ୍ରତିକୂଳ ପରିସ୍ଥିତି ରେ ଶ୍ରୀ ଗୁଳିଶ ପଣ୍ଡା ଙ୍କ ପରି ଧର୍ଯ୍ୟବାନ ଓ ସାହସ ର ସହ ସମସ୍ତ ପରିସ୍ଥିତି କୁ ମୁକାବିଲା କରିବା ପାଇଁ ତଥା ନିଜେ ଦେଖିଥିବା ସ୍ୱପ୍ନ କୁ ସାକାର କରିବା ପାଇଁ ସମସ୍ତ ଯୁବ ମାନଙ୍କ ହୃଦୟରେ ଆତ୍ମବିଶ୍ବାସ ବୃଦ୍ଧି ହେଉ ।
ମହମ୍ମଦ ଅଲ୍ଲୀ,
ବରିଷ୍ଠ ସାମ୍ବାଦିକ ।
Post a Comment