ଯେଉଁମାନେ କଳାହାଣ୍ଡି କୁ ଭୋକର ଭୂଗୋଳ ନୁହେଁ ବୋଲି ଡିଣ୍ଡିମ ପିଟୁଛନ୍ତି ସେମାନଙ୍କୁ ପଦେ ।ରାଜନୀତିର ଚକ୍ରବ୍ୟୁହ ଓ ପଶାପାଳି ରେ କଳାହାଣ୍ଡି ।
କଳାହାଣ୍ଡି କୁ ଜାଣିବାକୁ ହେଲେ ତାର ଇତିହାସ, ଭୂଗୋଳ, ଐତିହ,ସଂସ୍କୃତି ପରମ୍ପରା ସମ୍ପର୍କରେ ସମ୍ୟକ ଧାରଣା ନିତାନ୍ତ ଆବଶ୍ୟକ ବୋଲି ମନେହୁଏ ।କେବଳ ନିଜ ରାଜନୈତିକ ପାତିଆରା ବୃଦ୍ଧି ପାଇଁ କଳାହାଣ୍ଡି ନାମ କୁ ବ୍ୟବହାର କରିବା ଅକ୍ଷମଣୀୟ ଅପରାଧ ବୋଲି ମୋର ବ୍ୟକ୍ତିଗତ ମତ ।ସ୍ୱାଧୀନତା ପୂର୍ବରୁ କମ ଜନସଂଖ୍ୟା ଓ ଉନ୍ନତ ରାଜ୍ୟ ଭାବରେ କଳାହାଣ୍ଡି ବିଖ୍ୟାତ ଥିଲା ।ଜିଲ୍ଲାର ସଂସ୍କୃତି, ଐତିହ, ପରମ୍ପରା ଅତ୍ୟନ୍ତ ଉଚ୍ଚକୋଟୀର ଥିଲା ।ସ୍ୱାଧୀନତା ପରବର୍ତୀ ଦୁଇବର୍ଷ ଆମେ ହିଜ ହାଇନେସ ମହାରାଜା ଙ୍କ ଶାସନାଧୀନ ଥିଲୁ ।୧୯୪୯ ମସିହା ନଭେମ୍ବର ମାସ ୧ ତାରିଖ ଦିନ ଠାରୁ ଅଭିଭକ୍ତ କଳାହାଣ୍ଡି ରାଜ୍ୟ ସମେତ ୧୦୨ ଟି ରାଜୁଡା ଅଧୀନରେ ଥିବା ରାଜ୍ୟ ଗୁଡିକଭାରତ ଦେଶର ମିଶ୍ରଣ ହେବା ସହ ଓଡିଶା ରାଜ୍ୟର ଏକ ଜିଲ୍ଲା ଭାବରେ ନୂତନ ପରିଚୟ ପାଇଲା ।କଳାହାଣ୍ଡି ଜିଲ୍ଲା ମୁଖ୍ୟତଃ ଆଦିବାସୀ, ଦଳିତ ଓ ପଛୁଆ ବର୍ଗ ବହୁଳ ଅଞ୍ଚଳ ଅଟେ ।କଳାହାଣ୍ଡି ରାଜ୍ୟ ଥିବା ସମୟରେ ଜିଲ୍ଲାର ସାମୁହିକ ବିକାଶ ପାଇଁ ହିଜ ହାଇନେସ ମହାରାଜା,ଜିଲ୍ଲାର କୃଷି, ବ୍ୟବସାୟ, ଶିକ୍ଷା,ଓ ବିଭିନ୍ନ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଅନ୍ୟ ଅଞ୍ଚଳରୁ ବିଭିନ୍ନ ଜାତି ସମୂହ ଙ୍କୁ ଆଣି ବସବାସ କରେଇଥିଲେ ।ଫଳରେ ଜିଲ୍ଲାରେ କୃଷି କ୍ଷେତ୍ରରେ ସ୍ୱାବଲମ୍ବୀ ହେବାସହ ୧୯୩୬ ବଙ୍ଗାଳ ଦୁର୍ଭିକ୍ଷ ସମୟରେ କଳାହାଣ୍ଡି ରାଜ୍ୟ ପ୍ରଥମ ସହାୟତା ଯୋଗାଇ ଦେଇଥିଲା ।କମ ଜନସଂଖ୍ୟା ସହ ଆର୍ଥିକ ଓ କୃଷି କ୍ଷେତ୍ରରେ ସ୍ୱାବଲମ୍ବୀ ହେବା ସହ କଳାହାଣ୍ଡି ରାଜ୍ୟ ୧୯୩୬ ମସିହା ସମୟରୁ ନିଜ ରାଜଧାନୀରେ ବିଜୁଳୀ ଆଳୁଅ ର ବ୍ୟବସ୍ଥା ସହ ଶିକ୍ଷାର ବିକାଶ ପାଇଁ ହାଇସ୍କୁଲ, କ୍ରୀଡ଼ାର ବିକାଶ ପାଇଁ ଖେଳ ପଡିଆ ଓ ଉଚ୍ଚ ଶିକ୍ଷା ପାଇଁ ରାଜ୍ୟର ଅନେକ ବିଦ୍ୟାର୍ଥୀଙ୍କୁ ଅନ୍ୟ ରାଜ୍ୟ ଓ ଏପରିକି ବିଦେଶରେ ଶିକ୍ଷା ଲାଭ କରିବା ପାଇଁ ଯତ୍ନବାନ ଥିଲେ ।କୃଷିର ବିକାଶ ପାଇଁ ହିଜ ହାଇନେସ ମହାରାଜା ଇନ୍ଦ୍ରାବତୀ ଜଳବିଦ୍ୟୁତ ଯୋଜନାର ପ୍ରଥମ ସର୍ଭେ କାର୍ଯ୍ୟ ଆରମ୍ଭ କରିଥିଲେ । ଦେଶ ସ୍ଵାଧୀନ ହେବା ପରେ ଚାକିରୀ, ବ୍ୟବସାୟ ଓ ନିଜ ଜୀବନ ଜୀବିକା ନିର୍ବାହ ପାଇଁ କଳାହାଣ୍ଡି ଜିଲ୍ଲା କୁ ଅନ୍ୟ ରାଜ୍ୟ ଓ ଜିଲ୍ଲା ମାନଙ୍କରୁ ସୁଅ ଛୁଟିଲା ।ବଣ ପାହାଡ଼ ଘେରା ପ୍ରକୃତି କୋଳରେ ବଞ୍ଚୁଥିବା ସାଧାରଣ ନିଷ୍କପଟ ସରଳ ମଣିଷ ଯେଉଁମାନେ କି ପ୍ରକୃତ ଭୂମିପୁତ୍ର ସେମାନେ ସମସ୍ତ କ୍ଷେତ୍ରରେ ଚିରଦିନ ଶୋଷିତ, ଅବହେଳିତ ହୋଇ ରହିଲେ ।କିନ୍ତୁ ସ୍ୱାଧୀନତାପ୍ରାପ୍ତି ର କିଛି ବର୍ଷ ପରେ ଜିଲ୍ଲା କୁ ଆସିଥିବା ଚାକିରିଆ, ବ୍ୟବସାୟୀ ମାନେ ଏପରି କାୟା ବିସ୍ତାର କଲେ ଯେ , ପ୍ରକୃତ ଭୂମିପୁତ୍ର ମାନେ ଆଜି ଯାଏଁ ବିକାଶର ସ୍ୱାଦ ଚାଖି ପାରିଲେ ନାହିଁ କେବଳ ସେମାନଙ୍କ ନାମ ଧରି ଅନେକ ନିଜ ନିଜ ସ୍ୱାର୍ଥ ହାସଲ କରିଛନ୍ତି ।ଅଭିଭକ୍ତ କଳାହାଣ୍ଡି ଜିଲ୍ଲା ବିଭାଜନ ଘଟି ଦୁଇଟି ଜିଲ୍ଲାରେ ପରିଣତ ହେବା ପରେ ବର୍ତ୍ତମାନ କଳାହାଣ୍ଡି ଜିଲ୍ଲାର କ୍ଷେତ୍ରଫଳ ୭୯୨୦ ବର୍ଗ କିମି ଅଟେ ।ଜନସଂଖ୍ୟା ୧୮,୩୧,୩୧୨ ଓ ସାକ୍ଷରତା ହାର ୬୦.୨୨% ଅଟେ ।