ଗଣମାଧ୍ୟମ ଗଣତନ୍ତ୍ର ର ଚତୁର୍ଥସ୍ତମ୍ଭ ଆଜି ଦୁର୍ଦ୍ଧିନରେ ।ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ଆଜି ବିପର୍ଯ୍ୟସ୍ତ ହୋଇପଡିଛି। ଏହା ଠିକ କି ଭୁଲ ତାହା ଉପରେ ନିଜର ମତ ପ୍ରକାଶ କରିବାକୁ ଏକ ଆନ୍ତରିକ ଉଦ୍ୟମ କରିଛି। ଆଜି ଦେଶର ଅବସ୍ଥା କିପରି ଅଛି ସମସ୍ତ ଦେଶବାସୀଙ୍କୁ ଜଣା। କିନ୍ତୁ ଦେଶର ଗଣମାଧ୍ୟମ ସହିତ ଜଡିତ ଲୋକଙ୍କ ଅବସ୍ଥା କ’ଣ, ବୋଧହୁଏ ସାଧାରଣ ଲୋକ ଜାଣନ୍ତି ନାହିଁ |ଏଣୁ ସାମ୍ପ୍ରତିକ ପରିସ୍ଥିତି ରେ ବିଶ୍ୱର ମହାନ ଗଣତନ୍ତ୍ର ରାଷ୍ଟ୍ର ଭାରତ ଦେଶ ରେ ସରକାର, ପ୍ରଶାସନ, ନ୍ୟାୟପାଳିକା ଓ ଗଣ ମାଧ୍ୟମ ସମସ୍ତେ ସମସ୍ତଙ୍କ ପରିପୁରକ ।ଗଣମାଧ୍ୟମ ଦେଶରେ ଦାୟିତ୍ୱବାନ ଜାଗ୍ରତ ପ୍ରହରୀ ସଦୃଶ କିନ୍ତୁ ଆଜିର ଦିନରେ ଗଣମାଧ୍ୟମ ର ସ୍ଥିତି ଏତେ ସାଙ୍ଘାତିକ ଯେ, ତାଙ୍କ ଉପରେ ଯେତେ ଅତ୍ୟାଚର ହେଲେ ମଧ୍ୟ ସତେ ଯେପରି ସ୍ୱର ଉତ୍ତୋଳନ କରିବା କ୍ଷମତା ହରେଇ ବସିଛି ଓ ଗୁଳାମି ର ଶିକୁଳୀ ରେ ଏଇମିତି ବାନ୍ଧି ହେଇଛି ସତେ ଯେପରି ସେ ଶିକୁଳୀ ଛିଣ୍ଡେଇବାକୁ ଗଣ ମାଧ୍ୟମ ଅକ୍ଷମ ।ବିଗତ ସାତ ବର୍ଷ ମଧ୍ୟରେ ଗଣ ମାଧ୍ୟମ ପ୍ରତିନିଧି ଓ ଲେଖକ, ବୁଦ୍ଧିଜୀବୀ ମାନଙ୍କ ଉପରେ ଯେତେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଛି ତାହା ସ୍ୱାଧୀନ ଭାରତ ର 75 ବର୍ଷ ର ଇତିହାସ ମଧ୍ୟରେ ହେଇନାହିଁ ।
ଗଣମାଧ୍ୟମ ହେଉଛି ଗଣତନ୍ତ୍ର ର ଚତୁର୍ଥସ୍ତମ୍ଭ ।ସ୍ୱାଧୀନତାର ପଞ୍ଚସ୍ତରୀ ବର୍ଷ ମଧ୍ୟରେ ଦେଶରେ ନରେନ୍ଦ୍ର ମୋଦି ଙ୍କ ନେତୃତ୍ୱରେ ପରିଚାଳିତ ସରକାର (୨୦୧୪-୨୦୨୧)ଗଣ ମାଧ୍ୟମ ପ୍ରତି ଦୁର୍ଦ୍ଧିନ ଆଣି ଦେଇଛି ।ସମ୍ପ୍ରତି ଏହି ଚତୁର୍ଥ ସ୍ତମ୍ଭ ଉପରେ ଘନ ଘନ ଆକ୍ରମଣ ହେବା ଫଳରେ ଗଣତନ୍ତ୍ର ଦୁର୍ବଳ ହେବାରେ ଲାଗିଛି ଏବଂ ସରକାରଙ୍କ ଏକଛତ୍ରବାଦୀ ମାନସିକତା ରେ ବୃଦ୍ଧି ଘଟିଛି ।ସରକାରଙ୍କ ନୂଆ ସୂଚନା ଓ ପ୍ରଯୁକ୍ତି ଆଇନ- ୨୦୨୦ ରେ ଡିଜିଟାଲ ମିଡ଼ିଆ, ୱେବମିଡ଼ିଆ, ଓଭର ବି ଟପ ଓ ସୋସିଆଲ ମିଡ଼ିଆ ଉପରେ ଜାରି କରାଯାଇଥିବା ଗାଇଡ଼ ଲାଇନ ଗଣ ମାଧ୍ୟମର ସ୍ୱାଧୀନତା କୁ କ୍ଷୁର୍ଣ୍ଣ କରୁଥିବା ପରି ମନେ ହୁଏ ।ଏହା ଆନ୍ତର୍ଜାତୀୟ ଆଇନର ଉଲ୍ଲଘଂନ କରୁଛି ବୋଲି ନିକଟରେ ଜାତିସଙ୍ଘ ମନ୍ତବ୍ୟ ଦେବା ସହ ଭାରତ ସରକାର ଏହାକୁ ପ୍ରତ୍ୟାହାର କରିବା ପାଇଁ ପରାମର୍ଶ ଦେଇଛନ୍ତି ।କିନ୍ତୁ ଭାରତ ସରକାର ଜାତିସଙ୍ଘ ର ପରାମର୍ଶ କୁ ଆଦୌ ଭ୍ରୁକ୍ଷେପ କରୁ ନାହାନ୍ତି ।ସରକାର ବ୍ରିଟିଶ ଅମଳ ର ଦେଶଦ୍ରୋହ ଦଫା କୁ କଥା କଥାକେ ଲାଗୁ କରି ଚାଲିଛନ୍ତି ।ସ୍ୱାଧୀନ ଭାରତରେ ଏତେ ସଂଖ୍ୟା ରେ ଦେଶଦ୍ରୋହ ମାମଲା କେବେ ହୋଇ ନ ଥିବା ବେଳେ ବିଗତ ସାତ ବର୍ଷ ମଧ୍ୟରେ ଏହା ଯେପରି ଭାବରେ ଲାଗୁ କରାଯାଉଛି ତାହା ଗଣତନ୍ତ୍ର ପ୍ରତି ବିପଦଜ୍ଜନକ ଅବସ୍ଥା ସୃଷ୍ଟି କରୁଛି ।ତଥାପି ମଧ୍ୟ ସରକାରୀ ଗୋଷ୍ଠୀ ରେ ଥିବା ମିଡ଼ିଆ ଗୋଷ୍ଠୀ ଆଜି ସମ୍ପୂର୍ଣ ନିରବ ।
ଦେଶର ଗଣ ମାଧ୍ୟମ ଆଜି ଦୁଇ ଭାଗରେ ବିଭକ୍ତ ।ସରକାରଙ୍କ ବିଭାଜନ ପଲିସି ଯୋଗୁଁ ଆଜି ଗୋଟିଏ ଗୋଷ୍ଠୀ ସରକାରଙ୍କ ଓ ସରକାରୀକଳ ଙ୍କ ଅନୁକମ୍ପା ଲାଭ କରି ନିରପେକ୍ଷତା ଓ କର୍ତବ୍ୟବୋଧ ଭୁଲି ଯାଇ ସରକାରଙ୍କ ଗେହ୍ଲା ପୁଅ ସାଜିଛନ୍ତି ।ଅନ୍ୟପକ୍ଷରେ ସରକାର ଙ୍କ ଦୋଷ ଦୁର୍ବଳତା ଓ ତ୍ରୁଟି କୁ ପ୍ରକାଶ କରୁଥିବା ଗଣମାଧ୍ୟମ ସରକାରଙ୍କ କୋପର ଶିକାର ହେଉଥିବା କାହାକୁ ଅଛପା ନାହିଁ ।ଉତ୍ତରପ୍ରଦେଶ ରେ ୪ ଜଣ ବ୍ୟକ୍ତି ଅବଦୁଲ ସମଦ କୁ ମାଡ଼ ମାରି ତାଙ୍କ ଦାଢ଼ି କାଟିଦେବା ସହ " ଜୟ ଶ୍ରୀରାମ" କହିବାକୁ ବାଧ୍ୟ କରିଥିଲେ ।ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ଫଳରେ ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର ସମେତ ୩ ଜଣ ସାମ୍ବାଦିକ ଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।ଦିଲ୍ଲୀରେ ଚାଲିଥିବା କୃଷି ଆଇନ ପ୍ରତ୍ୟାହାର ଆନ୍ଦୋଳନ ର ବିବରଣୀ ସୋସିଆଲ ମିଡିଆରେ ପ୍ରସାରଣ ଓ ସେୟାର କରି କରିଥିବା ଅଭିଯୋଗ ରେ ୮ ଜଣ ସାମ୍ବାଦିକ ଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି ।
କୃଷକ ଆନ୍ଦୋଳନ କୁ ସମର୍ଥନ କରି ପରିବେଶବିତ ଗ୍ରେଟା ଥନବର୍ଗ ସାମାଜିକ ଗଣମାଧ୍ୟମ ରେ ଏକ ଟୁଲକୀଟ ଉପସ୍ଥାପନ କରିଥିଲେ ତାହାକୁ "ଫ୍ରାଇଡେଜ ଫର ଫିଉଚର ଇନ ଇଣ୍ଡିଆ" ର ପ୍ରତିଷ୍ଠାତା ବେଙ୍ଗାଳୁରୁ ନିବାସୀ ଦିଶା ରବି ଏହାକୁ ସେୟାର କରିବା ଯୋଗୁଁ ଦିଲ୍ଲୀ ପୋଲିସ ତାଙ୍କୁ ଦେଶଦ୍ରୋହ ମାମଲାରେ ଗିରଫ କରି ଜେଲ ହାଜତକୁ ପଠେଇ ଦେଲେ ।
ଖ୍ୟାତନାମା ସାମ୍ବାଦିକ ପଦ୍ମଶ୍ରୀ ବିନୋଦ ଦୁଆ ପ୍ରଧାନମନ୍ତ୍ରୀ ଙ୍କ ଭୋଟ ପ୍ରଚାର ଶୈଳୀକୁ ୟୁଟ୍ୟୁବ ରେ ସମାଲୋଚନା କରିବା ଫଳରେ ତାଙ୍କ ନାମରେ ଦେଶଦ୍ରୋହ ମାମଲା ରୁଜୁ ହେଲା ।ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ହସ୍ତକ୍ଷେପ କରି ମାମଲା ଟିକୁ ଖାରଜ କରିଥିଲେ ।ଆନ୍ଧ୍ରପ୍ରଦେଶ ର ଦୁଇଟି ଟିଭି ଚ୍ୟାନେଲ ୱାଇଏସଆର କଂଗ୍ରେସ ର ଜଣେ ସାଂସଦ ଙ୍କ ବିବୃତ୍ତି ପ୍ରସାରଣ କରିବାରୁ ସେହି ଦୁଇଟି ଟିଭି ଚ୍ୟାନେଲ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା ।ଏହା ଗଣମାଧ୍ୟମ ଉପରେ ଆକ୍ରମଣ ବୋଲି ଟିପ୍ପଣୀ ଦେଇ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଦେଶଦ୍ରୋହ ମାମଲା କୁ ଖାରଜ କରିଦେଲେ ।ଏହିପରି ପଶ୍ଚିମବଙ୍ଗ ରେ ତୃଣମୂଳ କଂଗ୍ରେସ ର କେତେଜଣ ବିଧାୟକ ଲାଞ୍ଚ ନେବା ସମୟରେ ଷ୍ଟିଙ୍ଗ ଅପରେସନ କରିଥିବା ସାମ୍ବାଦିକ ଙ୍କୁ ପଶ୍ଚିମବଙ୍ଗ ପୋଲିସ ଗିରଫ କରିଥିଲେ । ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଙ୍କ ହସ୍ତକ୍ଷେପ ଯୋଗୁଁ ସାମ୍ବାଦିକ ଜଣକ ମୁକ୍ତ ହୋଇଥିଲେ ।
କୋଭିଡ--୧୯ ସମ୍ପର୍କରେ ରିପୋର୍ଟିଂ କରି ଗତ ୨୫ ମାର୍ଚ୍ଚ ରୁ ୩୧ ମଇ ମଧ୍ୟରେ ଦେଶର ୫୫ ଜଣ ସାମ୍ବାଦିକ ହିଂସା, ଧମକ, ନିର୍ଯ୍ୟାତନା ଓ ଗିରଫ କିମ୍ବା କାରଣ ଦର୍ଶାଅ ନୋଟିସ ର ଶିକାର ହୋଇଛନ୍ତି ।ଭାଜପା ଶାସିତ ରାଜ୍ୟ ମାନଙ୍କ ରେ ସାମ୍ବାଦିକ ମାନଙ୍କୁ ଅଧିକ ଗିରଫଦାରୀ ଓ ବିଭିନ୍ନ ଦଫାରେ ଅଧିକ ମକଦ୍ଦମା ରୁଜୁ କରାଯାଇଛି ।
କେନ୍ଦ୍ରରେ ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ରେ ପରିଚାଳିତ ସରକାର ଗତ ୭ ବର୍ଷ ର ଶାସନ କାଳରେ ( ୨୦୧୪--୨୦୨୧) ଦେଶର ୨୦୦ ଜଣ କର୍ତବ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଥିବା ଓ ୪୦ ଜଣ ସାମ୍ବାଦିକ ଙ୍କୁ ହତ୍ୟା କରାଯାଇଛି ।ଏଠାରେ ସୂଚନାଯୋଗ୍ୟ ଯେ, ଅପରାଧୀ ମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ବୋଲି "ଫ୍ରିଡ଼ମ ହାଉସ" ନାମକ ସଂସ୍ଥା ଏହି ତଥ୍ୟ ପ୍ରକାଶ କରିଛି ।
କେବଳ ସାମ୍ବାଦିକ ନୁହନ୍ତି ସରକାରଙ୍କୁ ସମାଲୋଚନା କରିଥିବା ଅଭିଯୋଗ ରେ ୪୦୫ ଜଣ ବୁଦ୍ଧିଜୀବୀ, ଲେଖକ ଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଛି ।ବିଚାରାଧୀନ ଅବସ୍ଥାରେ ଜେଲ ରେ ଥିବା ଲେଖକ ତଥା ସାମାଜିକ କର୍ମୀ ଫାଦର ଷ୍ଟାନ ସ୍ୱାମୀଙ୍କର ଦୁଃଖଦ ପରଲୋକ ଘଟିଛି ।
ବିଶ୍ୱରେ ସାମ୍ବାଦିକ ମାନଙ୍କ ପାଇଁ ବିପଦଜ୍ଜନକ ଦେଶ ମଧ୍ୟରେ ଭାରତ ଅନ୍ୟତମ ଦେଶ । "ରିପୋର୍ଟର ଉଇଦାଉଟ ବର୍ଡରସ" ତାର ସମୀକ୍ଷା ରେ ପ୍ରକାଶ କରି ବିଶ୍ୱର ୧୮୦ ଟି ଦେଶ ମଧ୍ୟରେ ଭାରତ ର ସ୍ଥାନ ୧୪୨ ରହିଛି ବୋଲି ସୂଚନା ଦେଇଛି ।
ଦେଶରେ ଗଣ ମାଧ୍ୟମ ଉପରେ ଏପରି ଘନ ଘନ ଆକ୍ରମଣ ଯୋଗୁଁ ଦୁର୍ଦ୍ଦିନରେ ଥିବା ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ ର ସୁରକ୍ଷା ପାଇଁ ଗଣତନ୍ତ୍ର ପ୍ରେମୀ ବ୍ୟକ୍ତିବିଶେଷ, ବୁଦ୍ଧିଜୀବୀ, ଲେଖକ, ସାମାଜିକ କର୍ମୀ ମାନଙ୍କ ଦାୟିତ୍ୱ ବଢି ଯାଇଛି । ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ର ସୁରକ୍ଷା ପାଇଁ ସମସ୍ତଙ୍କ ସମ୍ମିଳିତ ସ୍ୱର ଉତ୍ତୋଳନ ହିଁ ଦେଶର ଗଣମାଧ୍ୟମ ର ଦୁର୍ଦ୍ଦିନ ପରିସ୍ଥିତି ରୁ ରକ୍ଷା କରି ପାରିବ ନଚେତ ଆଗକୁ ପରିସ୍ଥିତି ଆହୁରି ଅଧିକ ଭୟଙ୍କର ହେବା ସହ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରିବ ।
ଶୁଭରାତ୍ରୀ ।
ମହମ୍ମଦ ଅଲ୍ଲୀ,
ବରିଷ୍ଠ ସାମ୍ବାଦିକ ।
Post a Comment