କଳାହାଣ୍ଡି ଜିଲ୍ଲାର ଭୌଗଳିକ ସ୍ଥିତି କୁ ଅନୁଧ୍ୟାନ କଲେ ମୋ ଜିଲ୍ଲା କେତେ ଅବହେଳିତ ତାହା ସହଜେ ଅନୁମେୟ ।ମୁଁ ଅନେକ ସମୟରେ ମୋ ଶ୍ରୁତି ରେ ଅତୀତର ଅନେକ ବିଷୟକୁ ନେଇ ଲେଖୁଛି କିନ୍ତୁ ବେଳେ ବେଳେ ବାସ୍ତବିକ ସତ୍ୟ ତଥ୍ୟ ଲେଖିବାକୁ ବାଧ୍ୟ କରିଦିଏ । କାରଣ ସତ୍ୟ ଲେଖିବା ଅନେକ ଙ୍କୁ କଷ୍ଟ ଦିଏ ଓ କମେଣ୍ଟ ରେ ଅନେକ ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ବ୍ୟଖ୍ୟା କରି ଆତ୍ମତୃପ୍ତି ପ୍ରାପ୍ତ କରନ୍ତି ।
ଆଜିର ବିଷୟବସ୍ତୁ ଟିକେ ଭିନ୍ନ ।କାରଣ ବିଗତ କେତେ ବର୍ଷ ହେଲା ସାମ୍ବାଦିକତା ର ଦୃଷ୍ଟିଭଙ୍ଗୀବାସ୍ତବରେ ବଦଳି ଯାଇଛି ।ଯେମିତି ରାଜ୍ୟର ବଡ଼ ବଡ଼ ଅଧିକାରୀ ଙ୍କ ଗସ୍ତ ହେଉ କି ରାଜନେତା ମାନଙ୍କ ଜିଲ୍ଲାଗସ୍ତ ନିଉଜ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଙ୍କ ଜରିଆରେ ହ୍ଵାଟ୍ସଆପ ଗ୍ରୁପ ରେ ପଠେଇ ଦେଇଥାନ୍ତି ଯାହାକି ସମ୍ପୃକ୍ତ ଗ୍ରୁପ ରେ ଥିବା ସାମ୍ବାଦିକ ବନ୍ଧୁ ମନେ ନିସଙ୍କୋଚ ରେ ଆଖିବୁଜି ନିଜ ନିଉଜ ଚେନାଲ ହଉ କି ଖବର କାଗଜ କୁ ପଠେଇ ଦେଇ ଆତ୍ମତ୍ରୁପି ଲାଭ କରିବା ସହ ପ୍ରଶାସନ ଓ ନେତା ମାନଙ୍କ ପ୍ରିୟ ପାତ୍ର ହୋଇ ଥାଆନ୍ତି ।ତେବେ ମୋ କଳାହାଣ୍ଡି ଜିଲ୍ଲାର ଅନେକ ଏପରି ସମସ୍ୟା ଅଛି ଯାହାକି ଜିଲ୍ଲାର ପ୍ରଶାସନିକ ଅଧିକାରୀ ମାନଙ୍କ ଅଣଦେଖା ହଉ କି ରାଜନୈତିକ ଦୂରଦୃଷ୍ଟି ର ଓ ଇଚ୍ଛାଶକ୍ତି ର ଅଭାବ ଯୋଗୁଁ ପଡୋଶୀ ଜିଲ୍ଲା ମାନଙ୍କ ଠାରୁ ଆଜି ବି ବହୁ ପଛରେ ପଡିଛୁ ।
ରାଜନୀତିରେ ଶାସକ ଦଳର ସଦସ୍ୟ ଯଦି ବିଧାୟକ କିମ୍ବା ସାଂସଦ ଭାବରେ ନିର୍ବାଚିତ ହୋଇ ସରକାର ଙ୍କ ମନ୍ତ୍ରୀ ମଣ୍ଡଳର ସଦସ୍ୟ ହେବାର ସୁଯୋଗ ମିଳେ ତେବେ ମନ୍ତ୍ରୀ ଭାବରେ ରାଜ୍ୟ ଓ ଦେଶ ପ୍ରତି ଅଧିକ ଦାଇତ୍ୱ ବଢିଯାଏ କିନ୍ତୁ ଦାୟିତ୍ୱରେ ଥିବା ବିଭାଗ ଦ୍ଵାରା ନିଜ ଜିଲ୍ଲାର ଆବଶ୍ୟକତା କୁ ପ୍ରାଥମିକତା ଦେଇ ଜିଲ୍ଲା ବାସୀ ଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବା ର ସୁଯୋଗ ମିଳେ ଏବଂ ତାହା ପୂରଣ ହେଲେ ଇତିହାସ ର ପୃଷ୍ଠା ରେ ଚିରଦିନ ପାଇଁ ଶ୍ରୁତି ହୋଇ ରହି ଯାଏ ।
ସମ୍ପ୍ରତି ଜିଲ୍ଲାର ଭୌଗୋଳିକ ସ୍ଥିତି କୁ ଅନୁଧ୍ୟାନ କଲେ କଳାହାଣ୍ଡି ଜିଲ୍ଲା ର ସମସ୍ତ ସୀମାବର୍ତୀ ଜିଲ୍ଲା ମାଓ ପ୍ରବଣ ଭାବରେ ପରିଚିତ ।ଆମ ଜିଲ୍ଲାରେ ମଧ୍ୟ ମାଓବାଦୀ ମାନଙ୍କ ଉପସ୍ଥିତି ପୋଲିସ ପ୍ରଶାସନ ଓ ସରକାର ଙ୍କ ମୁଣ୍ଡବ୍ୟଥା ବଢ଼ାଇ ଦେଇ ଥାଏ ।ପଡୋଶୀ ନବରଙ୍ଗପୁର, ନୂଆପଡା, ବଲାଙ୍ଗୀର, କନ୍ଧମାଳ, ରାୟଗଡା ଜିଲ୍ଲାରେ ଥିବା ପୋଲିସ କର୍ମଚାରୀ ମାନେ ଯେତେ ଅଧିକ ସୁରକ୍ଷିତ ଆମ କଳାହାଣ୍ଡି ଜିଲ୍ଲାରେ କାର୍ଯ୍ୟରତ ପୋଲିସ କର୍ମଚାରୀ ମାନେସତେ ଯେମିତି କଳାପାଣି ର ଦଣ୍ଡ ଭୋଗିବା ପାଇଁ ଅଛନ୍ତି ଓ ପୋଲିସ କର୍ମଚାରୀ ମାନଙ୍କ ପରିବାର ବର୍ଗ ସରକାରୀ ବାସଭବନ ରେ କେତେ ସୁରକ୍ଷିତ ତାହା ବିଚାରଯୋଗ୍ୟ ।ନବରଙ୍ଗପୁର,ଜିଲ୍ଲାର ସମସ୍ତ ଥାନା ଓ ସରକାରୀ ବାସଭବନ, ନୂଆପଡା ଜିଲ୍ଲାର ସିନାପାଲି, କୋମନା, ବୋଡେ଼ନ, ଖରିଆର, ଖରିଆର ରୋଡ଼, ନୂଆପଡା , କନ୍ଧମାଳ ର ସମସ୍ତ ଥାନା ଓ ସରକାରୀ ବାସଭବନ, ରାୟଗଡା ଜିଲ୍ଲାର ମୁନିଗୁଡା, ଅମ୍ବାଦୋଳା, ବିଷମକଟକ ପରି ଥାନା ଓ ପୋଲିସ କର୍ମଚାରୀ ମାନଙ୍କ ବାସଭବନ ଏତେ ଉନ୍ନତ ଓ ସୁରକ୍ଷିତ ଯେ ପୋଲିସ କର୍ମଚାରୀ ମାନେ ନିଜ ନିଜର କର୍ତବ୍ୟ ସମ୍ପାଦନ ସମୟରେ ପରିବାର ଲୋକ ଙ୍କ ସୁରକ୍ଷିତ ସମ୍ପର୍କରେ ନିଶ୍ଚିନ୍ତ ଥାଆନ୍ତି ।କିନ୍ତୁ କଳାହାଣ୍ଡି ଜିଲ୍ଲା ଅନ୍ୟ ଜିଲ୍ଲା ମାନଙ୍କ ଠାରୁ ସମ୍ପୂର୍ଣ ଭିନ୍ନ ।ରାଜ୍ୟର ଗୃହ ବିଭାଗ ର ଦାୟିତ୍ୱ ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ ନିଜ ପାଖରେ ରଖିଥିବା ବେଳେ ରାଷ୍ଟ୍ରମନ୍ତ୍ରୀ ଭାବରେ ଜୁନାଗଡ଼ ବିଧାୟକ ଆଦରଣୀୟ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଅଛନ୍ତି ।