କଳାହାଣ୍ଡି ଜିଲ୍ଲାର ଜଳବାୟୁ ଉଷ୍ମ ଓ ଶୁଷ୍କ ଓ ସର୍ବାଧିକ ତାପମାତ୍ରା ୪୫+ ଓ ସର୍ବନିମ୍ନ ୪ଡିଗ୍ରୀ ସେଲ୍ସିଅସ ଅଟେ ।୧୯୬୦ ମସିହା ପରଠାରୁ ଜିଲ୍ଲାରେ ଜନସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଇବା ସହ ଚାଷ ଜମି କମିବାକୁ ଲାଗିଲା ।ଅନ୍ୟପଟେ ପାରମ୍ପରିକ ଐତିହ ସମ୍ପନ୍ନ ପ୍ରକୃତି କୋଳରେ ବଞ୍ଚୁଥିବା ମଣିଷ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ଆଧୁନିକତାର ସ୍ପର୍ଶ ଅନୁଭବ କରି ପାରିଲା ନାହିଁ । ଜିଲ୍ଲାକୁ ଜୀବନ ଜୀବିକା ନିର୍ବାହ ପାଇଁ ଆସିଥିବା ଲୋକଙ୍କ ପ୍ରାଦୁର୍ଭାବ, ରାଜନୈତିକ, ଆର୍ଥିକ ଓ ସାମାଜିକ, ପ୍ରଶାସନିକ ଶିକ୍ଷା ବ୍ୟବସ୍ଥା ରେ ବୃଦ୍ଧି ପାଇବା ସହ ସମସ୍ତ ସ୍ତରରେ ନିଜର ପାତିଆରା ବୃଦ୍ଧି କରିବାରେ ସଫଳ ହେଲେ ।ପରବର୍ତୀ ସମୟରେ ସେହିମାନଙ୍କ ଦ୍ୱାରା ପ୍ରକୃତି କୋଳରେ ବଞ୍ଚୁଥିବା ମଣିଷଶୋଷଣର ଶିକାର ହେଲେ ।ସମସ୍ତ କ୍ଷେତ୍ରରେ ଅବହେଳିତ ହେବାସହ ନିଜର ମୌଳିକ ଅଧିକାର ପାଇବାରେ ଆଜିବି ବଂଚିତ ଅଟନ୍ତି ।
ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ହେବା ଫଳରେ ଜିଲ୍ଲାର ଧର୍ମଗଢ଼ ଉପଖଣ୍ଡ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିଛି ।ଇନ୍ଦ୍ରାବତୀ ଜଳସେଚନ ପୂର୍ବରୁ ଏଠିକାର ଜଙ୍ଗଲ ପାହାଡ଼ ଘେରା ଗ୍ରାମାଞ୍ଚଳ ରେ ରହୁଥିବା ଲୋକମାନେ ଦୁଇଓଳି ପେଟ ପୁରା ଖାଇବା ରୁ ବଂଚିତ ହେବା ସହ ସ୍ୱାସ୍ଥ୍ୟ ସେବା, ଶିକ୍ଷା ଓ ଗମନାଗମନ ସୁବିଧାରୁ ବଂଚିତ ଥିଲେ ।ସବୁ ସୁବିଧା ଗୁଡିକ ରାଜନୈତିକ ଓ ପ୍ରଶାସନିକ ଛତ୍ରଛାୟା ତଳେ ରହିଥିବା ସୁବିଧାବାଦୀ ମାନଙ୍କ ଅଧୀନରେ ଥିଲା ।ଜିଲ୍ଲାରେ ଭୟାବହ ମେନିଂଯାଇଟିସ ଭଳି ମାରାତ୍ମକ ରୋଗ କବଳରେ ଜିଲ୍ଲାର ଆଦିବାସି ବହୁଳ ଥୁଆମୂଳ- ରାମପୁର, ଲାଞ୍ଜିଗଢ଼ ସମେତ ଅନେକ ଗ୍ରାମାଞ୍ଚଳ କୁ ବ୍ୟାପି ସମଗ୍ର ବିଶ୍ଵରେ ଚର୍ଚା ସୃଷ୍ଟି କରିଥିଲା ।ଫନସ ପୁଞ୍ଜି ଘଟଣା ସମଗ୍ର ବିଶ୍ୱକୁ କଳାହାଣ୍ଡି ଏକ ନୂଆ ପରିଚୟ ଦେଇଥିଲା ।ଭୋକ ର ଭୂଗୋଳ ଯେଉଁଠି ମୂଳ ଅଧିବାସୀ ଏକ ବିଶ୍ୱର ମହାନ ଗଣତନ୍ତ୍ର ରାଷ୍ଟ୍ର ର ଅଧିବାସୀ ହୋଇ ମଧ୍ୟ ମୌଳିକ ଅଧିକାର ରୁ ବଂଚିତ ।ଏହାର ସ୍ଥାୟୀ ସମାଧାନ ପାଇଁ ସେହି ସମୟରେ ଏକ ନୂତନ ରାଜନୈତିକ ସୂର୍ଯ୍ୟ ର ଅଭ୍ୟୁଦୟ ହୁଏ ।ନିଜ ଜିଲ୍ଲାର ସର୍ଵହରା , ଶୋଷିତ ବର୍ଗ ଓ ଜିଲ୍ଲାର ସାମୁହିକ ବିକାଶ ପାଇଁ ସଂଗ୍ରାମ ହିଁ ମୂଳ ଅସ୍ତ୍ର ଭାବରେ ଗ୍ରହଣ କରି ଭକ୍ତ ଚରଣ ଦାସ ଙ୍କ ନେତୃତ୍ୱରେ ଆରମ୍ଭ ହୁଏ ଅହରହ ଆନ୍ଦୋଳନ ।କିନ୍ତୁ ଅନେକ ଆନ୍ଦୋଳନ ପରେ ମଧ୍ୟ ଫଳ ଶୁନ ।
ଇନ୍ଦ୍ରାବତୀ ଜଳ ପ୍ରକଳ୍ପ ଆରମ୍ଭ କରିବା ପରେ ଠିକାଦାର, ଯନ୍ତ୍ରୀ, ପ୍ରଶାସନ ଓ ରାଜନୈତିକ ଚକ୍ରାନ୍ତ ରେ କେବଳ ଲାଭବାନ ହେଲେ ଠିକାଦାର, ନେତା, ଯନ୍ତ୍ରୀ ମାନେ ।ଜିଲ୍ଲାରେ ମାତ୍ର ୧୦/୧୧ ଟି ରାଇସମିଲ ଥିବାବେଳେ ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ ପରେ ଆଜି ୧୫୦ ରୁ ଅଧିକ ରାଇସ ମିଲ ଯେଉଁଠି କଳାହାଣ୍ଡିର ଚାଷୀ ନିଜ ମୁଣ୍ଡର ଝାଳ ତୁଣ୍ଡରେ ମାରି ଅନେକ ଯନ୍ତ୍ରଣା ସହି ଅମଳ କରିଥିବା ଧାନ ଏହି ମିଲ ମାଲିକ ମାନେ ପ୍ରଶାସନ ଓ ସରକାରୀ ନେତା ଓ ମନ୍ତ୍ରୀ ମାନଙ୍କ ଛତ୍ର ଛାୟା ରେ କମ ଦର ରେ ଆରାମ ରେ କିଣି ନିଅନ୍ତି ।ଚାଷୀ ଙ୍କୁ ଦିନ ଦ୍ବୀପହରରେ ଖୋଲାଖୋଲି ଭାବରେ ଏମାନେ ଲୁଣ୍ଠନ କରି କରି ସେମାନଙ୍କ ଆର୍ଥିକ ମେରୁଦଣ୍ଡ କୁ ଭାଙ୍ଗି ଦେଇଛନ୍ତି ଯାହାକି ଆଜି ମଧ୍ୟ ସେହି ପ୍ରକ୍ରିୟା ଚାଲିଛି ।ସ୍ୱାଧୀନତାର ସତୁରି ବର୍ଷ ପରେ ମଧ୍ୟ ଦାନା ମାଝୀ ଘଟଣା ଏ ଜିଲ୍ଲାର ସ୍ୱାସ୍ଥ୍ୟ ସେବା ର ଅକୁହା ବେଦନା ଭରା ଚିତ୍ର ର ମୁକ ସାକ୍ଷୀ ।ସରକାର କେବଳ କଳାହାଂଡିଆ ଙ୍କୁ ଖେଳନା ଭାବି ଏକ ପ୍ରୟୋଗ ଶାଳା ରେ ପରିଣତ କରିଛନ୍ତି ।କେନ୍ଦ୍ରୀୟ ବିଦ୍ୟାଳୟ ହଉ କି ଜିଲ୍ଲାର ଅନେକ କାର୍ଯ୍ୟାଳୟ ଅନ୍ୟଜିଲ୍ଲାକୁ ସ୍ଥାନାନ୍ତର ଘଟଣା ଜିଲ୍ଲାର ରାଜନୈତିକ ନେତା ଙ୍କ ପରିବା ପାଣିଆର ପରିଚୟ ଅଟେ ।ଏପରିକି କଳାହାଣ୍ଡି କୁ ଅନେକ ଆନ୍ଦୋଳନ, ଘେରାଉ , ଅନଶନ ଫଳରେ ସେହି ସମୟରେ ଉଠି ଥିବା ଦାବି ସମ୍ବିଧାନ ର ୩୭୧ଧାରା ଲାଗୁ କରାଯାଇ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ ପାଇଁ ପ୍ରସ୍ତାବ ଥିଲା ।କିନ୍ତୁ ସେହି ସମୟରେ ଉପକୂଳ ଅଂଚଳ ଅଧୀନରେ ଥିବା ରାଜ୍ୟ ସରକାରଙ୍କ ତରଫରୁ ଏକ ବିଧାନସଭା କମିଟି ଗଠନ କରାଯାଇ ଦେଶର ବିଭିନ୍ନ ଅଞ୍ଚଳ ପ୍ରଦେଶ ଗ୍ରସ୍ତ କରି ରିପୋର୍ଟ ଦେଲେ ସ୍ୱତନ୍ତ୍ର ପରିଷଦ ଗଠନର ଅବଶ୍ୟକତା ନାହିଁ ।ସେହି କମିଟି ରେ ଆମ ପଶ୍ଚିମ ଓଡିଶାର ନମକ ହରାମ ଓ ଉପକୂଳିଆ ଅଞ୍ଚଳର ନେତାଙ୍କ ଚାଟୁକାର ମାନଙ୍କ ସଂଖ୍ୟା ଅଧିକ ଥିଲା ।ପରବର୍ତୀ ସମୟରେ ପଶ୍ଚିମ ଓଡିଶା ଉନ୍ନୟନ ପରିଷଦ ଓ କେବିକେ ଯୋଜନା ଆରମ୍ଭ କରି କଳାହାଣ୍ଡି ବଦଳରେ ସମଗ୍ର ପଶ୍ଚିମ ଓଡିଶା କୁ ସାମିଲ କଲେ ଯାହାକି ସ୍ୱାଗତ ଯୋଗ୍ୟ କିନ୍ତୁ ଏହି ପଶ୍ଚିମ ଓଡିଶାର ରାଜନୈତିକ ନେତା ମାନଙ୍କ ଗୁଳାମି ମାନସିକତା ଓ ରାଜଧାନୀର ଚାକଚକ୍ୟ ରେ ନିଜ ନିଜର ଅଞ୍ଚଳର ମୁଖ୍ୟ ସମସ୍ୟା କୁ ସମାଧାନ କରିବା ପାଇଁ ଭୁଲିଗଲେ ।ଫଳରେ ଆଜି ପର୍ଯ୍ୟନ୍ତ ଏହି ଉନ୍ନୟନ ପରିଷଦ ର ମୁଖ୍ୟାଳୟ ହେଉ କି କେବିକେ ଯୋଜନା ଅର୍ଥ ବିକାଶ ପାଇଁ ଖର୍ଚ୍ଚ ହେବା ପରିବର୍ତେ ଦଲାଲ ପୋଷିବା ଯୋଜନାରେ ପରିଣତ ହୋଇଛି ।ରାଜ୍ୟର ବିଭିନ୍ନ ଜିଲ୍ଲାର ସାମାଜିକ ଓ ଅର୍ଥନୈତିକ ଅବସ୍ଥା କୁ ତୁଳନା କଲେ କଳାହାଣ୍ଡି ଆଜି ସବୁ କ୍ଷେତ୍ରରେ ଆଗୁଆ । ଦାମିକା ଯାନ ବାହାନ, ହଉକି କୋଠା , ବେସରକାରୀ ଲୁଟେରା ଶିକ୍ଷା ଅନୁଷ୍ଠାନ ହଉ କିମ୍ବା ଜଙ୍ଗଲ ମାଫିଆ, ଜମି ମାଫିଆ, ଖଣି ମାଫିଆ ସବୁଠି କଳାହାଣ୍ଡି ଆଗୁଆ ହୋଇ ପାରିଛି ।କଳାହାଣ୍ଡି ସମେତ ପଶ୍ଚିମ ଓଡିଶାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା ଯୋଗୁଁ ଆଜି ପଡୋଶୀ ରାଜ୍ୟର ବେସରକାରୀ ଡାକ୍ତର ଖାନା ଓ ଆର୍ଥିକ ଅବସ୍ଥା ସୁଦୃଢ଼ ହୋଇଛି । ଶିଳ୍ପ ବିହୀନ କଳାହାଣ୍ଡି ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ଆଢୁଆଳରେ ଏସିଆର ସର୍ଵ ବୃହତ ନିୟମଗିରି ପାହାଡ ର ବକ୍ସାଇଟ ଲୁଟ ର ଚକ୍ରାନ୍ତ ଆନ୍ଦୋଳନ ଫଳରେ ବଞ୍ଚିଛି ।ଜଙ୍ଗଲ ମାଫିଆ ଙ୍କ ଯୋଗୁଁ ଜିଲ୍ଲାରେ ଜଙ୍ଗଲ ହ୍ରାସ ପାଇଛି ।ଜମି ମାଫିଆ ମାନଙ୍କ ଯୋଗୁଁ ଜିଲ୍ଲାର ସରକାରୀ ଜମି, ଜଳଚର, ଗୋଚରଜମି ଜବରଦଖଲ କାରୀଙ୍କ କବଜାରେ ଥିବା ବେଳେ ଜମି ମାଫିଆ ମାନଙ୍କ ଯୋଗୁଁ ଆଜି ଜିଲ୍ଲାର ଜମି ର ମୂଲ୍ୟ ଦେଶରେ ସବୁଠୁ ଅଧିକ ।
ଏପରି ପରିସ୍ଥିତିରେ ଜିଲ୍ଲାର ଭୂମିପୁତ୍ର ମାନଙ୍କ ସ୍ଥିତି ଆଜି କୋଉଠି ତାହା ମୂଳ ପ୍ରଶ୍ନ ? ବାହାରୁ ଆସି କଳାହାଣ୍ଡି ରେ ନିଜ ର ସ୍ଥିତି ସୁଦୃଢ଼ କରି ନିଜର ବହୁବଳ, ରାଜନୈତିକ, ଆର୍ଥିକ ଓ ପ୍ରଶାସନିକ ଶକ୍ତି ପ୍ରୟୋଗ କରି ସେହି ଜଙ୍ଗଲ ର ପ୍ରକୃତି କୋଳ ରେ ବଞ୍ଚୁ ଥିବା ସର୍ବ ହରା ବଂଚିତ ବର୍ଗ ଙ୍କୁ ଶୋଷଣ କରୁଥିବା ଓ ଆଧୁନିକତା ର ଚାକଚକ୍ୟ ଭିତରେ ସାଧାରଣ ଲୋକ ଙ୍କ ଜୀବନ ଶୈଳୀ ରେ ପରିବର୍ତନ କରିବା ପାଇଁ ପ୍ରୟାସ କରିବା ପରିବର୍ତେ ଗୁଳାମିର ବଶବର୍ତ୍ତୀ ହୋଇ ନିଜର ଓ ନିଜ ଜିଲ୍ଲାର ମାଟିର ମଣିଷ ଙ୍କ ହକ ପାଇଁ ସଂଗ୍ରାମ କରିବା ପରିବର୍ତେ ଜିଲ୍ଲାର ସେହି ୪୦% ଅଶିକ୍ଷିତ, ଶୋଷିତ ବର୍ଗ ଙ୍କୁ ଆକ୍ଷେପ କରିବା ଭଳି କଳାହାଣ୍ଡି ଭୋକର ଭୂଗୋଳ ନୁହଁ ବୋଲି ଡିଣ୍ଡିମ ପିଟିବା ର କୌଣସି ଅର୍ଥ ନାହିଁ । ଭୋକର ଭୂଗୋଳ ନୁହେଁ ମୋ କଳାହାଣ୍ଡି ଅନେକ ଙ୍କ ମତରେ ସତ ହେଇ ପାରେ,କିଛି ରାଜନେତା, ଠିକାଦାର, ପ୍ରଶାସନିକ ଅଧିକାରୀ ଓ ଧନୀକ ଗୋଷ୍ଠୀ ମାଫିଆ ମାନଙ୍କ ପାଇଁ କିନ୍ତୁ ବାସ୍ତବରେ ସ୍ଥିତି କଣ ବଦଳିଛି ସେହି କଳାହାଣ୍ଡିର ଭୂମିପୁତ୍ର, ପ୍ରକୃତି କୋଳ ରେ ବଞ୍ଚୁ ଥିବା ସରଳ , ନିଷ୍କପଟ, ନିଷ୍ପାପ ମଣିଷ ମାନଙ୍କ ଭାଗ୍ୟ ନା ଆଜିବି ସେହି ମିଛ ମରୀଚିକା ର ତଥାକଥିତ ବିକାଶର ଚକ୍ରବ୍ୟୁହ ରେ ଚାପି ହୋଇ ଛଟପଟ ହେଉଛନ୍ତି ତାହାର ତର୍ଜମା କରନ୍ତୁ ସେହି ମାନେ ଯିଏ କହୁଛନ୍ତି ଭୋକର ଭୂଗୋଳ ନୁହଁ କଳାହାଣ୍ଡି । ଯେଉଁମାନେ କଳାହାଣ୍ଡି ର ପାଣି, ପବନ, ଲୋକଙ୍କ ଜୀବନଶୈଳୀ ସହ ଅନଭିଜ୍ଞ, ଯେଉଁ ମାନେ କେବେ ଜିଲ୍ଲା ର ଗ୍ରାମ ଜଙ୍ଗଲ ଦେଖିନାହାନ୍ତି , ଜିଲ୍ଲାର ଝରଣା ଓ ନଦୀରେ କେବେ ଗାଧୋଇ ନାହାନ୍ତି , ପାରମ୍ପରିକ କଳାହାଂଡିଆ ଖାଦ୍ୟ ଖାଇବା ତ ଦୂରର କଥା ଦେଖି ନାହାନ୍ତି, କଳାହାଣ୍ଡି ର ମାଟି ଚିରି ବାହାରୁ ଥିବା ପାଣି ପରିବର୍ତେ ମିନିରାଲ ପାଣି ପିଇ ,କୋଠା ଘରେ ଏସି ରୁମ ଓ ଏସି ଗାଡ଼ିରେ ବୁଲୁଥିବା କଳାହାଣ୍ଡିର ତଥାକଥିତ ମସିହା ମାନଙ୍କ ତୁଣ୍ଡରୁ କୁଟିଳ ହସ ହସି ବାହାରୁ ଥିବା ଶବ୍ଦ ଭୋକର ଭୂଗୋଳ ନୁହଁ କଳାହାଣ୍ଡି ଟି କେତେ ଯୁକ୍ତିଯୁକ୍ତ ଓ ତଥ୍ୟ ଭିତ୍ତିକ ବିଚାର ଯୋଗ୍ୟ ।
ଜିଲ୍ଲା ବାସୀ ଙ୍କ ପ୍ରତି ଟିକେ ବି ଯଦି ଦରଦ ଅଛି ତେବେ ସେହି ମାନଙ୍କୁ ଅନୁରୋଧ ପ୍ରଥମେ ଜିଲ୍ଲାର ସେହି ପ୍ରକୃତି କୋଳରେ ବଞ୍ଚୁଥିବା ଓ ମୌଲକ ଅଧିକାର ରୁ ବଂଚିତ ସର୍ବାହରାଙ୍କ ମୁଖରେ ହସ ଫୁଟାନ୍ତୁ ଓ ଜିଲ୍ଲାର ଭୂମିପୁତ୍ର ମାନଙ୍କ ଉନ୍ନତି ପାଇଁ ନିଜକୁ ସମ୍ପର୍ପଣ କରନ୍ତୁ । ଏଥିସହ ଜିଲ୍ଲାର ଇତିହାସ, ମହାନସଂସ୍କୃତି ଐତିହ, ପରମ୍ପରା କୁ ଯୁଗ ଯୁଗ ଧରି ଜାବୁଡି ଧରି ଥିବା କଳାହାଣ୍ଡି ଙ୍କ ମୌଳିକ ଅଧିକାର ଦେବାପାଇଁ ଯତ୍ନବାନ ହେଲେ ଯାଇ ଭୋକ ର ଭୂଗୋଳ ନୁହଁ କଳାହାଣ୍ଡି ପରି ଶବ୍ଦ ର ଯଥାର୍ଥତା ରହିବ ନଚେତ ଏହା ଉପକୂଳିଆ ଅଞ୍ଚଳର ଅପେରା ର ଏକ ଡାଇଲଗ ରୂପେ ବିବେଚିତ ହଉଥିବ ।
ଆଜି ସମସ୍ତ କଳାହାଂଡିଆଙ୍କ ଆତ୍ମ ସମୀକ୍ଷା ର ସମୟ ଆସି ପହଂଚିଛି ।
ଏହି ଲେଖା କୌଣସି ଆଞ୍ଚଳିକ ବୈଷମ୍ୟ ସୃଷ୍ଟି କିମ୍ବା କୌଣସି ବ୍ୟକ୍ତି ବିଶେଷ କିମ୍ବା କୌଣସି ବ୍ୟକ୍ତିଗତ ଆକ୍ଷେପ ନୁହଁ ।
ସ୍ୱାଧୀନତାର ୭୩ ବର୍ଷ ମଧ୍ୟରେ ମୋ ମାଟି ମାଆ କୁ ୬୩ ବର୍ଷ ଧରି ଅତି ନିକଟରୁ ଦେଖି ଆସୁଥିବା ଏକ ଏପରି ହୃଦୟ ର ବ୍ୟଥା ର ପରିସ୍ଫୁଟନ ମାତ୍ର ।ଅନେକ ରୂପ ଦେଖିଛି ମୁ ମୋ କଳାହାଣ୍ଡି ର , ଏଠାରେ ଜୀବନ ଜୀବିକା ପାଇଁ ଆସି ଥିବା ଲୋକଙ୍କ ଯେଉଁମାନେ ଅତି କମ ଦିନ ମଧ୍ୟରେ ଧନ, ଯଶ, ଅର୍ଜନ କରି ଭୂମିପୁତ୍ର ମାନଙ୍କୁ ହେୟ ଜ୍ଞାନ କରନ୍ତି ।
ଧନ୍ୟବାଦ, ଶୁଭରାତ୍ରୀ ,
ମହମ୍ମଦ ଅଲ୍ଲୀ,
Post a Comment