//BREAKING//
Loading...

ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା ନୀତି ଅନୁଷ୍ଠିତ


ତର୍ଜମା ନ୍ୟୁଜ ବ୍ୟୁରୋ ଆଜି ଚିତାଲାଗି ଅମାବାସ୍ୟା । ଚିତାଲାଗି ଅମାବାସ୍ୟା ବା ଚିତଉ ଉଆଁସ ଓଡ଼ିଶାରେ ପାଳିତ ଏକ ଗଣପର୍ବ । ଏହା ଶ୍ରାବଣ ମାସର ଅମାବାସ୍ୟା ତିଥିରେ ପାଳିତ ହୋଇଥାଏ । ଏହି ଦିନ ଶ୍ରୀମନ୍ଦିରରେ ଜଗନ୍ନାଥ, ବଳଭଦ୍ର, ଓ ସୁଭଦ୍ରାଙ୍କର ଚିତାଲାଗି ହୋଇଥାଏ । ଜଗନ୍ନାଥଙ୍କ ନିତିଦିନିଆ ପୂଜା ଓ ଧୂପ ଶେଷ ହେବା ପରେ ଦଇତାପତିମାନେ ତିନିଠାକୁରଙ୍କ ଲଲାଟରେ ଚିତାଲାଗି କରନ୍ତି । ଏହି ଦିନ ଗେଣ୍ଡା ଆଦି ଜଳଚର ପ୍ରାଣୀଙ୍କ ଉଦ୍ଦେଶ୍ୟରେ ଚିତଉ ଓ ଗଇଁଠା ଆଦି ପିଠା ଅର୍ପଣ କରାଯାଇଥାଏ । ଏହି ପ୍ରଥା ଶବର ପରମ୍ପରାରୁ ଆନୀତ ବୋଲି ବିଦିତ । 


ଏଥିରେ ଚିତଉ ପିଠା କରି ଜୀବଜନ୍ତୁମାନଙ୍କୁ ଖୁଆଇ ସନ୍ତୁଷ୍ଟ କରିବାର ପ୍ରଥା ରହିଛି । ସେଥି ପାଇଁ "ଗେଣ୍ଡେଇକଟା ଓଷା" ନାମରେ ମଧ୍ୟ ଜଣା । ଆଜି ଶ୍ରାବଣ ଅମାବାସ୍ୟା। ଏହି ଅବସରରେ ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା ନୀତି ଅନୁଷ୍ଠିତ ହେବ । ଆଜି ମହାପ୍ରଭୁଙ୍କୁ ରତ୍ନଚିତା ଲାଗି କରାଯିବ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ହୀରା ଚିତା,ପ୍ରଭୁ ବଳଭଦ୍ରଙ୍କୁ ନୀଳା ଚିତା ଓ ଦେବୀ ସୁଭଦ୍ରାଙ୍କୁ ପାନା ଚିତା ଲାଗି କରାଯିବ । ଦ୍ୱିପ୍ରହର ଧୂପ ସରି ପ୍ରଥମ ଭୋଗମଣ୍ଡପ ନୀତି ଶେଷ ହେବାପରେ ରତ୍ନସିଂହାସନରୁ ଶ୍ରୀଦେବୀ ଓ ଭୂଦେବୀ ଖଟଶେଯ ଘରକୁ ବିଜେ କରିବା ପରେ ଶ୍ରୀଜୀଉଙ୍କ ଝୋବା ମଇଲମ ହୋଇ ଜୟବିଜୟ ଦ୍ୱାର ବନ୍ଦ କରାଯିବ । ପତିମହାପାତ୍ର ସେବକ ସଂସ୍କାର କରିବା ପରେ ବାଡ଼ଗ୍ରାହୀ ଦଇତାପତି ମାନେ ରତ୍ନସିଂହାସନାରେ ଅଧିଷ୍ଠିତ ଶ୍ରୀଜୀଉଙ୍କର ଚିତାଲାଗି କାର୍ଯ୍ୟ ସମ୍ପର୍ଣ୍ନ କରିବେ ।


ସ୍ନାନପୂର୍ଣ୍ଣିମା ଦିନ ରାତ୍ରିରେ ଶ୍ରୀଜୀଉମାନଙ୍କ ଶ୍ରୀମସ୍ତକରୁ ଏହି ସୁବର୍ଣ୍ଣ ଚିତାକୁ ଓଲାଗି କରାଯାଇଥିଲା । ରଥଯାତ୍ରା ଦିନ ମହାପ୍ରଭୁଙ୍କୁ ସୋଲ ଚିତା ଲାଗି କରାଯାଇଥିଲା । ତେବେ ଆଜି ଏହି ସୋଲ ଚିତାକୁ ଓଲାଗି କରି ରତ୍ନଚିତା ଲାଗି କରାଯିବ । ଚିତାଲାଗି ନୀତି ସରିବା ପରେ ଠାକୁରଙ୍କୁ ମହାସ୍ନାନ କରାଯିବ | ତେବେ ଏହା ଏକ ଗୁପ୍ତନୀତି ହୋଇଥିବାରୁ ଆଜି ଅପରାହ୍ନରେ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି | ଚିତାଲାଗି କରି ଦଇତାପତି ସେବାୟତ ମାନେ ରତ୍ନସିଂହାସନରୁ ତଳକୁ ଓହ୍ଲାଇବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ମହାସ୍ନାନ କରାଯିବା ପରେ ପୁନର୍ବାର ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe