ତର୍ଜମା ନ୍ୟୁଜ ବ୍ୟୁରୋ :- ବିଧାନସଭାରେ ହାଇଡ୍ରାମା । ଶାସକ-ବିରୋଧୀ ମୁହାଁମୁହିଁ । ବଙ୍ଗାଳି ଦାଦନଙ୍କ ଉପରେ ଅତ୍ୟାଚାର ବିରୋଧରେ ମମତା ବାନାର୍ଜୀଙ୍କ ସଂକଳ୍ପକୁ ନେଇ ସରଗରମ ରହିଛି ପଶ୍ଚିମବଙ୍ଗ ବିଧାନସଭା । ଗୃହରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିବୃତି ବେଳେ ପ୍ରତିବାଦ କରିଥିଲେ ବିଜେପି ବିଧାୟକ । ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ନିଲମ୍ବନର ବିରୋଧ କରିଥିଲେ ।
ଏହାରି ଭିତରେ ବାଚସ୍ପତି ନିର୍ଦ୍ଦେଶ ଦେଇ କହିଥିଲେ, ବିଜେପି ମୁଖ୍ୟ ସଚେତକ ଶଙ୍କର ଘୋଷଙ୍କୁ ଗୃହରେ ବିଶୃଙ୍ଖଳା ପାଇଁ ଦିନକ ଲାଗି ବିଧାନସଭା କାର୍ଯ୍ୟରେ ଯୋଗ ଦେଇ ପାରିବେ ନାହିଁ । ଆଉ ବାଚସ୍ପତିଙ୍କ ନିର୍ଦ୍ଦେଶକୁ ମାନି ଗୃହ ଛାଡ଼ି ନଥିଲେ ଶଙ୍କର ଘୋଷ । ଆଉ ଶେଷରେ ଗୃହ ଭିତରୁ ବିଜେପି ମୁଖ୍ୟ ସଚେତକ ଶଙ୍କର ଘୋଷଙ୍କୁ ଶାରିରୀକ ବଳ ପ୍ରୟୋଗ କରି ଘୋଷାଡ଼ି ନେଇଥିଲେ ମାର୍ଶଲ ।
ଏହା ପରେ ପ୍ରତିବାଦ କରୁଥିବା ବିଜେପି ବିଧାୟିକା ଅଗ୍ନିମିତ୍ରା ପାଉଲଙ୍କୁ ନିଲମ୍ବିତ କରିଥିଲେ ବାଚସ୍ପତି । ଶଙ୍କରଙ୍କ ପରେ ଅଗ୍ନିମିତ୍ରାଙ୍କୁ ବି ମହିଳା ମାର୍ଶଲଙ୍କ ଦ୍ଵାରା ଗୃହରୁ ବାହାରକୁ ନିଆ ଯାଇଥିଲା । ମାର୍ଶଲଙ୍କ ସହାୟତାରେ ବିଧାୟକଙ୍କୁ ଗୃହରୁ ବାହାର କରିବା, ଏକାଧିକ ସଦସ୍ୟଙ୍କୁ ନିଲମ୍ବନ ନେଇ ଦିନ ତମାମ ବିଧାନସଭାରେ ହାଇଡ୍ରାମା ଲାଗି ରହିଥିବା ବେଳେ ବିଜେପି କହିଛି, ପଶ୍ଚିମବଙ୍ଗରେ ଗଣତନ୍ତ୍ର ମୃତ ।
ଏପରିକି ବିଜେପି ବିଧାୟକଙ୍କ ଉପରକୁ ଟ୍ରେଜେରୀ ବେଞ୍ଚରୁ ବୋତଲ ଫିଙ୍ଗା ଯାଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି- ବଙ୍ଗଳା ଭାଷା, ଗରିବ, ଦଳିତ ଓ ହିନ୍ଦୁ ବିରୋଧୀ ହେଉଛି ବିଜେପି । ଏଭଳି ଭାବେ ପଶ୍ଚିମବଙ୍ଗରେ ଲାଗି ରହିଛି ଆରୋପ ପ୍ରତ୍ୟାରୋପ ରାଜନୀତି ।
Post a Comment