ସୂଚନା ଅନୁସାରେ କଟକରେ ଗୋଷ୍ଠୀ ବିବାଦ ପରେ ଗତକାଲି ସୋସିଆଲ ମିଡିଆ ଉପରେ କଟକଣା ଲଗାଇଥିଲା ଗୃହ ବିଭାଗ । ୨୪ ଘଣ୍ଟା ପାଇଁ କଟକରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିଲା । ରବିବାର ସନ୍ଧ୍ୟା ୭ଟାରୁ ସୋମବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ କଟକରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିଲା । ଉତ୍ତେଜନାକୁ ଦୃଷ୍ଟିରେ ରଖି ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଥିଲା । ହ୍ବାଟସଆପ୍, ଫେସବୁକ୍, ଇନଷ୍ଟାଗ୍ରାମ, ଏକ୍ସ, ସ୍ନାପଚାଟ୍ ଭଳି ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ ମଧ୍ୟ ୨୪ ଘଣ୍ଟା ପାଇଁ ବନ୍ଦ କରାଯାଇଥିଲା ।
ସେପଟେ ଗତକାଲିଠୁ ୩୬ ଘଣ୍ଟା ପାଇଁ କଟକରେ କମିଶନରେଟ୍ ପୋଲିସ୍ ପକ୍ଷରୁ କର୍ଫ୍ୟୁ ମଧ୍ୟ ଲାଗୁ କରାଯାଇଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି କଟକ ସହରର ଏକାଧିକ ଥାନା ଅଞ୍ଚଳରେ ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଲାଗୁ କରାଯାଇଛି । ରବିବାର ରାତି ୧୦ଟାରୁ ଆସନ୍ତା ୩୬ ଘଣ୍ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ । ଦରଘା ବଜାର, ମଙ୍ଗଳାବାଗ, କ୍ୟାଣ୍ଟନମେଣ୍ଟଥାନା, ପୁରୀଘାଟ, ଲାଲବାଗ, ବିଡ଼ାନାସୀ, ମର୍କତନଗର ଥାନା, ସିଡିଏ ଫେଜ୍-୨, ମାଲଗୋଦାମ, ବାଦାମବାଡ଼ି ଥାନା, ଜଗତପୁର, ବୟାଳିଶିମୌଜା ଓ କଟକ ସଦର ଥାନା ଅଞ୍ଚଳରେ ଆଗାମୀ ୩୬ ଘଣ୍ଟା ପାଇଁ କର୍ଫ୍ୟୁ ଜାରି ରହିବ । ଏନେଇ ପ୍ରେସମିଟ୍ କରି ସୂଚନା ଦେଇଥିଲେ ପୋଲିସ୍ କମିଶନର ।
କଟକଣା ଭିତରେ ଭାଇଚାରାର ସହରରେ ସ୍ବାଭାବିକ ହେଉଛି ସ୍ଥିତି । ପୋଲିସ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି । ପ୍ରାୟ ୬୦ ପ୍ଲାଟୁନ୍ ପୋଲିସ ଫୋର୍ସ, ୫ କମ୍ପାନୀ ସିଏପିଏଫ୍ ଓ ଗୋଟିଏ ରାପିଡ୍ ଆକ୍ସନ ଫୋର୍ସ ମୁତୟନ ହୋଇଛନ୍ତି । ଆଇନଶୃଙ୍ଖଳା ଏଡିଜି ସଞ୍ଜୟ କୁମାର କହିଛନ୍ତି, କୌଣସି ଅପରାଧିକ କାର୍ଯ୍ୟ ବରଦାସ୍ତ କରାଯିବ ନାହିଁ, କେହି ଗୁଜବ ଉପରେ ଧ୍ୟାନ ଦିଅନ୍ତୁ ନାହିଁ। ସେପଟେ ପୋଲିସ କମିଶନର କହିଛନ୍ତି ବିଶୃଙ୍ଖଳା ଘଟଣାରେ ଏବେ ସୁଦ୍ଧା ୮ ଜଣଙ୍କୁ ଗିରଫ କରିବା ସହ ୩ଟି ମାମଲା ରୁଜୁ ହୋଇଛି
Post a Comment