ଏହିପରି ସୁଯୋଗ ବାରମ୍ବାର କୌଣସି ଜିଲ୍ଲା କୁ ମିଳେ ନାହିଁ ।ଆଜି ଜିଲ୍ଲାରେ ଗୋଟିଏ ବି ଥାନା ସୁରକ୍ଷିତ ନାହିଁ କିମ୍ବା ଥାନା କର୍ମଚାରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ବାସଭବନ କେତେ ଅସୁରକ୍ଷିତ ତାହା ସରକାର କିମ୍ବା ଉଚ୍ଚ ପ୍ରଶାସନିକ ଅଧିକାରୀ ମାନଙ୍କ ନଜର ରେ ନାହିଁ ।ପୋଲିସ ବିଭାଗରେ ଥିବା ଶୃଙ୍ଖଳା ଭିତରେ କାର୍ଯ୍ୟରତ ପୋଲିସ କର୍ମଚାରୀ ମାନେ ଏ ସମ୍ପର୍କରେ କେବେ ବି ନିଜ ଉଚ୍ଚ ଅଧିକାରୀ ମାନଙ୍କ ପାଖରେ ପ୍ରକାଶ ମଧ୍ୟ କରନ୍ତି ନାହିଁ ।
ଆଜି ଅପରାହ୍ନ ଠିକ 1,50 pm ରେ ଏସପି ମହୋଦୟ ଙ୍କ ପୋଲିସ ମିଡ଼ିଆ ଗ୍ରୁପ ରେ ଆସିଲା ମେସେଜ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀ ମାନେ ଗଣ ମାଧ୍ୟମ ପ୍ରତିନିଧି ମାନଙ୍କ ସହ ଅପରାହ୍ନ 3 ଘଣ୍ଟା ସମୟରେ ସାକ୍ଷାତ କରିବେ ।ଆଗରୁ ଖବର ପାଇଥିଲି ଏସପି ଅଫିସ ପରିସର ରେ ଅତ୍ୟାଧୁନିକ ପୋଲିସ intligence ନବନିର୍ମିତ ତିନିମହଲା କୋଠା ଉଦଘାଟନ ହେବ । ଏସପି ଅଫିସର ପରିସରରେ ସମୟ ଜ୍ଞାନ ର ଅଭାବ ଯୋଗୁଁ 45 ମିନିଟ ବିଳମ୍ବ ଓ ଭୋକ ରେ ଅପେକ୍ଷା କରିବା ପରେ ପୋଲିସ ଡିଜି ନୂତନ କୋଠା କୁ ଉଦଘାଟନ କଲେ । ସଂକ୍ଷେପରେ ଜିଲ୍ଲାର ମାଓ ସ୍ଥିତି ଓ ନିଶା କାରବାର ଉପରେ ସାମ୍ବାଦିକ ବନ୍ଧୁ ଙ୍କ ଦ୍ଵାରା ପଚାରି ଥିବା ପ୍ରଶ୍ନ ର ଉତ୍ତର ଦେଲେ ।କିନ୍ତୁ କାର୍ଯ୍ୟାଳୟ ଉଦଘାଟନ କରିବାପୂର୍ବରୁ ମୁଁ ପ୍ରସ୍ତୁତ ହୋଇ ଜିଲ୍ଲାରେ ଥିବା 17 ଟି ଥାନା ଓ ଆଉଟ ପୋଷ୍ଟ ରେ ନିଯୁକ୍ତ ଥାନା ଅଧିକାରୀ, ସବ ଇନିସ୍ପେକ୍ଟର, ଅତିରିକ୍ତ ସବ ଇନିସ୍ପେକ୍ଟର, ହାବିଲଦାର, କନେଷ୍ଟେବଲ ମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ବାସଭବନ ର ଦୟନୀୟ ଅବସ୍ଥା ସମ୍ପର୍କରେ ଅବଗତ କରାଇବା ପାଇଁ ଚେଷ୍ଟା କଲି କିନ୍ତୁ ସମୟ ଅଭାବ କହି ତରବରିଆ ଭାବରେ ଚାଲିଗଲେ ।ଆଜି ଜିଲ୍ଲାର ତେରଗୋଟି ପୁରୁଣା ଥାନା ଯଥା, ମ, ରାମପୁର, ନର୍ଲା, ସଦର, ଟାଉନ ଥାନା, ଜୁନାଗଡ଼, ଧର୍ମଗଡ଼, ଜୟପାଟଣା, କୋକସରା କିମ୍ବା ଯେ କୌଣସି ଥାନା ହଉ ସେଇଠି କାର୍ଯ୍ୟରତ କର୍ମଚାରୀ ମାନଙ୍କ ସରକାରୀ ବାସଭବନ ବିପଦପୂର୍ଣ ଅବସ୍ଥା ରେ ରହିଛି । ୭୦/ ୮୦ ବର୍ଷ ପୁରୁଣା ସରକାରୀ ପୋଲିସ ବାସଗୃହ ମାନଙ୍କର ମରାମତି ଅଭାବ, ଓ ନୂତନ ସରକାରୀ ବାସ ଭଵନ ନିର୍ମାଣ ପାଇଁ ସରକାର ଙ୍କ ପାଖରେ କୌଣସି ବ୍ୟବସ୍ଥା ନାହିଁ ।ଉଚ୍ଚ ସରକାରୀ ଅଧିକାରୀ ଯଥା ଏସପି , ଅତିରିକ୍ତ ଏସପି, ଏସ ଡିପିଓ, ମାନଙ୍କ ସରକାରୀ ବାସଭବନ ରହିବା ପାଇଁ ଯୋଗ୍ୟ ଓ ଆବଶ୍ୟକ ମରାମତି କାର୍ଯ୍ୟ ନିୟମିତ ଭାବରେ କରାଯାଉଛି ।କିନ୍ତୁ ତଳିଆ ପୋଲିସ କର୍ମଚାରୀ ମାନଙ୍କ ସରକାରୀ ବାସଭବନ ର ଅବସ୍ଥା ଏତେ ବିପଦପୂର୍ଣ ଯେ, ତାହା ଯେ କେହି ସ୍ଵଚକ୍ଷୁ ରେ ନ ଦେଖିଲେ ବିଶ୍ୱାସ କରିବା ମୁସ୍କିଲ ।ବର୍ଷା ଦିନରେ ସ୍ୱାମୀ ଡିଉଟି ରେ ଥିବା ବେଳେ ପୋଲିସ ଙ୍କ ପରିବାର ସରକାରୀ ବାସଭାବନ ରେ ତାରପୋଲିଂ ହଉ କି କୌଣସି ବାସନ ଧରି ଛାତରୁ ଗଲୁଥିବା ପାଣି କୁ ଅଟକାଇବାରେ ରାତି ଅନିଦ୍ରା ।ଅନ୍ୟପଟେ ବାସଗୃହ ଚାରିପଟେ ଆଣ୍ଠୁଏ ପାଣି ଜମା ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି କରିଥାଏ ।ଆଜି ଯାଏଁ କୌଣସି ଉଚ୍ଚ ସରକାରୀ ପୋଲିସ ଅଧିକାରୀ ମାନେ ଜିଲ୍ଲାର କୌଣସି କର୍ମଚାରୀ ଙ୍କ ସରକାରୀ ବାସଗୃହ ର ଦୟନୀୟ ସ୍ଥିତି ଦେଖି ଯିବାର ନଜିର ନାହିଁ ।ରାଜ୍ୟର ସବୁଠୁ ସଙ୍କୁଚିତ ଥାନା ହଉଛି ଭବାନୀପାଟଣା ଟାଉନ ଥାନା ସ୍ୱାଧୀନତା ପୂର୍ବରୁ ଏହା ବ୍ରଜମୋହନ ହାଇସ୍କୁଲ ପ୍ରଧାନ ଶିକ୍ଷକ ଙ୍କ ସରକାରୀ ବାସଭବନ ଥିଲା ।ସ୍ୱାଧୀନତା ପରେ ଏହାକୁ କାମଚଳା ସଦର ଓ ଟାଉନଥାନା ଭାବରେ ବ୍ୟବହୃତ ହୋଇ ଆସୁଛି ।ବାସ୍ତବରେ ଏହି ଥାନା ର ଜମି ଏଯାଏଁ ସରକାରଙ୍କୁ ହସ୍ତାନ୍ତର ମଧ୍ୟ ହୋଇ ନଥିବା ବେଳେ କଳାହାଣ୍ଡି ଜିଲ୍ଲାର ଟାଉନ ଥାନା ର ସଙ୍କୁଚିତ ପରିଧି ଜିଲ୍ଲାର ଅନାଗ୍ରସରତା ର ଏକ ଉଦାହରଣ ମାତ୍ର ।ଅତୀତରେ ଟାଉନ ଥାନା ପାଇଁ ନୂତନ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।ମାଉସୀ ମାଆ ମନ୍ଦିର ନିକଟରେ ଥିବା ବିରାଟ ଅଞ୍ଚଳ ରେ ଥିବା ରୁଗ୍ଣ ସରକାରୀ ପୋଲିସ କ୍ୱାଟର ଭାଙ୍ଗି ନୂତନ ଟାଉନ ଥାନା ନିର୍ମାଣ କରିବା ସକାଶେ ଉଦ୍ୟମ ଆରମ୍ଭ ହୋଇଥିଲା ।କିନ୍ତୁ ତାହା ଏଯାଏଁ କାର୍ଯ୍ୟକାରୀ ନ ହେବା ପରିତାପ ର ବିଷୟ ।ପ୍ରଶାସନିକ ସ୍ତରରେ ଯୋଜନା ର ଅଭାବ ଓ ରାଜନୈତିକ ଇଚ୍ଛାଶକ୍ତି ର ଅଭାବ ଯୋଗୁଁ ଜିଲ୍ଲାରେ ସିନାପଲି, ମୁନିଗୁଡା, ଅମ୍ବାଦୋଳା, ବିଷମ କଟକ ରେ ଥିବା ପୋଲିସ ଥାନା କିମ୍ବା ସୁରକ୍ଷିତ ସରକାରୀ ପୋଲିସ କର୍ମଚାରୀ ମାନଙ୍କ ପାଇଁ ସୁରକ୍ଷିତ ବାସଭବନ ରୁ ବଞ୍ଚିତ ।ତେବେ ଜିଲ୍ଲାରେ କାର୍ଯ୍ୟରତ ହାବିଲଦାର, କନେଷ୍ଟେବଲ, ଅତିରିକ୍ତ ସବ ଇନିସ୍ପେକ୍ଟର, ସବଇନିସ୍ପେକ୍ଟର ଓ ଥାନା ଅଧିକାରୀ ମାନଙ୍କ ପାଇଁ ସୁରକ୍ଷିତ ବାସଗୃହ ନିର୍ମାଣ ପାଇଁ କାହିଁକି ସରକାର ଆଖିବୁଜି ଦେଇଛନ୍ତି ତାହା ଜିଲ୍ଲା ବାସୀ ଙ୍କ କଳ୍ପନା ବାହାରେ ।ଅନ୍ୟ ପଡୋଶୀ ଜିଲ୍ଲା ମାନଙ୍କରେ ପୋଲିସ ବିଭାଗ ପାଇଁ ଥାନା ହଉ କି ସରକାରୀ ବାସଭବନ କୁ ଯଦି ତୁଳନା କରାଯାଏ ତେବେ କଳାହାଣ୍ଡି ଜିଲ୍ଲା ପ୍ରତି ରାଜ୍ୟ ସରକାରଙ୍କ ଗୃହବିଭାଗ ର ଅବହେଳା ଓ ଉପେକ୍ଷା ବାସ୍ତବିକ ଦୁଃଖ ଦାୟକ ।
ବର୍ତ୍ତମାନ ଏକ ସୁଯୋଗ ମିଳିଛି ରାଜ୍ୟ ସରକାର ଙ୍କ ଗୃହ ବିଭାଗ ର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ଆଦରଣୀୟ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଙ୍କ ହାତରେ ।ଜଣେ ବାୟୁସେନା ର ପୂର୍ବତନ ଲଢୁଆ ପାଇଲଟ ଭାବରେ ଜିଲ୍ଲାରେ କାର୍ଯ୍ୟରତ ପୋଲିସ କର୍ମଚାରୀ ମାନଙ୍କ ସରକାରୀ ବାସଭବନ ର ବିପଦପୂର୍ଣ ଦୟନୀୟ ଅବସ୍ଥା ଓ ଜିଲ୍ଲାର ମୁଖ୍ୟାଳୟ ରେ ଥିବା ଟାଉନ ଥାନା ର ସ୍ଥାନଭାଵ ଓ ସଙ୍କୁଚିତ ଅବସ୍ଥା କୁ ଅନ୍ୟ ଜିଲ୍ଲାରେ ଥାନା ଓ ପୋଲିସ ସରକାରୀ ବାସଗୃହ ସହ ତୁଳନା କରି ଆମେ କେତେ ଅବହେଳିତ, ଉପେକ୍ଷିତ ତର୍ଜମା କରନ୍ତୁ ।ଜିଲ୍ଲାରେ ଗୃହ ବିଭାଗ ଦ୍ଵାରା ଆବଶ୍ୟକ ଅତ୍ୟାଧୁନିକ ପୋଲିସ ଷ୍ଟେସନ ଓ ସୁରକ୍ଷିତ ବାସଭବନ ନିର୍ମାଣ ପାଇଁ ବିଶେଷ ଭାବରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ଉଦ୍ୟମ କରନ୍ତୁ ।
ଜିଲ୍ଳାର ସେବା ଓ ଆଵଶ୍ୟକତା ପୂରଣ ପାଇଁ ସୁଯୋଗ ବାରମ୍ବାର ମିଳେ ନାହିଁ ।ବର୍ତ୍ତମାନ ଯେଉଁ ସୁଯୋଗ ମିଳିଛି ତାହାର ସତବିନିଯୋଗ କରି ଜିଲ୍ଲାର ନିତାନ୍ତ ଆଵଶ୍ୟକତା ପୂରଣ କରିବା ପାଇଁ ଭିତ୍ତିଭୂମି ସୃଷ୍ଟି କରନ୍ତୁ ନଚେତ ବାରମ୍ବାର ଏଇମିତି ସୁଯୋଗ ମିଳେ ନାହିଁ ।
ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଓ ଗୃହ ବିଭାଗ ଦାୟିତ୍ୱ ରେ ଥିବା ଶ୍ରୀ ନବୀନ ପଟ୍ଟନାୟକ ବ୍ୟକ୍ତିଗତ ଭାବରେ ଜିଲ୍ଲାର ପୋଲିସ ବିଭାଗ ଓ କର୍ମଚାରୀ ମାନଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ କଳାହାଣ୍ଡି ଜିଲ୍ଲା ପ୍ରତି ପାତର ଅନ୍ତର ଓ ଭେଦଭାବ ଦୂର କରିବା ଓ ପଡୋଶୀ ଜିଲ୍ଲାରେ ପୋଲିସ କର୍ମଚାରୀ ମାନେ ପାଉଥିବା ସୁବିଧା ଜିଲ୍ଲାରେ କାର୍ଯ୍ୟରତ ପୋଲିସ କର୍ମଚାରୀ ମାନଙ୍କୁ ଯୋଗାଇଦେଲେ ଯାଇ ବାସ୍ତବ ପକ୍ଷେ ଜିଲ୍ଲାର ବିକାଶରେ ନୂତନ ଅଧ୍ୟାୟ ସୃଷ୍ଟି ହେବ ।
ମହମ୍ମଦ ଅଲ୍ଲୀ,
ବରିଷ୍ଠ ସାମ୍ବାଦିକ ।
Post a Comment