//BREAKING//
Loading...

ଦାରିଦ୍ର୍ୟର କରୁଣ ଚିତ୍ର: ଶିଶୁକନ୍ୟାକୁ ବିକିଦେଲେ ଦମ୍ପତି

 


ଟିଟିଲାଗଡ଼ ତର୍ଜମା ନ୍ୟୁଜ ବ୍ୟୁରୋ : ଦାଦନଗଡ଼ ଭାବେ ପରିଚିତ ବଲାଙ୍ଗୀରଜିଲ୍ଲା ଟିଟିଲାଗଡ଼ ବ୍ଲକ୍‌ ଅଞ୍ଚଳରେ ଏକ ନବଜାତ ଶିଶୁକନ୍ୟାକୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ଟିଟିଲାଗଡ଼ ବ୍ଲକ୍‌ ଭାଲେଗାଁ ପଞ୍ଚାୟତ ଅନ୍ତର୍ଗତ ବାଗଡ଼େର ଗ୍ରାମର ଗରିବ ଦମ୍ପତି ନୀଳ ରଣା ଓ କନକ ରଣା ମାତ୍ର ୨୦ ହଜାର ଟଙ୍କାରେ ସେମାନଙ୍କ ନବଜାତ ଶିଶୁକନ୍ୟାକୁ ବିକ୍ରି କରିଥିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନୀଳ ରଣାଙ୍କ ପ୍ରଥମ ସ୍ତ୍ରୀଙ୍କ ଔରସରୁ ୩ଟି କନ୍ୟା ସନ୍ତାନ ଜନ୍ମ ହୋଇଥିଲେ। ପରିବାର ପ୍ରତିପୋଷଣ ପାଇଁ ଲାଗି ରହିଥିବା ଆର୍ଥିକ ଅନଟନ ଯୋଗୁଁ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଓ ତିକ୍ତତା ବୃଦ୍ଧି ପାଇଥିଲା। ପରେ ନୀଳଙ୍କ ସ୍ତ୍ରୀ ତାଙ୍କୁ ଛାଡ଼ି ବାପ ଘରକୁ ଚାଲି ଯାଇଥିଲେ। ଫଳରେ ନୀଳ କିଛି ଦିନ ପରେ କନକଙ୍କୁ ଦ୍ବିତୀୟ ବିବାହ କରିଥିଲେ। ପରେ ସେମାନଙ୍କ ଔରସରୁ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ପ୍ରଥମ କନ୍ୟାକୁ ମାତ୍ର ୧୩ ମାସ ହୋଇଥିବା ବେଳେ କନକ ପୁଣି ଗର୍ଭବତୀ ହୋଇ ଦ୍ୱିତୀୟ କନ୍ୟାକୁ ଟିଟିଲାଗଡ଼ ସରକାରୀ ଡାକ୍ତରଖାନାରେ ଜନ୍ମ ଦେଇଥିଲେ।

ଡାକ୍ତରଖାନାରୁ ଫେରିବା ପରେ ଗ୍ରାମର ରବି ମଛଖଣ୍ଡ ନାମକ ଜଣେ ମଧ୍ୟସ୍ଥିଙ୍କ ସାହାଯ୍ୟରେ ଏହି ଦମ୍ପତି ନବଜାତ କନ୍ୟାକୁ ବରଗଡ଼ ଜିଲ୍ଲା ପାଇକମାଳ ଅଞ୍ଚଳର ଏକ ଦମ୍ପତିଙ୍କୁ ୨୦ ହଜାର ଟଙ୍କାରେ ବିକ୍ରି କରିଦେଇଥିଲେ। ଏହା ଜଣାପଡ଼ିବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଟିଟିଲାଗଡ଼ ପୁଲିସ ବାଗଡ଼େର ଗାଁକୁ ଯାଇ ତଦନ୍ତ ଆରମ୍ଭ କରିଛି। ମଧ୍ୟସ୍ଥି ଓ ଶିଶୁକନ୍ୟାର ବାପାଙ୍କୁ ଥାନାକୁ ଆଣି ଅଟକ ରଖିଛି। ଏଥିସହ ମଧ୍ୟସ୍ଥିଙ୍କୁ ନେଇ ଶିଶୁକୁ ଉଦ୍ଧାର କରିବାକୁ ପାଇକମାଳ ଅଭିମୁଖେ ପୁଲିସର ଏକ ଟିମ୍‌ ବାହାରିଛି। ଏମାନଙ୍କ ସହିତ ଚାଇଲ୍‌ଡଲାଇନ୍‌ର ସଦସ୍ୟମାନେ ମଧ୍ୟ ସାମିଲ ହୋଇଛନ୍ତି। ଗ୍ରାମବାସୀଙ୍କ କହିବା ଅନୁସାରେ, ନୀଳ ରଣା ଅତ୍ୟନ୍ତ ଗରିବ ଶ୍ରେଣୀର ଓ ସେ ଦିନମଜୁରିଆ ଭାବେ ପରିବାର ପୋଷଣ କରୁଛନ୍ତି। ସେ ସରକାରଙ୍କ ବିଭିନ୍ନ ଯୋଜନାରୁ ବାଦ୍‌ ପଡ଼ିଛନ୍ତି। ଏପରିକି ଏକ ମାଟିଘରେ ତାଙ୍କ ପରିବାର ରହୁଥିବା ବେଳେ ଆବାସ ଯୋଜନାରେ ମଧ୍ୟ ଘର ଖଣ୍ଡେ ପାଇ ନାହାନ୍ତି।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe