//BREAKING//
Loading...

ଆଜି ଯାଜପୁର ଜିଲ୍ଲା ଗସ୍ତରେ ଯିବେ ସ୍ଵାସ୍ଥ୍ୟମନ୍ତ୍ରୀ

 


ଭୁବନେଶ୍ବର : ଆଜି ଯାଜପୁର ଜିଲ୍ଲା ଗସ୍ତରେ ଯାଉଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସେ ଯାଜପୁର ଯାଇ ଡାଇରିଆ ସ୍ଥିତିର ଅନୁଧ୍ୟାନ କରିବେ। ଗତକାଲି ସ୍ଵାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଯାଇ ପରିସ୍ଥିତି ଦେଖିଥିଲେ। ଏହା ପରେ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯାଜପୁରରେ ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୬ । ସେମାନଙ୍କ ଭିତରୁ ୧୩୦୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବାକି ୨୧୦ ଜଣ ଚିକିତ୍ସାଧୀନ ଅଛନ୍ତି । ଏ ନେଇ ସ୍ବାସ୍ଥ୍ୟ ବିଭାଗ ଜାରି କରିଛି ପ୍ରେସ୍‌ ରିଲିଜ୍‌ । ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଡାକ୍ତର ବୃନ୍ଦା. ଡିଙ୍କ ନେତୃତ୍ବରେ ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ଶାସନ ସଚିବ ଡାକ୍ତର ବିଜୟ ମହାପାତ୍ର ଜିଲ୍ଲା ଗସ୍ତ କରି ହସ୍ପିଟାଲରେ ସଂକ୍ରମିତମାନଙ୍କ ଚିକିତ୍ସା ତଦାରଖ କରିଥିଲେ । ଧୀରେ ଧୀରେ ଜିଲ୍ଲାରେ ଡାଇରିଆ ସ୍ଥିତିରେ ସୁଧାର ଆସୁଛି । ଯେଉଁସବୁ ରୋଗୀ ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିଲେ ସେମାନେ ସୁସ୍ଥ ହୋଇ ଘରକୁ ଫେରୁଥିବା ସ୍ବାସ୍ଥ୍ୟ ବିଭାଗ ଦର୍ଶାଇଛି । ଭଦ୍ରକ ଓ କଟକ ଜିଲ୍ଲାକୁ ସଂକ୍ରମଣ ବ୍ୟାପିଥିଲେ ବି ସେତେଟା ଗୁରୁତର ସ୍ଥିତି ନଥିବା କହିଛନ୍ତି ସରକାର । ଡାଇରିଆ ସଂକ୍ରମଣ ଉପରେ ନଜର ରଖିବାକୁ ବିଭାଗ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଜିଲ୍ଲାପ୍ରଶାସନ କାର୍ଯ୍ୟାଳୟରେ କାର୍ଯ୍ୟ କରୁଛି । ଏହାସହିତ ଆବଶ୍ୟକ ସ୍ବାସ୍ଥ୍ୟକର୍ମୀ, ରାପିଡ ଆକ୍ସନ ଟିମ୍‌ ଓ ଜନସ୍ବାସ୍ଥ୍ୟ ଟିମ୍‌କୁ ଜିଲ୍ଲାରେ କାର୍ଯ୍ୟରତ ଅଛନ୍ତି । କ୍ଷେତ୍ର ସ୍ତରରେ ସଂକ୍ରମଣ ଅନୁଧ୍ୟାନ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୩ଟି ବିଭାଗର ୧୪ଜଣିଆ ଟିମ୍‌ ଓଡ଼ିଶା ଆସିଛନ୍ତି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ୭ ଜଣିଆ ସ୍ବାସ୍ଥ୍ୟ ଟିମ୍‌ ଓ ୩ ଜଣିଆ ଖାଦ୍ୟ ନିରାପତ୍ତା ଟିମ୍‌ ଓଡ଼ିଶାକୁ ପଠାଯାଇଛି । ସେହିପରି ଖାଦ୍ୟ ନିରାପତ୍ତା ଓ ଗୁଣବତ୍ତା କର୍ତ୍ତୃପକ୍ଷଙ୍କ ତରଫରୁ ଏକ ୪ ଜଣିଆ ବିଶିଷ୍ଟ ଟିମ୍‌ ବଜାରରେ ମିଳୁଥିବା ଖାଦ୍ୟର ମାନ ଯାଞ୍ଚ କରିବେ । ଏସବୁ ଟିମ୍‌ ସଦସ୍ୟମାନେ ପ୍ରଭାବିତ ଅଞ୍ଚଳ ଗସ୍ତ କରି ରୋଗର କାରଣ ଓ ନିରାକରଣ ପାଇଁ କ୍ଷେତ୍ରସ୍ତରୀୟ ଅଧିକାରୀ ଓ କେନ୍ଦ୍ର ସରକାରଙ୍କୁ ଆବଶ୍ୟକ ପରାମର୍ଶ ଦେବେ । ତେବେ ଡାଇରିଆରେ ଏପର୍ଯ୍ୟନ୍ତ ୪ଟି ଯାକ ଜିଲ୍ଲାରୁ ୧୫ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେସରକାରୀ ଭାବେ ଜଣାପଡିଥିଲେ ବି ସରକାର ରୋଗୀ ମୃତ୍ୟୁ ସଂଖ୍ୟା ୫ରେ ସୀମିତ ରଖିଛନ୍ତି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe