ଖାଦି କପଡ଼ା ବା ଖଦଡ଼ କପଡ଼ା, ସତ୍ୟ, ଅହିଂସା ଓ ଆଦର୍ଶ ର ପ୍ରତୀକ ଅଟେ । ନିଜକୁ ସଞ୍ଜତ, ମାର୍ଜିତ ଓ ମାନବସେବା ପାଇଁ ବ୍ରତୀ ର ପ୍ରତୀକ ଖଦଡ଼ ଜାତିର ଜନକ ଙ୍କ ବିଚାରଧାରା ର ପ୍ରତୀକ ଅଟେ । ଏବେ ମନ ଭିତରେ ଅନେକ ପ୍ରଶ୍ନ ଉଠୁଛି ଏହି ବିଚାରଧାରା ର ପ୍ରତୀକ କୁ ନେଇ। ଆଜି ର ଦିନରେ ଖଦଡ଼ ଏକ ଫେଶନ ରେ ପରିଣତ ହୋଇ ସାରିଛି । ନୀତି, ଆଦର୍ଶ ଓ ବିଚାରଧାରା କୁ ହତ୍ୟା କରି ବିଭିନ୍ନ ବର୍ଗ, ରାଜନେତା, ସମାଜସେବୀ ଭଦ୍ର ମୁଖାଧାରି ମାନେ କଡ଼ା ଆଇରନ କରା ହୋଇଥିବା ଖଦଡ଼ ଲୁଗା ପରିଧାନ କରି ଗାନ୍ଧୀ, ବିଚାର ଧାରା କୁ କଳଙ୍କିତ କରିବାକୁ ପଛଘୁଂଚ୍ଚା ଦେଇ ନାହାଁନ୍ତି। ବିଶ୍ଵର ଆଦ୍ଵିତୀୟ, ଅହିଂସା ର ପୂଜାରୀ ଙ୍କ "କୁଟି ଖାଅ କାଟି ପିନ୍ଧ" ସମଗ୍ର ବିଶ୍ୱର ମାନବ ସଭ୍ୟତା ପାଇଁ ଏକ ପ୍ରେରଣା ଅଟେ । ଜଣେ ଦୃଢ଼ ନିଶ୍ଚିତ ଆତ୍ମ ବିଶ୍ୱାସୀ ଓ ଅହିଂସା ର ପଥ ଅନୁସରଣ କରି ଦେଶବାସୀ ଙ୍କୁ ସ୍ଵାଧୀନତା ର ସ୍ଵାଦ ଦେଇଥିବା ସେହି ମହାନ୍ ବିଚାରଧାରା ର ପ୍ରତୀକ ଙ୍କୁ ଆଜି ତଥାକଥିତ ରାଜନେତା ଓ ସମାଜସେବୀ ମାନେ କଳଙ୍କିତ କରି ଚାଲିଛନ୍ତି। ଏହି ଲେଖାଟି କୌଣସି ନିର୍ଦ୍ଧିଷ୍ଟ ବ୍ୟକ୍ତି, ରାଜନେତା କିମ୍ବା ଦଳ ପ୍ରତି ଆକ୍ଷେପ ନୁହଁ। ଗାନ୍ଧୀ ବିଚାର ଧାରା କୁ କଳଙ୍କିତ କରୁଥିବା ବ୍ୟକ୍ତି କିମ୍ବା ଅନୁଷ୍ଠାନ କିମ୍ବା ଗାନ୍ଧୀ ଙ୍କ ନୀତି ଆଦର୍ଶ କୁ ଲୋକ ଦେଖାଣିଆ ମାନଙ୍କୁ ଖରାପ ଲାଗିପାରେ କିନ୍ତୁ ବାସ୍ତବ ରୂପ ରେ ଆଜି ଦିନରେ କିଛି ଖଦଡ଼ ପିନ୍ଧା ମୁଖାଧାରୀ ଙ୍କ ଦୁଇଟି ଚରିତ୍ର ନିତିଦିନ ଦେଖିବାକୁ ମିଳୁଛି। ଖଦଡ଼ ପିନ୍ଧି, ପାନ, ଗୁଟକା, ମଦ ସମେତ ବିଭିନ୍ନ ନିଶାଦ୍ରବ୍ୟ ସେବନ ଗାନ୍ଧିଆଁନ ଆଦର୍ଶ କୁ କଳଙ୍କିତ କରୁଛି। ଖଦଡ଼ କପଡ଼ା ପିନ୍ଧି ବିଭିନ୍ନ ପ୍ରକାରର ଅପରାଧ, ଆର୍ଥିକ ହଉ କିମ୍ବା ନାରୀ ସମାଜ ପ୍ରତି ଅସମ୍ମାନ ଭଳି ଘଟଣାକୁ କଣ କହିବେ ଏହା ଗାନ୍ଧୀ ବିଚାରଧାରା ର ପ୍ରତୀକ ନା ଗାନ୍ଧୀ ବିଚାରଧାରା ର ହତ୍ୟା। ?
ଆଜି ଏହି ଖଦଡ଼ ପିନ୍ଧିବା ପାଇଁ କିଏ ଯୋଗ୍ୟ ନା ଅଯୋଗ୍ୟ ଏ ପ୍ରଶ୍ନ ର ଉତ୍ତର ଖୋଜିବା କଷ୍ଟ ସାଧ୍ୟ ଅଟେ କିନ୍ତୁ ନିଜର ଆତ୍ମ ଚିନ୍ତନ ଜରିଆରେ ଗାନ୍ଧୀ ଙ୍କ ନୀତି, ଆଦର୍ଶ, ବିଚାରଧାରା କୁ ଅଧ୍ୟୟନ ଓ ଗ୍ରହଣ କଲେ ନିଶ୍ଚିତ ଭାବରେ ଗାନ୍ଧୀ ବିଚାରଧାରା ର ସାମୁହିକ ହତ୍ୟା ପ୍ରସଙ୍ଗ ଆପେ ଆପେ ମନ ଭିତରୁ ଦୂରେଇ ଯିବ। ସମାଜ କୁ ଶୃଙ୍ଖଳିତ କରିବା ପାଇଁ ଆଜି ଗାନ୍ଧୀ ବିଚାରଧାରା ର ଆବଶ୍ୟକତା ରହିଛି। ଖଦଡ଼ ପିନ୍ଧି ନିଜକୁ ସମାଜ ଭିତରେ ଶ୍ରେଷ୍ଠ ଦର୍ଶାଉଥିବା ମଣିଷ ମାନଙ୍କ ଦ୍ଵାରା ଆଜି ପ୍ରତ୍ୟେକ ମୁହୂର୍ତ୍ତ ରେ ଗାନ୍ଧୀ ଙ୍କ ନୀତି ଆଦର୍ଶ ଓ ବିଚାରଧାରା କୁ ହତ୍ୟା କରି ଚାଲିଛନ୍ତି ତାହା ବାସ୍ତବିକ ଦେଶ, ସମାଜ ଓ ଉତ୍ତର ପିଢ଼ି ଙ୍କ ପାଇଁଆଜି ଖଦଡ଼ କପଡ଼ା ଫେସନ୍ ର ପ୍ରତୀକ ହୋଇ ପଡ଼ିଛି।
ତେବେ ଏହିଲେଖା ଜରିଆରେ ସମସ୍ତ ଗାନ୍ଧୀ ବିଚାରଧାରା ରେ ବିଶ୍ୱାସ ରଖିଥିବା ସମସ୍ତ ଙ୍କୁ ବିନମ୍ର ଅନୁରୋଧ ଖଦଡ଼ ଲୁଗା,ପିନ୍ଧିବା ପୂର୍ବରୁ ନିଜ ଆତ୍ମ ଚିନ୍ତନ କରନ୍ତୁ କି, ମୁଁ ନିଜେ ଖଦଡ଼ ଲୁଗା ପିନ୍ଧିବା ପାଇଁ ଯୋଗ୍ୟ ନା ଆଯୋଗ୍ୟ, ଯଦି ଗାନ୍ଧୀ ବିଚାରଧାରା, ନୀତି ଓ ଆଦର୍ଶ କୁ ଅକ୍ଷରେ ଅକ୍ଷରେ ପାଳନ କରିବା ବା ଆପଣେଇବାକୁ ସଂକଳ୍ପ ବଦ୍ଧ ତେବେ ଯାଇ ଖଦଡ଼ ଲୁଗା ପିନ୍ଧନ୍ତି ଅନ୍ୟଥା ଗାନ୍ଧୀ ବିଚାରଧାରା ଓ ନୀତି ଆଦର୍ଶ କୁ ହତ୍ୟା କରି ଖଦଡ଼ ପିନ୍ଧି ବିଶ୍ଵର ମହାନ୍ ବିଚାରଧାରା କୁ କଳଙ୍କିତ କରନ୍ତୁ ନାହିଁ। ତେବେ ବିଦେଶୀ ଫେଶନ୍ କିମ୍ବା କୌଣସି ପରିଧାନ କୁ ନେଇ ମୁଁ ବ୍ୟକ୍ତିଗତ ଭାବରେ କାହାକୁ ଆକ୍ଷେପ କିମ୍ବା ନୀତିବାଣୀ ଦେଉନାହିଁ । ସମସ୍ତେ ନିଜ ନିଜ ଇଚ୍ଛାରେ ପିଦ୍ଧିବା, ଖାଇବା, ର ସ୍ବତନ୍ତ୍ର ଅଧିକାର ରହିଛି କିନ୍ତୁ ଖଦଡ଼ ଏକ ବିଚାରଧାରା ର ପ୍ରତୀକ ଅଟେ ତାକୁ ବ୍ୟବହାର ପୂର୍ବରୁ ନିଜର ଆତ୍ମ ଚିନ୍ତନ କରି ନିଅନ୍ତୁ । ଲୋକ ଦେଖାଣିଆ ଖଦଡ଼ ଲୁଗା ପିନ୍ଧିବା ଗାନ୍ଧୀ ବିଚାରଧାରା କୁ ହତ୍ୟା କରିବା ସହ ସମାନ।
ମହମ୍ମଦ ଅଲ୍ଲୀ ଖାଁ,
ବରିଷ୍ଠ ସାମ୍ବାଦିକ, କଳାହାଣ୍ଡି।



Post a Comment