//BREAKING//
Loading...

ସମସ୍ତ ନୂତନ ଭାବରେ ନିର୍ବାଚିତ ତ୍ରୀ ସ୍ତରୀୟ ପଞ୍ଚାୟତ ରାଜ ପ୍ରତିନିଧି ମାନଙ୍କୁ ଅଭିନନ୍ଦନ

 କଳାହାଣ୍ଡି ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରାୟ ସରି ଯାଇଛି। କେବଳ ଜିଲ୍ଲା ପରିଷଦ ଗଠନ ର ପ୍ରକ୍ରିୟା  କୁ ଅପେକ୍ଷା । ତେବେ ଗ୍ରାମାଞ୍ଚଳ ର ବିକାଶ କରିବା ପାଇଁ ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥା ର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ଗ୍ରାମ ର ୱାର୍ଡ ର ନିମ୍ନ ରୁ ନିମ୍ନ ଆବଶ୍ୟକତା କୁ ଦୃଷ୍ଟି ରେ ରଖି ପଲ୍ଲୀ ସଭା ଜରିଆରେ ଗ୍ରାମ ବାସୀ ଙ୍କ ଦ୍ଵାରା ପ୍ରସ୍ତାବିତ ଯୋଜନା କୁ ପଞ୍ଚାୟତ ସ୍ତରରେ ଗ୍ରାମସଭା ଜରିଆରେ ପାସ କରାଯାଇ ପଞ୍ଚାୟତ ସମିତି ଏବଂ ଜିଲ୍ଲା ପରିଷଦ କୁ ଅନୁମୋଦନ ଲାଭ ପାଇଁ ପଠା ଯାଏ । ପଞ୍ଚାୟତ ମାନଙ୍କ ଦ୍ଵାରା ଆସିଥିବା ପ୍ରସ୍ତାବ ଗୁଡ଼ିକୁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଙ୍କ ଅଧ୍ୟକ୍ଷତାରେ ସମିତି ସଭ୍ୟ ମାନଙ୍କ ଏକ ବୈଠକ ରେ ଆଲୋଚନା କରାଯାଇ ଅନୁମୋଦନ ଲାଭ ସହ ଜିଲ୍ଲା ପରିଷଦ କୁ ଅନୁମୋଦନ ଏବଂ ଅର୍ଥ ବରାଦ ପାଇଁ  ପଠାଯାଇ ଥାଏ । ଜିଲ୍ଳାର ସମସ୍ତ ବ୍ଲକ ରୁ ଆସିଥିବା ପ୍ରସ୍ତାବ ଗୁଡ଼ିକୁ ଜିଲ୍ଲା ପରିଷଦ ମାସିକ ବୈଠକ ରେ ଆଲୋଚନା କରାଯାଇ ଅର୍ଥ ଅନୁଦାନ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରାଯାଇଥାଏ । ଏହି ସମସ୍ତ ବୈଠକ ରେ ସରକାରୀ ଅଧିକାରୀ ମାନେ ମଧ୍ୟ ଯୋଗ ଦେଇ ଥାନ୍ତି । ଜିଲ୍ଲାପାଳ, ପିଡି, ଡି ଆର ଡି ଏ ଙ୍କ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ବ୍ଲକ ଅଧ୍ୟକ୍ଷ ଏବଂ ବ୍ଲକ ଅଧିକାରୀ ବୃନ୍ଦ ଯୋଗ ଦେଇ ନିଜ ନିଜ ବ୍ଲକର ଆବଶ୍ୟକ ଯୋଜନା ପ୍ରସ୍ତାବ ଅନୁମୋଦନ ସହ  ଆର୍ଥିକ ଅନୁଦାନ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରି ଥାନ୍ତି ।

ପ୍ରଶ୍ନ ହେଉଛି ପଲ୍ଲୀ ରୁ ଜିଲ୍ଲା ପରିଷଦ ଯାଏଁ ସମସ୍ତ ଗ୍ରାମ ର ୱାର୍ଡ ମାନଙ୍କ ବିକାଶ କରିବା ପାଇଁ ନିଷ୍ଠାପର ଉଦ୍ୟମ ସହ ଦୂର ଦୃଷ୍ଟି ସମ୍ପନ୍ନ ନେତୃତ୍ୱ ର ଆବଶ୍ୟକତା । ନିଷ୍ଠାପର ଓ ଦୃଢ଼ ନେତୃତ୍ବ  ବିନା ଗୋଟିଏ ଗ୍ରାମ କିମ୍ବା ଜିଲ୍ଳାର ବିକାଶ ପାଇଁ ସ୍ବପ୍ନ ଦେଖିବା କିମ୍ବା ତାକୁ ସାକାର କରିବା ଅସମ୍ଭବ । ଚଳିତ ପଞ୍ଚାୟତ ନିର୍ବାଚନ ରେ ୱାର୍ଡ ମେମ୍ବର ଠୁ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ ସମସ୍ତେ ପ୍ରାୟ ନୂଆ ମୁଁହ କିମ୍ବା ନୂଆ ନେତୃତ୍ବ ହାତକୁ ଯାଇଛି। 

         ନିଜ ଅଞ୍ଚଳ ବ୍ଲକ କିମ୍ବା ଜିଲ୍ଲା ର ବିକାଶ କୁ ତ୍ୱରାନ୍ୱିତ କରିବା ପାଇଁ ଦୂରଦୃଷ୍ଟି ସମ୍ପନ୍ନ ନିଷ୍ଠାପର ଓ ଦୃଢ଼ ନେତୃତ୍ବ ର ଆବଶ୍ୟକତା । କିନ୍ତୁ ବାସ୍ତବରେ  ଆଜିର ରାଜନୈତିକ ବାତାବରଣ ରେ ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥା ଏକ ପ୍ରହସନ ରେ ପରିଣତ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ରାଜନୈତିକ ଦଳ ମାନଙ୍କ ଦ୍ଵାରା ବାହୁବଳ, ଅର୍ଥ ବଳ, ଓ ପ୍ରଶାସନିକ କଳ ଜରିଆରେ ଗଣତନ୍ତ୍ର ବ୍ୟବସ୍ଥା କୁ କଳୁଷିତ o ଦୂଷିତ କରାଯାଉଛି । କୋଟି କୋଟି ଟଙ୍କା ଖର୍ଚ୍ଚ କରି ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥା ରେ ସରପଞ୍ଚ, ସମିତି ସଭ୍ୟ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଅକ୍ତିଆର କରି ଏଇଥି ପାଇଁ ପ୍ରାର୍ଥୀ କରିଥିବା ଖର୍ଚ୍ଚ କିପରି ପାଞ୍ଚ ବର୍ଷ ଭିତରେ ଦୁଇଗୁଣ ବାହାର କରାଯିବ ତା ଉପରେ ପ୍ରାୟ ସମସ୍ତ ଙ୍କ ଚେଷ୍ଟା ରହିଛି । ସାମ୍ବିଧାନିକ ବ୍ୟବସ୍ଥା ଭିତରେ କିପରି ଜିଲାର ବିକାଶ ଓ ଜିଲ୍ଲା ବାସୀ ଙ୍କ ମୌଳିକ ସମସ୍ୟା କୁ ସମାଧାନ କରାଯିବ ଏବଂ ଅନଗ୍ରସର ଓ ସର୍ବ ନିମ୍ନ ଆବଶ୍ୟକତା ରୁ ବଞ୍ଚିତ ବର୍ଗ ଲୋକଙ୍କ ପାଖରେ ସରକାରୀ ଯୋଜନା ପହଞ୍ଚା ଯାଇ ପାରିବ ଏହା ଉପରେ ପ୍ରାୟ କୌଣସି କ୍ଷମତାସୀନ ନେତୃତ୍ବ କିମ୍ବା ଜିଲ୍ଳାର ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ଆନ୍ତରିକ ଉଦ୍ୟମ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ । କିନ୍ତୁ ଅତୀତରେ ଏ ଜିଲ୍ଲାରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଭାବରେ ସ୍ବର୍ଗତ ଶିବ ଶଙ୍କର ପଟ୍ଟନାୟକ ଙ୍କ ଦୂର ଦୃଷ୍ଟି ସମ୍ପନ୍ନ ଦୃଷ୍ଟିକୋଣ ସହ କଳାହାଣ୍ଡି ଜିଲ୍ଲାର ସଂଗ୍ରାମୀ ନେତା ଆଦରଣୀୟ ଶ୍ରୀ ଭକ୍ତ ଚରଣ ଦାସ ଙ୍କ ଜିଲ୍ଲା ର ବିକାଶ ପ୍ରତି ଦୃଢ଼ ନେତୃତ୍ବ ଓ ସଂକଳ୍ପ ଫଳରେ ଅନେକ ସମସ୍ୟା ର ସମାଧାନ ହୋଇଛି ଓ କିଛି ଯୋଜନା ରାଜନୈତିକ ଚକ୍ରବ୍ୟୁହ ଭିତରେ ପଶି ଆଜି ମୂର୍ମୁଶୁ ଅବସ୍ଥାରେ ରହିଛି । ଆଜକୁ ସତର ବର୍ଷ ଧରି ଜିଲ୍ଲାରେ ଏକ ମେଡ଼ିକାଲ କଲେଜ ଏକ ଉଦାହରଣ ମାତ୍ର ।  ଜିଲ୍ଲା ର ସଦ୍ୟ ଆବଶ୍ୟକତା କୁ ଅନୁଭବ କରି ସ୍ବର୍ଗତ ଶିବ ଶଙ୍କର ପଟ୍ଟନାୟକ (ଦାଦା) ଗମନାଗମନ ର ଆବଶ୍ୟକତା କୁ ଅନୁଭବ କରି ଏକ ରିଙ୍ଗରୋଡ଼ ର ଆବଶ୍ୟକତା କୁ ନେଇ ଗତ  ତା--୧୨-୧୨ ୨୦୦୬ ମସିହା ମଙ୍ଗଳବାର ଦିନ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦିନ ୧୦ ଘଣ୍ଟା ଠାରୁ ୧.୦୦ଘଣ୍ଟା ପର୍ଯ୍ୟନ୍ତ ଧାରଣା ଦେବା ସହ ଜିଲ୍ଲାପାଳଙ୍କ ସହ ସାକ୍ଷାତ ଆଲୋଚନା କରି ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ ।ଏହି ଅବସରରେ ବନ୍ଧୁ ଶ୍ରୀ ଜଗମୋହନ ପଟ୍ଟନାୟକ, ଚନ୍ଦ୍ର ନାଏକ, ସନ୍ତୋଷ ଆଚାର୍ଯ୍ୟ, ରମେଶ ସାହୁ, ଦେବୀ ସିନ୍ଦୁର, କୁମୁଦ ପଟ୍ଟନାୟକ ଓ ତରୁଣ ମାଝୀ ପ୍ରମୁଖ ଉପସ୍ଥିତ ରହି ନେତୃତ୍ୱ ନେଇଥିଲେ ।ବିଗତ୨୨ ବର୍ଷ ଧରି ରାଜ୍ୟରେ ନିରଙ୍କୁଶ ସଂଖ୍ୟା ଗରିଷ୍ଠ ହାସଲ କରି ଶ୍ରୀ ନବୀନ ପଟ୍ଟନାୟକ ଙ୍କ ନେତୃତ୍ୱରେ ସରକାର ଚାଲିଛି ।ଜିଲ୍ଲା ବାସୀ ଙ୍କ କଲ୍ୟାଣ ଓ ହିତ ସାଧନ ପାଇଁ  ଜନସାଧାରଣ ଙ୍କ ଦ୍ଵାରା ପ୍ରସ୍ତାବିତ ଦାବି ଗୁଡିକ ସହୃଦୟତା ର ସହ ଗ୍ରହଣ କରି ତାକୁ କାର୍ଯ୍ୟକାରୀ କରିବା ସରକାରଙ୍କ ଧର୍ମ ।କିନ୍ତୁ କଳାହାଣ୍ଡି ଜିଲ୍ଲାରେ ଧର୍ମକୁ ଆଖି ଠାର ନୀତି ଅବଲମ୍ବନ କରି ଜନ ପ୍ରତିନିଧି ମାନେ ସ୍ୱର ଉତ୍ତୋଳନ କରିବା ପରିବର୍ତେ ନିରବ ରହିବା ଜିଲ୍ଲା ବାସୀ ଙ୍କ ପାଇଁ ଅତ୍ୟନ୍ତ ଦୁଃଖଦ ଅଟେ ।ରିଙ୍ଗ ରୋଡ଼ ଦାବି ଉଠିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମୋ ଗାଁ ବାଦଳି - ମାଡିଙ୍ଗ ରାସ୍ତା, ବାନ୍ଦୁପଳା ରାସ୍ତା ଓ କିଛି ଅନ୍ୟ ରାସ୍ତା ବ୍ୟବସ୍ଥା ପାଇଁ ଜିଲ୍ଲାପାଳ- ଏସପି, ଥାନା ଅଧିକାରୀ, ନିର୍ବାହୀ ଯନ୍ତ୍ରୀ ଙ୍କ ସମେତ ଅନେକ ପ୍ରଶାସନିକ ଅଧିକାରୀ ବୁଲିଲେ ।ନିଜ ତରଫରୁ ସରକାର ଙ୍କୁ ସୁହାଇବା ଭଳି ଗଣ ମାଧ୍ୟମ ସମ୍ମୁଖରେ ସେତେ ବେଳେ ବକ୍ତବ୍ୟ ରଖିଥିଲେ।କିନ୍ତୁ ନିର୍ବାଚିତ ପ୍ରତିନିଧି ମାନେ ମୌନ ବ୍ରତ ପାଳନ କରିଦେଲେ ।ପ୍ରଶାସନ କିମ୍ବା ସରକାରଙ୍କ ନିକଟରେ କୌଣସି ଦୃଢ଼ ଦାବି କରି ପାରିଲେ ନାହିଁ ।ଫଳରେ ସେହି ରିଙ୍ଗ ରୋଡ଼ ପ୍ରସ୍ତାବ ଟି  ଅନେକ ବର୍ଷ ବିଳମ୍ବ ହେବା ପରେ ସମ୍ପ୍ରତି ଜମି ଅଧିଗ୍ରହଣ ଚାଲିଛି , ପ୍ରକଳ୍ପ କେବେ ଆରମ୍ଭ ହେବ ଓ ସରିବ ତାହା କାହାରିକୁ ଜଣା ନାହିଁ ।ଶିବ ଦାଦା ଥିଲେ ଜଣେ ବିଚକ୍ଷଣ ବ୍ୟକ୍ତିତ୍ୱ ଯାହାଙ୍କ ମସ୍ତିକରେ କଳାହାଣ୍ଡି ଜିଲ୍ଲାର ସମସ୍ତ ଭୌଗଳିକ ସ୍ଥିତି କମ୍ପ୍ୟୁଟର ଭଳି ରହିଥିଲା ।ଆମେ ପ୍ରସ୍ତାବ ର ଚିଠା ପ୍ରସ୍ତୁତ କରିବା ସମୟରେ ସ୍ଥାନୀୟ ରାଜସ୍ୱ ଅଫିସରୁ ଭବାନୀପାଟଣା ସହରର ଓ ଆଖପାଖ ଅଞ୍ଚଳର ନକ୍ସା ସଂଗ୍ରହ କରି ଏକ ଡିଭାଇଡର ରେ ଭବାନୀପାଟଣା ର ମଧ୍ୟସ୍ଥଳୀ ରୁ ପ୍ରାୟ ଆନୁମାନିକ ୫ କି, ମି , ଦୂର ମେଦିନିପୁର- ଅଟାଙ୍ଗଗୁଡା--ବାନ୍ଦୁପଳା- କାମଠଣା--ପରମାନନ୍ଦ ପୁର--ମେଦିନିପୁର କୁ ଏକ ଗୋଲାକାର ଚିନ୍ହ ଦେଇ ଜେରେକ୍ସ କରି ଯୋଜନା ପ୍ରସ୍ତୁତ କରି ସରକାରଙ୍କୁ ୨୦୦୩-୦୪ ମସିହାରେ ଆରଡ଼ି ବିଭାଗ ଜରିଆରେ ପ୍ରଦାନ କରିଥିଲୁ ।କିନ୍ତୁ ଏହିପରି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ପ୍ରଶାସନ- ସରକାର ଓ ନିର୍ବାଚିତ ପ୍ରତିନିଧି ମାନେ ଏଡେଇଦେବା କିମ୍ବା ସରକାରଙ୍କ ନିକଟରେ ଜିଲାର ଆବଶ୍ୟକତା କୁ ନେଇ ସାମୁହିକ ସ୍ୱର୍ ଉତ୍ତୋଳନ ନ କରି ଚୁପ୍ ରହିବା ଦୁଃଖ ଦାୟକ ।ଧନ୍ୟବାଦ ଦେବି କଳାହାଣ୍ଡିର ସଂଗ୍ରାମୀ ନେତା ଶ୍ରୀ ଭକ୍ତ ଚରଣ ଦାସ ଙ୍କୁ ଯେ ନିଜ ସାଂସଦ ସମୟ ମଧ୍ୟରେ ଯେତେ ବେଳେ ବି ସୁଯୋଗ ମିଳିଛି ତାର ସଡ ବିନିଯୋଗ କରି ସ୍ୱର ଉତ୍ତୋଳନ କରିବା ସହ ଯୋଜନା ଅନୁମୋଦନ ଓ କାର୍ଯ୍ୟକାରୀ କରେଇ ନିଜର ଦୃଢ଼ ନେତୃତ୍ୱ ର ପରିଚୟ ଦେଇଛନ୍ତି । ତାହା ଲାଞ୍ଜିଗଡ -   ଜୁନାଗଡ଼ ରେଳ ଲାଇନ ସମ୍ପୂର୍ଣ ସହ ବିଶାଖାପାଟଣା ଦେଇ  ଭୁବନେଶ୍ୱର, ରାୟପୁର ଓ  ସମ୍ବଲପୁର କୁ ନିୟମିତ ରେଳ ଚଳା ଚଳ ହଉ କି   ୪ ବି ପ୍ରୋଜେକ୍ଟ ଜାତୀୟ ରାଜପଥ ବରଗଡ଼- ବୋରିଗୁମା ଭାୟା ଭବାନୀପାଟଣା ବଲାଙ୍ଗୀର ରାସ୍ତା ସମ୍ପ୍ରସାରଣ , ନାବାର୍ଡ ର ସହାୟତାରେ ଜୁନାଗଡ଼ - ଥୁଅମୂଳ- ରାମପୁର ଭାୟା କଲମପୁର ରାସ୍ତା ନିର୍ମାଣ ସହ ଶିବ ଦାଦା ଙ୍କ ପ୍ରସ୍ତାବିତ ୧୭୬ ଟି ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ କାର୍ଯ୍ୟ ସମ୍ପାଦନ ପାଇଁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ପ୍ରଦାନ ଓ କାର୍ଯ୍ୟ କାରୀତା ରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସେହିପରି ଭକ୍ତ ଦାସ ଙ୍କ ସାଂସଦ ଭାବେ କାର୍ଯ୍ୟକାଳ ମଧ୍ୟରେ ପ୍ରସ୍ତାବିତ ଓ ସର୍ଭେ ସରିଥିବା ଜୁନାଗଡ଼ -   ନବରଙ୍ଗ ପୁର ରେଳ ପ୍ରକଳ୍ପ, କଣ୍ଟାବାଞ୍ଜି-ଖରିଆର-   ସିନାପାଲି- ଧର୍ମଗଡ଼- ନବରଙ୍ଗ ପୂର, ରାଜିମ- ଗରିଆବନ୍ଧ- ମୈନ ପୁର-ଦେଓଭୋଗ- ଧର୍ମଗଢ଼ ଓ ଲାଞ୍ଜିଗଡ ତାଳଚେର ଭାୟା  କନ୍ଧମାଳ ପ୍ରସ୍ତାବିତ ରେଳ ପ୍ରକଳ୍ପ ଗୁଡ଼ିକ ଶୀତଳ ଭଣ୍ଡାର ରେ ପଡ଼ି ରହିଛି । ନର୍ଲା ଠାରେ ପ୍ରସ୍ତାବିତ ରେଳ ଡବା ମରାମତି କାରଖାନା ରାଜନୈତିକ ଚକ୍ରବ୍ୟୁହ ରେ ଫସି ଚୁର୍ମାର ହେବା ସହ ନୂତନ ଭାବରେ ଅନ୍ୟ ଏକ ପ୍ରକଳ୍ପ କୁ କେନ୍ଦ୍ର ସରକାର ଜିଲ୍ଲା ବାସୀ ଙ୍କୁ ଲଲିପପ୍ ଭଳି ଧରେଇ ଦେଇଛନ୍ତି । ଯାହାକି ଦୃଢ଼ ନେତୃତ୍ୱ ର ଅଭାବ ର ଏକ ଉଦାହରଣ ମାତ୍ର । ନିକଟରେ ରେଳମନ୍ତ୍ରୀ କଳାହାଣ୍ଡି ଗସ୍ତରେ ଆସି ଅନେକ ଗୁଡ଼ିଏ ରେଳ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ସ୍ବତନ୍ତ୍ର ଭାବେ ଦୃଷ୍ଟି ଦେବେ ବୋଲି ପ୍ରତିଶ୍ରୁତି ଦେଇ ଥିଲେ ସୁଦ୍ଧା ଆଞ୍ଚଳିକ ବୈଷମ୍ୟ ର ଶିକାର ଓ ଦୃଢ଼ ନେତୃତ୍ୱ ର ଅଭାବ ଯୋଗୁଁ ଚଳିତ ରେଳ ବଜେଟରେ କଳାହାଣ୍ଡି ଜିଲ୍ଲା କୁ ଉପେକ୍ଷା କରାଯାଇଛି । ଅନ୍ୟ ପକ୍ଷରେ ପ୍ରସ୍ତାବିତ ସମସ୍ତ ୧୭୬ଟି  ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ମଧ୍ୟରୁ ଅନେଗୁଡ଼ିଏ ପ୍ରକଳ୍ପ ଦୀର୍ଘ ୧୮ ବର୍ଷ ପରେ ମଧ୍ୟ ଆଜି ଯାଏଁ ସମ୍ପୂର୍ଣ ହୋଇ ନାହିଁ ଓ ଅନେକ ପ୍ରକଳ୍ପ ଆରମ୍ଭ ହୋଇ ନାହିଁ । ସେହିପରି ଆଉ ଏକ ରାସ୍ତା ରାୟପୁର- ବିଶାଖାପାଟଣା ଜାତୀୟ ରାଜପଥ ମଞ୍ଜୁରୀ ଓ କାର୍ଯ୍ୟ ଆରମ୍ଭ କରି ପାରି ଥିଲେ ।ଶିବ ଦାଦା ଙ୍କ ସମୟରେ ଜିଲ୍ଲା ପରିଷଦ ପକ୍ଷରୁ ଅନେକ ବଡ଼ ବଡ଼ ପୋଲ ନିର୍ମାଣ ହେବାସହ ସେଂପୁର ଟିଟିଲାଗଡ଼ ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ବଲାଙ୍ଗୀର ଜିଲ୍ଲା ଅଧୀନରେ ଥିବା ରାସ୍ତା ମଞ୍ଜୁରୀ ପାଇଁ ତତ୍କାଳୀନ ବଲାଙ୍ଗୀର ଜିଲ୍ଲା ପରିଷଦ ଅଧ୍ୟକ୍ଷ ସ୍ବର୍ଗତ ବାଳକୃଷ୍ଟ ରଥ ଙ୍କୁ ଅନୁରୋଧ କରିଥିଲେ ।ଫଳରେ ବାଳକୃଷ୍ଟ ଦାଦା ବଲାଙ୍ଗୀର ଜିଲ୍ଲାପରିଷଦ ମିଟିଂ ରେ ସମ୍ପୃକ୍ତ ରାସ୍ତା ଓ ପୋଲ ନିର୍ମାଣ ପାଇଁ ପ୍ରସ୍ତାବ ଗୃହୀତ କରାଇ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା କିନ୍ତୁ ଏହି ରାସ୍ତା ନିର୍ମାଣ ରେ ବଲାଙ୍ଗୀର ଜିଲ୍ଲାର ଜୈନିକ ଠିକାଦାର ଙ୍କ ବିଳମ୍ବ ଯୋଗୁଁ ଏହା ସମ୍ପୂର୍ଣ ହେବାରେ ଅନେକ ବର୍ଷ ଲାଗିଲା ।ସଦର ମୁଖ୍ୟାଳୟ ରୁ ଧର୍ମଗଡ଼ ବ୍ଲକ କୁ ସଂଯୋଗ କରିବା ପାଇଁ ବନ୍ଧା ଗାଁ ବ୍ରିଜ ହେଉ କି ଅର୍ତ୍ତଳ- ପଲନା- ଡୁମରିଆ ଯିବା ପାଇଁ ତେଲ ନଦୀ ଉପରେ ବ୍ରିଜ ନିର୍ମାଣ ପାଇଁ ପ୍ରସ୍ତାବ ହଉ ସବୁ ଭିତରେ ଶିବ ଦାଦା ଙ୍କ ବ୍ୟକ୍ତିଗତ ଉଦ୍ୟମ ଓ ପ୍ରସ୍ତାବ ରହିଥିଲା ।ଜଣେ ବିଚକ୍ଷଣ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ୱ ଥିଲେ ଶିବ ଦାଦା ।ପ୍ରଶାସନ ର ଯେତେ ବଡ଼ ଅଧିକାରୀ ହୁଅନ୍ତୁ କି ରାଜନେତା ବିଧାୟକ କିମ୍ବା ସାଂସଦ କଳାହାଣ୍ଡିର ଆଵଶ୍ୟକତା କୁ ଗୁରତ୍ୱ ଦେଇ ନିଜ ଦୃଢ଼ ଯୁକ୍ତି ବଳରେ  ପ୍ରସ୍ତାବିତ ପ୍ରକଳ୍ପ ହାସଲ କରି ପାରୁଥିଲେ ।ଏପରିକି ୨୦୦୨ ମସିହାରେ ମହାବାତ୍ୟା ସମୟରେ ତତ୍କାଳୀନ ଜିଲ୍ଲାପାଳ ଶ୍ରୀ ହେମନ୍ତ ଶର୍ମା ଙ୍କ ସହ ଦିଲ୍ଲୀ ଗସ୍ତ କରି କଳାହାଣ୍ଡି ର କ୍ଷତିଗ୍ରସ୍ତ ଗରିବ ଲୋକମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ୨୫୦୦ ଟି ଆବାସ ଗୃହ ମଞ୍ଜୁରୀ କରେଇ ସମଗ୍ର ରାଜ୍ୟରେ ଚହଳ ସୃଷ୍ଟି କରି ପାରିଥିଲେ । ଶିବ ଦାଦା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଥିବା ସମୟରେ ଜିଲ୍ଳାର ସମସ୍ତ ଛୋଟ ବଡ ପୋଲ ଓ ଗ୍ରାମୀଣ ରାସ୍ତା କୁ ନିର୍ମାଣ କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦୃଢ଼ ଭାବରେ ନିଜର ଦାବି ଉପସ୍ଥାପନ କରି ଥିଲେ । କେନ୍ଦ୍ର ସରକାରଙ୍କ ତରଫରୁ ସେତେବେଳେ ସର୍ବ ଭାରତୀୟ ସ୍ତରରେ କଳାହାଣ୍ଡି ଜିଲ୍ଲା ପରିଷଦ କୁ "ବ୍ରିଜେଶ ଅଫ ଦ ଇଅର୍" ଘୋଷଣା କରିବା ସହ ସର୍ବ ଭାରତୀୟ ସ୍ତରରେ କଳାହାଣ୍ଡି ଜିଲ୍ଲା ପରିଷଦ ଦ୍ବାରା ଅନୁମୋଦନ ପାଇଁ ପଠା ଯାଇଥିବା ପ୍ରକଳ୍ପ ଗୁଡ଼ିକ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର  ଗୁରୁତ୍ଵ ପ୍ରଦାନ କରିଥିଲେ । ଜିଲ୍ଲାବାସୀ ଙ୍କ ପାଇଁ ବିକାଶର ସ୍ବପ ଦେଖିଥିବା ଭକ୍ତ ଚରଣ ଦାସ ଙ୍କ ସାରଥୀ ଓ ପରାମର୍ଶ ଦାତା, ତଥା ଭକ୍ତ ଦାସ ଙ୍କ ଅନୁପସ୍ଥିତି ରେ ସମଗ୍ର ଜିଲ୍ଲାର ରାଜନୈତିକ କର୍ମୀ, ସାଧାରଣ ଲୋକ ଙ୍କ ସୁଖଦୁଃଖ ର ସାଥି ହୋଇ ସରଳ ଜୀବନ  ବିତେଇ ଥିବା ଏହିପରି ଏକ ଯୋଗଜନ୍ମା ଏକ ବିରଳ ଉଦାହରଣ ।ଏହି ଲେଖା ଟି ବର୍ତ୍ତମାନ ର ଜିଲ୍ଲା ରେ ନେତୃତ୍ୱ ନେଉଥିବା ତ୍ରିସ୍ତରୀୟ ପଂଚାୟତ ରାଜ ବ୍ୟବସ୍ଥା ର ନିର୍ବାଚିତ ସମସ୍ତ  ପ୍ରତିନିଧି ମାନଙ୍କ ପାଇଁ ଏକ ସନ୍ଦେଶ ଏଇଥି ପାଇଁ ଯେ ଭୋଟ ଓ ଦଳୀୟ ରାଜନୀତି ସରି ଯାଇଛି । ଯିଏ ଯୋଉ ଦଳ, ଗୋଷ୍ଠୀ କିମ୍ଵା ମତବାଦ ଉପରେ ବିଶ୍ୱାସ କରୁଥିଲେ ମଧ୍ୟ ଆମ ସମସ୍ତ ଙ୍କ ଲକ୍ଷ୍ୟ ଏକ ଜିଲ୍ଲା ର ବିକାଶ ଓ ଜିଲ୍ଲା ବାସୀ ଙ୍କୁ ସ୍ୱାଭିମାନ ସହ ବଞ୍ଚିବାର ରାହା ଦେଖେଇବା  ଓ ଭବିଷ୍ୟତ ବଂଶଧର ମାନଙ୍କୁ ଉନ୍ନତ, ଶିକ୍ଷିତ ଓ ଯୋଗ୍ୟ ଭାବରେ ଗଢି ତୋଲିବାରେ ସହାୟକ ହେବା । ଶିବ ଦାଦା ଙ୍କ  ସ୍ୱପ୍ନର ରିଙ୍ଗ ରୋଡ଼ ମଞ୍ଜୁରୀ ଓ କାର୍ଯ୍ୟକାରୀ ପରିବର୍ତ୍ତେ ବାଇପାସ୍ ରାସ୍ତା ନିର୍ମାଣ କରିବା ପାଇଁ ବିଳମ୍ବ ରେ ହେଲେ ମଧ୍ୟ ଜମି ଅଧିଗ୍ରହଣ ଆରମ୍ଭ ହେବା  ସ୍ବାଗତ ଯୋଗ୍ୟ ଘଟଣା ।   ଆଶା ଦଳୀୟ ରାଜନୀତି ରୁ ଉର୍ଧ୍ୱରେ ବର୍ତ୍ତମାନ ଆଗାମୀ ପାଞ୍ଚବର୍ଷ ପାଇଁ ତ୍ରି ସ୍ତରୀୟ ପଞ୍ଚାୟତ ରାଜ ବ୍ୟବସ୍ଥାରେ ନିର୍ବାଚିତ ସମସ୍ତ ନୂତନ ନେତୃତ୍ବ ବୃନ୍ଦ  ଠିକାଦାର ପୋଷା, ଦଲାଲ ଚାଟୁକାର, ଓ ନିଜ ବ୍ୟକ୍ତିଗତ ସ୍ବାର୍ଥ ସାଧନ ପାଇଁ ଉଦ୍ୟମ ରତ ଟାଉଟର ମାନଙ୍କ ଲୋଭନୀୟ ଜାଲରେ ନ ପଡ଼ି ଜିଲ୍ଲାର ବୃହତ୍ତର ସ୍ୱାର୍ଥ କୁ ଆଖି ଆଗରେ ରଖି ମିଳିତ ଭାବେ ପଲ୍ଲୀ ରୁ ଜିଲାର ଶେଷ ଭାଗରେ ସରକାରୀ ଯୋଜନା କୁ ଅପେକ୍ଷା କରି ଥିବା ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବାକୁ ନିଷ୍ଠାପର ଉଦ୍ୟମ କରିବେ । ଏକ ବିକଶିତ, ଉନ୍ନତ ଓ ପ୍ରଗତିଶୀଳ ଜିଲ୍ଲା ରେ ପରିଣତ କରିବା ପାଇଁ ମିଳିତ ଭାବେ ସମସ୍ତ ନିର୍ବାଚିତ ନୂତନ ନେତୃତ୍ବ ନିଜର ନୂତନ ଦୃଷ୍ଟିଭଙ୍ଗୀ, ସଂକଳ୍ପ ନେଇ ମାଆ ମାଟି ର ବିକାଶ, ଉନ୍ନତି, ପ୍ରଗତି ର ସାରଥି ହେବେ ଏ ବିଶ୍ୱାସ ର ସହ ସମସ୍ତ ନିର୍ବାଚିତ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା  ଜଣାଉଛି।

                      

    ମହମ୍ମଦ ଅଲ୍ଲୀ 

      ବରିଷ୍ଠ ସାମ୍ବାଦିକ 











Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe