//BREAKING//
Loading...

ଶୃତି ରେ ମୋ ଗାନ୍ଧୀ ଚୌକ


ମୋ ଶୃତି ରେ ଗାନ୍ଧୀ ଚୌକ ।
  ଆଜି ଭାଈ ଦେବେନ୍ଦ୍ର ବିଶି ଦ୍ୱାରା ସମ୍ବାଦ ରେ ପ୍ରକାଶିତ ଗାନ୍ଧୀ ଚୌକ ଉପରେ ଏକ ସୁନ୍ଦର ତଥ୍ୟ ଭିତ୍ତିକ ସମ୍ବାଦ ପ୍ରକାଶ ପାଇଛି ।ଯାହାକୁ ପଢି ବିଗତ ୬୦ ବର୍ଷ ର ଅନେକ ଶୃତି ମନେ ପଡୁଛି ।ଗାନ୍ଧିଚୌକ କୁ ଲାଗି ମୋ ବାପା ଙ୍କ ଟେଲରିଂ ଦୋକାନ ସେହି ଗୁପ୍ତା ଭବନ ନିର୍ମାଣ ପୂର୍ବରୁ ଥିଲା ।ଗୁପ୍ତା ଭବନ ନିର୍ମାଣ ଆରମ୍ଭ ହେବା ପରେ ଦୋକାନ ଟି ନିଜ ଘର ବଜ଼ାର ପଡା କୁ ନେଇଗଲେ ବାପା ।କିନ୍ତୁ ଗାନ୍ଧୀ ଚୌକ ସହ ମୋର କ୍ଷୀର -ନୀର ର ସମ୍ପର୍କ ।ଆଜିର ଦୁର୍ଗା ମନ୍ଦିର ସେତେ ବେଳେ ବସ ଅପେକ୍ଷାରେ ଥିବା ଲୋକଙ୍କ ଆଶ୍ରୟ ସ୍ଥଳି ଥାଏ ।ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣା ରେ ଯେତେ ବି ରାଜନୈତିକ ସଭା ହୁଏ ଗାନ୍ଧୀ ଚୌକର ସେହି ମଣ୍ଡପ ଭିତରେ ।ଏହି ମଞ୍ଚରୁ ବିଜୁ ବାବୁ, ନୀଳମଣି ରାଉତରାୟ, ବାଙ୍କ ବିହାରୀ ଦାସ, ଶ୍ରୀବଲ୍ଲଭ ପାଣିଗ୍ରାହୀ, ପାଟଣା ମହାରାଜା ସ୍ବର୍ଗତ ରାଜେନ୍ଦ୍ର ନାରାୟଣ ସିଂହଦେଓ, ନନ୍ଦିନୀ ଶତପଥୀ, ମହାରାଜା ପ୍ରତାପ କେଶରୀ ଦେଓ, ଙ୍କ ସମେତ ରାଜ୍ୟର ପ୍ରାୟ ସମସ୍ତ ଆଗଧାଡ଼ିର ରାଜନେତା ଙ୍କ ଭାଷଣ ଶୁଣିଛି ।ଗାନ୍ଧିଚୌକ ରେ କୌଣସି ନେତା ବା ଦଳର କାର୍ଯ୍ୟକ୍ରମ ହେଲେ ସମଗ୍ର ଜିଲ୍ଲାରେ ଚର୍ଚା ହୁଏ ।ମୁଁ ପ୍ରାୟ  ୧୦/୧୧ ବର୍ଷ ବୟସ ର ହୋଇ ଥାଏ । ଜିଲ୍ଲାରେ କଳାହାଣ୍ଡି ମହାରାଜାଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଦଳ ର ରାଜୁତି ।