କଂଗ୍ରେସ ର ପୁନଃ ଉଦ୍ଧାର ସମ୍ଭବ କି ?
ଏ ପ୍ରଶ୍ନର ଉତ୍ତର ଖୋଜିବାକୁ ଅନେକଥର ପ୍ରୟାସ କରିଛି ।କାରଣ ମୁଁ ଜଣେ କଂଗ୍ରେସ ପରିବାର ର ଜନ୍ମ ଗ୍ରହଣ କରିଛି ।ପିଲାଟି ଦିନରୁ କେବଳ କଂଗ୍ରେସ ଆଉ କଂଗ୍ରେସ ଏହାହିଁ ଦେଖିଛି ।ମୋ ବାପା କଳାହାଣ୍ଡି ଜିଲ୍ଲାରେ ପ୍ରଥମ କଂଗ୍ରେସ ସମର୍ଥିତ ସରପଞ୍ଚ ଥିଲେ ।
ପିଲାଟି ଦିନରୁ ଜିଲ୍ଲାର କଂଗ୍ରେସ ନେତା ଙ୍କ ଚାଲ, ଚେହେରା, ଚରିତ୍ରକୁ ଅତି ନିକଟରୁ ଦେଖିବାକୁ ସୁଯୋଗ ପାଇଛି । ସ୍ୱାଧୀନତାର ପରବର୍ତୀ ପ୍ରଥମ ନିର୍ବାଚନ ପରଠୁ ଜିଲ୍ଲାରେ ଗଣତନ୍ତ୍ର ଓ ସ୍ୱତନ୍ତ୍ର ପାର୍ଟି ର କବଜାରେ ଥିଲା ।ହିଜ ହାଇନେସ ମହାରାଜା ସ୍ବର୍ଗତ ପ୍ରତାପ କେଶରୀ ଦେଓ ଙ୍କ ନେତୃତ୍ୱ ପ୍ରତି ହଉ କି ଗୋଲାମୀର ମାନସିକତାରେ ହଉ ଜିଲ୍ଲାବାସୀ କେବଳ ରାଜା ଙ୍କ ପ୍ରତି ଆସ୍ଥା ରଖି ତାଙ୍କ ଦଳର ପ୍ରାର୍ଥୀଙ୍କୁ ସମସ୍ତ ସ୍ତରରେ ଭୋଟଦେଇ ବିଜୟୀ କରାଉଥିଲେ ।ଏହିପରି ଭାବରେ କଳାହାଣ୍ଡି ସଦାସର୍ବଦା ବିରୋଧୀ ଦଳର ଗଡ଼ ଭାବରେ ପରିଚିତ ଥିଲା ।ଏପରିକି ସ୍ବର୍ଗତ ମହାରାଜା ସଂସଦରେ ଦେଶର ବିରୋଧୀ ଦଳ ନେତାମଧ୍ୟ ହୋଇ ପାରିଥିଲେ ।୧୯୭୫ ମସିହାରେ ଜରୁରୀ କାଳୀନ ପରିସ୍ଥିତି ପରବର୍ତୀ ନିର୍ବାଚନରେ ସ୍ବର୍ଗତ ମହାରାଜା କଂଗ୍ରେସ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲୋକସଭା ନିର୍ବାଚନ ମୈଦାନ ରେ ଅବତୀର୍ଣ୍ଣ ହେଲେ ।ସେହି ସମୟରେ ଏହାକୁ ବିରୋଧ କରି ଜିଲ୍ଲା କଂଗ୍ରେସ ସଭାପତି ଥିବା ସଂଗ୍ରାମୀ ପୁରୁଷ ଶ୍ରୀଯୁକ୍ତ ଦୁର୍ଗା ଶଙ୍କର କର ଏବଂ ତତ୍କାଳୀନ ଢେଙ୍କାନାଳ ସାଂସଦ ସ୍ବର୍ଗତ ଦେବେନ୍ଦ୍ର ଶତପଥି କଂଗ୍ରେସ ଦଳ ରୁ ଇସ୍ତଫା ଦେଇଥିଲେ । ଜିଲ୍ଲାର କଂଗ୍ରେସ ଦଳର ସମସ୍ତ କର୍ମୀ ସେହି ନିର୍ବାଚନରେ ସାମନ୍ତବାଦୀ ମାନସିକତା ପାଖରେ ବନ୍ଧାପଡିଥିଲା ।ଯାହାକି ଆଜୀବନ ରାଜତନ୍ତ୍ର ଓ ସାମନ୍ତ ବାଦୀ ଶକ୍ତି ମାନଙ୍କ ବିରୁଦ୍ଧରେ ଲଢ଼ୁଥିବା କଂଗ୍ରେସ କର୍ମୀ ଙ୍କ ମନୋବଳ କୁ ଭାଙ୍ଗି ଦେଇଥିଲା ।ତଥାପି ମଧ୍ୟ ଜିଲ୍ଲାରେ କଂଗ୍ରେସ ନେତା ଓ କର୍ମୀ ମାନେ ସାମନ୍ତ ବାଦୀ ଶକ୍ତି ମାନଙ୍କ ବିରୁଦ୍ଧରେ ସଂଗ୍ରାମ ଜାରି ରଖିଥିଲେ ।ଏପରିକି ମୋ ଅଜା ଆଜୀବନ କଂଗ୍ରେସ କର୍ମୀ ସ୍ବର୍ଗତ ମୌଲବୀ ଆଦଲ ଖାନ କେନ୍ଦ୍ର ଓ ରାଜ୍ୟ ରେ କଂଗ୍ରେସ ସରକାର ଗଠନ କଲେ ଗାନ୍ଧିଚୌକ ରେ ବାଣ ଫୁଟାଇ କଂଗ୍ରେସ କର୍ମୀ ଙ୍କ ମନୋବଳ ବୃଦ୍ଧି କରେଇବା ସହ ଜିଲ୍ଲାରେ ପରାଜିତହେଲେ କଣ ହେଲା କେନ୍ଦ୍ର ଓ ରାଜ୍ୟରେ କଂଗ୍ରେସ ଦଳ ଶାସନ କରୁଛି କହି ଆତ୍ମ ସନ୍ତୋଷ ପାଉ ଥିଲେ ।ତେବେ ଦେଶରେ ଜରୁରୀକାଳୀନ ପରିସ୍ଥିତିର ପରବର୍ତୀ ନିର୍ବାଚନ ରେ ପ୍ରଥମ ଅଣକଂଗ୍ରେସ ସରକାର ଗଠନ ହେବା ସହ ରାଜନୈତିକ ଆକ୍ରୋଶ ର ବାତାବରଣ ସୃଷ୍ଟି ହେଲା ।ଯେଉଁମାନେ ଜରୁରୀକାଳୀନ ପରସ୍ଥିତି ସମୟରେ ଗିରଫ ହୋଇ ଦୀର୍ଘଦିନ ଧରି ଜେଲ ରେ ଥିଲେ ସେମାନେ ପ୍ରତିହିଂସା ପରାୟଣ ହୋଇ ଇନ୍ଦିରା ଗାନ୍ଧୀଙ୍କୁ ଗିରଫ କଲେ ।ରାଜନୀତି ଓ କୂଟନୀତି ର ଜଣେ ମହାନ ଦୂରଦର୍ଶୀ ନେତ୍ରୀ ନିଜ ଗିରଫଦାରୀ ସମୟରେ ଯେପରି ତାଙ୍କୁ ହାତକଡୀ ଦେଇ ପୋଲିସ କୋର୍ଟକୁ ନେଲା ତାହା ହିଁ ଦେଶର ଜନମାନସରେ ଏକ ନୂତନ ଉନ୍ମାଦନା ସୃଷ୍ଟି କଲା ।ସମଗ୍ର ବିଶ୍ୱ ର ମାନବଧିକାର କର୍ମୀ ଏହିପରି ଭାବରେ ଜଣେ ପୂର୍ବତନପ୍ରଧାନମନ୍ତ୍ରୀ ଙ୍କୁ ହାତକଡ଼ି ଦେଇ କୋର୍ଟ ଚାଲାଣ କରିବା ଘଟଣାକୁ ନିନ୍ଦା କଲେ ।ଦେଶର ଅଣକଂଗ୍ରେସ ସରକାର କେବଳ ଓ କେବଳ ଜୟପ୍ରକାଶ ନାରାୟଣ ଜୀ ଙ୍କ ସମ୍ପୁର୍ଣକ୍ରାନ୍ତି ଆନ୍ଦୋଳନ ଯୋଗୁଁ ସମ୍ଭବ ହୋଇଥିଲା ।ତେବେ ବିଭିନ୍ନ ନୀତି ଓ ଆଦର୍ଶରେ ବିଶ୍ୱାସ ରଖି ଦେଶର ଶାସନ ଅକ୍ତିଆର କରିଥିବା ନେତା ମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ପଦ ଓ ଅନ୍ୟାନ୍ୟ ପଦକୁ ନେଇ ଲୋଭ ଯୋଗୁଁ ମିଳିତ କଂଗ୍ରେସବିରୋଧୀଦଳଙ୍କ ମଧ୍ୟରେ ଫାଟ ସୃଷ୍ଟି ହୁଏ ଓ ସରକାର ଭାଙ୍ଗି ଯାଏ ।ପରବର୍ତୀ ସମୟରେ ଇନ୍ଦିରା ଗାନ୍ଧୀଙ୍କ ପ୍ରତି ସମଗ୍ର ଦେଶରେ ଏକ ଅନୁକମ୍ପାର ବାତାବରଣ ସୃଷ୍ଟି ହେବା ସହ କଂଗ୍ରେସ ଚିରାଚରିତ ନିଜ ସୁରକ୍ଷିତ ଆସନ ସହ ଅଣକଂଗ୍ରେସ ଗଢ଼ ଭାବରେ ପରିଚିତ କଳାହାଣ୍ଡି ଜିଲ୍ଲାରେ ନିଜର ବିଜୟର ମୂଳଦୁଆ ଦିଅନ୍ତି ଜିଲ୍ଲାର ପ୍ରଥମ କଂଗ୍ରେସ ସାଂସଦ ଭାବରେ ନିର୍ବାଚିତ ହୁଅନ୍ତି ଶ୍ରୀଯୁକ୍ତ ରାସ ବିହାରୀ ବେହେରା ।ସ୍ୱାଧୀନତା ପରବର୍ତୀ କଳାହାଣ୍ଡି ଜିଲ୍ଲାର ରାଜନୈତିକ ପରିବର୍ତ୍ତନ ଘଟେ ସ୍ୱାଧୀନତାର ୨୯ ବର୍ଷ ପରେ ।କଳାହାଣ୍ଡି ଜିଲ୍ଲାରେ ରାଜନୈତିକ ପରିବର୍ତନ ଘଟେ ।ଘଟଣା କ୍ରମେ ଅବିଭକ୍ତ କଳାହାଣ୍ଡି ଜିଲ୍ଲାରେ ସମସ୍ତ ବିଧାନସଭା ଆସନ ଅକ୍ତିଆର କରେ କଂଗ୍ରେସ ଦଳ ।ନୂତନ ଭାବରେ ନିର୍ବାଚିତ ପ୍ରତିନିଧି ମାନେ ରାଜ୍ୟ ମନ୍ତ୍ରିମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରନ୍ତି ।କଳାହାଣ୍ଡି ଜିଲ୍ଲାର ଆଶା ଓ ଆକାଂକ୍ଷା କୁ ପୂରଣ ହେବା ନେଇ ଅନେକ ଆଶା ବାନ୍ଧି ଥିଲେ ଜିଲ୍ଲା ବାସୀ ।ଅକୁଣ୍ଠ ସମର୍ଥନ ମଧ୍ୟ କଲେ ।କିନ୍ତୁ ଏକ କଂଗ୍ରେସ ହାବା ରେ ନିର୍ବାଚିତ ହୋଇ ଥିବା କିମ୍ବା ଜିଲ୍ଲାରେ ନିଜର କୌଣସି ସାଙ୍ଗଠନିକ ପ୍ରଭାବ ନ ଥିବା ଏହି ନେତା ମାନେ ପରବର୍ତୀ ସମୟରେ ଜିଲ୍ଲାରେ କଂଗ୍ରେସ ସଂଗଠନ କୁ ସୁଦୃଢ଼ କରିବାଜୁ ପ୍ରୟାସ କଲେ ନାହିଁ କିମ୍ବା ଜିଲ୍ଲାର ବିକାଶ ପାଇଁ କୌଣସି ଆନ୍ତରିକ ଉଦ୍ୟମ ମଧ୍ୟ କଲେ ନାହିଁ ।ନିର୍ବାଚନ ପୂର୍ବରୁ ଯେଉଁମାନଙ୍କ ଆର୍ଥିକ, ସାମାଜିକ ସ୍ଥିତି ସୁଦୃଢ଼ ନ ଥିଲା କିମ୍ବା ରୋହିଣୀ ବସ ରେ ୨୮ଟଙ୍କା ଟିକେଟ କାଟି ରାଜଧାନୀ ଭୁବନେଶ୍ବର କୁ ଯିବା ପାଇଁ ସକ୍ଷମ ନଥିଲେ ସେମାନେ ନିର୍ବାଚିତ ହେବା ପରେ କେବଳ ନିଜର ଆର୍ଥିକ ଅବସ୍ଥା କୁ ସୁଦୃଢ଼ କରିବାରେ ବ୍ୟସ୍ତ ରହି ଗଲେ ।ଏପରିକି ଜିଲ୍ଲାବାସୀ କୌଣସି କାମରେ ଭୁବନେଶ୍ୱର ଯାଇ ଜିଲ୍ଲାର ଏହି ନେତା ମାନଙ୍କୁ ଯେଉଁ ମାନେ ରାଜ୍ୟ ମନ୍ତ୍ରୀମଣ୍ଡଳ ରେ ଥିଲେ ସେମାନଙ୍କୁ ନିଜ ଅସୁବିଧା କିମ୍ବା କୌଣସି କାମ ପାଇଁ ଗଲେ ଜବାବ ମିଳୁଥିଲା " ତମର ଇ କାମ କରବା କେ ମୁଇଁ ମନ୍ତ୍ରୀ ହିଛେ କି , ମୁଇଁ ରାଜ୍ୟ ସରକାରଙ୍କ ମନ୍ତ୍ରୀ" ଓ ସରକାରୀ କ୍ୱାର୍ଟର ରେ ଅପେକ୍ଷା କରି ଥିବା ଜିଲ୍ଲା ବାସୀଙ୍କୁ ଉପେକ୍ଷା କରି ଅନ୍ୟ ଗେଟ ଦେଇ ଚାଲି ଯାଉଥିଲେ ଧରା ବି ଦେଉ ନ ଥିଲେ ।ପରିଣାମ ସ୍ୱରୂପ ଜନତା ସବୁ ଦେଖୁଛି ।ଜିଲ୍ଲାରେ ଦଲାଲ, ଠିକାଦାର, ଜଙ୍ଗଲଚୋର, ମାନଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇଲା ।ଚରିବେଟି ଖାଇ ଆସି ଥିବା କିମ୍ବା ନିଜର କୌଣସି ଅସ୍ତିତ୍ୱ ନ ଥିବା ଦଲାଲ ମାନଙ୍କ ଅତ୍ୟାଚାର ବୃଦ୍ଧି ପାଇବାରେ ଲାଗିଲା ।କଂଗ୍ରେସ କର୍ମୀମାନେ ନିଜର ଅସନ୍ତୋଷ ପ୍ରକାଶ କରି ପାରିଲେ ନାହିଁ ଭିତରେ -ଭିତରେ ଦଳ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇଲା ।ଫଳ ଇତିହାସ ର ପୁନରାବୃତ୍ତି ଘଟିଲା ।ଜିଲ୍ଲା ରେ ପୁଣିଥରେ ଅଣକଂଗ୍ରେସ ରାଜନୀତି ଶକ୍ତି ର ଅଭ୍ୟୁଦୟ ଘଟିଲା । ଅଣକଂଗ୍ରେସ ରାଜନୀତି ରେ ମାତ୍ର ୨୪ ବର୍ଷ ବୟସରେ ଜିଲ୍ଲାରେ କଂଗ୍ରେସ ସଂଗଠନ ବିରୁଦ୍ଧରେ ଥିବା ଅସନ୍ତୋଷ କୁ ଅସ୍ତ୍ର କରି ଯୁବନେତା ଭାବରେ ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ଙ୍କ ଆବିର୍ଭାବ ଘଟେ ।ଯିଏ କି , ଜୟପ୍ରକାଶ ନାରାୟଣ ଜୀ ଙ୍କ ସମ୍ପୂର୍ଣ କ୍ରାନ୍ତି ଆନ୍ଦୋଳନ ସମୟରେ ଦେଶର ଯୁବ ଛାତ୍ର ସଂଘର୍ଷ ବାହିନୀ ର ଆବାହକ ଭାବରେ ଦେଶର ମହାନ ସମାଜବାଦୀ ନେତା ମାନଙ୍କ ସାନିଧ୍ୟ ରେ ରହି ଥିଲେ ।୧୯୮୫ ମସିହାରେ ସଦର ନିର୍ବାଚନ ମଣ୍ଡଳୀରୁ ମାତ୍ର ୭୨୮ ଖଣ୍ଡ ଭୋଟରେ ବିଜୟୀ ହେଲେ ତାହାବି କଂଗ୍ରେସ ଦଳ ର ତୁଙ୍ଗ ନେତା ମାନଙ୍କ ଆତ୍ମଘାତୀ କାର୍ଯ୍ୟଯୋଗୁଁ ।ଶ୍ରୀ ଦାସ ଯୁବ ବିଧାୟକ ଭାବରେ ରାଜ୍ୟ କଂଗ୍ରେସ ସରକାରଙ୍କ ଜିଲ୍ଲା ପ୍ରତି ବୈମାତୃକ ମନୋଭାବ ପୋଷଣ ତଥା ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟସେବା, ଗମନାଗମନ ସମସ୍ୟାକୁ ନେଇ ଅନେକ ପଦଯାତ୍ରା, ସାଇକେଲ ଯାତ୍ରା, ଆନ୍ଦୋଳନ, ଘେରାଉ କରି ରାଜ୍ୟ ଓ ଦେଶ ଓ ବିଶ୍ୱକୁ ଆକୃଷ୍ଟ କରି ପାରିଥିଲେ ।ଫଳରେ ଜିଲ୍ଲା ରେ ଇତିହାସ ର ପୁନରାବୃତ୍ତି ଘଟି ସମଗ୍ର ଜିଲ୍ଲାରେ କଂଗ୍ରେସ ନିଶ୍ଚିନ୍ହ ହୋଇ ପଡ଼ିଲା ।ଦେଶରେ ଅଣକଂଗ୍ରେସ ଦଳ ମାନଙ୍କ ମଧ୍ୟରେ କ୍ଷମତା କନ୍ଦଳ ଯୋଗୁଁ ଜନତା ପାର୍ଟି ଭାଗ ଭାଗ ହୋଇ ପଡ଼ିଥିଲା ।ନିଜର ରାଜନୈତିକ ଗୁରୁ ଚନ୍ଦ୍ରଶେଖର ଜୀ ଙ୍କ ମନ୍ତ୍ରୀ ମଣ୍ଡଳରେ କମ ବୟସରେ ଦେଶର ରେଳ ରାଜ୍ୟମନ୍ତ୍ରୀ ଭାବରେ ଥିବା ଭକ୍ତ ବାବୁ ଜନତା ଦଳ ରେ ବିଭାଜନ ପରେ ଚନ୍ଦ୍ରଶେଖରଜୀ ଙ୍କ ଦ୍ଵାରା ପ୍ରତିଷ୍ଠିତ ସମାଜବାଦୀ ଜନତା ପାର୍ଟି ବା SJP ଦଳରେ ରହି ନିଜର ବ୍ୟକ୍ତିଗତ ଲୋକପ୍ରିୟତା ଯୋଗୁଁ ଜିଲ୍ଲାର ସମସ୍ତ ବ୍ଲକ ଅଧ୍ୟକ୍ଷ,ଜିଲ୍ଲା ପରିଷଦ ଆସନ ଅକ୍ତିଆର କରି ଇତିହାସ ସୃଷ୍ଟି କଲେ ।ଦେଶରେ ଜଣେ ଅଣକଂଗ୍ରେସ ରାଜନୀତିର ଶୀର୍ଷ ଯୁବନେତା ଭାବରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପରିଥିବା ଭକ୍ତ ଦାସ ସାଂସଦ ଥିବା ସମୟରେ ୧୯୯୮ ମସିହାରେ ନିଜର ରାଜନୈତିକ ଅସ୍ତିତ୍ୱ ବଜାୟ ରଖିବା ପାଇଁ ଏକ ରାଷ୍ଟ୍ରୀୟ ରାଜନୈତିକ ଦଳର ସଂରକ୍ଷଣ ର ଆଵଶ୍ୟକତା ଅନୁଭବ କଲେ ।ସେହି ସମୟରେ ତାଙ୍କ ପାଖରେ ଦୁଇଟି ବିକଳ୍ପ ଥିଲା ।ଏକ କଂଗ୍ରେସ ଓ ଦ୍ଵିତୀୟରେ ବିଜେପି ।ସମାଜବାଦୀ ଚିନ୍ତାଧାରା ରେ ଗଠିତ ଭକ୍ତ ଦାସ ଙ୍କ ବିଜେପି ପରି ଏକ ସାମ୍ପ୍ରଦାୟିକ ରାଜନୈତିକ ଦଳ ରେ ଯୋଗ ଦେବା ପାଇଁ ବିବେକ ବାଧା ଦେଲା ।ଅନ୍ୟ ପକ୍ଷରେ ଆଜୀବନ କଂଗ୍ରେସ ବିରୋଧୀ ସଂଗ୍ରାମୀ ମନୋଭାବ ଯୋଗୁଁ କଂଗ୍ରେସ ଦଳ ରେ ମଧ୍ୟ ଯୋଗଦେବା ପାଇଁ କୁଣ୍ଠିତ ଥିଲେ ।ତେବେ ରାଜନୈତିକ ଚିନ୍ତାଧାରା ଓ ବିକଳ୍ପ ପନ୍ଥା ଅବଲମ୍ବନ କରିବା ନିଷ୍ପତ୍ତି ରେ ସମାଜବାଦୀ ଚିନ୍ତାଧାରା ର ବଶବର୍ତ୍ତୀ ହୋଇ କଂଗ୍ରେସ ଦଳରେ ଯୋଗଦାନ କରିବା ପାଇଁ ନିଷ୍ପତ୍ତି ନେଲେ ।ମୋ ଜାଣିବାରେ ଭକ୍ତ ଙ୍କ କଂଗ୍ରେସ ଦଳ ରେ ଯୋଗଦାନ କରିବା ନିଷ୍ପତ୍ତି ତାଙ୍କ ୪୦ ବର୍ଷର ରାଜନୈତିକ ଜୀବନ ର ସବୁଠୁ କଠିନ, ହୃଦୟସ୍ପର୍ଶୀ ଓ ବେଦନା ପୁର୍ଣ ନିଷ୍ପତ୍ତି ଥିଲା ।ଯାହାକି ବର୍ଣ୍ଣନା କରିବା ଅତ୍ୟନ୍ତ କଠିନ । ଶ୍ରୀ ଭକ୍ତ ଦାସ କଂଗ୍ରେସ ରେ ଯୋଗଦେବା ସମୟରେ ନିଜେ ସାଂସଦ ଥିଲେ , ଜିଲ୍ଲାରେ ତାଙ୍କ ରାଜନୀତି ଗୁରୁ ସ୍ୱର୍ଗତ ବସନ୍ତ ଦାସ ରାଜ୍ୟସଭା ସାଂସଦ, ସ୍ବର୍ଗତ ଶିବ ଶଙ୍କର ପଟ୍ଟନାୟକ ପ୍ରଥମ ଜିଲ୍ଲା ପରିଷଦ ସଭାପତି ଓ ୧୧ ଟି ବ୍ଲକରେ ବ୍ଲକ ଅଧ୍ୟକ୍ଷ ଭକ୍ତ ଦାସ ଙ୍କ ନେତୃତ୍ୱ ରେ ସମସ୍ତେ କଂଗ୍ରେସ ଦଳରେ ଯୋଗଦାନ କରିଥିଲେ ।ପୁଣିଥରେ ଜିଲ୍ଲା କଂଗ୍ରେସମୟ ଉଠିଲା କିନ୍ତୁ ଯେଉଁ କଂଗ୍ରେସ ନେତା ମାନଙ୍କ ଜିଲ୍ଲାପ୍ରତି ବୈମାତୃକ ମନୋଭାବ ବିରୁଦ୍ଧରେ ସଂଗ୍ରାମ କରିଥିବା ଭକ୍ତ ଦାସ ଙ୍କୁ ସେହି ନେତା ମାନେ ସହଜେ ଗ୍ରହଣ କଲେ ନାହିଁ ।ଜିଲ୍ଲାରେ ରକ୍ତ କଂଗ୍ରେସ ଓ ଭକ୍ତ କଂଗ୍ରେସ ଭଳି କଟାକ୍ଷ ରେ ଦଳ ଭିତରେ ଆତ୍ମଘାତୀ କାର୍ଯ୍ୟ ଚରମସୀମା ରେ ପହଁଚିଲା ।କଂଗ୍ରେସ ଦଳ ଜିଲ୍ଲାରେ ସୁଦୃଢ଼ ହେବା ପରିବର୍ତେ ଜିଲ୍ଲାରେ କଂଗ୍ରେସ ଗୋଷ୍ଠୀ କନ୍ଦଳ ଏପରି ବୃଦ୍ଧି ପାଇଲା ଯେ, ସମସ୍ତ କଂଗ୍ରେସ ନେତା ଘଇତା ମରୁ ପଛେ ସଉତୁଣୀ ରାଣ୍ଡ ହଉ ନ୍ୟାୟ ରେ ଅଥବା "ହମ ତୋ ଡୁବେଙ୍ଗେ ସନମ ତୁମହେ ଭି ସାଥ ଲେ ଡୁବେଙ୍ଗେ" ନ୍ୟାୟରେ କଂଗ୍ରେସ ଦଳ କୁ ଜିଲ୍ଲାରେ କବର ଦେବାରେ କୌଣସି ସଙ୍କୋଚ କଲେ ନାହିଁ ।କାରଣ କଂଗ୍ରେସ କ୍ଷମତାରେ ଥାଇ କେବଳ ନିଜ ପାଇଁ ବଞ୍ଚିଥିବା କୋଟି କୋଟି ଟଙ୍କା ର କଳାଧନ ସଂଗ୍ରହ କରି ପାରିଥିବା ଏହି ନେତା ମାନଙ୍କୁ ଶେଷରେ ଘୃଣା କରିବା ପାଇଁ ମଧ୍ୟ ପଛେଇଲେ ନାହିଁ ।ରାଜନୀତି ରେ ମତାନ୍ତର ସାମାନ୍ୟ ଘଟଣା କିନ୍ତୁ ମନାନ୍ତର ଦଳ ପାଇଁ ବୁମେରାଙ୍ଗ ହୋଇ ଥାଏ ।କେତେ ନିଜର ରାଜନୈତିକ ଭବିଷ୍ୟତ ର ସୁରକ୍ଷା ପାଇଁ ଦଳଛାଡିଲେ ତ କେତେକ ସନ୍ୟାସ ନେବା ସହ ରକ୍ତ କଂଗ୍ରେସ କୁ ପରୋକ୍ଷ ଓ ପ୍ରତକ୍ଷ ଭାବରେ ସଂରକ୍ଷଣ ଦେଇ କଂଗ୍ରେସ ସଂଗଠନ କୁ ଦୁର୍ବଳ କରିବା ପାଇଁ ପ୍ରୟାସ ରେ ବ୍ୟସ୍ତ ।ଯେଉଁ ମାନେ କଂଗ୍ରେସ କ୍ଷମତା ରେ କେବଳ ନିଜର ସମ୍ପତ୍ତି କରିବା ଛଡା ଜିଲ୍ଲା ପାଇଁ କିମ୍ବା ଦଳର କର୍ମୀ ମାନଙ୍କ ପାଇଁ ଆଜି ପର୍ଯ୍ୟନ୍ତ କିଛି କରି କରିନାହାନ୍ତି ସେମାନେ କିନ୍ତୁ କଂଗ୍ରେସ ଦଳ ର ଆଶୀର୍ବାଦ ଓ ହାଇ କମାଣ୍ଡ ଙ୍କ ଦୟାରୁ ଜୀବନର ସବୁକିଛି ପାଇ ପାରିଛନ୍ତି ।ଅନ୍ୟ ପକ୍ଷରେ ଜିଲ୍ଲାର କଂଗ୍ରେସ କର୍ମୀ ଓ ସେମାନଙ୍କ ପରିବାରମାନଙ୍କ ଅବସ୍ଥା ୧୯୭୫ ପୂର୍ବରୁ ଯାହାଥିଲା ଆଜିବି ପରିବର୍ତନ ହୋଇନାହିଁ ।ଅନ୍ୟ ପକ୍ଷରେ ଜିଲ୍ଲାର ଅନେକ ଅନ୍ଧ ସମର୍ଥକ କଂଗ୍ରେସ ପରିବାର ନିଜର ସବୁକିଛି ହରେଇ ହରେଇ ବର୍ବାଦ ହୋଇ ପଡିଛନ୍ତି ।ଆଜି ସମଗ୍ର ଦେଶରେ କଂଗ୍ରେସ ଦଳ ର ଦୁରାଵସ୍ଥା ପାଇଁ ଦାୟୀ କିଏ ବୋଲି ଯଦି ପ୍ରଶ୍ନ ଉଠେ ଉତ୍ତର ଅତ୍ୟନ୍ତ ଦୁଃଖଦ ଓ ସରଳ ।
ରାଜ୍ୟରେ କଂଗ୍ରେସ କୁ ସୁଦୃଢ଼ କରିବାରେ ସ୍ବର୍ଗତ ଡ, ହରେକୃଷ୍ଟ ମହତାବ, ବିଜୁ ପଟ୍ଟନାୟକ, ଜାନକୀ ବଲ୍ଲଭ ପଟ୍ଟନାୟକ, ଶ୍ରୀମତୀ ନନ୍ଦିନୀ ଶତପଥି, ଙ୍କ ସମେତ ଅନେକ ନେତା ଙ୍କ ବଳିଦାନ ଫଳରେ ସମ୍ଭବ ହୋଇ ପାରିଲା।
ଯେଉଁମାନେ କଂଗ୍ରେସ କ୍ଷମତାରେ ଥିଲେ ସେମାନେ କଂଗ୍ରେସ କର୍ମୀ ମାନଙ୍କୁ ଉପେକ୍ଷା ଓ ଛଳନା କଲେ ।କଂଗ୍ରେସ ହାଇ କମାଣ୍ଡ ନିକଟରେ ଦଳାଲି କରିବା ଓ ନିଜ ଚାଟୁକାର ମାନଙ୍କୁ ଜିଲ୍ଲା ଓ ବ୍ଲକ ମାନଙ୍କ ସଙ୍ଗଠନରେ ସୁଯୋଗଦେଇ ନିଷ୍ଠାପର କଂଗ୍ରେସ ଜର୍ମୀ ମାନଙ୍କୁ ଉପେକ୍ଷା କରିବାସହ ଅପମାନିତ କଲେ । ଯେଉଁମାନେ କଂଗ୍ରେସ ଦଳ ପାଇଁ ନିଜର ସବୁକିଛି ହରେଇ ଏହି ନେତା ମାନଙ୍କ ଯୋଗୁଁ ନିୟମିତ ଅତ୍ୟାଚାରିତ , ଅବହେଳିତ ହୋଇ ନିଜ ପରିବାର କୁ ଛାରଖାର କଲେ ସେମାନଙ୍କ ଅଶ୍ରୁ ର ପ୍ରତିଫଳନ କଂଗ୍ରେସ ର ଜିଲ୍ଲା ଓ ସମଗ୍ର ଦେଶରେ ବିପର୍ଯ୍ୟୟ ର ମୂଳ କାରଣ ଅଟେ ।ଯେଉଁ ନେତା ମାନେ କେବେ ଲୋକସମ୍ପର୍କ କଣ କେବେ ଜାଣି ନାହାନ୍ତି ସବୁ ବେଳେ ହାଇକମାଣ୍ଡ ଙ୍କ ସହ ଏସି ରୁମରେ ବସି ଦେଶ ର ଅବହେଳିତ ଓ ନିଷ୍ପେସିତ ବର୍ଗଙ୍କ ହିତ ପାଇଁ ପରାମର୍ଶ ଦେବେ ସେଇଠି ଦଳ ର ଅବସ୍ଥା ଯାହା ହେବାର ହେବ ।ଆଜିବି ଦଳର ନିଷ୍ଠାପର ଓ ସମର୍ପିତ କଂଗ୍ରେସ କର୍ମୀ ମାନଙ୍କୁ ଉପେକ୍ଷା କରାଯାଇଛି ।ରାଜ୍ୟ ସ୍ତରୀୟ ଓ ଜାତୀୟ ନେତା ମାନେ ଦଳର ପ୍ରକୃତ ନିଷ୍ଠାପର କର୍ମୀ ମାନଙ୍କୁ ଚିନ୍ହିବା ତ ଦୂର ର କଥା କେବଳ ନିଜର ଚାଟୁକାର ପରାମର୍ଶଦାତାଙ୍କ କାନକୁହା କଥାରେ ନିଷ୍ଠାପର କର୍ମୀ ମାନଙ୍କୁ ଉପେକ୍ଷା ହିଁ କଂଗ୍ରେସ ପତନ ର ମୂଳ କାରଣ ଅଟେ ।କଂଗ୍ରେସଦଳ ରେ ପଲ୍ଲୀ ରୁ ଦିଲ୍ଲୀ ଯାଏଁ ଆମୂଳଚୂଳ ପରିବର୍ତନ ନହେବା ପର୍ଯ୍ୟନ୍ତ ଏବଂ ଏହି ପରିବର୍ତନ ପରବର୍ତୀ ନିଷ୍ଠାପର ଭାବରେ ସମର୍ପଣର ଭାବନା ରେ ସମସ୍ତ ନିଷ୍ଠାପର କର୍ମୀ ମାନଙ୍କୁ ନିଜ ପରିବାର ର ଅଂଶ ଭାବରେ ବ୍ୟବହାର କରା ନ ଯାଏ ତେବେ କଂଗ୍ରେସ ଅବସ୍ଥା ଏପରି ହେବ ଯେ, ସରପଞ୍ଚ ଓ ୱାର୍ଡ ମେମ୍ବର ପାଇଁ ମଧ୍ୟ ପ୍ରାର୍ଥୀ ମିଳିବା ଅସମ୍ଭବ ହୋଇ ପଡିବ । ଏହାବି ସତ୍ୟ ଯେ, ଆଗାମୀ ୫୦ବର୍ଷ ଯାଏଁ ୧୫୦ବର୍ଷ ର ଏହି କଂଗ୍ରେସ ଦଳ କ୍ଷମତାକୁ ଫେରିବା ପରି ମନେ ହେଉନାହିଁ। ତେବେ ଜାତୀୟ ସ୍ତର ଓ ରାଜ୍ୟ ସ୍ତରରେ ଦଳ ତରଫରୁ ଆମୁଲ ଚୂଳ ପରିବର୍ତ୍ତନ ନ ହେବା ପର୍ଯ୍ୟନ୍ତ ଓ ନୂତନ ପିଢ଼ି କଂଗ୍ରେସ ଦଳର ଗୌରବ ମୟ ଇତିହାସ କୁ ଗ୍ରହଣ କରି ସମର୍ଥନ ନ କରିବା ପର୍ଯ୍ୟନ୍ତ କଂଗ୍ରେସ ର ଅବସ୍ଥା ବୁଡିଗଲା ଗୋଡ ତଳକୁ ତଳକୁ ପରି ହେଉଥିବ ଏହା ସୁନିଶ୍ଚିତ ଅଟେ । ସବୁଠି ମୂଳ ରେ କଂଗ୍ରେସ ନେତା ଙ୍କ ବ୍ୟକ୍ତିଗତ ଗର୍ବ, ଅହଙ୍କାର ଓ ପ୍ରତ୍ୟେକ ଙ୍କ ପରିବାର ବାଦ ମନୋବୃତି ଯୋଗୁଁ କଂଗ୍ରେସ ଦଳ ଲୋକଙ୍କ ପାଖରୁ ଦୂରେଇ ଯାଇଥିବା ପରି ମନେ ହୁଏ ।
ଏଣୁ ସମସ୍ତ କଂଗ୍ରେସ ନେତା ମାନେ ନିଜ ନିଜର ଆତ୍ମ ଚିନ୍ତନ କରିବା ସହ ଅହଂକାର, ମନାନ୍ତର, ମତାନ୍ତର ଭୁଲି ଦଳର ଓ ନିଜର ଆତ୍ମ ସମୀକ୍ଷା କରିବାର ସମୟ ଆସିଛି ।
ମହମ୍ମଦ ଅଲ୍ଲୀ ଖାଁ
ବରିଷ୍ଠ ସାମ୍ବାଦିକ, କଳାହାଣ୍ଡି ।
ବହୁତ ସୁନ୍ଦର ଉପସ୍ଥାପନା ଦାଦା କିନ୍ତୁ ବର୍ତମାନ ପରସ୍ଥିତି ରେ କଣ କରାଯାଇ ପାରିବ ଦୟାକରି ଜଣାଇବା ହେବେ ।
ReplyDeletePost a Comment