ଆଜି ବିଶ୍ୱ ପଖାଳ ଦିବସ ଅବସରରେ ସମସ୍ତ ଓଡ଼ିଆ ଭାଈ ଓ ଭଉଣୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଆମ ପାରମ୍ପରିକ ଖାଦ୍ୟ ପଖାଳ ସମ୍ପର୍କରେ କିଛି ରୋଚକ ବିଷୟ ଲେଖିବା ପାଇଁ ପ୍ରୟାସ କରିଛି ।ଆମ ରାଜ୍ୟ ଓଡିଶା ର ପୁର ପଲ୍ଲୀ ରେ ପଖାଳ ଏକ ପାରମ୍ପରିକ ନୀତି ଦିନିଆ ଖାଦ୍ୟ ।ବିଶେଷ କରି ଓଡ଼ିଶାର ଗ୍ରାମାଞ୍ଚଳରେ ରହୁଥିବା ୮୫% ଲୋକଙ୍କ ଅତି ପ୍ରିୟ ଖାଦ୍ୟ ଅଟେ ପଖାଳ ।ଗ୍ରାମାଞ୍ଚଳ ଗରୀବ ଖଟିଖିଆ ମହେନତି ପରିବାର ଙ୍କ ପାଇଁ ଏହା ଅତ୍ୟନ୍ତ ପ୍ରିୟ । ପଖାଳ ଏପରି ଏକ ସୁସ୍ୱାଦୁ ଖାଦ୍ୟ ତାକୁ ଅତ୍ୟନ୍ତ ଗରୀବ ରୁ ଗରୀବ ପରିବାର ଓ ଧନୀରୁ ଧନୀ ପରିବାର ନୀତିଦିନ ଖାଇବାକୁ ପସନ୍ଦ କରନ୍ତି ।ଆମ ଜଗତର ନାଥ ଙ୍କ ପାଖରେମଧ୍ୟ ଦହି ପଖାଳ ଲାଗି ହୁଏ ।ପଶ୍ଚିମ ଓଡିଶା ହଉ କି ଉପକୂଳ ଓଡ଼ିଶା, ଦକ୍ଷିଣ ଓଡିଶା କି ପୂର୍ବ ଓଡିଶା ରାତି ର ବଳକା ଭାତ ରେପାଣି ଓ ତୋରାଣି ମିଶା ଭାତ ( ପଖାଳ ) କୁ ଏକ କଁଶା ବାସନ ରେ ବାଢି ସେଇଠି ସ୍ୱାଦ ଅନୁସାରେ ଲୁଣ, କଞ୍ଚା ଲଙ୍କା ଓ କଟା ପିଆଜ ମିଶେଇ ଚକଟି ଦେଇ ଖାଈ ଥାନ୍ତି ଓ ତୋରାଣି କୁ ପାଣି ବଦଳରେ ପିଇ ଦେଇ ଘରୁ ବାହାରି ଥାଆନ୍ତି ।ବିଶେଷ କରି ଖରା ଦିନରେ ପ୍ରବଳ ଗରମ ରୁ ଶରୀର କୁ ଥଣ୍ଡା କରିବା ପାଇଁ ଏହି ପଖାଳ ତୋରାଣି ଅତ୍ୟନ୍ତ ଲାଭ ଦାୟକ ଅଟେ ।ପରବର୍ତୀ ସମୟରେ ଏହି ପଖାଳ ସହ ଗ୍ରାମାଞ୍ଚଳରେ ଶୁଖୁଆ ମାଛ ପୋଡା, ବଡ଼ିଚୁରା, ହଣ୍ଡୁଆ ସହ ପୋଡା ଚୁନିମାଛ ଭଜା, ବାଇଗଣ ଭରତା ଓ ଭଜା, ସଜନା ଛୁଇଁ ଭଜା, ଅନେକ ପ୍ରକାର ଶାଗ ଭଜା ଆଳୁ ଭଜା,ଚଣା ଭଜା, ଟମାଟୋ ପୋଡା ଚଟଣି, ଲାଲଲଙ୍କା ପୋଡା ଚଟଣି, କଞ୍ଚାଳଙ୍କା ଧନିଆପତ୍ର ମିଶା ଚଟଣି ସହ ଅନେକ ପ୍ରକାର ଭଜା ଓ ମାଛ ଭଜା ସହ ରକମ--ରକମର ସୁସ୍ୱାଦୁ ଭଜା ସହ ଖାଇଥାନ୍ତି ।ଆଜି ଏହି ପଖାଳ କୁ ସହରାଞ୍ଚଳରେ ବସବାସ କରୁଥିବା ସହରୀ ସଭ୍ୟତା ରେ ଚାଲି ଚଳନ ଓ ଧନୀକ, ମଧ୍ୟବିତ୍ତ ପରିବାରରେ ପଖାଳ କୁ ସୌକିନ ଖାଦ୍ୟ ଭାବରେ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି ।ଏବେ ପଖାଳରେ ତୋରାଣି ସହ ଦହି ମିଶା ପଖାଳ ଅତ୍ୟନ୍ତ ସୁସ୍ୱାଦୁ ବ୍ୟଞ୍ଜନ ତ ହେଇଥିଲେ ମଧ୍ୟ ଓଡିଶା ର ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ଶ୍ରମଜୀବୀ ପରିବାର ଙ୍କ ପକ୍ଷେ ସମ୍ଭବ ନୁହେଁ ।ପଖାଳ ଏପରି ଏକ ସୁସ୍ୱାଦୁ ବ୍ୟଞ୍ଜନ ଯାହାକୁ ଯେ କୌଣସି ପରିବାର ପକ୍ଷେ ଗ୍ରହଣ କରିବା ସମ୍ଭବ ଅଟେ ।ଉସୁନା ଚାଉଳ ଭାତ ପଖାଳ ହଉ କି ଅରୁଆ ଚାଉଳ ପଖାଳ ହଉ କିମ୍ବା ଗ୍ରାମାଞ୍ଚଳରେ ମାଣ୍ଡିଆ ଯାଉ ମିଶା ପଖାଳ ହଉ ଯେ କୌଣସି ବ୍ୟକ୍ତି ଙ୍କ ପାଇଁ ଆକର୍ଷଣୀୟ ଖାଦ୍ୟ ହୋଇଛି ।ଅତୀତରେ ଗୁର୍ଜି , ଝାରି ଓ କୋଦୋ ଶସ୍ୟ ଚାଉଳ ରୁ ତିଆରି ପଖାଳ ଆଜି ଦିନରେ ସମସ୍ତଙ୍କ ପାଇଁ ଦେଖିବା କିମ୍ବା ଖାଇବା ଏକ ସ୍ୱପ୍ନ ଅଟେ ।ଏହି ପଖାଳ ଆଜି କାଳି ଗ୍ରାମାଞ୍ଚଳରେ ଘଞ୍ଚ ଜଙ୍ଗଲ ମଧ୍ୟରେ ବସବାସ କରୁଥିବା ଏ ମାଟିର ମଣିଷ ଆଦିବାସୀ ମାନଙ୍କ ଅତ୍ୟନ୍ତ ପ୍ରିୟ ଖାଦ୍ୟ ଅଟେ ।ସମୟର ଅବଶ୍ୟକତା ଅନୁଯାୟୀ ଆଜି ପଖାଳ ତିଆରି ରେ ଅନେକ ପରମ୍ପରା କୁ ଛାଡି ନୂଆ ନୂଆ ଉପାୟରେ ପଖାଳ ରନ୍ଧା ଯାଉଛି ।ଏ ପରିକି ଘରେ ଡାଲି କିମ୍ବା କୌଣସି ତରକାରୀ ନ ଥିଲେ ଗରମ ଲୁଣ ମିଶା ତୋରାଣି ପଖାଳ ଖାଦ୍ୟ ଛୋଟ ଛୋଟ ଛୁଆ ଠୁ ଆରମ୍ଭ କରି ସମସ୍ତଙ୍କ ପାଇଁ ପ୍ରିୟ ଖାଦ୍ୟ ଅଟେ ।ତେବେ ଓଡ଼ିଶାର ଏହି ପାରମ୍ପରିକ ଖାଦ୍ୟ ସ୍ବାଦ କୁ ପରିବର୍ତ୍ତନ ଆଣିବା ପାଇଁ କିଛି ଲୋକଙ୍କ ପ୍ରୟାସ ଦୁଃଖ ଦାୟକ ଅଟେ ।ଓଡିଶା ମାଟିର ଏହି ପାରମ୍ପରିକ ଖାଦ୍ୟ କୁ ଆଜି ଦେଶ ବିଦେଶରେ ଅନେକ ଖାଦ୍ୟ ପ୍ରେମୀ ଗ୍ରହଣ କରିବା ଶୁଣିଲେ ଜଣେ ଓଡ଼ିଆ ଭାବରେ ନିଜ ଭିତରେ ଗର୍ବ ଅନୁଭବ ହୁଏ।
ଆସନ୍ତୁ ଆମ ପାରମ୍ପରିକ ଖାଦ୍ୟ ପଖାଳ, ଗରିବ ଖଟିଖିଆ ମଣିଷ ଙ୍କ ପ୍ରିୟ ଖାଦ୍ୟ ପଖାଳ କୁ ବିଶ୍ୱବାସୀଙ୍କ ପ୍ରିୟ ଖାଦ୍ୟ ରୂପେ ଗ୍ରହଣ କରିବା ପାଇଁ ଉଦ୍ୟମ କରିବା ।
ଧନ୍ୟବାଦ ।
ମହମ୍ମଦ ଅଲ୍ଲୀ,
ବରିଷ୍ଠ ସାମ୍ବାଦିକ ।
Post a Comment