//BREAKING//
Loading...

ଏନ୍‌ଏଚ୍‌ ୧୪୩ ସମ୍ପ୍ରସାରଣର କଚ୍ଛପ ଗତି, ୨୦୨୨ ସୁଦ୍ଧା ସରିବନି କାମ !

 


ରାଉରକେଲା: ବର୍ଷ ବର୍ଷ ଧରି ୧୪୩ ନଂ ଜାତୀୟ ରାଜପଥ (ଏନ୍‌ଏଚ୍‌) କାମ ଚାଲିଛି। ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ କାମର କଚ୍ଛପ ଗତି ଯୋଗୁ ଆଗେଇ ପାରୁନି କାମ। ଜୁନ୍‌ ପୂର୍ବରୁ ସାରିବାକୁ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ଯେଉଁ ଦୃଢ଼ୋକ୍ତି ପ୍ରକାଶ କରିଥିଲେ, ତାହା କେବଳ ମିଛ ଥିଲା। କାରଣ ଏବେ ସୁଦ୍ଧା ୩୦%ରୁ ଅଧିକ ବାକି ରହିଛି। ବଣାଇରୁ ବାରକୋଟ ପ୍ରାୟ ୧୫ କି.ମି. ପର୍ଯ୍ୟନ୍ତ ରାସ୍ତା କାମ ଅଧପନ୍ତରିଆ ହୋଇ ପଡିଛି।  କାମ ନେଇଥିବା ଠିକା ସଂସ୍ଥା ଗାୟତ୍ରୀ କନ୍‌ଷ୍ଟ୍ରକ୍ସନ ଆର୍ଥିକ ବୋଝର ଆଳ ଦେଖାଇ  ସମ୍ପ୍ରସାରଣ କାମରୁ ଓହରି ଯାଇଛି। କାର୍ଯ୍ୟାନୁଷ୍ଠାନ ସ୍ବରୂପ ଏନ୍ଏଚ୍‌ଏଆଇ କର୍ତ୍ତୃପକ୍ଷ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି।ବିକଳ୍ପ ବ୍ୟବସ୍ଥା ପାଇଁ ଅନ୍ୟ ଏକ ଠିକା ସଂସ୍ଥାକୁ ଖୋଜୁଛନ୍ତି। କେବେ ଠିକା ସଂସ୍ଥା ଯୋଗାଡ ହେବ ? ଅଧପନ୍ତରିଆ କାମ ପୁନଃ ଆରମ୍ଭ ହେବ, ତା’ର କୌଣସି ସଠିକ୍ ଉତ୍ତର ବିଭାଗୀୟ ଅଧିକାରୀଙ୍କ ପାଖରେ ନାହିଁ। ସେମିତି କୁଆରମୁଣ୍ଡା-ବୀରମିତ୍ରପୁର ମଧ୍ୟରେ ସମ୍ପ୍ରସାରଣ କାମ ମଧ୍ୟ ସେହି ସମାନ ସ୍ଥିତି। ଏଯାଏ ବୀରମିତ୍ରପୁର ବାଇପାସ୍‌ ରୋଡ କାମ ଆରମ୍ଭ ହୋଇନି। ବାଇପାସ୍‌ ରୋଡ ହେବ ନା ବୀରମିତ୍ରପୁର ମୁଖ୍ୟ ବଜାର ଦେଇ ଜାତୀୟ ରାଜପଥ ସମ୍ପସାରଣ କାମ ‌ହେବ,  ଏହାର ଉତ୍ତର ମଧ୍ୟ କାହାରି ପାଖରେ ନାହିଁ।ଆସନ୍ତା ଜୁନ୍‌ ମାସରୁ ବର୍ଷା ଋତୁ ଆସୁଥିବାରୁ ଚାଲିଥିବା ନିଶ୍ଚିତ ଭାବେ ବାଧା ଉପୁଯିବାର ମଧ୍ୟ ସମ୍ଭାବନା ରହିଛି। ଏସବୁ ଭିତରେ ଆସନ୍ତା ଡିସେମ୍ବର ସୁଦ୍ଧା କରି କାମ ସରିବା ନେଇ ଅନିଶ୍ଚିତା ଦେଖାଦେଇଛି। ଏ ସଂକ୍ରାନ୍ତରେ ଏନ୍‌ଏଚ୍‌ଏଆଇର ପ୍ରକଳ୍ପ ନି‌ର୍ଦ୍ଦେଶକ ମହେଶ ଗାମିଙ୍କୁ ପଚାରିବାରୁ ସେ କହିଛନ୍ତି ଆସନ୍ତା ଜୁନ୍‌ ମାସ ସୁ୍ଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରହିଥିଲା ବାରକୋଟ- ବଣାଇ ରାସ୍ତା କାମ କରୁଥିବା ଗାୟତ୍ରୀ କନ୍‌ଷ୍ଟ୍ରକ୍ସନ କାମରୁ ଓହରି ଯାଇଥିବାରୁ ଅନ୍ୟ ଏକ ଠିକା ସଂସ୍ଥା ଖୋଜାଯାଉଛି। ବୀରମିତ୍ରପୁର ବାଇପାସ୍‌ କାମ ଆରମ୍ଭ ହେବାକୁ ଯାଉଛି। ଆସନ୍ତା ୨୦୨୨ ଡିସେମ୍ବର ସୁଦ୍ଧା ନିର୍ମାଣ କାମ ସାରିଦେବାକୁ ଲକ୍ଷ୍ୟ ରହିଛି। ଉଲ୍ଲେଖଯୋଗ୍ୟ, ଉଲ୍ଲେଖଯୋଗ୍ୟ ଗତ ୨୦୧୫ ଏପ୍ରିଲ ୧ରେ ସେକ୍ଟର-୧୩ ଏୟାର ପୋର୍ଟ ପଡିଆରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଯୋଗଦେଇଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜିଲ୍ଲାବାସୀଙ୍କୁ ସମ୍ବୋଧନ କରିବା ଅବସରରେ  ଦ୍ବିତୀୟ ବ୍ରାହ୍ମଣୀ ପୋଲ ସହ ଜାତୀୟ ରାଜପଥ ନିର୍ମାଣ କରିବାକୁ ଘୋଷଣା କରିଥିଲେ।ପ୍ରଧାନମନ୍ତ୍ରୀଙ୍କ ଘୋଷଣାକୁ ଜିଲ୍ଳାବାସୀ କରତାଳି ଦେଇ ସ୍ବାଗତ କରିଥିଲେ। କିନ୍ତୁ ଘୋଷଣାକୁ କାର୍ଯ୍ୟକାରୀ ହେବାକୁ ଲାଗିଲା ଦୁଇ ବର୍ଷ।

ଗତ ୨୦୧୭ ଜୁଲାଇ ୨୧ରେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ବାଲୁଘାଟସ୍ଥିତ ପଡିଆରେ ଆୟୋଜିତ ଶିଳାନ୍ୟାସ ସଭାରେ ଉପସ୍ଥିତ ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସୁନ୍ଦରଗଡ ସାଂସଦ ଜୁଏଲ ଓରାମ,  ରାଉରକେଲାର ପୂର୍ବତନ ବିଧାୟକ ଦିଲୀପ ରାୟ। ୧୫ ଦିନ ମଧ୍ୟରେ କାମ ଆରମ୍ଭ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡକରୀ ଘୋଷଣା କରିଥିଲେ। ନିର୍ମାଣ କାମ ହାଇଦ୍ରାବାଦର ନିର୍ମାଣକାରୀ ସଂସ୍ଥା ଜିକେସିକୁ ଦିଆଯାଇଥିଲା। ବୀରମିତ୍ରପୁର ପଟୁ କାମ ଆରମ୍ଭ କରାଯିବ ବୋଲି କୁହାଯାଇଥିଲ। ବିଡମ୍ବନା, ୧୫ ଦିନ ମଧ୍ୟରେ ମାଟି ମୁଠାଏ ପଡି ନଥିଲା।
ଗତ ୨୦୧୮ ଡିସେମ୍ବରରେ ବିଧିବଦ୍ଧ ଭାବେ ରାସ୍ତା ସମ୍ପ୍ରସାରଣ ଓ ମରାମତି କାମ ଆରମ୍ଭ ହୋଇଥିଲା। ରମିତ୍ରପୁରରୁ ପାନପୋଷ ୨୯ କି.ମି. ସହ ଦ୍ବିତୀୟ ବ୍ରାହ୍ମଣୀ ପୋଲ ବାବଦରେ ପ୍ରାୟ ୩୮୨ କୋଟି ଟଙ୍କା, ପାନପୋଷ ଛକରୁ ରାଜାମୁଣ୍ଡା ୪୫ କି.ମି. ଏବଂ ରାଜାମୁଣ୍ଡାରୁ ବାରକୋଟ୍ ୫୦ କି.ମି. ରାସ୍ତା ବାବଦରେ ମୋଟ ୪୬୨ କୋଟି, ରାଜାମୁଣ୍ଡାରୁ  କୋଇଡା ପ୍ରାୟ ୪୮ କି.ମି. ରାସ୍ତା ମରାମତିରେ ୩୦୦ କୋଟି ଏମିତି ମୋଟ ୧୧୨୪ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ। ବୀରମିତ୍ରପୁରରୁ ପାନପୋଷ ଏବଂ ପାନପୋଷରୁ ରାଜାମୁଣ୍ଡା ପର୍ଯ୍ୟନ୍ତ ଗୋଟିଏ ସଂସ୍ଥାକୁ ସମ୍ପ୍ରସାରଣ ଓ ମରାମତି କାମ ଦିଆଯାଇଛି। ରାଜାମୁଣ୍ଡାରୁ ବାର୍କୋଟ, ରାଜାମୁଣ୍ଡାରୁ କୋଇଡା ପର୍ଯ୍ୟନ୍ତ ଅନ୍ୟ ଦୁଇଟି ସଂସ୍ଥାକୁ କାମ ଦିଆଯାଇଛି। ଏସବୁ ଭିତରେ ଜାତୀୟ ରାଜପଥ ନିର୍ମାଣ କାମ ପୁରୁଷ ହକି ବିଶ୍ବକପ୍‌ ଅର୍ଥାତ୍‌ ୨୦୨୩ ଜାନୁଆରି ସୁଦ୍ଧା ଶେଷ ହେଉଛି କି  ନାହିଁ, ତା’ ଉପରେ ସମସ୍ତଙ୍କ ନଜର ରହିଛି।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe