ଅନେକ ବର୍ଷ ତଳର କଥା ।ରାଜ୍ୟରେ ଜାନକୀ ବଲ୍ଲଭ ପଟ୍ଟନାୟକ ଙ୍କ ନେତୃତ୍ୱରେ କଂଗ୍ରେସ ସରକାର ଚାଲି ଥାଏ ।ରାଜ୍ୟରେ ବିରୋଧୀ ଦଳ କହିଲେ ବିଜୁ ପଟ୍ଟନାୟକ ଆଗ ଧାଡ଼ିର ନେତା ।ଆଉ ନେତା ମାନଙ୍କ ମୂଳ ଲକ୍ଷ୍ୟ ଭୋଟରଙ୍କୁ ବିଭିନ୍ନ ଲୋଭ, ସ୍ଲୋଗାନ ଓ ସବୁଜ ସ୍ୱପ୍ନ ଦେଖେଇ ଆକୃଷ୍ଟ କରିବା ।ଯୋଉ ନେତା ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ଯେତେ ଅଧିକ ପ୍ରଲୋଭନ , ଲାଳସା ଦେଇ ଆକୃଷ୍ଟ କରି ପାରିବ ସେହି ନେତା କୁ ଭୋଟର ସକ୍ଷମ ନେତା ବୋଲି ବିବେଚନା କରିଥାନ୍ତି ।ରାଜ୍ୟ ରାଜନୀତି ର କ୍ଷମତା କୁ ଫେରିବା ପାଇଁ ବିଜୁ ବାବୁ ମଧ୍ୟ ସମଗ୍ର ରାଜ୍ୟରେ କଂଗ୍ରେସ ସରକାର ବିରୁଦ୍ଧରେ ବିଭିନ୍ନ ସହରରେ ମିଟିଂ କରୁଥାନ୍ତି ।ଏଇମିତି ଥରେ ବିରୋଧୀ ଦଳର ନେତା ଥିବା ସମୟରେ ବିଜୁବାବୁ ନିର୍ବାଚନ ପ୍ରଚାରରେ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସି ଭବାନୀପାଟଣା ସହରର ପ୍ରାଣ କେନ୍ଦ୍ର ଗାନ୍ଧିଚୌକ ରେ ସଭା କରୁଥାନ୍ତି ।ସେହି ସମୟରେ ଯେତେବି ରାଜ୍ୟ କିମ୍ବା ଜାତୀୟ ସ୍ତରର ନେତା ଆସିଲେ କେବଳ ଗାନ୍ଧୀ ଚୌକ ହିଁ ଉପଯୁକ୍ତ ସଭାସ୍ଥଳ ।ବିନା ପ୍ରଚାରରେ ମଧ୍ୟ ଦର୍ଶକ ଓ ଶ୍ରୋତା ସନ୍ଧ୍ୟା ସମୟରେ ଭିଡ଼ ପରିଲକ୍ଷିତ ହେବା ସୁନିଶ୍ଚିତ ।କଂଗ୍ରେସ ସରକାର ଙ୍କ ନୀତି ବିରୁଦ୍ଧରେ ଅନର୍ଗଳ ବିଶୋଦଗାର କରିବା ପରେ ବିଜୁ ବାବୁ କହିଲେ ଆସନ୍ତା ନିର୍ବାଚନରେ ମୋ ଦଳ କ୍ଷମତା ହାସଲ କଲେ ," ଓଡିଶା କୁ ବମ୍ବେ ରେ ପରିଣତ କରିଦେବି " । ଏ ଉକ୍ତି ଟି ଶୁଣି ମୋ ପରି ଶ୍ରୋତା ଓ ଦର୍ଶକ ଭିଡ଼ ଭିତରେ ଏମିତି ଡେଇଁଲୁ ଜିନ୍ଦାବାଦ ରେ ଗଗନ ପବନ ପ୍ରକମ୍ପେଇ ଦେଲୁ ଯେ, ସତେ ଯେମିତି ବମ୍ବେ ର ହିନ୍ଦୀ ଚଳଚିତ୍ର ଜଗତର ସୁନ୍ଦରୀ ଅଭିନେତ୍ରୀ ମାନେ ଆମ ଆଖ ପାଖରେ ମାର୍କେଟ ରେ ବୁଲୁଛନ୍ତି ଓ ଆମେ ସେ ସମୟର ଟୋକା ମାନେ ସ୍ୱର୍ଗର ଅପସରା ମାନଙ୍କୁ ଦେଖି ଖୁସିରେ ପାଗଳ ଭଳି ହେଇ ଯାଇଛୁ ।