କଳାହାଣ୍ଡି __ବିକାଶ ର ଡିଣ୍ଡିମ କେତେ ଯଥାର୍ଥ!!!
ଆଜି ଧର୍ମ ଗଡ଼ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଦେବାପାଇଁ ଦାବୀ ଜୋର୍ ଧରିଛି। ଧର୍ମଗଡ଼ ଠାରେ ଗତ ୧୬ଦିନ ରୁ ଅଧିକ ହେବ ଗଣ ଧାରଣା ଆନ୍ଦୋଳନ ଚାଲିଛି । ବିଭିନ୍ନ ବର୍ଗ, ସଂଗଠନ ବ୍ୟକ୍ତି ବିଶେଷ ଏହି ଆନ୍ଦୋଳନ ରେ ସାମିଲ ହେଉଛନ୍ତି । ଅନ୍ୟ ପଟେ ଜୁନାଗଡ଼ କୁ ଜିଲ୍ଲା ମୁଖ୍ୟାଳୟ କରିବା ଓ ଜିଲ୍ଲା ମାନ୍ୟତା ଦେବା ପାଇଁ ବି ଦାବୀ ଜୋର୍ ଧରିଛି । ୧୯୯୮ ମସିହାରେ ଓଡ଼ିଶା ର ୧୩ ଗୋଟି ଜିଲ୍ଲା କୁ ୩୦ ଗୋଟି ଜିଲ୍ଲା ରେ ପରିଣତ କରିଥିଲେ ବିଜୁ ପଟ୍ଟନାୟକ ନିଜ ଶାସନ ସମୟ ରେ ଉଦ୍ଦେଶ୍ୟ ଛୋଟ ଛୋଟ ଜିଲ୍ଲା ହେଲେ ସରକାର, ଓ ପ୍ରଶାସନ ସାଧାରଣ ଲୋକଙ୍କ ନ୍ୟାର୍ଯ୍ୟ ଦାବୀ ପୂରଣ କରିବା ସହ ସମାଜର ବା ଜିଲ୍ଲା ର ମୌଳିକ ସମସ୍ୟା , ମୌଳିକ ଅଧିକାର ପାଇବାରେ ବଞ୍ଚିତ ବର୍ଗ ଙ୍କୁ ଶୀଘ୍ର ନ୍ୟାୟ ଓ ଅଧିକାର ମିଳି ପାରିବ । ଲୋକଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ ସୁବିଧା, ସ୍ବଚ୍ଛ ପାନୀୟ ଜଳ, ଓ ବଞ୍ଚିବାର ଅଧିକାର ହାସଲ ପାଇଁ ଅପେକ୍ଷା ରତ ସାଧାରଣ ଲୋକଙ୍କ ପାଖରେ ପ୍ରଶାସନ ପହଞ୍ଚି ଲୋକଙ୍କୁ ନ୍ୟାୟ ଦେଇ ପାରିବ ।
ତେବେ ଅବିଭକ୍ତ କଳାହାଣ୍ଡି, କୋରାପୁଟ, ସମେତ ସମସ୍ତ ୧୭ ଟି ନୂତନ ଜିଲ୍ଲା ମାନ୍ୟତା ପାଇଥିବା ଓ ପୁରୁଣା ୧୩ଟି ଜିଲ୍ଲା ର ଅଧିବାସୀ, ନାଗରିକ, ଶିକ୍ଷିତ ବର୍ଗ, ଗ୍ରାମାଞ୍ଚଳ ରେ ରହୁଥିବା ସଂଖ୍ୟାଧିକ ଦଳିତ, ଆଦିବାସୀ ଓ ପଛୁଆ ବର୍ଗ ନିଜ ମୌଳିକ ଅଧିକାର ହାସଲ କରିଛନ୍ତି ନା ସମସ୍ତ ନ୍ୟାର୍ଯ୍ୟ ଅଧିକାର ରୁ ଆଜିବି ବଞ୍ଚିତ ଏହା ଆଜିର ମୂଳ ପ୍ରସଙ୍ଗ ଅଟେ ।
ବ୍ୟକ୍ତିଗତ ଭାବେ ଭୌଗୋଳିକ ଅବସ୍ଥିତି କୁ ବିଚାର କରି ନୂତନ ଜିଲ୍ଲା ଗଠନ ର ଆବଶ୍ୟକତା ଓ ଦାବୀ ଯଥାର୍ଥ ଅଟେ ଏହା ସ୍ୱୀକାର ଯୋଗ୍ୟ । ତେବେ କଳାହାଣ୍ଡି ଜିଲ୍ଲା ର ବିକାଶ ପାଇଁ ଡିଣ୍ଡିମ ପିଟୁ ଥିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ କେତେ ଦରଦ ଅଛି ବା ନିଜ ମୌଳିକ ହକ ଦାବୀ ହାସଲ କରିବା ପାଇଁ ଜିଲ୍ଲାର ଅଧିବାସୀ ରାଜନୈତିକ ଅଭିସନ୍ଧି ରୁ ଉର୍ଦ୍ଧ ରେ ରହି ନିଜ ଗ୍ରାମ, ଅଞ୍ଚଳ କିମ୍ବା ନିର୍ବାଚିତ ପ୍ରତିନିଧି ମାନେ ନିଜ ନିର୍ବାଚନ ମଣ୍ଡଳୀ ର ଉନ୍ନତି ଦିଗରେ କେତେ ସ୍ୱର୍ ଉତ୍ତୋଳନ କରିଛନ୍ତି କିମ୍ବା ଦାବୀ ହାସଲ କରି ନିଜ ନିର୍ବାଚନ ମଣ୍ଡଳୀ ର ଉନ୍ନତି ରେ ସହାୟକ ହୋଇଛନ୍ତି ତାହା ହିଁ ମୂଳ ପ୍ରସଙ୍ଗ ଅଟେ ।
କଳାହାଣ୍ଡି ଜିଲ୍ଲା ର ଦୁର୍ଗମ ଅଞ୍ଚଳ ଯଥା ମୋହନ ଗିରି, ମ,ରାମପୁର, କର୍ଲାମୁଣ୍ଡା, ରିଷିଡା, ନର୍ଲା, ଲାଞ୍ଜିଗଡ, ଥୁ, ରାମପୁର ଅଞ୍ଚଳ ପାଇଁ ଜିଲ୍ଲାପାଳ, ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ , ସମସ୍ତ ଜିଲ୍ଲା ସ୍ତରୀୟ କାର୍ଯ୍ୟାଳୟ ଭବାନୀ ପାଟଣା କୁ ଆସିବାକୁ ବାଧ୍ୟ ଦୂରତା ୮୦ରୁ ୧୦୦ କି, ମି, । ଏହି ଦୁର୍ଗମ ଅଞ୍ଚଳ ର ସାଧାରଣ ମଣିଷ ଆଜିବି ଉନ୍ନତ ସ୍ୱାସ୍ଥ୍ୟ ସେବା, ଗମନା ଗମନ ସୁବିଧା, ସ୍ବଚ୍ଛ ପାନୀୟ ଜଳ ଓ ପ୍ରଶାସନିକ ବ୍ୟବସ୍ଥାରେ ନ୍ୟାୟ ପାଇବାରୁ ଆଜିବି ବଞ୍ଚିତ । ଏହି ଅଞ୍ଚଳ ର ମୁଖ୍ୟ ସ୍ଥଳୀ ମ, ରାମପୂର୍ ରେ ମୁଖ୍ୟାଳୟ ଘୋଷଣା କରି ଉପଖଣ୍ଡ ମାନ୍ୟତା ଦେବାପାଇଁ ସରକାର ତତ୍ପର ନାହାଁନ୍ତି।ତେବେ ଏହି ଦୁର୍ଗମ ଅଞ୍ଚଳ ପାଇଁ ଆଜିବି ନିଜ୍ ନ୍ୟାର୍ଯ୍ୟ ଅଧିକାର କାହିଁକି ପାଇ ପାରି ନାହାଁନ୍ତି ଓ ସେଇଥି ପାଇଁ ଦାୟୀ କିଏ? ସରକାର, ଲୋକ ପ୍ରତିନିଧି, ପ୍ରଶାସନ କିମ୍ବା ଏହି ସମସ୍ତ ସୁବିଧା ରୁ ବଞ୍ଚିତ ବର୍ଗ । ଏହାହିଁ ଜିଲ୍ଲା ର ସମସ୍ତ ଙ୍କ ପାଇଁ ଆଲୋଚନା ଓ ସମାଲୋଚନା ର ପ୍ରସଙ୍ଗ ଅଟେ।
ସେହିପରି ଦିନକୁ ଦିନ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼, ଜୁନାଗଡ଼, ଜୟପାଟଣା, ଭବାନୀ ପାଟଣା, କେସିଙ୍ଗା ଭଳି ସହର ମାନଙ୍କରେ ଗମନା ଗମନ ସମସ୍ୟା, ଜନସଂଖ୍ୟା ବୃଦ୍ଧି ସହ ଯାନ ବାହନ ବୃଦ୍ଧି ଯୋଗୁଁ ପ୍ରତ୍ୟେକ ଦିନ ଗୁରୁତର ସଡ଼କ ଦୁର୍ଘଟଣା ବୃଦ୍ଧି ପାଇ ଅତି ଗୁରୁତର ସମସ୍ୟା ସୃଷ୍ଟି କରିଛି । ସ୍ଵାଧୀନତା ପୂର୍ବରୁ ଏହି କଳାହାଣ୍ଡି ଜିଲ୍ଲା ର କ୍ଷେତ୍ର ଫଳ କେତେ ଥିଲା ଆଜି ନାହିଁ । ସ୍ଵାଧୀନତା ର ପ୍ରାପ୍ତି ପରେ ଦୁଇ ବର୍ଷ ଆମେ ସ୍ଵତନ୍ତ୍ର କଳାହାଣ୍ଡି ରାଜ୍ୟର ଅଧୀନ ରେ ହିଁ ରହୁଥିଲୁ। ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଉଦ୍ୟମ ଫଳରେ ୧୯୪୯ ମସିହାରେ ଆମକୁ ଓଡ଼ିଶା ରାଜ୍ୟ ରେ ସାମିଲ କରି ଜିଲ୍ଲା ମାନ୍ୟତା ପାଇଥିଲୁ। ଲୋକଙ୍କ ଆଶା ଓ ବିଶ୍ବାସ ଥିଲା ଏହି ଅଞ୍ଚଳ ଓ ଜିଲ୍ଲା ଗୁଡ଼ିକ ବିକାଶ ର ନୂଆଁ ଅଧ୍ୟାୟ ସୃଷ୍ଟି କରିବ । କଳାହାଣ୍ଡି ଜିଲ୍ଲା ହଉ କି ପଶ୍ଚିମ ଓଡ଼ିଶା ର ଅନ୍ୟ ୧୨ଟି ଜିଲ୍ଳା କୁ ସଦା ସର୍ବଦା ଯେ କୌଣସି ସରକାର ଙ୍କ ଚକ୍ରାନ୍ତ, ନିର୍ବାଚିତ ପ୍ରତିନିଧି ମାନଙ୍କ ଗୁଲାମୀ ମାନସିକତା ଯୋଗୁଁ କିଛି ନା କିଛି ଉପେକ୍ଷା ଓ ଅବହେଳା କରି ଚାଲିଛନ୍ତି । ଏପରିକି କେସିଙ୍ଗା, ଜୁନାଗଡ଼, ଧର୍ମଗଡ଼ ହଉ କି ଜୟ ପାଟଣା ସହର ଅତିକ୍ରମ କରିବା ପାଇଁ ସାମାନ୍ୟ ବାଇପାଶ ରାସ୍ତା ନିର୍ମାଣ କରିବାକୁ କୌଣସି ନିର୍ବାଚିତ ବିଧାୟକ, ସାଂସଦ ଉଦ୍ୟମ ଜାରି ନାହାଁନ୍ତି କିମ୍ବା ନିଜ ଜିଲ୍ଳା ର ଏହିପରି ଦାବି କୁ ଉଚିତ୍ ଭାବରେ ଉପସ୍ଥାପନ ମଧ୍ୟ କରି ନାହାଁନ୍ତି । ଏହା ଠାରୁ ଆହୁରି ଅଧିକ ପୀଡା ଦାୟକ ଘଟଣା ଏହି ଯେ, ନିଜ ଅଞ୍ଚଳ ର ହକ ଦାବି ହାସଲ କରିବା ପାଇଁ ବୁଦ୍ଧିଜୀବୀ ମହଲରେ କିମ୍ବା ସାଧାରଣ ଲୋକ , ସଂଗଠନ କିମ୍ବା କୌଣସି ବ୍ୟକ୍ତି ବିଶେଷ ସ୍ଵର୍ ଉତ୍ତୋଳନ କରି ନାହାଁନ୍ତି । ଏହାଠାରୁ ଆହୁରି ଅନେକ ଦୁର୍ଭାଗ୍ୟ କର ଘଟଣା ହେଲା ଜିଲ୍ଳା ର ଅନେକ ପ୍ରାଥମିକ ବିଦ୍ୟାଳୟ ଆଜି ରାଜ୍ୟ ସରକାର ବନ୍ଦ୍ କରି ଚାଲିଛନ୍ତି ଓ ଆଗାମୀ ଦିନରେ ରାଜ୍ୟ ର ଆହୁରି ୫୦ ହଜାର ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବା ପାଇଁ ଯୋଜନା ଚାଲିଛି । ତେବେ ଗ୍ରାମାଞ୍ଚଳ ର ସାଧାରଣ ଅନୁନ୍ନତ ବର୍ଗ, ଅନଗ୍ରସର ଶ୍ରେଣୀର ବର୍ଗ ଙ୍କ ଶିକ୍ଷା ଗ୍ରହଣ କରିବା ପାଇଁ ଅଧିକାର ରୁ ବଞ୍ଚିତ କରି ସମସ୍ତ୍ ଙ୍କୁ ବେସରକାରୀ ବିଦ୍ୟାଳୟ ଆଡ଼କୁ ଯିବା ପାଇଁ ଏକ ଷଡ଼ଯନ୍ତ୍ର ସଦୃଶ । ଜିଲ୍ଲାର ସମସ୍ତ ପରିବାର ବେସରକାରୀ ବିଦ୍ୟାଳୟ ମାନଙ୍କରେ ନିଜ ସନ୍ତାନ ମାନଙ୍କୁ ପାଠ ପଢିବା ପାଇଁ ସକ୍ଷମ କି? ଏପରି ଭାବରେ ସରକାର ବିକାସ ର ସ୍ବପ୍ନ ଦେଖୁଛନ୍ତି ନା ଗରିବ ଅନୁନ୍ନତ, ଦଳିତ ଆଦିବାସୀ, ପଛୁଆ ବର୍ଗ ଙ୍କୁ ପ୍ରାଥମିକ ଶିକ୍ଷା ରୁ ବଞ୍ଚିତ କରି କିଭଳି ବିକାଶ ର ସ୍ବପ୍ନ ଦେଖୁ ଛନ୍ତି ତାହା ବୁଝି ହେଉନାହିଁ।
ଏହି କିଛି ଦିନ ତଳେ ଜାରିଂ ଠାରୁ ବୃନ୍ଦାବାହାଲ ଛକ ପର୍ଯ୍ୟନ୍ତ ୪୧ କି,ମି ରାସ୍ତା ନିର୍ମାଣ ର ଦୟନୀୟ ସ୍ଥିତି ଓ କଛପ ଦେଖିବାର ଓ ଅନୁଭବ କରିବା ର ସୁଯୋଗ ପାଇଥିଲି । ରାସ୍ତା ନିର୍ମାଣ ର କଛପ ଗତି ଓ ଠିକାଦାର ପୋଷା ର ଏହା ଏକ ନଗ୍ନ ନମୁନା ଅଟେ । ଏହି ରାସ୍ତା କୁ ବାଇକ୍, ସାଇକଲ କିମ୍ବା ଚାରି ଚକିଆ ଯାନରେ ସୁରକ୍ଷିତ ଭାବେ ଥରେ ଅତିକ୍ରମ କଲେ ମୃତୁଞ୍ଜୟୀ ଆଖ୍ୟା, ଉପାଧି ଓ ମାନପତ୍ର ରାଜ୍ୟ ସରକାର ଦେବା ଉଚିତ୍ । ପ୍ରଶାସନ, କିମ୍ବା ନିର୍ବାଚିତ ପ୍ରତିନିଧି, ସ୍ଥାନୀୟ ଅଧିବାସୀ କିମ୍ବା ବିଭାଗୀୟ ନମକ ହରାମ ଅଧିକାରୀ ମାନେ ଏ ଦିଗରେ ଦୃଷ୍ଟି ନ ଦେବା ବାସ୍ତବିକ ନିନ୍ଦନୀୟ ଘଟଣା ଅଟେ । ଆଜି ବି କଳାହାଣ୍ଡି ଜିଲ୍ଲା ରେ ବିଧବା, ବାର୍ଦ୍ଧକ୍ୟ ଭତ୍ତା ପାଇଁ ବୃଦ୍ଧ ବୃଦ୍ଧା ଅସହାୟ ବର୍ଗ ଅନେକ କି,ମି, ପାଡ ରେ ଭୋକ ଉପାସରେ ଚାଲି ଚାଲି ଯିବା ଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳୁଛି , ଏଥିସହ ଜୀବନ ବଞ୍ଚାଇବା ପାଇଁ ସ୍ୱାସ୍ଥ୍ୟ ସେବା ହଉକି ଅନ୍ୟାନ୍ୟ ସମସ୍ୟା ସମଗ୍ର ଜିଲ୍ଲାବାସୀ ମୁଖ୍ୟ ଡାକ୍ତରଖାନା ଉପରେ ନିର୍ଭର କରୁଛନ୍ତି । ଆଉ ଡାକ୍ତର ଖାନା ର ବିଶେଷଜ୍ଞ ଡାକ୍ତର ମାନେ ଗୁରୁତର ରୋଗୀଙ୍କୁ ବାହାରକୁ ଚିକିତ୍ସାପାଇଁ ନେଇ ଯିବାକୁ ସୁପାରିଶ କରି ନିଜ ଦାୟିତ୍ବ ସାରି ଦେଉଛନ୍ତି । ରୋଗୀ ଙ୍କ ପରିବାର ବାଧ୍ୟ ହୋଇ କୌଣସି ଉପାୟ ନପାଇ ବୁର୍ଲା, କଟକ, ଭୁବନେଶ୍ୱର, ବିଶାଖାପାଟଣା, ରାୟପୁର, ହାଇଦ୍ରାବାଦ ନେଇ ଖର୍ଚ୍ଚାନ୍ତ ହେବା ସହ ଅନେକ ରୋଗୀଙ୍କ ଶବ ଫେରୁଛି । ଏହା ଉନ୍ନତ ସ୍ୱାସ୍ଥ୍ୟ ସେବା ର ନମୁନା ମାତ୍ର।
କଳାହାଣ୍ଡି ଜିଲ୍ଲାରେ ଏକ ମେଡିକାଲ କଲେଜ ର ଜିଲ୍ଲାବାସୀ ଙ୍କ ତରଫରୁ ବ୍ୟାପକ ଆନ୍ଦୋଳନ ହେବା ପରେ ରାଜ୍ୟ ସରକାର ଗତ ୨୦ ବର୍ଷ ପୂର୍ବେ ସ୍ଵତନ୍ତ୍ର ଭାବେ କ୍ୟାବିନେଟ୍ ବୈଠକ ଡାକି ଅନୁମୋଦନ କରିବା ପାଇଁ ବାଧ୍ୟ ହୋଇଥିଲେ । ଜାରିଙ୍ଗ ରେ ସର୍ଦ୍ଦାର ରାଜା ମେଡିକାଲ୍ କଲେଜ ର ମାଲିକ ୩୫ ଏକର ଜମି, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ୧୦ କୋଟି ମାରି ନେଇ ଯାହା କଲା ତାହା ବାସ୍ତବରେ ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ ଭଳି ମନେ ହୁଏ । ଏହିପରି କଳାହାଣ୍ଡି ବାସୀ ମେଡିକାଲ କଲେଜ୍ ନାଁ ରେ ଠକାମୀ ରେ ଶିକାର ହେଲେ ୧୦ ବର୍ଷ । ପୁଣି ଘୋଷଣା ହେଲା ୧୦ ବର୍ଷ ପୂର୍ବେ ଭବାନୀ ପାଟଣା ନିକଟରେ ବେଦାନ୍ତ ଆଲୁମିନା କମ୍ପାନୀ ସହାୟତା ରେ ଏକ ମେଡିକାଲ କଲେଜ ପ୍ରତିଷ୍ଠାପାଇଁ । ତାହାବି ଆଜି ଯାଏଁ ନିର୍ବାଚନୀ ପ୍ରସଙ୍ଗ ହୋଇ ପଡ଼ିଛି।
ରାଜ୍ୟସରକାର କଳାହାଣ୍ଡି ମେଡିକାଲ କଲେଜ ପାଇଁ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି କରିଛନ୍ତି ଓ ଏହି ମାନେ ମେଡିକାଲ ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷାଦାନ ସହ ସରକାରୀ ମେଡିକାଲ୍ ରେ ଚିକିତ୍ସା ପରାମର୍ଶ ଏବଂ ଚିକିତ୍ସା କରି ପାରିବେ ।ବିଶେଷଜ୍ଞ ଡାକ୍ତର ମାନଙ୍କ ଠାରୁ ବହୁ ଅଧିକ ଦରମା ପାଉଥିଲେ ମଧ୍ୟ କଳାହାଣ୍ଡି ଜିଲ୍ଲାରେ ନିଯୁକ୍ତି ପାଇବା ପରେ ପ୍ରାୟ ଅନେକ ମେଡିକାଲ କଲେଜ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ମାନଙ୍କ ସାଇନ୍ ବୋର୍ଡ ସହର ର ମେଡିକାଲ ଷ୍ଟୋର ସାମ୍ନା ରେ ଟଙ୍ଗା ଯାଇଛି । ଏଥିସହ ରାଜ୍ୟ ଓ ରାଜ୍ୟ ବାହାରର ଅନେକ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ମଧ୍ୟ କଳାହାଣ୍ଡି ମୁହାଁ, କେବଳ ଚିକିତ୍ସା ଅଢ଼ୁଆଳ ରେ କେବଳ ରୋଗୀଙ୍କ ଆର୍ଥିକ ଶୋଷଣ, ସେଥିରେ ପୁଣି ପେଥିଲୋଜି ମାନଙ୍କ ରେ ବିଭିନ୍ନ ପରୀକ୍ଷଣ ପାଇଁ ଅର୍ଥ କମିଶନ, ମେଡ଼ିସିନ ଦୋକାନୀ ଠାରୁ ଅର୍ଥ କମିଶନ,ଯାହାକି ମେଡିକାଲ ସେବା ର ଗାଇଡ ଲାଇନ କୁ ଖୋଲା ଖୋଲି ଉପହାସ ସଦୃଶ ହୋଇ ପଡ଼ିଛି। କଳାହାଣ୍ଡି ସର୍ବ ହରା ଙ୍କ ଠାରୁ ଏହିପରି ଉପାୟରେ ଆର୍ଥିକ ଶୋଷଣ r ନଗ୍ନ ସ୍ୱରୂପ ଜାଣି ମଧ୍ୟ ରାଜ୍ୟ ଓ କେନ୍ଦ୍ର ସରକାର, ସ୍ୱାସ୍ଥ୍ୟ ବିଭାଗ ର ଦାୟିତ୍ବବାନ ଅଧିକାରୀ ନୀରବ ଦ୍ରଷ୍ଟା।
ତେବେ କଳାହାଣ୍ଡି ଜିଲ୍ଲା କୁ ଭାଗ ଭାଗ କରି ଜିଲ୍ଲା ର ସାଧାରଣ ଲୋକଙ୍କ ନ୍ୟାର୍ଯ୍ୟ ଅଧିକାର ହାସଲ ପ୍ରଥମେ କିପରି କରିହେବ ତା ଉପରେ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ର ଆବଶ୍ୟକ ରହିଛି ।
ଜିଲ୍ଳା ଗଠନ ପୂର୍ବରୁ ସମସ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ମ୍ୟୁନିସିପାଲଟି ମାନ୍ୟତା, ପ୍ରତ୍ୟେକ ବ୍ଲକ ରେ ସରକାରୀ ଡିଗ୍ରୀ କଲେଜ ସ୍ଥାପନ ସହ ସ୍ବଚ୍ଛ ପାନୀୟ ଜଳ ଯୋଗାଣ ର ବ୍ୟବସ୍ଥା ଓ ଠିକାଦାର, ଟାଉଟର ପୋଷା, ନିର୍ବାଚନୀ ପାଣ୍ଠି ସଂଗ୍ରହ ଭଳି ଘୃଣ୍ୟ କାମ ରୁ ଦୂରେଇ ଯାଇ ଅଞ୍ଚଳ ଓ ଅଞ୍ଚଳ ବାସି ଙ୍କ ନ୍ୟାର୍ଯ୍ୟ ଅଧିକାର ହାସଲ କରିବା ପାଇଁ ଜିଲ୍ଲା ର ଉପେକ୍ଷିତ, ବଞ୍ଚିତ ବର୍ଗ ଓ ହକ୍ ନ୍ୟାୟ ପାଇବା ପାଇଁ ଚାତକ ଭଳି ଅପେକ୍ଷା କରିଥିବା ସାଧାରଣ ବର୍ଗ ଙ୍କ ମିଳିତ ସଂଗ୍ରାମ ର ଆବଶ୍ୟକତା ରହିଛି ।
ନଚେତ୍ ଜିଲ୍ଲା ର ୧୩ ଟି ବ୍ଲକ ଓ ଚାରିଟି ମ୍ୟୁନିସିପାଲଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ଜିଲ୍ଲା ମାନ୍ୟତା ପ୍ରଦାନ କରି ଦେଲେ ମଧ୍ୟ ଲୋକଙ୍କ କୌଣସି ଉନ୍ନତି ଉପକାର, କିମ୍ବା ନିଜ ମୌଳିକ ଅଧିକାର ପାଇବାରୁ ବଂଚିତ ରହିଥିବେ ଏବଂ ବିକାସ ର ଡିଣ୍ଡିମ କେବଳ ଏକ ରାଜନୈତିକ ଧୁଆଁବାଣ ହୋଇ ରହିଥିବ।
ଛୁଆ ନ କାନ୍ଦିଲେ ମାଁ କ୍ଷୀର ଦିଏ ନାହିଁ । ଜିଲ୍ଲା ବାସୀ ନିଜହକ ଓ ଅଧିକାର ହାସଲ ପାଇଁ ସ୍ୱର ଉତ୍ତୋଳନ ନ କରିବା ପର୍ଯ୍ୟନ୍ତ ସରକାର ଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିବା ଅସମ୍ଭବ । ଏଥିସହ ଜିଲ୍ଲାର ନିର୍ବାଚିତ ପ୍ରତିନିଧି ମାନଙ୍କ ଗୁଲାମି ମାନସିକତା, ଜିଲ୍ଲା ର ବିକାଶ ପାଇଁ ଓ ଅଞ୍ଚଳବାସୀ ଙ୍କ ମୌଳିକ ଅଧିକାର ହାସଲ ପାଇଁ ସ୍ୱର ଉତ୍ତୋଳନ ପରିବର୍ତ୍ତେ କେବଳ ସରକାରୀ କଳ, ଠିକାଦାର ଗୋଷ୍ଠୀ, ଓ କ୍ଷମତା କୁ ଉପଯୋଗ କରିବା ପାଇଁ ଟାଉଟର ପୋଷା କଳ କୌଶଳ ପ୍ରକ୍ରିୟା କଳାହାଣ୍ଡି ଜିଲ୍ଲାର ବିକାଶ ର ଶତ୍ରୁ ବିବେଚନା ହେବା ସହ ଜିଲ୍ଲାର ଭବିଷ୍ୟତ ଓ ବିକାଶ ଦଲାଲ ମାନଙ୍କ କୁଚକ୍ରି ମନୋଭାବ ରେ ପେଶି ହୋଇ ସଉତୁଣୀ ପୁଅ କୁ ଅପେକ୍ଷା କରିବା ଭଳି ହୋଇ ରହିଯିବ ।
ଏହା କୌଣସି ରାଜନୈତିକ ଦଳ, ବ୍ୟକ୍ତି ବିଶେଷ କିମ୍ବା କାହା ପ୍ରତି ବ୍ୟକ୍ତିଗତ ଆଲୋଚନା କିମ୍ବା ସମାଲୋଚନା ମୂଳକ ଲେଖା ନୁହଁ । ଜିଲ୍ଲା ର ବିକାଶ ପାଇଁ ଛଳନା କରୁଥିବା ଓ ନିଜ ହକ, ନ୍ୟାର୍ଯ୍ୟ ଅଧିକାର ହାସଲ ପାଇଁ କିଞ୍ଚିତ ସ୍ୱର ଉତ୍ତୋଳନ କରିବା ପରିବର୍ତ୍ତେ ନିରବି ଯାଇଥିବା ସାଧାରଣ ଲୋକ ଙ୍କୁ ଜାଗ୍ରତ କରିବା ପାଇଁ ଉଦ୍ଧିଷ୍ଟ।
ମହମ୍ମଦ ଅଲ୍ଲୀ ଖାଁ,
ବରିଷ୍ଠ ସାମ୍ବାଦିକ,
ଚିଫ୍ ଏଡ଼ିଟର, (ତର୍ଜମା ନ୍ୟୁଜ )





Post a Comment