ଭବାନୀପାଟଣାର ପ୍ରଥମ ‘ମିଲେଟ୍ ଶକ୍ତି କାଫେ’ ଉଦଘାଟିତ !!
ଭବାନୀପାଟଣା:---- ,( ତର୍ଜମା ନ୍ୟୁଜ )
ମିଶନ ଶକ୍ତି ଓ ଓଡ଼ିଶା ମିଲେଟ୍ସ ମିଶନର ମିଳିତ ଉଦ୍ୟମରେ ଭବାନୀପାଟଣାସ୍ଥିତ ଘୋଡାଘାଟ ଛକଠାରେ ‘ମିଲେଟ୍ ଶକ୍ତି କାଫେ’ ଉଦଘାଟିତ ହୋଇଯାଇଛି । ଓଡ଼ିଶାର ପୁଷ୍ଟିକର ଖାଦ୍ୟ ମିଲେଟ୍ କୁ ସମସ୍ତଙ୍କ ଖାଦ୍ୟଥାଳିରେ ସାମିଲ କରିବା ସହ ମିଲେଟ୍ ର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଏହି କାଫେ ଖୋଲାଯାଇଛି। ଏଥିରେ କଳାହାଣ୍ଡି ଜିଲ୍ଲା ଜିଲ୍ଲାପାଳ ପି. ଅନ୍ଵେଷା ରେଡ୍ଡୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କହିଥିଲେ ଯେ, ଲୋକମାନଙ୍କୁ ପୁଷ୍ଟିକର ପୁଷ୍ଟିଶସ୍ୟଭିତ୍ତିକ ଖାଦ୍ୟ ଯୋଗାଇବା ସହ ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନେ ରୋଜଗାରକ୍ଷମ ହୋଇପାରିବେ। ଯେପରି ଅଧିକ ସଂଖ୍ୟକ ଲୋକଙ୍କୁ ମିଲେଟ୍ ଖାଦ୍ୟ ପ୍ରତି ଆକୃଷ୍ଟ କରାଯାଇପାରିବ, ସେଥିପାଇଁ ଏହି କାଫେରେ ପୁଷ୍ଟିଶସ୍ୟରୁ ବିଭିନ୍ନ ଖାଦ୍ୟ ଉପଲବ୍ଧ ରହିଛି ।
ଏହି ମିଲେଟ୍ ଶକ୍ତି କାଫେର ପରିଚାଳନା ଦାୟିତ୍ଵ ଭବାନୀପାଟଣାର ମା’ ବସୁନ୍ଧରା ମହାସଂଘର ମହିଳା ସଦସ୍ୟାମାନଙ୍କୁ ଦିଆଯାଇଛି । କାଫେରେ ମାଣ୍ଡିଆରୁ ପ୍ରସ୍ତୁତ ମାଲପୁଆ, ସୁପ , ଲସି, ନିମକି, ବରା, ଆଳୁଚପ, ବିଭିନ୍ନ ପିଠା, ଲଡୁ, କେକ୍ , କାଙ୍ଗୁ ଖିରୀ, କାଙ୍ଗୁ ବିରିୟାନି ଆଦି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ବିକ୍ରି କରାଯିବାର ବ୍ୟବସ୍ଥା କରାଯାଇଛି। ବର୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୦ଟି ମିଲେଟ୍ ଶକ୍ତି କାଫେ ଖୋଲାଯାଇଛି।
ଏହି ଉଦଘାଟନୀ ସମାରୋହରେ ଭବାନୀପାଟଣା ପୌରପାଳିକା ଅଧକ୍ଷ୍ୟା ସଂଯୁକ୍ତା ବେହେରାଙ୍କ ସମେତ ବିଭାଗୀୟ ବହୁ ଅଧିକାରୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଭବାନୀପାଟଣାରେ ଏହା ପ୍ରଥମ ମିଲେଟ ଶକ୍ତି କାଫେ ।
ଏଠାରେ ସୁଚନା ଯୋଗ୍ୟ ଯେ, କିଛି ମାସ ପୂର୍ବେ ଡି ଆର୍ ଡି ଏ କାର୍ଯ୍ୟାଳୟ ପରିସର ଓ ଏସ ପି ଅଫିସ କାର୍ଯ୍ୟାଳୟ ସମ୍ମୁଖ ରେ ଏପରି ଏକ ମିଲେଟ କାଫେ ଖୋଲା ଯାଇ ବ୍ୟାପକ ପ୍ରଚାର କରାଯାଇଥିଲା କିନ୍ତୁ ସମୟ କ୍ରମେ ଏହା ର ସ୍ଥିତି କଣ ରହିଛି ସହର ବାସୀ ନିଶ୍ଚିତ ଭାବରେ ଅବଗତ ଅଛନ୍ତି । ଏବେ ଆଉଥରେ ଜିଲ୍ଳାର ପ୍ରଥମ ମିଲେଟ ଜାଫେ ଘୋଡାଘାଟ ଛକ ରେ ଉଦଘାଟନ କେବଳ ସରକାର ଙ୍କ ପ୍ରଚାର ପାଇଁ ନା ସହର ବାସୀ ଙ୍କ ପାଇଁ କେତେଦିନ ଚାଲିବ ସମୟ କହିବ ।
Post a Comment