ତେବେ ସେହି ଓଡିଶା କୁ ବମ୍ବେ କରିବା ଉକ୍ତି ବୋଧହୁଏ ଓଡିଶା ରାଜନୀତି ରେ ଯେତେବି ନେତା ପରଲୋକରେ ଅଛନ୍ତି ଓ ବର୍ତ୍ତମାନ ମଧ୍ୟ ଯେତେ ନେତା ସେ ଶାସକ ଦଳର କିମ୍ବା ବିରୋଧୀ ଦଳରେ ଅଛନ୍ତି ସବୁଠୁ ଆକର୍ଷଣୀୟ ଓ ଲୋକଙ୍କୁ ଆକୃଷ୍ଟ କରି ପାରି ଥିଲା ।ଯେମିତି ଇନ୍ଦିରା ଗାନ୍ଧୀଙ୍କ ସ୍ଲୋଗାନ ଗରିବୀ ହଟାଓ ପରି ।ସେହି ଦିନ ଠୁ ଓଡିଶା ଓ ମୋ କଳାହାଣ୍ଡି ଜିଲ୍ଲାକୁ ବମ୍ବେ ଭାବରେ ଦେଖିବାର ଦିବାସ୍ବପ୍ନ ଆଜିବି ମୋ ହୃଦୟ ଭିତରେ ଜୀବନ୍ତ ରହିଛି ।ତାକୁ ସମାଧି ଦେଇ ପାରୁ ନାହିଁ ।କାରଣ ପ୍ରତ୍ୟେକ ବ୍ୟକ୍ତି ନିଜ ମାଟି ଓ ରାଜ୍ୟକୁ ଏକ ପ୍ରଗତିଶୀଳ, ଉନ୍ନତ ରାଜ୍ୟ ଭାବରେ ଦେଖିବା ପାଇଁ ବ୍ୟାକୁଳ ହୋଇ ଥାଏ ।ଯୌବନର ପାଦ ଦେଶ ରେ ଓଡିଶାକୁ ବମ୍ବେ ଭାବରେ ଦେଖେଇ ଥିବା ସେ ସ୍ୱପ୍ନ ପୂରଣ ହେବା ତ ଅସମ୍ଭବ କିନ୍ତୁ ରାଜନୀତିର ପଶାପାଳୀ ରେ ଏ ରାଜ୍ୟର ସାଧାରଣ ଲୋକ ଓ ମୋ ଜିଲ୍ଲାର ମାଟିର ମଣିଷ ପ୍ରତ୍ୟେକ ମୁହୂର୍ତ୍ତ ରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ,ଭଳି ମୌଳିକ ଅଧିକାର ରୁ ବଂଚିତ ହେଇ ଛନ୍ତି ଏହାହିଁ ଧ୍ରୁବସତ୍ୟ ଅଟେ ।ବିଜୁ ବାବୁ ଙ୍କ ଉକ୍ତି ପରେ ରାଜ୍ୟ ଶାସନ ଭାର ମୁଖମନ୍ତ୍ରୀ ଭାବରେ ସେ ହିଁ ଗ୍ରହଣ କରିଥିଲେ ।ପରବର୍ତୀ ସମୟରେ ତାଙ୍କର ଦାୟାଦ ନବୀନ ପଟ୍ଟନାୟକ ବିଗତ ୨୧ ବର୍ଷ ଧରି ରାଜ୍ୟର ଶାସକ ଅଟନ୍ତି ।ଦଶନ୍ଧି ଦଶନ୍ଧି ଧରି ଆମେ ଶାସିତ ହେଉଥିବା ବେଳେ ବମ୍ବେ ତ ବମ୍ବେ ଆମେ ସାଧାରଣ ମଣିଷ ନିଜର ମୌଳିକ ଅଧିକାର ରୁ ବଂଚିତ ।ଆଜିବି ସାଧାରଣ ମଣିଷ ନିଜ ନିଜର ଭିଟାମାଟି ଛାଡି ଦାଦନ ଶ୍ରମିକ ଭାବେ ଅନ୍ୟରାଜ୍ୟ କୁ ଯିବା ଓ ଶବ ହୋଇ ଫେରିବା ନିଶ୍ଚିତ ।ଯୌବନର ଆରମ୍ଭରୁ ଜୀବନର ପରିଣତ ବୟସରେ ଅନେକ ସଂଘର୍ଷମୟ, କ୍ଷମତା ହାସଲ ପାଇଁ ସମସ୍ତ ମାନବିକତା ମୂଲ୍ୟବୋଧ କୁ ଜଳାଞ୍ଜଳି ଦେଇ ଭୋଟରଙ୍କୁ ଆକୃଷ୍ଟ କରିବା ର ନାଟକ ଦେଖିଛି ।କିନ୍ତୁ ଶାସକ ଦଳର କୌଣସି ନେତା, ମନ୍ତ୍ରୀ କିମ୍ବା ମୁଖିଆ ଭୋଟରଙ୍କ ଆସ୍ଥା ଭାଜନ ହେବା କିମ୍ବା ବିଶ୍ୱସ୍ତ ହେବା ଦେଖି ନାହିଁ ।ଆଜିର ରାଜନୈତିକ ବାତାବରଣ ମଧ୍ୟରେ କ୍ଷମତା ହାସଲ କରିବା ପାଇଁ ସମସ୍ତ ପ୍ରକାର ଶାମ, ଦାମ, ଦଣ୍ଡ, ଭେଦ ପ୍ରୟୋଗ କରିବା ସହ କ୍ଷମତାକୁ ଉପଭୋଗ କରିବା ପ୍ରାୟ ରାଜନେତା ଙ୍କ ଏକମାତ୍ର ଲକ୍ଷ୍ୟ ହୋଇ ପଡିଛି ।ଜୀବନରେ ଥରେ ସରପଞ୍ଚ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ବିଧାୟକ, ସାଂସଦ ଭାବରେ ନିର୍ବାଚିତ ହେଲେ ଜୀବନର ଶେଷ ଦିନ ପର୍ଯ୍ୟନ୍ତ ସମସ୍ତ ପ୍ରକାର ସୁଖ ଉପଭୋଗ କରିବା ସହ ନିଜର ଭବିଷ୍ୟତ ବଂଶଧର ଓ କିଛି ସମର୍ଥକ ଙ୍କ ଭାଗ୍ୟ ପରିବର୍ତନ କରିବା ହିଁ ମୂଳ ଲକ୍ଷ୍ୟ ହୋଇ ଥାଏ ।
ଆଜିର ଆଧୁନିକ ସମୟରେ ନିର୍ବାଚିତ ବିଧାୟକ କିମ୍ବା ସାଂସଦ ମାନଙ୍କ କୌଣସି ମୂଲ୍ୟ ନାହିଁ ବୋଲି ଅନୁଭବ ହୁଏ ।ଜଣେ ନିର୍ବାଚିତ ସଦସ୍ୟ ନିଜ ନିଜର ନିର୍ବାଚନ ମଣ୍ଡଳୀ ର ଜନ ସାଧାରଣ ଙ୍କ ମୌଳିକ ସମସ୍ୟାର ସମାଧାନ ଓ ନିଜ ନିର୍ବାଚନ ମଣ୍ଡଳୀ ର ଉନ୍ନତି ସାଧନ ପାଇଁ ନିୟୋଜିତ ହେବା ପରିବର୍ତେ ନିଜ ଦଳୀୟ ହାଇକମାଣ୍ଡ ଙ୍କ ନିର୍ଦେଶ, ଦଳୀୟ ଏଜେଣ୍ଡା କୁ କାର୍ଯ୍ୟକାରୀ କରିବା ପାଇଁ ତତ୍ପର ।ନିଜ ନିଜର ନିର୍ବାଚନୀ ମଣ୍ଡଳୀର ଭୋଟର ଙ୍କ ଓ ସାଧାରଣ ଜନତାଙ୍କ ଦୁଃଖ, ସମସ୍ୟା ସମାଧାନ କରିବା ନିର୍ବାଚିତ ପ୍ରତିନିଧି ମାନଙ୍କ ପାଇଁ ମୂଲ୍ୟହୀନ ହୋଇ ପଡିଛି ।କାହିଁକି ନା ନିର୍ବାଚନ ସମୟରେ ଅପର୍ଯ୍ୟାପ୍ତ ଟଙ୍କା ଓ ଅବିଶ୍ୱନୀୟ ପ୍ରତିଶୃତି ର ସମ୍ଭାର ଭେଟି ଦେଇ କଳେ ବଳେ କୌଶଳେ ସାଧାରଣ ଜନତାଙ୍କୁ ମୋହିତ କରି ଭୋଟ ବିଜୟୀ ହେବା ହିଁ ମୂଳ ଲକ୍ଷ୍ୟ ।ଏ ଦିଗରେ ଶାସକ କିମ୍ବା ବିରୋଧୀ ଦଳର ନେତା ମାନେ ଲୋକଙ୍କ ସମସ୍ୟା ସମ୍ପର୍କରେ ଓ ସମାଧାନ ପାଇଁ ଯତ୍ନବାନ ହେବା ପରିବର୍ତେ କେବଳ ପରସ୍ପର ପ୍ରତି କାଦୁଅ ଫିଙ୍ଗା ଓ କ୍ଷମତାର ଦୁରୂପଯୋଗ କରି କେବଳ ନିଜକୁ ଓ ଦଳ କୁ ,ଦଳର ନେତା କୁ ସଚୋଟ, ସମର୍ଥ ଓ ଶ୍ରେଷ୍ଠ ଭାବରେ ପ୍ରତିଷ୍ଠିତ କରିବାକୁ ପ୍ରଶାସନ , କିଛି ଅନ୍ଧ ସମର୍ଥକ ମାନଙ୍କୁ ନିୟୋଜିତ କରି ଲକ୍ଷସ୍ଥଳରେ ପହଂଚି ପାରି ଥାଆନ୍ତି ।
ଏ ସମସ୍ତ ବିଷୟ ଆଲୋଚନା କରିବା ମୂଳ ଉଦ୍ଦେଶ୍ୟ ହେଲା ଭୋଟରଙ୍କୁ ବିଭିନ୍ନ ସମୟରେ ଶାସକ ଦଳର ନେତା ଓ କ୍ଷମତା ଶାଳୀ ବ୍ୟକ୍ତି ସାଧରଣ ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ପାଇଁ ଯତ୍ନବାନ ହେବା ପରିବର୍ତେ କେବଳ ବିଭିନ୍ନ ଲୋକ ଦେଖାଣିଆ କାର୍ଯ୍ୟକ୍ରମ ଆୟୋଜନ କରି ନିରୀହ, ସରଳ,ଭୋଟର ମାନଙ୍କୁ ବିଭ୍ରାନ୍ତ କରିବା ।
ଏହା ହେଇ ନ ଥିଲେ ଓଡିଶା ସରକାରଙ୍କ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତ ପୂର୍ବରୁ ୭୦ ବିଧାୟକ,୧୨ମନ୍ତ୍ରୀ, ସମଗ୍ର ରାଜ୍ୟର ମୁଖ୍ୟ ପ୍ରଶାସନିକ ଅଧିକାରୀ ତିନିଦିନ ଧରି କଳାହାଣ୍ଡି ଜିଲ୍ଲାରେ ଆସ୍ଥାନ ଜମେଇ ନ ଥାନ୍ତେ ।ଏପରିକି ଜୟପାଟଣା,ଧର୍ମଗଡ ଓ କୋକସରା ବ୍ଲକର ସମସ୍ତ ପଞ୍ଚାୟତରେ LED ସାହାଯ୍ୟରେ ମୁଖ୍ୟମନ୍ତ୍ରୀ ଙ୍କ LIVE ପ୍ରୋଗ୍ରାମ ଦେଖେଇବା ପାଇଁ ବିଧାୟକ ଓ ସ୍ଥାନୀୟ ପ୍ରଶାସନିକ ବ୍ୟକ୍ତି ମାନଙ୍କୁ ନିୟୋଜିତ କରି ନ ଥାନ୍ତେ ।ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ, ପ୍ରକଳ୍ପ ଘୋଷଣା କରିବା ପାଇଁ କୋଟି କୋଟି ଟଙ୍କା ସରକାରୀ ଅର୍ଥ ବ୍ୟୟ କରିବା କେତେଦୂର ସମୀଚିନ ଆଲୋଚନା ସାପେକ୍ଷ ।ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ସରଳ ବିଜ୍ଞ ବ୍ୟକ୍ତିତ୍ୱ ଭାବେ ପରିଚିତ କିନ୍ତୁ କଳାହାଣ୍ଡି ଜିଲ୍ଲାରେ ପ୍ରକଳ୍ପ ଶୁଭ ଉଦଘାଟନ ବହୁ ଆଡମ୍ବରେ ଲଘୁକ୍ରିୟା ଓ କଳାହାଣ୍ଡି ଜିଲ୍ଲାର ସାଧାରଣ ମୌଳିକ ଅଧିକାର ରୁ ବଂଚିତ ମଣିଷଙ୍କ " କଟା ଘା ରେ ଚୂନ ଲଗେଇବା ସଦୃଶ " ପରି ଅନୁଭବ ହେଉଛି ।ରାଜନେତା, କ୍ଷମତାସୀନ ବ୍ୟକ୍ତି ବାସ୍ତବ ବାଦୀ ହେବା ପରିବର୍ତେ ପ୍ରତି ମୁହୂର୍ତ୍ତ ରେ ଭୋଟରଙ୍କ ସହ ଛଳନା ପୂର୍ଣ କାର୍ଯ୍ୟକଳାପ କରିବା ଆମ ମହାନ ସଂସ୍କୃତି, ପରମ୍ପରା ଓ ବିଶ୍ୱର ଶ୍ରେଷ୍ଠ ଗଣତନ୍ତ୍ର ରାଷ୍ଟ୍ର ର ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ବିପଦ ସଂକେତ ଅଟେ ।
ମହମ୍ମଦ ଅଲ୍ଲୀ,
ବରିଷ୍ଠ ସାମ୍ବାଦିକ ।
Post a Comment