କଲମପୁର କେନ୍ଦ୍ର ବିଦ୍ୟାଳୟ ମୂଖ୍ୟ ଫାଟକ ସମ୍ମୁଖରେ କାଦୁଅ, ଛାତ୍ରଛାତ୍ରୀ ଅପଦସ୍ତ, ପ୍ରଶାସନ ନିରବ !!!
କଲମପୁର -(ତର୍ଜମା ନ୍ୟୁଜ) କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ସଦର ମହକୁମା କେନ୍ଦ୍ର ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ମୂଖ୍ୟ ଫାଟକ ସମ୍ମୁଖରେ କାଦୁଅ ଯୋଗୁଁ ଛାତ୍ରଛାତ୍ରୀ ଅପଦସ୍ତ ହେବାରେ ଲାଗିଛନ୍ତି,ଏହା ସଦର ମହକୁମାର ମୁଖ୍ୟ ବଜାର ସହ ସଂଲଗ୍ନ ସ୍ଥଳରେ ଏଭଳି କାଦୁଅ ଯୋଗୁଁ କେବଳ ଛାତ୍ରଛାତ୍ରୀ ନୁହଁନ୍ତି ଜନସାଧାରଣ ମଧ୍ୟ ନାନାଦି ଅସୁବିଧାର ସମ୍ମୁଖିନ ହୋଇ ଆସୁଛନ୍ତି । ସରକାର ବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମି ସଜାଡିବାକୁ ବିପୁଳ ଅର୍ଥ ବ୍ୟୟ ବରାଦ କରି ଖର୍ଚ୍ଚ କରିଚାଲିଥିବା ବେଳେ ସଦର ମହକୁମାର କେନ୍ଦ୍ର ବିଦ୍ୟାଳୟ ପ୍ରତି ଦୃଷ୍ଟି ନ ପଡିବା ପରିତାପର ବିଷୟ ବୋଲି ଜନସାଧାରଣ ରେ ମତ ପ୍ରକାଶ ପାଇଛି । ଏବେ ସରକାର ବିଦ୍ୟାଳୟ ପରିଚାଳନା ଦାୟିତ୍ଵ ସରପଞ୍ଚ ମାନଙ୍କ ହାତରେ ନ୍ୟସ୍ତ କରିଛନ୍ତି, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଅର୍ଥ ବି ଯୋଗାଇ ଦେଇଛନ୍ତି । ପଞ୍ଚାୟତ ମଧ୍ୟ ମୂଖ୍ୟ ବଜାର ଦୋକାନ ମାନଙ୍କରୁ ମାସିକ ଭଡ଼ା ମଧ୍ୟ ଆଦାୟ କରୁଛନ୍ତି । ତେବେ ଛାତ୍ରଛାତ୍ରୀ ସମେତ ଜନସାଧାରଣଙ୍କ ଏହି ଅସୁବିଧା ଦୁର ପାଇଁ କୋୖଣସି ବ୍ୟବସ୍ଥା ନକରି କାହିଁକି ନିରବ ରହିଛନ୍ତି ତାହା ବୁଝାପଡୁନାହି । ଏଥିପ୍ରତି ପ୍ରଶାସନ ମଧ୍ୟ ନିଦାବିଷ୍ଣୁ ପାଳଟିଛନ୍ତି । ଏବେ ଜନସାଧାରଣ ଅସନ୍ତୋଷ ବ୍ୟକ୍ତ କରି କଲମପୁର ବିଡ଼ିଓଙ୍କୁ ଲିଖିତ ଭାବେ ଜଣାଇ ଆସନ୍ତା ସାତଦିନ ଭିତରେ ଏ ଦିଗରେ ପଦକ୍ଷେପ ନ ନେଲେ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି । ଏନେଇ ବିଡିଓଙ୍କ ଠାରୁ ପ୍ରତିକ୍ରିୟା ମିଲିପାରି ନ ଥିବା ବେଳେ ପ୍ରଶାସନ କି ପଦକ୍ଷେପ ନେବ ତାହା ଆଗାମୀ ଦିନରେ ଜଣାପଡିବ ।
Post a Comment