ମୋ ଶୃତି ରେ ଗାନ୍ଧୀ ଚୌକ: ଏକ ଚଳନ୍ତି ରଙ୍ଗମଞ୍ଚ !!!
କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀ ପାଟଣା ର ଗାନ୍ଧିଚୌକ, ଏକଦା ଜିଲ୍ଲା ର ପ୍ରାଣ କେନ୍ଦ୍ର ଥିଲା । ଗାନ୍ଧି ଚୌକ କୁ ସଂଯୋଗ କରେ ଆଠ ଗୋଟି ରାସ୍ତା, ଆଉ ଏକ ଗୋଲାକାର ରାସ୍ତା ସହ ସଂଯୋଗ ହୋଇ ପୁଣି ଫେରି ଆସେ ଗାନ୍ଧୀ ଚୌିକ୍ କୁ । ଗାନ୍ଧୀ ଚୌିକ କୁ ଲାଗି ମୋ ବାପା ଙ୍କ ଟେଲରିଂ ଦୋକାନ, ବର୍ତ୍ତମାନ ର ଗାନ୍ଧୀ ମୂର୍ତ୍ତି ପଛ ରେ ଟାଉନ ହୋଟେଲ । ଗାନ୍ଧୀ ଚୌକ ସହ ମୋର କ୍ଷୀର -ନୀର ର ସମ୍ପର୍କ ।ଆଜିର ଦୁର୍ଗା ମନ୍ଦିର ସେତେ ବେଳେ ବସ ଅପେକ୍ଷାରେ ଥିବା ଲୋକଙ୍କ ଆଶ୍ରୟ ସ୍ଥଳି ଥାଏ । ପୁରୁଣା ଥାନା ସମ୍ମୁଖ ରେ ସରକାରୀ ବସ ଷ୍ଟାଣ୍ଡ ରୁ ବାହାରି ଛିଡା ହୁଏ ଓ ସେଇଠୁ ଯାତ୍ରା ଆରମ୍ଭ ହୁଏ।ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣା ରେ ଯେତେ ବି ରାଜନୈତିକ ସଭା ହୁଏ ଗାନ୍ଧୀ ଚୌକର ସେହି ମଣ୍ଡପ ଭିତରେ ।ଏହି ମଞ୍ଚରୁ ବିଜୁ ବାବୁ, ନୀଳମଣି ରାଉତରାୟ, ବାଙ୍କ ବିହାରୀ ଦାସ, ଶ୍ରୀବଲ୍ଲଭ ପାଣିଗ୍ରାହୀ, ପାଟଣା ମହାରାଜା ସ୍ବର୍ଗତ ରାଜେନ୍ଦ୍ର ନାରାୟଣ ସିଂହଦେଓ, ନନ୍ଦିନୀ ଶତପଥୀ, ମହାରାଜା ପ୍ରତାପ କେଶରୀ ଦେଓ, ସ୍ଵର୍ଗତ ଗଙ୍ଗା ଧର ହୋତା ସ୍ଵର୍ଗତ ପ୍ରଦେଶୀ ନାଏକ ଙ୍କ ସମେତ ରାଜ୍ୟର ପ୍ରାୟ ସମସ୍ତ ଆଗଧାଡ଼ିର ରାଜନେତା ଙ୍କ ଭାଷଣ ଶୁଣିଛି ।ଗାନ୍ଧିଚୌକ ରେ କୌଣସି ନେତା ବା ଦଳର କାର୍ଯ୍ୟକ୍ରମ ହେଲେ ସମଗ୍ର ଜିଲ୍ଲାରେ ଚର୍ଚା ହୁଏ ।