ସମଗ୍ର ବିଶ୍ୱର ମାମୁଁ ଚନ୍ଦ୍ର ।ସୃଷ୍ଟିର ସବୁଠୁ ସୁନ୍ଦର ମନଲୋଭା ଆଲୁଅ ମିଳେ ଚନ୍ଦ୍ରମା ରାତିରେ ।ଚନ୍ଦ୍ରମା ଆଲୁଅ ରେ ହଜିଯାଏ କବି, ଲେଖକ, ଭାବୁକ,ପ୍ରେମିକ ପ୍ରେମିକା ।ଚନ୍ଦ୍ର ଆଲୁଅ କୁ ନେଇ ଅନେକ ଭାବୁକ, ରୋଚକ ଲୋକକଥା ଗୁଡିକ ଆଈ ମା ମାନେ ଆମକୁ କୋଳ ରେ କାଖେଇ ଶୁଣାଉ ଥିଲେ ।ଚନ୍ଦ୍ର ଆଲୁଅ କିମ୍ବା ଜହ୍ନ ଆଲୁଅ ର ସୁନ୍ଦର ପ୍ରକୃତିଦତ୍ତ ମନୋରମ ରାତିରେ ଚନ୍ଦ୍ର ଆଲୁଅ ର ମନଲୋଭା ଶାନ୍ତ ପରିବେଶ ଭିତରେ ଅନେକ ନିଜର ଶ୍ରେଷ୍ଠ ସୃଷ୍ଟି କରି କାଳଜୟୀ ରଚନା କରି ଲୋକପ୍ରିୟ ହୋଇ ପାରିଛନ୍ତି ।ଆମେ ବି ଛୋଟ ଥିବା ବେଳେ ମାଆ, ଆଈ କିମ୍ବା ପରିବାର ର ବୟୋଜ୍ୟେଷ୍ଠ ମାନେ କୋଳରେ ବସେଇ "ଚନ୍ଦା ମାମା ଲୋରୀ ଦୁଧ ଭାତ କଟୋରି - ଚନ୍ଦା ଗଏ ନାହନେ କୋ ବାବୁ କୋ ଦିଏ ଖାନେକୋ" ଲୋରୀ ବା ଗୀତ ଗାଇ ଖୁଆଇଦେଉଥିଲେ ଓ ଶୁଆଇ ଦେଉ ଥିଲେ ।ଯାହାକି ଆଜିର ଆଧୁନିକ ସଭ୍ୟତା ରେ ମାଆ ମାନେ ଏହି ଲୋରୀ କିମ୍ବା ଗୀତ ଭୁଲି ଯିବା ଭଳି ମନେ ହୁଏ କିମ୍ବା ସମୟ ର ସ୍ରୋତରେ ସଂସ୍କୃତି ବି ବଦଳି ଯାଇଥିବା ପରି ମନେ ହୁଏ ।ବର୍ତ୍ତମାନର କଂକ୍ରିଟ ଯୁଗ ଓ ହାଇମେସ୍କ ଲାଇଟ ଯୁଗର ଆଧୁନିକ ସଭ୍ୟତା ରେ ଜହ୍ନ ଆଲୁଅ ର ମହତ୍ତ୍ୱ, ଗୁରୁତ୍ୱ କିମ୍ବା ଆବଶ୍ୟକତା ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ।ଚନ୍ଦ୍ରମା ଆଲୁଅ ର ସ୍ଥାନ ଏଣ୍ଡ୍ରୋଏଡ଼ ମୋବାଇଲ ନେଇ ଯାଇଛି ।ପିଲା କାନ୍ଦିଲେ କିମ୍ବା ଅଝଟ ହେଲେ ଆଉ ଜହ୍ନ ଆଲୁଅ ନୁହଁ ମାଆ ମାନେ ମୋବାଇଲ ଦେଇ ଗେମ ଅନ କରି ଧରେଇ ଦେଲେ କାମ ଶେଷ ଝମେଳା ଖତମ।ତଥାପି ମଧ୍ୟ ଏହି ଆଧୁନିକ ଯୁଗର ମୋବାଇଲ ପରିବେଶ ଭିତରେ କାହିଁକି କେଜାଣି ଆମ ଗାଁ ପରିବେଶ ରେ ମୋ ପରି ପ୍ରକୃତି ପ୍ରିୟ ବ୍ୟକ୍ତି ପାଇଁ ଜହ୍ନ ଆଲୁଅ କିମ୍ବା ଚାନ୍ଦିନୀ ରାତି ର ସ୍ୱତନ୍ତ୍ର ମହତ୍ତ୍ୱ ଓ ଆକର୍ଷଣ ରହିଛି ।ଆଜିବି ନିର୍ମଳ ଆକାଶରେ ଚାନ୍ଦିନୀ ରାତିରେ ଘର ବାରିପଟେ ଚେଆର ରେ ବସି ଘଣ୍ଟା ଘଣ୍ଟା ଧରି ଜହ୍ନ କୁ ଅନେଇବା ରେ ଯୋଉ ଶାନ୍ତି ମିଳେ ତାହା ଅବର୍ଣ୍ଣନୀୟ ଅଟେ ।