କଂଗ୍ରେସ, କିମ୍ବା ଅନ୍ୟ କୌଣସି ରାଜନୈତିକ ଦଳ ତରଫରୁ ସାଧାରଣ ସଭା ହେଲେ ଲୋକ ଟିକେ କମ ଭିଡ଼ ପରିଲକ୍ଷିତ ହୁଏ ।କିନ୍ତୁ କଳିଙ୍ଗ ବୀର ବିଜୁ ବାବୁ ଙ୍କ ସଭା କିନ୍ତୁ ନିଆରା ।ଦିନେ ବିଜୁ ବାବୁଙ୍କ ସଭା ଆରମ୍ଭ ହେବାର ଥାଏ ।ସଭା ଅନୁଷ୍ଠିତ ହେବାର ଥିଲେ ସହର ବାସୀ ଙ୍କୁ ଆଗୁଆ ସୂଚନା ମିଳିଯାଏ । ଦୈନିକ ବଜାର ପ୍ରବେଶ ପଥ ର ଡାହାଣ କଡ଼ରେ ଥିବା କିଶନ ଇଲେକ୍ଟ୍ରିକାଲ ଦୋକାନରେ ସକାଳୁ ମାଇକ୍ ଟେଷ୍ଟ ପ୍ରକ୍ରିୟା ଯାହାକି ଦିନ ଦୁଇଘଣ୍ଟା ଯାଏ ସମଗ୍ର ଗାନ୍ଧିଚୌକ କୁ କୋଳାହଳ କରିଦିଏ ।ବର୍ତମାନ ର ଦୁର୍ଗାମନ୍ଦିର ପେଣ୍ଡାଲ କୁ ବିଜୁ ବାବୁ ପ୍ରାୟ ସନ୍ଧ୍ୟା ୫ ଘଣ୍ଟା  ସମୟରେ   ଆସିଲେ ।ସେହି ସମୟରେ ଜିଲ୍ଲାର ବିଜୁ ବାବୁ ଙ୍କ ଅନ୍ତରଙ୍ଗ ସମ୍ମାନନୀୟ ବରିଷ୍ଠ ଆଇନଜୀବୀ ଗଙ୍ଗାଧର ହୋତା ଓ  ବିଜୁ ବାବୁଙ୍କ ସହ ଆସିଥିବା ରାଜ୍ୟ ସ୍ତରୀୟ ନେତା ଙ୍କ ବକ୍ତବ୍ୟ ସରିବା ବେଳକୁ ସନ୍ଧ୍ୟା ନଈ ଆସିଲା ।ବିଜୁ ବାବୁ ମାଇକ ସମ୍ମୁଖରେ ଛିଡା ହୋଇ ଭାଷଣ ଆରମ୍ଭ କଲେ ।ସେହି ସମୟରେ ମୁଁ ରାଜନୀତି ର କ ଖ ଗ ଜାଣି ନ ଥାଏ ।ହଟାତ ବର୍ତ୍ତମାନର ବାଳିକା ମଧ୍ୟ ଇଂରାଜୀ ବିଦ୍ୟାଳୟ ପରିସର ଭିତରୁ ପ୍ରବଳ ଟେକା ପଥର ମାଡ଼ ଆରମ୍ଭ ହୋଇ ଗଲା ।ବିଜୁ ପଟ୍ଟନାୟକ ଙ୍କ ସମ୍ମୁଖ ରେ ଏକ ସାଧାରଣ କାଠ ଟେବୁଲ ଉପରେ ଧଳା କପଡା କଭର ଉପରେ ଦୁଇ ଟି ପ୍ଲାଷ୍ଟିକ ବାଘ ସଜା ହୋଇ ଥାଏ ଯାହାକୁ ଚିପିଲେ ପେ ଶବ୍ଦ ହୁଏ ।ବିଜୁ ପଟ୍ଟନାୟକ ଙ୍କ ମୁଣ୍ଡରେ ଏକ ପଥର ଆସି ବାଜିଲା ମିଟିଂ ଭଣ୍ଡୁର କରିବା ପାଇଁ ରାଜନୈତିକ ଖେଳ ସଭା ସ୍ଥଳ ଛାଡି ଶ୍ରୋତା ଦୌଡ଼ିବାକୁ ଲାଗିଲେ ସେତେବେଳେ ମୁଁ ବାପାଙ୍କ ସହ ବର୍ତ୍ତମାନର ନିଉ ମେଡିକାଲ ଷ୍ଟୋର ପାଖରେ ଛିଡା ହୋଇ ଥାଏ ।ବିଜୁବାବୁ ପକେଟରୁ ରୁମାଲ ବାହାର କରି ମୁଣ୍ଡରେ ବାଜି ଥିବା ଆଘାତ ଉପରେ ରୁମାଲ ଚାପିଦେଇ ଓ ତାଙ୍କ ହାତଟି ଟେବୁଲ ଉପରେ ଥିବା ଖେଳନା ବାଘ ଉପରେ ବାଜି ପେ ଶବ୍ଦ ଶୁଭିଲା ।ବିଜୁ ବାବୁ କହିଲେ କିଛି ହେବ ନାହିଁ ମିଟିଂ ହେବ ଓ ସେହି ଖେଳନା ବାଘକୁ ହାତରେ ଧରି କହିଲେ ଯେଉଁ ମାନେ ଏ ପଥର ମାଡ଼ କରିଛନ୍ତି ସେମାନଙ୍କୁ ମୁଁ ଜାଣିଛି ସେମାନେ ଏହି ପ୍ଲାଷ୍ଟିକ ବାଘ ପରି କିଛି ଯୁବକଙ୍କୁ ପ୍ରଲୋଭନ ଦେଇ ମିଟିଂ ବନ୍ଦ ପାଇଁ ଉଦ୍ୟମ କିନ୍ତୁ ମିଟିଂ ହେବ କହି ବିଜୁ ବାବୁ ଦୀର୍ଘ ସମୟ ଧରି ଭାଷଣ ଦେଇଥିଲେ ଓ ସୁରୁଖୁରୁ ରେ ଭାଷଣ ସରିଥିଲା ।ସେହିପରି ସାମନ୍ତ ବାଦୀ ଶକ୍ତି ଙ୍କ ବିରୁଦ୍ଧରେ କଂଗ୍ରେସ ପକ୍ଷରୁ ନୂଆ ନୂଆ ଯୁବ ନେତା ପ୍ରବେଶ କରିଥାନ୍ତି ।ବଲାଙ୍ଗୀର ଇ କଳାହାଣ୍ଡିରେ ଶ୍ରୀଯୁକ୍ତ ଜଗନ୍ନାଥ ପଟ୍ଟନାୟକ ଯୁବ ନେତା ଭାବରେ ନେତୃତ୍ୱ  ନେଇଥିଲେ ।ତାଙ୍କ ସହ ମନମୋହନ ମାଥୁର, କୃଷ୍ଣ ଚନ୍ଦ୍ର ଯୋଶୀ, ହରି ମିଶ୍ର, ହାଇଦର ଦାଦା  ଙ୍କ ପରି ଯୁବକ ମାନେ ଏହି ଗାନ୍ଧୀ ଚୌକ ରୁ ନିଜ ଜୀବନର ଭାଷଣ ଆରମ୍ଭ କରିଥିଲେ । ଭାଷଣ ଲେଖିବା ପାଇଁ ପରଦା ପଛରେ ନାୟକ ଥିଲେ ମୋ ମାମୁଁ ବିଶିଷ୍ଟ କବି, କଳାହାଣ୍ଡି ଇତିହାସ ର ପ୍ରଥମ ଲେଖକ ମହାବୀର ସାଂସ୍କୃତିକ ଅନୁଷ୍ଠାନ ର ପ୍ରଥମ ପ୍ରତିଷ୍ଠାତା ସମ୍ପାଦକ ମହମ୍ମଦ ଅବଦୁଲ ସିଦ୍ଧିକ ।ଆମ ଦୋକାନ ସେତେବେଳେ ଆଜିର ପୁରୁଣା ମାଛ ବଜାର ଭିତରେ ।ସକାଳୁ ୯ ଘଣ୍ଟା ସମୟରେ ମାମୁଁ ଅଫିସ ଯିବା ପାଇଁ ଆସି ଆମ ଦୋକାନରେ ବସିବେ ଓ ଦଶ ପଇସା ଦେଇ କାନୁନଗୋ ଆଜ୍ଞା ଙ୍କ ବହି ଦୋକାନ ରୁ ଧଳା କାଗଜ ଆଣିବା ପାଇଁ କହିବେ ।ମୁଁ  ପାଖ ରାସ୍ତା କଡରେ ଥିବା ଦୋକାନରୁ କାଗଜ ଦଳେ ମାମୁଁ ଚାରି ଛ ପୃଷ୍ଠା ରେ କଣ ସବୁ ଲେଖିବେ ।ଲେଖି ସରିବା ପରେ  ବଜାର ଭିତରେ ଥିବା ମୀରା ରେଷ୍ଟୁରାଣ୍ଟ ରେ ଜଗନ୍ନାଥ ବାବୁ କୋ ଦେକେ ଆଓ କହିବେ ।ମୁଁ ସେହି ଲେଖା ନେଇ ମୀରା ରେଷ୍ଟୁରାଣ୍ଟ ରେ ଜଗନ୍ନାଥ ଆଜ୍ଞା  ଙ୍କୁ ଦେଇ ଆସିବି ।ରାସ୍ତା ରେ କିଛି ପଢିବାକୁ ବି ଚେଷ୍ଟା କରୁଥିଲି କିନ୍ତୁ କେବେ ବି ପୁରାଲେଖା ପଢି ପାରିନି ।ସନ୍ଧ୍ୟାରେ ଯୁବ କଂଗ୍ରେସ ପକ୍ଷରୁ ସଭା ହୁଏ । ଜଗନ୍ନାଥ ଆଜ୍ଞା ଙ୍କ ବିପ୍ଲବୀ ଭାଷଣ ଶୁଣିବାକୁ ଓ କରତାଲି ଦେବାକୁ ପୁରା ଭିଡ ଥାଏ ଓ ଏହି ଭିଡ଼ ଭିତରେ ମୁଁ ମଧ୍ୟ ଥାଏ ।ଖୁସି ଲାଗେ ଯେ ସକାଳେ ମୋ ମାମୁଁ ଙ୍କ ଦ୍ୱାରା ଲିଖିତ ଭାଷଣ ଶୁଣୁଛି  ।ଆରଦିନ ମାମୁଁ ଆସିଲେ କହେ ଆପଣ ଯାହା ଲେଖିଥିଲେ ଟୁନୁ ବାବୁ ତାହାହିଁ କହିଲେ ।ମାମୁଁ ହସି ଦେଇ କହୁଥିଲେ ସେମାନେ ଆମ ଭବିଷ୍ୟତ ଓ କଳାହାଣ୍ଡିର ଅମୁଲ୍ୟ ସମ୍ପଦ ।ପରେ ସମଗ୍ର ଜିଲ୍ଲା କଂଗ୍ରେସ ମୟ ହୋଉ ଉଠିଲା ।ସେହି କଂଗ୍ରେସ ନେତା ମାନେ ପରବର୍ତୀ ସମୟରେ ରାଜ୍ୟ କ୍ଷମତା ରାଜନୀତି ରେ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।ପରିବର୍ତ୍ତନ ମୟ ସଂସାର ଭିତରେ ସୂର୍ଯ୍ୟ ଉଇଁବା ଯେତେ ସତ ଅସ୍ତ ହେବା ମଧ୍ୟ ସେତେ ସତ ।ଅଶୀ ଦଶକରେ ନୂତନ ଯୁବ ନେତୃତ୍ବର ଉଦୟ ହୁଏ ନା ଟି ତାର ଭକ୍ତ ଚରଣ ଦାସ ।ମହାନ କ୍ରାନ୍ତିକାରୀ ନେତା ଜୟ ପ୍ରକାଶ ନାରାୟଣ, ଚନ୍ଦ୍ର ଶେଖର, କିଷାନ ପଟ୍ଟନାୟକ ଙ୍କ ସାନିଧ୍ୟ ରେ ସର୍ବ ଭାରତୀୟ ଯୁବ ଛାତ୍ର ସଂଘର୍ଷ ବାହିନୀ ର  ଆବାହକ ଭାବରେ ନିଜର ରାଜନୈତିକ ଜୀବନ ଆରମ୍ଭ କରି ସେହି ଗାନ୍ଧୀ ଚୌକ ର ସଭା ମଣ୍ଡପରୁ ନିଜ କିଛି ସାଥି ଙ୍କ ସହ ସଭା କରି କ୍ରାନ୍ତି ଗୀତ ଗାଇ ସଭା ଆରମ୍ଭ କରିଥିଲେ ।ଏହାତ ରାଜନୀତି କଥା  ହେଲେ ସାମାଜିକ ସ୍ତରରେ ସହର ମଧ୍ୟରେ ସମସ୍ତ ଛୁଆ ଙ୍କୁ ପ୍ରାୟ ସମସ୍ତ ଘରେ ଜାଣୁଥିଲେ ।ଗାନ୍ଧୀଚୌକ ରେ ଯୋଗୀ ଓ ଫୁଲ ଚନ୍ଦ ଶର୍ମା ଙ୍କ ଚା ଦୋକାନ ହଉ କି, ହରଭଜନ ଙ୍କ ବରଫ ଆଇସ କ୍ରିମ ଦୋକାନ, ଖଗେ ଆଜ୍ଞା ଙ୍କ ଚାଟ ହଉ କି ବସିର ଏହେମଦ ଙ୍କ ପେନ ହସ୍ପିଟାଲ, ଚିଲପିଆ ଓ ପିଛାଡୁ ବାବା ଙ୍କ କୋଳାହଳ, ସ୍ଵୀପର ବୃନ୍ଦା ମାଆ ଙ୍କ ସ୍ନେହ, ଜଗଜୀବନ ବାବା ଧଳା ଫୁରୁଫୁରୁ ଧୋତି କୁର୍ତା ପିନ୍ଧା ମହ ମହ ଅତର ବାସ୍ନା ରେ ସମଗ୍ର ଅଞ୍ଚଳ ର ପରିବେଶରେ ନିଆରା ସ୍ଫୁର୍ତ୍ତି ସହ ଗଲାବେଳେ ଡାକି କି  ଏକଟଙ୍କା ଦଉଥିଲେ ଓ ହସି କି କହୁଥିଲେ " କିଷ୍କା ଛୋରା ସେଂ" ମୁଁ କହୁଥିଲି କୁନା କା ଛୋରା ଖୁସିରେ ପକେଟ ରୁ ଟଙ୍କାଟିଏ କାଢି ଦଉଥିଲେ ଓ ମୁଣ୍ଡ ଆଉଁସି ସ୍ନେହ କରୁଥିଲେ । 
            ଅନେକ ଶୃତି ଭରି ରହିଛି ହୃଦୟରେ ଅନେକ ପରିବର୍ତନ ଦେଖିଛି ୬୦ ବର୍ଷ ରେ ଅବହେଳିତ ହେଇଛି ଗାନ୍ଧିଚୌକ କିନ୍ତୁ ଗାନ୍ଧୀ ଚୌକ ତିଆରି କରିଛି ଅନେକ ଅମୃତ ସନ୍ତାନ ଯେଉଁମାନେ ସମୟ କ୍ରମେ ଜିଲ୍ଲା, ରାଜ୍ୟ ଓ ଦେଶ  ରେ ସୁନାମ ଅର୍ଜନ କରିଛନ୍ତି ।
        ସମୟ ମିଳିଲେ ଅନେକ ଶୃତି ପରସିବାକୁ ଚେଷ୍ଟା କରିବି । ଧନ୍ୟବାଦ ।
       ମହମ୍ମଦ ଅଲ୍ଲୀ, ବରିଷ୍ଠ ସାମ୍ବାଦିକ ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe