ଅନେକ ଦିନ ତଳର କଥା ।କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହର ମୁଖ୍ୟାଳୟ ରେ ସାମ୍ବାଦିକତା କ୍ଷେତ୍ରରେ ମାତ୍ର ୧୨ ଜଣ ଥିଲୁ ।ନିର୍ବାଚନ କମିଶନ ନିର୍ବାଚନ ନାମାଙ୍କନ ପତ୍ର ଦାଖଲ କରିବା ସମୟରେ ଏକ ସତ୍ୟପାଠ ଦାଖଲ କରିବା ପାଇଁ ନିୟମ କଲେ ।ଘଟଣା ଟି ମାନନୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟ ବିଜେଡି ସରକାରଙ୍କ ଦ୍ଵିତୀୟ ପାଳି ସମୟର କଥା ।ସେହି ସମୟରେ ଜିଲ୍ଲାରେ ସ୍ଥାନୀୟ ସାପ୍ତାହିକ ଖବର କାଗଜ ଅର୍ଜି ବହୁତ ଲୋକପ୍ରିୟ ଥାଏ ।ମୁଁ ଅନେକ ସମୟରେ ପ୍ରାୟ ସମସ୍ତ ସଂଖ୍ୟାରେ ପାଠକଙ୍କୁ ସବୁବେଳେ କିଛି ନୂଆ ନୂଆ ତଦନ୍ତ ଭିତ୍ତିକ ଖବର ଦେଇଥାଏ ଜିଲ୍ଲା ପ୍ରତିନିଧି ଭାବରେ ।ମୋ ସହ ସେ ସମୟରେ ଇ ଟିଭି ପାଇଁ ଛୋଟ ଭାଈ ପ୍ରଶାନ୍ତ ପଣ୍ଡା ଓ ସମ୍ବାଦ ପାଇଁ ଜିଲ୍ଲା ପ୍ରତିନିଧି ଭାବରେ ଛୋଟ ଭାଈ ପ୍ରମୋଦ ପଣ୍ଡା ଯିଏ କି ଆଜିର ଦିନରେ ଭୁବନେଶ୍ୱର ରେ ଏକ ପ୍ରତିଷ୍ଠିତ ଟିଭି ଚେନାଲ ରେ କାର୍ଯ୍ୟରତ ମିଳିତ ଭାବେ ଅନେକ ଘଟଣାର ପର୍ଦାଫାସ କରୁଥିଲୁ ।
ଦିନକର ଘଟଣା ମୁଁ ମୋ ସାଇକେଲ ରେ ମେଡିକାଲ ପଟୁ ଦିନ ପ୍ରାୟ ଏକ ଘଣ୍ଟା ସମୟରେ ଫେରୁଥାଏ ।ଠିକ ଜିଲ୍ଲା କୋର୍ଟ ଫାଟକ ପାଚେରୀ କୁ ଲାଗି ରହିଥିବା ଚା ଦୋକାନରେ ସେହି ସମୟର ଜିଲ୍ଲାର ଟାଣୁଆ ନେତା ଓ ମନ୍ତ୍ରୀ ଙ୍କ ଅତିନିକଟର ଜଣକୁ ଭେଟିଲି ।ଖରା ଦିନ ଆଶ୍ଚର୍ଯ୍ୟରେ ପଚାରିଲି ତୁମେ ଏଇଠି ଅସମୟରେ ।ସେ କହିଲେ ମନ୍ତ୍ରୀ ଆସିଛନ୍ତି ତ କୋର୍ଟ କୁ ଅପେକ୍ଷା କରିଛି ।ମୁଁ ଆଶ୍ଚର୍ଯ୍ୟ ହୋଇ ପୁଣି ପଚାରିଲି ରାଜ୍ୟ ସରକାରଙ୍କ ମନ୍ତ୍ରୀ କୋର୍ଟ ରେ କାହିଁକି ? ବନ୍ଧୁ ଜଣକ କହିଲେ କିଛି କେଶ ର ତାରିଖ ଅଛି ।ମୁଁ ଚୁପ ରହି ଚା ପିଇ ଚାଲି ଆସିଲି ।ସନ୍ଧ୍ୟାରେ ଭାଈ ପ୍ରମୋଦ ଓ ପ୍ରଶାନ୍ତ ସହ ଭେଟ ହୁଏ ଆମ ଗାନ୍ଧୀ ଚୌକ ଖଟିରେ ।
ମୁଁ କହିଲି ଆଜି ମନ୍ତ୍ରୀ ବଳଭଦ୍ର ମାଝୀ ଆସିଥିଲେ କୋର୍ଟକୁ କୌଣସି ତାରିଖରେ ହାଜର ହେବାକୁ ।ତହିଁ ଆରଦିନ ଜିଲ୍ଲା ନିର୍ବାଚନ ଅଧିକାରୀ ଙ୍କ କାର୍ଯ୍ୟାଳୟରୁ ସେହି ବିଧାନସଭା ନିର୍ବାଚନ ର କଳାହାଣ୍ଡି ଜିଲ୍ଲାର ସମସ୍ତ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ ର କପି ଦେବାକୁ ଆବେଦନ କଲୁ ।କିଛି ଦିନ ପରେ ଆମକୁ କପି ମିଳିଲା । ସେଥି ମଧ୍ୟରୁ ମନ୍ତ୍ରୀ ବଳଭଦ୍ର ଙ୍କ ଦ୍ଵାରା ଦାଖଲ ସତ୍ୟପାଠ କୁ ତନ୍ନ ତନ୍ନ କରି ପଢ଼ିଲୁ ।ସେଥିରେ ଏକ କଲମରେ ପ୍ରାର୍ଥୀର କୌଣସି ଅପରାଧିକ ମାମଲା ଅଛି ନା ନାହିଁ ଉଲ୍ଲେଖ ପାଇଁ କୁହାଯାଇଛି ।ସେଥିରେ କୌଣସି ଅପରାଧ ମାମଲା ନ ଥିବା ମନ୍ତ୍ରୀ ଉଲ୍ଲେଖ କରିଥିଲେ ।ସେଇଠୁ ଆରମ୍ଭ ହୁଏ ଆମ ତଦନ୍ତ ପ୍ରକ୍ରିୟା ।କୋର୍ଟ ପରିସର ରେ ଥିବା ପୋଲିସ କୋର୍ଟ ଅଫିସ, ଓ କୋର୍ଟ ରୁ ମନ୍ତ୍ରୀ ଙ୍କ ବିରୁଦ୍ଧରେ କୌଣସି କେଶ ଅଛିନା ନାହିଁ ଅନୁସନ୍ଧାନ କଲୁ ।ଅନୁସନ୍ଧାନରେ ମନ୍ତ୍ରୀ ଙ୍କ ବିରୁଦ୍ଧରେ ଗୋଟିଏ କେଶ କୋର୍ଟରେ ବିଚାରାଧୀନ ଥିଲା ।କେଶ ନମ୍ବର ଓ କେଶ ର ବିବରଣୀ ସମ୍ପର୍କରେ ସମସ୍ତ ତଥ୍ୟ ସଂଗ୍ରହ କରିବା ପରେ ନିଉଜ କରିବା ପାଳି ।ଅର୍ଜି ପ୍ରତ୍ୟେକ ବୁଧବାର ପ୍ରକାଶ ପାଉଥାଏ ।ମଙ୍ଗଳବାର ସନ୍ଧ୍ୟାରେ ରେ ସମ୍ବାଦ ପ୍ରତିନିଧି ଭାଈ ପ୍ରମୋଦ ଙ୍କ ଅଫିସରେ ଉଭୟ ବସି ଏ ସମ୍ପର୍କରେ ନିଉଜ କଲୁ ।ପ୍ରମୋଦ ଭାଈ ଫେକ୍ସ କଲେ ଓ ମୁଁ ଆମ ଅର୍ଜି ଅଫିସରେ ବସି ନିଉଜ ଓ ଖବର କାଗଜ ପ୍ରକାଶନ ରେ ବ୍ୟସ୍ତ ରହିଲି ।ବୁଧବାର ସକାଳେ ଏକା ସାଙ୍ଗରେ ଅର୍ଜି ଓ ସମ୍ବାଦ ରେ ମନ୍ତ୍ରୀ ଙ୍କ ମିଥ୍ୟା ଶପଥ ପାଠ ଘଟଣା ପ୍ରକାଶ ପାଇଲା ଏଥିସହ ଇ ଟିଭି ରେ ମଧ୍ୟ ଦିନ ତମାମ ମନ୍ତ୍ରୀ ଙ୍କ ମିଥ୍ୟା ଶପଥ ପାଠ ଘଟଣା ବ୍ରେକିଙ୍ଗ ନିଉଜ ହେଲା ।ସମଗ୍ର ରାଜ୍ୟ ରେ ହଇଚଇ ଓ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଲା ।ବିରୋଧୀ ଦଳର ନେତା ମାନେ ସକ୍ରିୟ ହୋଇ ପଡିଲେ ।ମନ୍ତ୍ରୀ ଙ୍କ ବାଇଟ ନେବା ପାଇଁ ଭାଈ ପ୍ରଶାନ୍ତ ମନ୍ତ୍ରୀ ଙ୍କୁ ଫୋନ କଲେ ।ମନ୍ତ୍ରୀ ଙ୍କ ଦିନ ତମାମ ମୁଣ୍ଡ କାମ ଦେଉ ନ ଥାଏ ।ମିଥ୍ୟା ଶପଥ ପାଠ ଉପରେ ପ୍ରତିକ୍ରିୟା କଣ ବୋଲି ପଚାରିଲେ ଭାଈ ପ୍ରଶାନ୍ତ । ଉତ୍ତର କଣ ଦେଲେ ମନ୍ତ୍ରୀ ନ କହିବା ଭଲ ।ଶେଷରେ ଏହି ମିଥ୍ୟା ଶପଥ ପାଠ ମାମଲା ଲୋକ ଲୋଚନ କୁ ଆଣିବାରେ ଦେଶରେ ଆମେ ତିନି ଜଣ ସାମ୍ବାଦିକ ଙ୍କୁ ଯାଏ ।ସେହିପରି ପୂର୍ବତନ ମନ୍ତ୍ରୀ ପ୍ରଦୀପ୍ତ ନାଏକ ଙ୍କ ମିଥ୍ୟା ଶପଥ ପାଠ ଘଟଣା ର ପର୍ଦାଫାସ ର ଶ୍ରେୟ ମଧ୍ୟ ଆମେ ମିଳିତ ଭାବେ ଲୋକ ଲୋଚନ କୁ ଆଣି ପାରିଥିଲୁ ।ଯାହାକି ସମଗ୍ର ଦେଶରେ ରାଜନୈତିକ ମହଲରେ ସେ ସମୟରେ ବେଶ ଆଲୋଡନ ସୃଷ୍ଟି କରିଥିଲା ।
ସାମ୍ବାଦିକତା ରେ କଲମ ର ଶକ୍ତି କେତେ ତାହା ସେ ସମୟରେ ରାଜ୍ୟ ରାଜନୀତି ର ପରିସ୍ଥିତି କିପରି ରାତାରାତି ପରିବର୍ତ୍ତନ ହେଲା ତାହା ଅନୁମେୟ ।ସାମ୍ବାଦିକ ବନ୍ଧୁ ମାନେ ଛୋଟ ଛୋଟ ଘଟଣା ଉପରେ ତୀକ୍ଷ୍ଣ ଦୃଷ୍ଟି ଦେଇ କିଛି ନୂଆ କରିବାକୁ ଉଦ୍ୟମ କଲେ ଯାଇ ଆତ୍ମସନ୍ତୋଷ ସହ ସଫଳତା ମିଳିବ । ଧନ୍ୟବାଦ। ।
ମହମ୍ମଦ ଅଲ୍ଲୀ,
ବରିଷ୍ଠ ସାମ୍ବାଦିକ ।
Post a Comment