ଦେଖୁ ଦେଖୁ ଗୋଟେ ବର୍ଷ ବିତିଗଲା ।କଳାହାଣ୍ଡି ରଙ୍ଗମଞ୍ଚ ଓ ଚଳଚ୍ଚିତ୍ର ଜଗତର ପ୍ରବାଦ ପୁରୁଷ ସ୍ୱର୍ଗତ ବଦ୍ରି ନାରାୟଣ ମହାପାତ୍ର ଆଜ୍ଞା କେବଳ କଳାହାଣ୍ଡି ଜିଲ୍ଲାର କିଛି ଲୋକଙ୍କ ହ୍ରୁଦୟ ଭିତରେ ଚିରଦିନ କେବଳ ଶ୍ରୁତି ହୋଈ ରହିଗଲେ । ଜୀବନ କାଳ ରେ ନାଟକ, କ୍ରୀଡା ଓ ଚଳଚ୍ଚିତ୍ର ଜଗତର ଜଣେ ସଂଘର୍ଷ ଶିଲ ବ୍ୟକ୍ତିତ୍ଵ ଏବଂ ଜଣେ ନିଷ୍କପଟ ସରଳ ମଣିଷ, ପରକୁ ଆପଣା କରିବାରେ ଧୁରନ୍ଧର ବିନ୍ଧାଣି ଙ୍କ ଆଜି ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ।"ପ୍ରାଣୀଙ୍କ ଭଲମନ୍ଦ ବାଣୀ ମରଣ କାଳେ ତାହା ଜାଣି"--ଏହି ଉକ୍ତିର ସତ୍ୟତା ଚିରନ୍ତନ ସତ୍ୟ ।କଳାହାଣ୍ଡି ଜିଲ୍ଲାର ମୁଖ୍ୟସହର ଭବାନୀପାଟଣା ର ମନ୍ଦାର ବଗିଚା ପଡା(ପୁରୁଣା ସିନେମା ହଲ ପଡା ) ଜିଲ୍ଲା କାହିଁକି ସମଗ୍ର ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ରହିଛି ।କ୍ରୀଡା, ନାଟକ, ସଙ୍ଗୀତ ଓ ସଂସ୍କୃତିର ଏନ୍ତୁଡ଼ିଶାଲ କହିଲେ ଅତ୍ୟୁକ୍ତି ହେବନାହିଁ ।ଏହି ପଡା ଭିତରେ ଜନ୍ମିତ ବ୍ୟକ୍ତି ନିଶ୍ଚିତ ଭାବରେ ଜଣେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ।ପୁରୁଣା ସିନେମା ହଲ ଛକକୁ ଚାଲିଗଲେ କେବଳ କଳା, ସଂସ୍କୃତି, ନାଟକ, ଚଳଚିତ୍ର , କ୍ରୀଡା ଓ ସଙ୍ଗୀତ ର ଚର୍ଚ୍ଚା ହୁଏ ।ଅନେକ ଯୋଗଜନ୍ମା ବ୍ୟକ୍ତିତ୍ୱ ଏହି ମନ୍ଦାର ବଗିଚା ପଡାରେ ଜନ୍ମ ଗ୍ରହଣ କରି ରାଜ୍ୟ ଓ ଦେଶରେ ନିଜର ବ୍ୟକ୍ତିତ୍ୱର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ସେ, ମହାପାତ୍ର, ରଥ କିମ୍ବା ଷଢଙ୍ଗୀ ପରିବାର ର ସଦସ୍ୟ ହୋଇଥାନ୍ତୁ ।ସମସ୍ତେ ଜଣେ ଜଣେ ବିରଳ ବ୍ୟକ୍ତିତ୍ୱ ।କଳା ସାଧନା ରେ ଅଦମ୍ୟ ଇଛା ଓ ଆଜନ୍ମ ଜଣେ କଳାକାର ଭାବରେ ସମସ୍ତଙ୍କ ସ୍ୱତନ୍ତ୍ର ପରିଚୟ ରହିଛି ।ସେମାନଙ୍କ ମଧ୍ୟରୁ ଚିର ସ୍ମରଣୀୟ ସ୍ବର୍ଗତ ବଦ୍ରୀ ନାରାୟଣ ମହାପାତ୍ର ଆଜ୍ଞା ଙ୍କ ବହୁମୁଖୀ ପ୍ରତିଭା, ଆକର୍ଷଣୀୟ, ସୌମ୍ୟ ବ୍ୟକ୍ତିତ୍ୱ ହୃଷ୍ଟପୂଷ୍ଠ ଗୋରା ତକ ତକ ହସ ହସ ମୁଖ ମଣ୍ଡଳ କୁ ଯିଏ ବି ଥରେ ଦେଖିଛି ଭୁଲିବା ଅସମ୍ଭବ ।ଥରେ ସାମ୍ନା ସାମ୍ନି ହେଲେ ଆଖି ଭିତର ଦେଇ ହୃଦୟ ଭିତରେ ଏକ ସ୍ୱତନ୍ତ୍ର ସ୍ଥାନ ନିଜ ପାଇଁ ସଂରକ୍ଷିତ କରି ନିଅନ୍ତି ।ପିଲାଟି ଦିନରୁ ବଦ୍ରୀ ଆଜ୍ଞା ଙ୍କୁ ଦୂରରୁ ଦେଖିବା ସହ ବୟସ ବଢ଼ିବା ସହ ଅତି ନିକଟରୁ ଦେଖିବାକୁ ସୁଯୋଗ ପାଇଛି ।୬୦ ଦଶକରେ ସହରରେ କମ ଜନସଂଖ୍ୟା ହେଲେ ମଧ୍ୟ ଦଶହରା, ମା ମାଣିକେଶ୍ୱରୀ ଙ୍କ ଛତର ଯାତ୍ରା ହଉ ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ କରିବା ପାଇଁ ହୋମଗାର୍ଡ କମାଣ୍ଡର ସମ୍ପୂର୍ଣ ପୋଲିସ ପୋଷାକରେ ହୁଇସିଲ ଧରି ଅନାୟାସରେ ଭିଡ଼କୁ ନିୟନ୍ତ୍ରିତ କରି ଦଉ ଥିଲେ ବଦ୍ରୀ ଆଜ୍ଞା ।ସୁନ୍ଦର , ଉଚ୍ଚ, ଗୋରା, ଓ ସୌମ୍ୟ ଆକର୍ଷଣୀୟ ହସ ହସ ଚେହେରା କୁ ଭିଡ଼ ଭିତରେ ଦେଖିବା ଏକ ସୁଖଦ ଅନୁଭୂତି ।ସେ ସମୟରେ ହିନ୍ଦୀ ସିନେମାରେ ଧର୍ମେନ୍ଦ୍ର ଙ୍କ ଲୋକପ୍ରିୟତା ବଢି ଥାଏ ।ଆମେ ଛୋଟ ଛୋଟ ଛୁଆ ଆଜ୍ଞାଙ୍କୁ ଦେଖିଲେ ହିନ୍ଦୀ ଚଳଚିତ୍ର ର ଧର୍ମେନ୍ଦ୍ର ଙ୍କୁ ଦେଖିବା ଭଳି ଲାଗୁଥାଏ ।କାଳକ୍ରମେ ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମ କୁ ଫୁଟବଳ ଖେଳ ଦେଖିବାକୁ ଯିବା ସହର ବାସୀ ଙ୍କ ଏକ ନିଶା ଥିଲା ।ମୁଁ ବି ନିୟମିତ ସ୍କୁଲ ଛୁଟି ପରେ ଦୌଡୁ ଥିଲି ଫୁଟବଳ ଖେଳ ଦେଖିବାକୁ ।ଖେଳ ଆରମ୍ଭ ପୂର୍ବରୁ ଯାଇ ଷ୍ଟାଡିୟମ ର ଘାସ ପଡ଼ିଆ ର ଦ୍ଵିତୀୟ ଲାଇନ କୁ ଲାଗି ତଳେ ବସି ତାଳି ମାରିବାକୁ ପ୍ରସ୍ତୁତ ହୋଇ ଥାଉ କେତେବେଳେ ଖେଳ ଆରମ୍ଭ ହେବ ।