ଜୀବନ ର ଅନେକ ଝଡ଼ଜଞ୍ଜା ଓ ମାନସିକ ଯନ୍ତ୍ରଣା ରୁ ମୁକ୍ତି ଦେଇଥାଏ ନିସ୍ତବ୍ଧ ରାତିର ସେଇ ଜହ୍ନ ଆଲୁଅ ଓ ଦେଇଥାଏ ମାନସିକ ଶାନ୍ତି ।ଚାନ୍ଦିନୀ ରାତି ର ଜହ୍ନ ଆଲୁଅ ପ୍ରତି ମାତ୍ରାଧିକ ଆଶକ୍ତି ଫଳରେ ଆଜିବି ଚାନ୍ଦିନୀ ରାତିର ସେଇ ଜହ୍ନ ଆଲୁଅ କୁ ଉପଭୋଗ କରିବା ପାଇଁ ଘର ବାରିପଟେ ରାତିରେ ଖାଇସାରି ବସି ଯାଏ ଚୌକି ଉପରେ ।ଅତୀତ ର ଶ୍ରୁତି ଓ ଅଘଟଣ ତଥା ପିଲାଦିନର ଦୁଷ୍ଟାମୀ ଓ ସ୍ବର୍ଣ୍ଣିମ ଘଟଣା ଗୁଡିକ ମନେ ପଡ଼ିଯାଏ ଚଳଚିତ୍ର ର ଦୃଶ୍ୟ ପରି ।ଆଜି କିନ୍ତୁ ସହର ମୁହାଁ ସଂସ୍କୃତି, ହାଇମେକ୍ସ ଲାଇଟ ର ପରିବେଶ ଓ ଏଣ୍ଡ୍ରୋଏଡ଼ ମୋବାଇଲ ଯୁଗରେ ଜହ୍ନ ଆଲୁଅ, ଚନ୍ଦ୍ରମା ରାତି କିମ୍ବା ପ୍ରକୃତି କୁ ଭଲ ପାଇବା ଓ ସୌନ୍ଦର୍ଯ୍ୟ କୁ ଉପଭୋଗ କରିବାର ଚରିତ୍ର ବଦଳି ଯାଇଛି ।ଜହ୍ନ ମାମୁଁ ଙ୍କ ସ୍ଥାନ ନେଇ ସାରିଛି ମୋବାଇଲ, ଟିଭି ଓ ଆଧୁନିକ ପରିବେଶ । ପିଲାଦିନର ଅନେକ କଥା ମନେ ପଡିଲେ ଏମିତି ଲାଗେ ଯେମିତି କାଲି ପରଦିନ ର କଥା ।ସହରୀ ସଭ୍ୟତା ରେ ବସବାସ କରୁଥିବା ପ୍ରକୃତ ପକ୍ଷେ ଲୋକ ସତ କହିଲେ ପ୍ରକୃତି ର ସୌନ୍ଦର୍ଯ୍ୟ ର ଆନନ୍ଦ ଓ ଉପଭୋଗ କିମ୍ବା ମଜ଼ା ନେଇ ପାରୁ ନାହାନ୍ତି ଏବଂ ଜହ୍ନ ମାମୁଁ କୁ ଭୁଲି ଯାଇଛନ୍ତି ।ମର୍କରୀ ବା ହାଇମେସ୍କ ଲାଇଟ ରେ ହଜି ଯାଇଛି ଆଧୁନିକ ସଭ୍ୟତା । ଆମେ ଛୋଟ ଥିଲା ବେଳେ ଏଇମିତି ଶୀତ ରାତି ରେ ଜହ୍ନ ଆଲୁଅ ର ମଜା ନେଇ ଶୀତୁଆ ରାତି ରେ ଖଳାରେ ନିଆଁ ଜାଳି (ଅନ୍ତରା )ପାଖରେ ବସି ରାତି ସାରା ଅନିଦ୍ରା ରହି ବସୁ ଥିଲୁଁ, କେତେବେଳେ ରାତି ପାହୁ ଥିଲା ଜଣା ବି ପଡ଼ୁ ନ ଥିଲା ।ଗାଁ ରେ ବିଜୁଳି ଆଲୁଅ ନ ଥିଲା ଖଳାରେ ଲଣ୍ଠନ ଆଲୁଅ ର ସହ ହଲିଆ ମାନଙ୍କ ଧାନ ମଡେଇ ବା ଓ ଧାନ ପୁଡା ବାନ୍ଧିବା ପାଇଁ ନିଆଁ ପାଖରେ ବସି ପାଳ ବେଣ୍ଟ ତିଆରି ସହ ହଳିଆ ଗୀତ ର ମଧୁର ସ୍ୱର ରେ ପୁରା ମାହୋଲ କୁ ରୋମାଂଚିତ ଓ ଆନନ୍ଦିତ କରୁଥିଲା।ମଝି ମଝି ରେ ହଲିଆ ମାନେ "ଗୋଡ଼ ଗୋଡ଼ ଅହ କରି ବଳଦ କୁ ତିତେର ବାଡି ( ବାଡ଼ି ମୂଳରେ ଲୁହାକଣ୍ଟା ଲାଗିଥିବା )ରେ ବଳଦ ର ପିଠି ଉପରେ ଫୋଡୁଥିବେ । ସେତେବେଳେ ନିଦ (ଝୁମରା )କୁଆଡେ ହଜି ଯାଉଥିଲା ଯେ,ପାହାନ୍ତିଆ ରେ କେତେବେଳେ କୁକୁଡ଼ା ର ପ୍ରଥମ ରାଵ ଶୁଭୁଥିଲା ଜଣା ପଡୁ ନ ଥିଲା । ଧାନ ମଡ଼ା ସରିଲେ ପାଳରେ ତିଆରି ଛୋଟ କୁଡ଼ିଆ ବା ( ଗୁପା )ଭିତରେ ଶୋଲାପୁରୀ ଚାଦର ଗୋଟିଏ ରେ ଶରୀର କୁ ଢାଙ୍କି ଶୋଇ ପଡିଲେ ସିଧା ସକାଳ 9/ 10 ଘଣ୍ଟା ସମୟରେ ନିଦ ରୁ ଉଠୁଥିଲୁ ।ଏବେ କିନ୍ତୁ ଗାଁ ମାନଙ୍କ ରେ ମଧ୍ୟ ସେ ମାହୋଲ କିମ୍ବା ପରିବେଶ ନାହିଁ । ସରକାରଙ୍କ ମାଗଣା ଯୋଜନା ହଉ କି ଲୋକଙ୍କ ଆର୍ଥିକ ସ୍ୱଚ୍ଛଳତା ହଉ ଆଜି କ୍ଷେତ ରେ କାମ କରିବାକୁ ଆଉ ଦିନ ମଜୁରିଆ (ହଳିଆ) ମିଳୁ ନାହାନ୍ତି ।କ୍ଷେତରୁ ଧାନ କାଟିବା ଠୁ ଆରମ୍ଭ କରି ଧାନ ମଡେଇବା ଓ ତାକୁ ବସ୍ତା ରେ ରଖି ଘରକୁ ଆଣିବା ଓ ମଣ୍ଡି ରେ ନେଇ ବିକିବା ପାଇଁ ଯିବା ସବୁ କାମ ତ ମେସିନ କରୁଛି।ଚାନ୍ଦନୀ ରାତିର ସେଇ ମଜ଼ା ମଧ୍ୟ ଆଜି ସାତସପନ ହୋଇ ଯାଇଛି । ଆଉ ପ୍ରକୃତି କୁ ଉପଭୋଗ କରିବାପାଇଁ ନୂତନ ସଭ୍ୟ ସମାଜ ପାଖରେ ସମୟ ନାହିଁ କିମ୍ବା ବ୍ୟସ୍ତତା ଭିତରେ ପ୍ରକୃତିଦତ୍ତ ମନୋରମ ଚାନ୍ଦିନୀ ରାତି କୁ ଉପଭୋଗ କରି ବର୍ତ୍ତମାନ ର ଜଞ୍ଜାଳ ଭିତରେ ମନକୁ ଶାନ୍ତି ଦେବା ହୃଦୟ ଭିତରେ ଉତ୍ସାହ ନାହିଁ କିମ୍ବା ମୋବାଇଲ ର ଚକ୍ର ବ୍ୟୁହ ରେ ଜୀବନ ର ସଂଜ୍ଞା ବଦଳି ଯାଇଛି ତାହା କହିବା ମୁସ୍କିଲ ।ମୁଁ କିନ୍ତୁ ଆଜିବି ଚାନ୍ଦିନୀ ରାତି ରେ ଘର ବାରିପଟେ ରାତିରେ ଖାଇସାରି ଘଣ୍ଟା ଘଣ୍ଟା ଧରି ବସି ଉପଭୋଗ କରିବା ଓ ହୃଦୟ ଖୋଲି ପୁରୁଣା ହିନ୍ଦୀ ଗୀତ ଗାଇ ନିଜକୁ ହଜେଇ ଦେବାର ଅଭ୍ୟାସ ଯାଇ ନାହିଁ କିମ୍ବା ପରିବାର ର କୌଣସି ସଦସ୍ୟ ମୋତେ କେବେ ବି ମନା କରନ୍ତି ନାହିଁ ।ମାଗଣା ରେ ମାନସିକ ଶାନ୍ତି ଓ ସମସ୍ତ ଦୁଃଖ ଯନ୍ତ୍ରଣା କୁ ଚାନ୍ଦିନୀ ରାତି ର ଜହ୍ନ ଆଲୁଅ କେତେ ନିବିଡ଼ତା ଆଣି ଦିଏ ତାକୁ ବ୍ୟାଖ୍ୟା କରିବା ଅସମ୍ଭବ ଅଟେ ।
ଶୁଭରାତ୍ରୀ,
ମହମ୍ମଦ ଅଲ୍ଲୀ ,
ବରିଷ୍ଠ ସାମ୍ବାଦିକ ।
Post a Comment