ମୁଁ ପ୍ରାୟ ୧୦/୧୧ ବର୍ଷ ବୟସ ର ହୋଇ ଥାଏ । ଜିଲ୍ଲାରେ କଳାହାଣ୍ଡି ମହାରାଜାଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଦଳ ର ରାଜୁତି ।କଂଗ୍ରେସ, କିମ୍ବା ଅନ୍ୟ କୌଣସି ରାଜନୈତିକ ଦଳ ତରଫରୁ ସାଧାରଣ ସଭା ହେଲେ ଲୋକ ଟିକେ କମ ଭିଡ଼ ପରିଲକ୍ଷିତ ହୁଏ ।କିନ୍ତୁ କଳିଙ୍ଗ ବୀର ବିଜୁ ବାବୁ ଙ୍କ ସଭା କିନ୍ତୁ ନିଆରା ।ଦିନେ ବିଜୁ ବାବୁଙ୍କ ସଭା ଆରମ୍ଭ ହେବାର ଥାଏ ।ସଭା ଅନୁଷ୍ଠିତ ହେବାର ଥିଲେ ସହର ବାସୀ ଙ୍କୁ ଆଗୁଆ ସୂଚନା ମିଳିଯାଏ । ଦୈନିକ ବଜାର ପ୍ରବେଶ ପଥ ର ଡାହାଣ କଡ଼ରେ ଥିବା କିଶନ ଇଲେକ୍ଟ୍ରିକାଲ ଦୋକାନରେ ସକାଳୁ ମାଇକ୍ ଟେଷ୍ଟ ପ୍ରକ୍ରିୟା ଯାହାକି ଦିନ ଦୁଇଘଣ୍ଟା ଯାଏ ସମଗ୍ର ଗାନ୍ଧିଚୌକ କୁ କୋଳାହଳ କରିଦିଏ ।ବର୍ତମାନ ର ଦୁର୍ଗାମନ୍ଦିର ପେଣ୍ଡାଲ କୁ ବିଜୁ ବାବୁ ପ୍ରାୟ ସନ୍ଧ୍ୟା ୫ ଘଣ୍ଟା ସମୟରେ ଆସିଲେ ।ସେହି ସମୟରେ ଜିଲ୍ଲାର ବିଜୁ ବାବୁ ଙ୍କ ଅନ୍ତରଙ୍ଗ ସମ୍ମାନନୀୟ ବରିଷ୍ଠ ଆଇନଜୀବୀ ଗଙ୍ଗାଧର ହୋତା ଓ ବିଜୁ ବାବୁଙ୍କ ସହ ଆସିଥିବା ରାଜ୍ୟ ସ୍ତରୀୟ ନେତା ଙ୍କ ବକ୍ତବ୍ୟ ସରିବା ବେଳକୁ ସନ୍ଧ୍ୟା ନଈ ଆସିଲା ।ବିଜୁ ବାବୁ ମାଇକ ସମ୍ମୁଖରେ ଛିଡା ହୋଇ ଭାଷଣ ଆରମ୍ଭ କଲେ ।ସେହି ସମୟରେ ମୁଁ ରାଜନୀତି ର କ ଖ ଗ ଜାଣି ନ ଥାଏ ।ହଟାତ ବର୍ତ୍ତମାନର ବାଳିକା ମଧ୍ୟ ଇଂରାଜୀ ବିଦ୍ୟାଳୟ ପରିସର ଭିତରୁ ପ୍ରବଳ ଟେକା ପଥର ମାଡ଼ ଆରମ୍ଭ ହୋଇ ଗଲା ।ବିଜୁ ପଟ୍ଟନାୟକ ଙ୍କ ସମ୍ମୁଖ ରେ ଏକ ସାଧାରଣ କାଠ ଟେବୁଲ ଉପରେ ଧଳା କପଡା କଭର ଉପରେ ଦୁଇ ଟି ପ୍ଲାଷ୍ଟିକ ବାଘ ସଜା ହୋଇ ଥାଏ ଯାହାକୁ ଚିପିଲେ ଫେଁ ଶବ୍ଦ ହୁଏ ।ବିଜୁ ପଟ୍ଟନାୟକ ଙ୍କ ମୁଣ୍ଡରେ ଏକ ପଥର ଆସି ବାଜିଲା ମିଟିଂ ଭଣ୍ଡୁର କରିବା ପାଇଁ ରାଜନୈତିକ ଖେଳ ସଭା ସ୍ଥଳ ଛାଡି ଶ୍ରୋତା ଦୌଡ଼ିବାକୁ ଲାଗିଲେ ସେତେବେଳେ ମୁଁ ବାପାଙ୍କ ସହ ବର୍ତ୍ତମାନର ନିଉ ମେଡିକାଲ ଷ୍ଟୋର ପାଖରେ ଛିଡା ହୋଇ ଥାଏ ।ବିଜୁବାବୁ ପକେଟରୁ ରୁମାଲ ବାହାର କରି ମୁଣ୍ଡରେ ବାଜି ଥିବା ଆଘାତ ଉପରେ ରୁମାଲ ଚାପିଦେଇ ଓ ତାଙ୍କ ହାତଟି ଟେବୁଲ ଉପରେ ଥିବା ଖେଳନା ବାଘ ଉପରେ ବାଜି ଫେଁ ଶବ୍ଦ ଶୁଭିଲା ।ବିଜୁ ବାବୁ କହିଲେ କିଛି ହେବ ନାହିଁ ମିଟିଂ ହେବ ଓ ସେହି ଖେଳନା ବାଘକୁ ହାତରେ ଧରି କହିଲେ ଯେଉଁ ମାନେ ଏ ପଥର ମାଡ଼ କରିଛନ୍ତି ସେମାନଙ୍କୁ ମୁଁ ଜାଣିଛି ସେମାନେ ଏହି ପ୍ଲାଷ୍ଟିକ ବାଘ ପରି କିଛି ଯୁବକଙ୍କୁ ପ୍ରଲୋଭନ ଦେଇ ମିଟିଂ ବନ୍ଦ ପାଇଁ ଉଦ୍ୟମ କିନ୍ତୁ ମିଟିଂ ହେବ କହି ବିଜୁ ବାବୁ ଦୀର୍ଘ ସମୟ ଧରି ଭାଷଣ ଦେଇଥିଲେ ଓ ସୁରୁଖୁରୁ ରେ ଭାଷଣ ସରିଥିଲା ।ସେହିପରି ସାମନ୍ତ ବାଦୀ ଶକ୍ତି ଙ୍କ ବିରୁଦ୍ଧରେ କଂଗ୍ରେସ ପକ୍ଷରୁ ନୂଆ ନୂଆ ଯୁବ ନେତା ପ୍ରବେଶ କରିଥାନ୍ତି ।ବଲାଙ୍ଗୀର ଓ କଳାହାଣ୍ଡିରେ ଶ୍ରୀ ଜଗନ୍ନାଥ ପଟ୍ଟନାୟକ ଯୁବ ନେତା ଭାବରେ ନେତୃତ୍ୱ ନେଇଥିଲେ ।ତାଙ୍କ ସହ ଭୂପିନ୍ଦର ସିଂହ,ମନମୋହନ ମାଥୁର, କୃଷ୍ଣ ଚନ୍ଦ୍ର ଯୋଶୀ, ହରି ମିଶ୍ର, ହାଇଦର ଅଲ୍ଲୀ ଦାଦା ଙ୍କ ପରି ଯୁବକ ମାନେ ଏହି ଗାନ୍ଧୀ ଚୌକ ରୁ ନିଜ ରାଜନୀତିକ ଜୀବନର ଭାଷଣ ଆରମ୍ଭ କରିଥିଲେ । ଭାଷଣ ଲେଖିବା ପାଇଁ ପରଦା ପଛରେ ନାୟକ ଥିଲେ ମୋ ମାମୁଁ ବିଶିଷ୍ଟ କବି, କଳାହାଣ୍ଡି ଇତିହାସ ର ପ୍ରଥମ ଲେଖକ ମହାବୀର ସାଂସ୍କୃତିକ ଅନୁଷ୍ଠାନ ର ପ୍ରଥମ ପ୍ରତିଷ୍ଠାତା ସମ୍ପାଦକ ସ୍ଵର୍ଗତ ମହମ୍ମଦ ଅବଦୁଲ ସିଦ୍ଧିକ ।ଆମ ଦୋକାନ ସେତେବେଳେ ଆଜିର ପୁରୁଣା ମାଛ ବଜାର ଭିତରେ ।ସକାଳୁ ୯ ଘଣ୍ଟା ସମୟରେ ମାମୁଁ ଅଫିସ ଯିବା ପାଇଁ ଆସି ଆମ ଦୋକାନରେ ବସିବେ ଓ ଦଶ ପଇସା ଦେଇ କାନୁନଗୋ ଆଜ୍ଞା ଙ୍କ ବହି ଦୋକାନ ରୁ ଧଳା କାଗଜ ଆଣିବା ପାଇଁ କହିବେ ।ମୁଁ ପାଖ ରାସ୍ତା କଡରେ ଥିବା ଦୋକାନରୁ କାଗଜ ଆଣି ଦେଲେ ମାମୁଁ ଚାରି ଛଅ ପୃଷ୍ଠା ରେ କଣ ସବୁ ଲେଖିବେ ।ଲେଖି ସରିବା ପରେ ବଜାର ଭିତରେ ଥିବା ମୀରା ରେଷ୍ଟୁରାଣ୍ଟ ରେ ଜଗନ୍ନାଥ ବାବୁ କୋ ଦେକେ ଆଓ କହିବେ ।ମୁଁ ସେହି ଲେଖା ନେଇ ମୀରା ରେଷ୍ଟୁରାଣ୍ଟ ରେ ଜଗନ୍ନାଥ ଆଜ୍ଞା ଙ୍କୁ ଦେଇ ଆସିବି ।ରାସ୍ତା ରେ କିଛି ପଢିବାକୁ ବି ଚେଷ୍ଟା କରୁଥିଲି କିନ୍ତୁ କେବେ ବି ପୁରାଲେଖା ପଢି ପାରିନି ।ସନ୍ଧ୍ୟାରେ ଯୁବ କଂଗ୍ରେସ ପକ୍ଷରୁଗାନ୍ଧୀ ଚୌକ ରେ ସଭା ହୁଏ । ଜଗନ୍ନାଥ ଆଜ୍ଞା ଙ୍କ ବିପ୍ଲବୀ ଭାଷଣ ଶୁଣିବାକୁ ଓ କରତାଲି ଦେବାକୁ ପୁରା ଭିଡ ଥାଏ ଓ ଏହି ଭିଡ଼ ଭିତରେ ମୁଁ ମଧ୍ୟ ଥାଏ ।ଖୁସି ଲାଗେ ଯେ ସକାଳେ ମୋ ମାମୁଁ ଙ୍କ ଦ୍ୱାରା ଲିଖିତ ଭାଷଣ ଶୁଣୁଛି ।ଆରଦିନ ମାମୁଁ ଆସିଲେ କହେ ଆପଣ ଯାହା ଲେଖିଥିଲେ ଟୁନୁ ବାବୁ ତାହାହିଁ କହିଲେ ।ମାମୁଁ ହସି ଦେଇ କହୁଥିଲେ ସେମାନେ ଆମ ଭବିଷ୍ୟତ ଓ କଳାହାଣ୍ଡିର ଅମୁଲ୍ୟ ସମ୍ପଦ ।ପରେ ସମଗ୍ର ଜିଲ୍ଲା କଂଗ୍ରେସ ମୟ ହୋଇ ଉଠିଲା ।ସେହି କଂଗ୍ରେସ ନେତା ମାନେ ପରବର୍ତୀ ସମୟରେ ରାଜ୍ୟ କ୍ଷମତା ରାଜନୀତି ରେ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।ପରିବର୍ତ୍ତନ ମୟ ସଂସାର ଭିତରେ ସୂର୍ଯ୍ୟ ଉଇଁବା ଯେତେ ସତ ଅସ୍ତ ହେବା ମଧ୍ୟ ସେତେ ସତ ।ଅଶୀ ଦଶକରେ ନୂତନ ଯୁବ ନେତୃତ୍ବର ଉଦୟ ହୁଏ ନା ଟି ଭକ୍ତ ଚରଣ ଦାସଙ୍କ ସମେତ ନିରଞ୍ଜନ ବିଦ୍ରୋହୀ, ସାବାନ ଭାଈ, ପ୍ରଦୀପ ମୁଣ୍ଡ, ଙ୍କ ସମେତ ଅନେକ ନେତା ଙ୍କୁ ପରିଚୟ ଦିଏ ଗାନ୍ଧୀ ଚୌକ। କିନ୍ତୁ ଦୁଃଖ ଓ ପରିତାପ ର ବିଷୟ ଯେଉଁ ମାନଙ୍କ ରାଜନୈତିକ ଜୀଵନ ର ଜନ୍ମ ଏନ୍ତୁଡ଼ି ଶାଳ ସେମାନେ ରାଜ୍ୟ ଓ ଜାତୀୟ ନେତା ହେବା ପରେ ଭୁଲି ଗଲେ ଗାନ୍ଧୀ ଚୌକ କୁ । ଆଜି କହୁଛନ୍ତି ଗାନ୍ଧୀ ଚୌକ ରେ ଆଜି ସେଇ ଗାରିମା ନାହିଁ ।ଏହା ତ ରାଜନୀତି କଥା ହେଲେ ସାମାଜିକ ସ୍ତରରେ ସହର ମଧ୍ୟରେ ସମସ୍ତ ଛୁଆ ଙ୍କୁ ପ୍ରାୟ ସମସ୍ତ ଘରେ ଜାଣୁଥିଲେ ।ଗାନ୍ଧୀଚୌକ ରେ ଯୋଗୀ ଆଜ୍ଞା ଓ ଫୁଲ ଚନ୍ଦ ଶର୍ମା ବାବା ଙ୍କ ଶୁଦ୍ଧ ଗୋରସ ରେ ତିଆରି ବହଳିଆ ଚା ଦୋକାନ ହଉ କି, ରାତି ରେ ପୁନିଆ କାକା ଙ୍କ ଚା ଦୋକାନ,ହରଭଜନ ଙ୍କ ବରଫ ଆଇସ କ୍ରିମ ଦୋକାନ, ଖଗେ ଆଜ୍ଞା ଙ୍କ ଚାଟ, ଗୁପଚୁପ ଠେଲା ହଉ କି ଜିଲ୍ଲା ର ପ୍ରଥମ ରେଡିମେଡ ପୋଷାକ ବିକ୍ରୟ ଦୋକାନ "ଫେଶନ ହାଉସ୍" କିମ୍ବା ବସିର ଏହେମଦ ଙ୍କ ପେନ ହସ୍ପିଟାଲ, ଛିଲପିଆ, ପିଛାଡୁ ବାବା ଓ ତୁନକା ଙ୍କ ମସ୍ତି , କୋଳାହଳ, ସ୍ଵୀପର ବୃନ୍ଦା ମାଆ ଙ୍କ ସ୍ନେହ, ଜଗଜୀବନ ବାବା ଧଳା ଫୁରୁଫୁରୁ ଧୋତି କୁର୍ତା ପିନ୍ଧା ମହ ମହ ଅତର ବାସ୍ନା, ତାଙ୍କ ରାସ୍ତା ରେ ଗଲାବେଳେ ଡାକି କି ଏକଟଙ୍କା ଦଉଥିଲେ ଓ ହସି କି କହୁଥିଲେ " କିଷ୍କା ଛୋରା ସେଂ" ମୁଁ କହୁଥିଲି କୁନା କା ଛୋରା ,ଖୁସିରେ ପକେଟ ରୁ ଟଙ୍କାଟିଏ କାଢି ଦଉଥିଲେ ଓ ମୁଣ୍ଡ ଆଉଁସି ସ୍ନେହ କରୁଥିଲେ । ଦିନ ତମାମ ଚନାଚୂର୍ ବିକି ରାତି ରେ ଟିକିଏ ମାଲ ମାରି ଗାନ୍ଧୀ ଚୌକ ଦେଈରାତି ରେ ଘରକୁ ଯାଉଥିବା ବେଳେ ଗୋଟେ ହିନ୍ଦି ଦାଇଲଗ "କିସିକୋ ଜିନ୍ଦା ନହି ଛୋଡ଼ୁଙ୍ଗା , ସବକୋ ଗୋଲି ସେ ଉଡା ଦୁଙ୍ଗା ମେରା ନାମ ଆଲ୍ ଇଣ୍ଡିଆ ଗଭର୍ମେଣ୍ଟ" ଚନା ଚୂର୍ ବୁଢ଼ା ଙ୍କ ଡାଇଲଗ ପ୍ରସିଦ୍ଧ ଥିଲା ।ଅଶୋକ ଲଜ୍ ରେ ଡକ୍ଟର ସ୍ଵର୍ଗତ ଦାଶରଥି ମିଶ୍ର ଅଜା ଙ୍କ କ୍ଲିନିକ୍, କଳାହାଣ୍ଡି ରାଜ୍ୟ ର ସେନାପତି ପୂର୍ବତନ ନଗର ପାଳ ମୋ ବଡ଼ ବାପା ସ୍ଵର୍ଗତ ଅସରଫ ଅଲ୍ଲୀ ଖାଁ ଯିଏ କି ରାଜକୀୟ ସେନାପତି ପୋଷାକ ରେ ଖଣ୍ଡା ଧରି ମାଣିକେଶ୍ଵରୀ ଙ୍କ ଛତର ଯାତ୍ରା ସମୟରେ ଏକୁଟିଆ ସୁରକ୍ଷିତ ମାଁ ଙ୍କ ସହ ଯାଉ ଥିଲେ ଆଜି କିନ୍ତୁ 10/15 ପ୍ଲାଟୁନ ଫୋର୍ସ, ପୋଲିସ ଙ୍କ ଭିଡ଼, ଯିଏ କି ନଗର ପାଳ ଥିବା ସମୟରେ ନିଜ ଲାଲ ଜାୱା ମୋଟର ସାଇକେଲ ନମ୍ବର ORH 712 ନମ୍ବର୍ ଲାଗି ଥିବା ବାଇକ୍ ରେ ସକାଳୁ ଦିନ ୯ ଘଂଟା ପର୍ୟ୍ୟନ୍ତ ପ୍ରତ୍ୟକ ୱାର୍ଡ ବୁଲୁ ଥିଲେ ଓ ସଫେଇ କର୍ମଚାରୀ ମାନଂକୁ ପାଖକୁ ଡାକି ଚା, ଜଳଖିଆ କରିବାକୁ ନିଶ୍ଚିତ କିଛି ନିଜ ପକେଟ ରୁ ଏକ ଦୁଇ ଟଙ୍କା ଲେଖାଏଁ ଦେଇ ଉତ୍ସାହିତ କରୁଥିଲେ ସେ ପରି ସମାଜ ସେବା ଆଜି ଦେଖିବା ସ୍ବପ୍ନ । ଏଥି ସହ ଛକ ର ବିଭିନ୍ନ ସ୍ଥାନ ଓ କୋଣ ରେ ଚା, ଖଟି, ପୁରୁଣା ପୋଷ୍ଟ ଅଫିସ ବାରଣ୍ଡା ରେ ରାଜଧାନୀ ରୁ ଆସୁ ଥିବା ଦୈନିକ ଖବର କାଗଜ କୁ ଫୋଲ୍ଡିଂ କରି ରଖିଥିବା କାଶୀ ଆଜ୍ଞା ଓ ଇଂରାଜୀ ଖବର କାଗଜ କୁ ବରିଷ୍ଠ ସାମ୍ବାଦିକ ସ୍ଵର୍ଗତ ରାସ ମୁଣ୍ଡ ଆଜ୍ଞା , ସହର ର ପ୍ରାୟ ସମସ୍ତ ବୁଦ୍ଧି ଜିବୀ ମାନେ ଏକତ୍ରିତ ହୋଇ ପଢ଼ିବା ହଉ କି ରେଡ଼ିଓ ରେ ଦେଶ ର ବିଶିଷ୍ଟ ବ୍ୟକ୍ତି ମାନଙ୍କ ପରଲୋକ ଖବର ରେଡ଼ିଓ ରେ ଶୁଣିବା ପାଇଁ ସହରର ବିଶିଷ୍ଟ ବ୍ୟକ୍ତି ଙ୍କ ଶୁଅ ଛୁଟୁ ଥିଲା । ଟାଉନ ଓ ସଦର ଥାନା ମିଶି କି ଥିଲା କିନ୍ତୁ କୋଲାହଳ କିମ୍ବା ଭିଡ଼ ରହୁ ନ ଥିଲା । କେବଳ ମୁଁ ଜାଣିବାରେ ଜଣେ ମାଟ୍ରିକ ପରୀକ୍ଷାର୍ଥୀ ପରୀକ୍ଷା ଦେଈ ଯିବା ପୂର୍ବରୁ କାଳୀ ମନ୍ଦିର ଭିତରେ ଜୈନିକ ସାଧକ ଦ୍ୱାରା ମଙ୍ଗଳବାର ଦିନ ହତ୍ୟା ସହ କାଳୀ ମନ୍ଦିର ରୁ ଗାନ୍ଧି ଛକ ପଟକୁ ଟାଙ୍ଗିଆ ଧରି ଲୋକ ଙ୍କୁ ହତ୍ୟା ଉଦ୍ୟମ ରେ ତାକୁ କାବୁ କରି ଥାନା କୁ ନେବା ଘଟଣା ରେ ତାକୁ ଦେଖିବା ପାଇଁ ଗାନ୍ଧି ଚୌଜ ରେ ଜନ ଗହଳି ଆଜିବି ମୋ ମନ୍ ମସ୍ତିସ୍କ ରେ ଘର କରି ରହିଛି । ଅତୀତ ର ଏହି ମୁକ୍ତ ଆକାଶ ଜୀବନ୍ତ ରଙ୍ଗ ମଂଚ ନିଜ ଅସ୍ତିତ୍ଵ ହରେଇ ସାରିଛି ।
ଅନେକ ଶୃତି ଭରି ରହିଛି ହୃଦୟରେ ଅନେକ ପରିବର୍ତନ ଦେଖିଛି ୬୪ ବର୍ଷ ରେ ଅବହେଳିତ ହେଇଛି ଗାନ୍ଧିଚୌକ କିନ୍ତୁ ଗାନ୍ଧୀ ଚୌକ ତିଆରି କରିଛି ଅନେକ ଅମୃତ ସନ୍ତାନ ଯେଉଁମାନେ ସମୟ କ୍ରମେ ଜିଲ୍ଲା, ରାଜ୍ୟ ଓ ଦେଶ ରେ ସୁନାମ ଅର୍ଜନ କରିଛନ୍ତି । ଆଜି ଗାନ୍ଧୀ ଚୌକ ଶ୍ରୀହୀନ ହୋଇ ପଡ଼ିଛି। ଟାଉନ ଥାନା ଗତ ବର୍ଷ ମାଉଁସି ମାଁ ମନ୍ଦିର ନିକଟକୁ ସ୍ଥାନାନ୍ତର ହେବା ପରେ ଆଉ କୋଳାହଳ ନାହିଁ କିନ୍ତୁ ଆଗ ଭଳି ବିଭିନ୍ନ ସ୍ଥାନ ରେ ପୂର୍ବ ଭଳି ଖଟି ଚାଳିଛି । କିନ୍ତୁ ଦିନ ତମାମ ଚାଲି ଥିବା ମୁକ୍ତ ଆକାଶ ର ସେହି ରଙ୍ଗମଞ୍ଚ ର ଜୀବନ୍ତ କଳାକାର ମାନଂକ ମନୋରଞ୍ଜନ ଦେଖିବାକୁ ମିଳୁ ନାହିଁ । ଆଉ ଦେଖିବାକୁ ମିଳୁ ନାହିଁ ଶ୍ରୀମୁଖ ପାତ୍ର ଅଜା ଙ୍କ ହାତ ତିଆରି ଅସଲି ଗାଈ ଘିଅ ରେ ତିଆରି ଫେଣି ର ବାସ୍ନା, ବଡ ଙ୍କ ସ୍ନେହ, ଛୋଟ ମାନଙ୍କ ବଡ ଙ୍କୁ ସମ୍ମାନ, ଭକ୍ତି । ସହର ର ପ୍ରତ୍ୟେକ ପରିବାର ଘର ର ଯାବତୀୟ ପ୍ରକାର ଆବଶ୍ୟକ ସାମଗ୍ରୀ କିଣି ବାକୁ ଆସୁ ଥିଲେ ଗାନ୍ଧୀ ଚୌକ କିନ୍ତୁ ଆଜି ସହର ର ପ୍ରତ୍ୟେକ ପଡା, ଛକ ମାନଙ୍କ ରେ ବିରାଟ ବିରାଟ ମଲ୍, ଓ ସମସ୍ତ ସାମଗ୍ରୀ ମିଳୁଛି । ସହର ବଢ଼ିଛି । ଆଜି ସ୍ଥାୟୀ ବାସିନ୍ଦା ଓ ଗାନ୍ଧୀ ଚୌକ ନିଜର ପରିଚୟ ହରେଇଛି ଓ ଆମ ଭଳି ସହ ସହ ବର୍ଷ ଧରି ରହୁଥିବା ସ୍ଥାୟୀ ବାସିନ୍ଦା ମାନଙ୍କ ଅସ୍ତିତ୍ଵ ଓ ପରିଚୟ ହଜି ଯାଇଛି । ଆମକୁ ଲୋକେ ଆଜି ପ୍ରଶ୍ନ କରୁ ଛନ୍ତି ଶୁଦ୍ଧ ଉପକୁଲିଆ ଭାଷା ରେ ତୁମ ଘର କୋଉଠି ? କଳାହାଣ୍ଡିଆ ଆଜି ବାସ୍ତବ ରେ ନିଜ ପରିଚୟ ହରେଇଛି। ମୁଁ ଚାରି ବର୍ଷ ବୟସ ରୁ ଦେଖୁଛି ଓ ତା କୋଳ ରେ ଖେଳିଛି ଓ ଖେଳୁଛି ଗତ 64 ବର୍ଷ ଧରି ମନ୍ ରେ ପ୍ରଶ୍ନ ଉଠେ ଆମର ଅସ୍ଥିତ୍ଵ କୋଉଠି ଓ ପରିଚୟ ......?
ସମୟ ମିଳିଲେ ଅନେକ ଶୃତି ପରସିବାକୁ ଚେଷ୍ଟା କରିବି । ଆଶା ମୋ ଭଳି ଜଣେ ସାଧାରଣ ବ୍ୟକ୍ତି ଐତିହ ସମ୍ପନ୍ନ ଗାନ୍ଧି ଚୌକ ମୋ ପାଇଁ ମୋ ଘର ଅଗଣା ସମ୍ପର୍କ ରେ ଅତୀତ ର ଶୃତି କୁ ସାଉଁଟି ବାକୁ ଧ୍ରୁଷ୍ଟତା କରିଛି ଯଦି କିଛି ଭୁଲ ଥାଏ ତେବେ ସମସ୍ତ ବୟୋଜ୍ୟେଷ୍ଠ ଙ୍କ ନିକଟରେ କ୍ଷମା ପ୍ରାର୍ଥନା କରୁଛି । ନିଶ୍ଚୟ ପଢି ମତାମତ ଓ କମେଣ୍ଟ କଲେ ଉତ୍ସାହିତ ହେବି ।
ମହମ୍ମଦଅଲ୍ଲୀଖାଁ , ବରିଷ୍ଠ ସାମ୍ବାଦିକ, ମୁଖ୍ୟ ସଂପାଦକ "ତର୍ଜମା" ।
Post a Comment