ରେଫରି ଙ୍କ ହ୍ବିସିଲ ବାଜିଲେ ଉଭୟ ପକ୍ଷ ଖେଳାଳି ଙ୍କ ପଡ଼ିଆ ଭିତରକୁ ପ୍ରବେଶ ସମୟରେ ଆମେ ସମସ୍ତେ ଦର୍ଶକ ଛୋଟ ଛୋଟ ବାଳକ ମାନେ ପୁରାଦମ ରେ ତାଳି ମାରି ସ୍ୱାଗତ କରୁଥାଉ ।ବଦ୍ରୀ ଆଜ୍ଞା ଗୋଲ କିପର ଭାବରେ ଛାତିରେ ଦୁଇ ହାତରେ ଫୁଟବଳ ଧରି ପଡିଆକୁ ପ୍ରଣାମ କରି ପ୍ରଥମେ ନିଜ ଫୁଟବଳ ଦଳର ସହ ଲାଇନରେ ପ୍ରବେଶ କରିବା ଓ ଖେଳାଳି ପରିଚୟ ସମୟରେ ସବୁଠୁ ଉଚ୍ଚ, ଆକର୍ଷଣୀୟ ଫୁଟବଳ ଖେଳାଳି ଭାବେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରି ପାରୁ ଥିଲେ ।ଖେଳରୁ ଅବସର ଗ୍ରହଣ ପରେ କିନ୍ତୁ ଖେଳପଡ଼ିଆ ବଦ୍ରୀ ଆଜ୍ଞା ଙ୍କୁ ଛାଡି ନ ଥିଲା ।ଫୁଟବଳ ଖେଳ ପରିଚାଳକ ବା ରେଫରି ଭାବରେ ଅନେକ ବର୍ଷ ଧରି ଜିଲ୍ଲା ସ୍ତରୀୟ ଓ ରାଜ୍ୟ ସ୍ତରୀୟ ଫୁଟବଳ ଖେଳ ଅତି ଶୃଙ୍ଖଳିତ ଓ ଚମତ୍କାର ଭାବରେ ପରିଚାଳନା କରି ଦର୍ଶକ ଓ ଖେଳାଳି ଙ୍କ ହୃଦୟ ଜିଣି ପାରିଥିଲେ ।ପିଲାଟି ଦିନରୁ ମହାନ ଲେଖକ, ନିର୍ଦେଶକ, ଅଭିନେତା, ଅନେକ କାଳଜୟୀ ନାଟକର ସ୍ରଷ୍ଟା ନାଟ୍ୟରଶ୍ମୀ ସ୍ବର୍ଗତ ପ୍ରଫୁଲ୍ଲ କୁମାର ରଥ ଙ୍କ ଅତ୍ୟନ୍ତ ପ୍ରିୟ ଅଭିନେତା ଓ ମୁଖ୍ୟ ଚରିତ୍ର ଭାବରେ ବଦ୍ରୀ ଆଜ୍ଞା ହିଁ ସବୁଠୁ ଆଗରେ ଥିଲେ ।ନାଟ୍ୟରଶ୍ମୀ ପ୍ରଫୁଲ୍ଲ କୁମାର ରଥ ଙ୍କ ଅତ୍ୟନ୍ତ ସହଯୋଗୀ, ଏହି ମହାନ କଳାକାର ଶତାଧିକ ନାଟକ ଓ ଓଡ଼ିଆ ଚଳଚ୍ଚିତ୍ର ସମର୍ପଣ, ପଳାତକ, ଜନ୍ମଦାତା ସମେତ ବେତାର ନାଟକ , ଦୂରଦର୍ଶନ ରେ ଅଭିନୟ କରି ରାଜ୍ୟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ ।ମିଷ୍ଟଭାସି, କଳା ପ୍ରତି ସମର୍ପିତ ଜଣେ ଆଗ ଧାଡ଼ିର କଳାକାର ଙ୍କ ନମ୍ର ସ୍ଵଭାଵ ଓ ମୁହଁ ରେ ରଙ୍ଗ ବୋଲି ଦେଇ ମଞ୍ଚ ଭିତରେ ଚରିତ୍ର ଭିତରେ ବୁଡି ଯାଉଥିବା ଏହି ମହାନ କଳାକାର ଙ୍କ ସହ ମଧ୍ୟ ମୁଁ ପରଦା ପଛରେ ହଉ କି ଓଡ଼ିଆ ଚଳଚ୍ଚିତ୍ର ପଳାତକ ର ସୁଟିଂ ସେଟ ରେ ହଉ ଅନେକ ଦିନ ଓ ରାତି ଅତି ନିକଟରୁ ଦେଖିଛି ।
ପଳାତକ ଚଳଚିତ୍ର ଆରମ୍ଭ ସମୟରେ ମୁଁ ମାତ୍ର ୧୭ ବର୍ଷ ବୟସର ହୋଇ ଥାଏ ।ପିଲାଟି ଦିନରୁ ପାଠ ପଢିବା ସହ ବାପା ଙ୍କ ଟେଲର ଦୋକାନରେ ନିଜ ସଉକ ପାଇଁ ଶିଖୁ ଶିଖୁ ଶିଖିଗଲି ଟେଲର କାମ ଯାହାକି ମୋ ପାଇଁ ଏକ ନିଶା ରେ ପରିଣତ ହେଲା ।ପ୍ରତ୍ୟେକ ଦିନ ବନ୍ଧୁ ମାନଙ୍କ ସହ ସେକେଣ୍ଡ ଶୋ ସିନେମା ଦେଖିବା ଓ ପରବର୍ତୀ ସମୟରେ ଚଳଚିତ୍ର ରୁ ପ୍ରେରଣା ପାଇ କିଛି ନୂଆ ନୂଆ ଷ୍ଟାଇଲ ର ଲେଡିସ ଓ ଜେଣ୍ଟସ ଡ୍ରେସ ତିଆରି କରିବା ନିଶା ହୋଇଗଲା ।ଯୁବ ଗୋଷ୍ଠୀ ମଧ୍ୟ ନୂଆ ନୂଆ ଷ୍ଟାଇଲ ର ଡ୍ରେସ ତିଆରି କରିବା ପାଇଁ ମତେ ଖୋଜୁ ଥିଲେ ।ମୁଁ ନିୟମିତ ସ୍କୁଲ ଓ କଲେଜ ସମୟ ଛାଡି ଦୋକାନରେ ରାତି ସାରା ଅନିଦ୍ରା ରହି ନିଜର କେବଳ ସଉକ ମେଣ୍ଟାଉ ଥାଏ ।ନାଟ୍ୟରଶ୍ମୀ ପ୍ରଫୁଲ୍ଲ ରଥ ଙ୍କ ଯେ କୌଣସି ନାଟକ ପରିବେଷଣ ର ଅନେକ ପୂର୍ବରୁ ସିନେମହଲ ଛକ ଓ ଗାନ୍ଧୀ ଚୌକ ରେ ବିରାଟ ବିରାଟ ନାଟକର ହୋଡିଂ ଲାଗୁଥାଏ ।ସେ ସମୟରେ ଆଜିକାଲି ଭଳି ଫ୍ଲେକ୍ସ ବେନର ନ ଥିଲା ।ବିଖ୍ୟାତ ରଙ୍ଗ ତୁଳି ର ଯାଦୁଗର ସ୍ବର୍ଗତ ରଘୁନାଥ କୁମାର ଙ୍କ ଦ୍ଵାରା ପ୍ରସ୍ତୁତ ହୋଡିଂ ରେ ନାଟକର ଅଭିନେତା ଓ ଅଭିନେତ୍ରୀ ମାନଙ୍କ ଫୋଟୋ ଏତେ ଜୀବନ୍ତ ଥିଲା ଯେ , ହୋଡିଂ ଦେଖିବାକୁ ଭିଡ଼ ଲାଗି ରହୁଥାଏ ।ପଳାତକ ଚଳଚିତ୍ର ର ସମସ୍ତ କଳାକାର ମାନଙ୍କ ଡ୍ରେସ ଡ଼ିଜାଇନିଂ ଓ ପ୍ରସ୍ତୁତି କରିବା ର ସୁଯୋଗ ମୁ ପାଇଥିଲି ମାତ୍ର ୧୭ ବର୍ଷ ବୟସରେ ।ଅନେକ ବାଧାବିଘ୍ନ ସତ୍ୱେ ଚଳଚିତ୍ର ର ପୋଷାକ ଦର୍ଶକଙ୍କୁ ଅନେକ ଆକର୍ଷିତ କରି ପାରି ଥିଲା ।ନାଟ୍ୟରଶ୍ମୀ ପ୍ରଫୁଲ୍ଲ କୁମାର ରଥ ମୋ ପ୍ରତିଭା ରେ ଖୁସି ହୋଇ ଚଳଚିତ୍ରର କାଷ୍ଟିଂ ସମୟରେ ସ୍ୱତନ୍ତ୍ର ଭାବରେ ମୋ ନାଆଁ ଦେଇ ଭେଟି ଦେଇ ଥିଲେ ।ପଳାତକ ଚଳଚିତ୍ର ରେ ଅନେକ ନୂତନତା ଥିଲା ।ବଦ୍ରୀ ଆଜ୍ଞା ଙ୍କ ଓ ସ୍ବର୍ଗତ ମହାନ କଳାକାର ବିଶ୍ୱ ମିଶ୍ର ଆଜ୍ଞା ଙ୍କ ମୁଖ୍ୟ ଭୂମିକା ଥିଲା ।ଚଳଚିତ୍ର ର ଭୂମିକା କୁ ନେଇ ମୁଁ ବଦ୍ରୀ ଆଜ୍ଞା ଙ୍କ ସେହି ମୋ ସ୍ୱପ୍ନର ହି - ମେନ ଭାବରେ ତାଙ୍କ ଗେଟ-ଅପ କରିଥିଲି ।ମୂଳ ରୁ ଶେଷ ଯାଏ ସୁନାମଧନ୍ୟ ଅଭିନେତା ସ୍ବର୍ଗତ ରାମଚନ୍ଦ୍ର ପ୍ରତିହାରୀ, ସୁଜାତା ଆନନ୍ଦ, ମହାଶ୍ୱେତା ରାୟ ଙ୍କ ସାନିଧ୍ୟ ପାଇବାର ମୁଁ ସୁଯୋଗ ପାଇଛି ।ଓଡ଼ିଆ ଚଳଚ୍ଚିତ୍ର ଜଗତରେ ସିନେମାରେ ମୁଖ୍ୟ ଅଭିନେତ୍ରୀ ନିଜ ସଂସ୍କୃତି ବାହାରେ ଜିନ୍ସ ଜାକେଟ ପିନ୍ଧି ଅଭିନୟ କରିବା ଏକ ବିରଳ ପ୍ରୟୋଗ ଥିଲା ।କହିବାକୁ ଗଲେ ଓଡ଼ିଶାର ଓଡ଼ିଆ ଚଳଚିତ୍ରରେ ହିରୋଇନ କୁ ଜିନ୍ସ ଓ ଜାକେଟ ପିନ୍ଧେଇବା ଶ୍ରେୟ ମୋ ପରି ଜଣେ ଅନାମଧ୍ୟେୟ ବ୍ୟକ୍ତି ପାଇ ପାରିଛି ତାହା ମୋ ପାଇଁ ଗର୍ବର ବିଷୟ ।ମୁଁ ଓଡ଼ିଆ ଚଳଚ୍ଚିତ୍ର ର କସଟିୟୁମ ଡିଜାଇନ କରିବାର ୪୪ ବର୍ଷ ଅତିକ୍ରମ କରି ସାରିଛି ହେଲେ ପଶ୍ଚିମ ଓଡ଼ିଶାରେ ଆଉ କେହି ଓଡ଼ିଆ ଚଳଚ୍ଚିତ୍ର ପାଇଁ ଡ୍ରେସ ଡ଼ିଜାଇନିଂ କରି ନାହାନ୍ତି ।ଆଜି କାଲି ରେଡିମେଡ ଯୁଗରେ ସବୁ ଉପଲବ୍ଧ ହେଲେ ସେ ସମୟରେ ପ୍ରାୟ ସମସ୍ତ ଡ୍ରେସ ତିଆରି ସହ କଲର ଚୟନ ଓ ଚରିତ୍ର ଅନୁଯାୟୀ କଳାକାର ର ଗେଟ- ଅପ ପାଇଁ ନିର୍ଦେଶକନାଟ୍ୟରଶ୍ମୀ ପ୍ରଫୁଲ୍ଲ ରଥ ଆଜ୍ଞା କେମେରା ମ୍ୟାନ ସି, ନାଗରାଜ ଯିଏକି ରାୟଗଡା ଜିଲ୍ଲା ର ଗୁଣପୁର ବାସିନ୍ଦା ଓ ସମ୍ପ୍ରତି ଦକ୍ଷିଣ ଚଳଚିତ୍ର ଜଗତର ଆଗଧାଡ଼ିର କେମେରା ମ୍ୟାନ , ଆର୍ଟ ଡ଼ାଇରେକ୍ଟର ସ୍ବର୍ଗତ ରଘୁନାଥ କୁମାର ମୋ ସହ ବସି ଆଲୋଚନା ଓ କଳାକାର ର ଭୂମିକା ରେ ଡ୍ରେସ ର ଆବଶ୍ୟକତା ଅନୁରୂପ ତିଆରି କରିବା ପାଇଁ ନିଷ୍ପତ୍ତି କରୁଥିଲେ ।ଡ୍ରେସ ତିଆରି କରି ମେକ ଅପ ପରେ ଡ୍ରେସ ପିନ୍ଧିବା ପରେ ଅଭିନୟ କରିବା ପାଇଁ ସମ୍ପୂର୍ଣ ପ୍ରସ୍ତୁତି ସରିଲେ ଡ଼ାଇରେକ୍ଟର ସୁଟିଂ ଆରମ୍ଭ କଲେ ଆମକୁ ଟିକେ ରେଷ୍ଟ ମିଳୁଥିଲା ।ବ୍ୟକ୍ତି ଗତ ଭାବରେ ବଦ୍ରୀ ଆଜ୍ଞା ମତେ ଅନେକ ସ୍ନେହ କରୁଥିଲେ ।ସିନେମା ସୁଟିଂ ସରିଯିବା ପରେ ମାଡ୍ରାସ ରେ ଥିବା ପଳାତକ କେମେରା ମ୍ୟାନ ମତେ ନିଜ ସହ ମାଡ୍ରାସ ଯାଇ ଦକ୍ଷିଣ ଚଳଚିତ୍ର ରେ ଡ୍ରେସ ଡ଼ିଜାଇନିଂ ପାଇଁ ଅନେକ ଥର ପ୍ରବର୍ତ୍ତାଇ ଥିଲେ ହେଲେ ଭବାନୀପାଟଣା ନିଜ ଜନ୍ମ ଭୂମି ପ୍ରତି କାହିଁକି କେଜାଣି ଏତେ ମମତା ଯେ ମୁଁ ଆଜିବି ଭବାନୀପାଟଣା ବାହାରେ ୪/୫ ଦିନ ରୁ ଅଧିକ ରହି ପାରେ ନାହିଁ ।ବଦ୍ରୀ ଆଜ୍ଞା ଙ୍କ ଭଳି ଜଣେ ସମ୍ପୂର୍ଣ ପରିପକ୍ୱ କଳାକାର, ଆଦର୍ଶ ବ୍ୟକ୍ତିତ୍ୱ, ନିଷ୍ଠାପର ସର୍ବଗୁଣ ସମ୍ପନ୍ନ ଯୋଗଜନ୍ମା କଳାହାଣ୍ଡି ଜିଲ୍ଲାର ରଙ୍ଗମଞ୍ଚ ଓ ଚଳଚିତ୍ର ନାଟକ ଦୁନିଆ ର ବେତାଜ ବାଦଶାହା ଯିଏ ନିଜର ପ୍ରତିଭା ବଳରେ ଜିଲ୍ଲା, ଓ ରାଜ୍ୟ ସ୍ତରରେ ଅନେକ ପୁରସ୍କାର ପାଇ ଏମାଟି କୁ ଧନ୍ୟ କରି ଛନ୍ତି ।କଳାହାଣ୍ଡି ର ଏହି ବରିଷ୍ଠ ଚଳଚିତ୍ର, ଟିଭି, ବେତାର ଓ ମଞ୍ଚ ଅଭିନେତା, ନିର୍ଦେଶକ, ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ବିଜେତା, ଏହା ବ୍ୟତୀତ କଳା ସଂସ୍କୃତି ଅବଦାନ ନିମନ୍ତେ ତାଙ୍କୁ କଳାହାଣ୍ଡି ଉତ୍ସବ ରେ କଳାହାଣ୍ଡି ବରପୁତ୍ର ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ସେ କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ କଳାହାଣ୍ଡି ଲେଖକ କଳା ପରିଷଦ, କଳାହାଣ୍ଡି କଳାକାର ସଂଘ ର ସଭାପତି ଥିଲେ। ତାଙ୍କ ପରଲୋକରେ କଳାହାଣ୍ଡି କଳାକାର ସଙ୍ଘ, କଳାହାଣ୍ଡି ଲେଖକ କଳା ପରିଷଦ, ମହାବୀର ସାଂସ୍କୃତିକ ଅନୁଷ୍ଠାନ, ଜିଲ୍ଲା ସଂସ୍କୃତି ପରିଷଦ, କାରୁଣ୍ଡ କଳା କେନ୍ଦ୍ର, ପ୍ରତିଭାଅନୁଷ୍ଠାନ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । କଳାହାଣ୍ଡି ର ଜଣେ କ୍ରୀଡାବିତ, କ୍ରୀଡ଼ା ସଂଗଠକ ଭାବରେ କଳାହାଣ୍ଡିରେ ବେଶ ଜଣାଶୁଣା ଥିଲେ। ସେ କଳାହାଣ୍ଡି ର ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ କଳାହାଣ୍ଡି ଲେଖକ କଳା ପରିଷଦ, କଳାହାଣ୍ଡି କଳାକାର ସଂଘ ର ସଭାପତି ଥିଲେ। ତାଙ୍କର ବିୟୋଗରେ କଳାହାଣ୍ଡି ଜଣେ ବିଶିଷ୍ଟ କଳାକାର ଓ ସଂଘଠକ ଙ୍କୁ ହରାଇଲା। ତାଙ୍କର ପରଲୋକରେ କଳାହାଣ୍ଡି କଳାକାର ସଙ୍ଘ, କଳାହାଣ୍ଡି ଲେଖକ କଳା ପରିଷଦ, ମହାବୀର ସାଂସ୍କୃତିକ ଅନୁଷ୍ଠାନ, ଜିଲ୍ଲା ସଂସ୍କୃତି ପରିଷଦ, କାରୁଣ୍ଡ କଳା କେନ୍ଦ୍ର, ପ୍ରତିଭା ଅନୁଷ୍ଠାନ, କାରୁଣ୍ଡ କଳା ମଞ୍ଚ, ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ, ଜିଲ୍ଲା କ୍ରୀଡା ସଂସ୍ଥା ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ତାଙ୍କର ପରଲୋକରେ କଳାହାଣ୍ଡି କଳା ଜଗତରେ ଗଭୀର ଶୋକର ଛାୟା ଖେଳିଯାଇଛି। ଆଜି କିମ୍ବଦନ୍ତୀ ପୁରୁଷ ବଦ୍ରି ନାରାୟଣ ମହାପାତ୍ର ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଅଶ୍ରୁପୂର୍ଣ୍ଣ ଶ୍ରଦ୍ଧାଂଜଳି ଅର୍ପଣ କରୁଛି ।
ଆପଣ ଚିରଦିନ ପାଇଁ କଳାହାଣ୍ଡି ର ଶୁନ୍ୟ ଆକାଶ ର ଅମର ଆଖି ହୋଇ ଭବିଷ୍ୟତ ବଂଶଧର ଙ୍କୁ ଆଶୀର୍ବାଦ ଓ ପ୍ରେରଣା ର ଶ୍ରୋତହୋଇ ରହିଥିବେ ।
ଅଶ୍ରୁଳ ଓ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ ସହ
ମହମ୍ମଦ ଅଲ୍ଲୀ, ବରିଷ୍ଠସାମ୍ବାଦିକ , କଳାହାଣ୍ଡି ।
Post a Comment