//BREAKING//
Loading...

ଓଡିଶାକଂଗ୍ରେସ, ବୁଡ଼ିଗଲା ଗୋଡ଼ ତଳକୁ ତଳକୁ ଏକ ସମୀକ୍ଷା !!!


 ଓଡିଶାକଂଗ୍ରେସ, ବୁଡ଼ିଗଲା ଗୋଡ଼ ତଳକୁ ତଳକୁ !!!


    ଵର୍ତମାନ ପ୍ରଦେଶ ଓ ଦେଶ ରେ ଜାତୀୟ କଂଗ୍ରେସ ଦଳ ର ସାଙ୍ଗଠନିକ ସ୍ଥିତି ଅତ୍ୟନ୍ତ ଦୁର୍ବଳ ।ଏକଦା ଓଡ଼ିଶା ରେ ଜାତୀୟ କଂଗ୍ରେସ ଦଳ ର ସ୍ଥିତି ଏତେ ମଜବୁତ ଥିଲା ଯେ, ତଳସ୍ତର ରେ କର୍ମୀ ମାନଙ୍କ ଯୋଗୁଁ ସାଙ୍ଗଠନିକ ସ୍ଥିତି ଅତ୍ୟନ୍ତ ସୁଦୃଢ଼ ଥିଲା ।କଂଗ୍ରେସ ସ୍ୱାଧୀନତା ପରେ ଶାସନ କାଳରେ ଅନେକ ନେତା ଓ କର୍ମୀ ସୃଷ୍ଟି କରିଛି କିନ୍ତୁ ପରବର୍ତୀ ସମୟରେ ଯେଉଁମାନେ କଂଗ୍ରେସ ର ଦୟା ରୁ ନେତା ବା ମନ୍ତ୍ରୀ ହେଲେ କିମ୍ବା କ୍ଷମତା ର ସ୍ୱାଦ ଚାଖିଲେ ସେମାନେ କଂଗ୍ରେସ ର ତଳ ସ୍ତରରୁ ଆବଶ୍ୟକ ସାଙ୍ଗଠନିକ ଭିତ୍ତିଭୂମି ନିର୍ମାଣ କୁ ଗୁରୁତ୍ୱ ପ୍ରଦାନ କଲେ ନାହିଁ । ନିୟମିତ ଭାବରେ ତଳସ୍ତରର କର୍ମୀମାନେ କଂଗ୍ରେସ ସାଙ୍ଗଠନିକ ଦାୟିତ୍ୱ ରେ ଥିବା ନେତା ମାନଙ୍କ ଦ୍ୱାରା ଉପେକ୍ଷିତ ହେବାରେ ଲାଗିଲେ ।ଜିଲ୍ଲା ସ୍ତରୀୟ ନେତା ଓ କ୍ଷମତାଶାଳୀ ବ୍ୟକ୍ତି ମାନେ କ୍ଷମତାନ୍ଧ ହୋଇ କେବଳ ନିଜର ସମ୍ପତ୍ତି ଓ ପ୍ରତିପତ୍ତି ବିସ୍ତାର କରିବା ରେ ଲାଗି ପଡିଲେ ।ମହାନ କଂଗ୍ରେସ ଦଳ ର ଅଧିକାଂଶ ଦାୟିତ୍ୱବାନ ନେତା ଦଳର ନୀତି, ଆଦର୍ଶ ରୁ ଦୁରେଇ ଯିବା ଫଳରେ ଆଜି କଂଗ୍ରେସ ଦଳ ର ସ୍ଥିତି  ସମ୍ପର୍କରେ କାହାକୁ ଅଛପା ନାହିଁ ।ଏକ ଜାତୀୟ ଦଳ ରେ ଗଣତାନ୍ତ୍ରିକ ମୂଲ୍ୟବୋଧ ର କୌଣସି ଗୁରୁତ୍ୱ ନାହିଁ କିମ୍ବା ଦଳରେ ନିଷ୍ଠାପର କର୍ମୀ ମାନଙ୍କ କୌଣସି ଗୁରୁତ୍ୱ ମଧ୍ୟ ନାହିଁ ।ଜିଲ୍ଲାର କିମ୍ବା ରାଜ୍ୟର ଶୀର୍ଷ ନେତା ଙ୍କ ଚଟୁକାରୀତା କରି ଅନେକ ଅଯୋଗ୍ୟ ଏବଂ ସାଧାରଣ ରେ ନୈତିକ ଚରିତ୍ର ହରେଇ ଥିବା ବ୍ୟକ୍ତିଗଣ କଂଗ୍ରେସ ଦଳ ର ନେତା ଙ୍କ ଚାଟୁକରିତା କରି କ୍ଷମତା ହାସଲ କରି କେବଳ ନିଜର ସ୍ୱାର୍ଥ ହାସଲ ପାଇଁ ଉଦ୍ୟମ କରି ସଫଳ ହେବା ଅନେକ ନିଷ୍ଠାପର କଂଗ୍ରେସ କର୍ମୀ ମାନଙ୍କୁ କଷ୍ଟ ଦେଉଛି ।

         କଂଗ୍ରେସର ନୀତି ଆଦର୍ଶ କୁ ଜଳାଞ୍ଜଳୀ ଦେଇ ଅନେକ ଥର  ନିଷ୍ପତ୍ତି ଦଳକୁ ରସା ତଳକୁ ନେବାରେ ସହାୟକ ହୋଇଛି ।ରାଜ୍ୟରେ କ୍ଷମତାକୁ ନେଇ ସଦାସର୍ବଦା ଗୋଷ୍ଠୀ କନ୍ଦଳ ବିରୋଧୀଙ୍କୁ ସୁହାଉ ଥିବା ବେଳେ ସାମାଜିକ ଗଣ ମାଧ୍ୟମ ରେ ଅନେକ ନେତା ଙ୍କ ମନ୍ତବ୍ୟ କଂଗ୍ରେସ ଦଳ କୁ ଲୋକହସା କରୁଛି ।ପ୍ରଦେଶ କଂଗ୍ରେସ ରେ ଏକଛତ୍ରବାଦ ଏହାର ଏକ ନମୁନା ମାତ୍ର ।ମାନ୍ୟବର ନିରଞ୍ଜନ ପଟ୍ଟନାୟକ ରାଜ୍ୟ ସଭାପତି ହେବା ପୂର୍ବରୁ ଦଳୀୟ ଗୋଷ୍ଠୀ କନ୍ଦଳ ଚରମ ସୀମାରେ ଯାଇ ପହଞ୍ଚିଥିଲା ଅଖିଳ ଭାରତୀୟ କଂଗ୍ରେସ ନେତା ଙ୍କ ଆଗରେ ।ତେବେ ଦଳର ସର୍ବୋଚ୍ଚ ନେତା ଙ୍କ ନିଷ୍ପତ୍ତି କ୍ରମେ ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ରାଜ୍ୟ ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ।କିନ୍ତୁ ଦୁର୍ଭାଗ୍ୟ କୁ ଆଉ କିଛିଦିନ ଭିତରେ ରାଜ୍ୟରେ ପଂଚାୟତ ଓ ପୌରପାଳିକା ନିର୍ବାଚନ ହେବାକୁ ଥିବା ବେଳେ ଏ ଯାଏଁ ପ୍ରଦେଶ କଂଗ୍ରେସ କମିଟି ର କର୍ମକର୍ତା ଘୋଷଣା ହୋଇ ନାହିଁ । ଫଳରେ ରାଜ୍ୟର  ପ୍ରାୟ ସମସ୍ତ ବରିଷ୍ଠ କଂଗ୍ରେସ ନେତା ମାନେ ହତାଶାଭାବ ହୋଇ ପଡିବା ସ୍ୱାଭାବିକ ।ଅନ୍ୟପକ୍ଷରେ ପ୍ରଦେଶ କଂଗ୍ରେସ ତରଫରୁ ନିର୍ବାଚନ କୁ ଆଖି ଆଗରେ ରଖି ଜିଲ୍ଲା କଂଗ୍ରେସ କମିଟି ଗୁଡିକ ର ଘୋଷଣା କେବଳ ସାଧାରଣ ଲୋକ ଙ୍କୁ ଭୁଆଁ ବୁଲାଇବା ପାଇଁ ଉଦ୍ଧିଷ୍ଟ ।କାରଣ ପ୍ରଦେଶ କଂଗ୍ରେସ କମିଟି ଗଠନ ପୂର୍ବରୁ ଜିଲ୍ଲା କଂଗ୍ରେସ କମିଟି ଗଠନ କେତେ ଦୂର ଯୁକ୍ତିଯୁକ୍ତ ତାହା ସାଧାରଣ ସଚେତନ ନାଗରିକ ମାନଙ୍କ ମଧ୍ୟରେ ସଂଶୟ ସୃଷ୍ଟି କରୁଛି ।ରାଜ୍ୟର ସମସ୍ତ କଂଗ୍ରେସ ଦଳର ବରିଷ୍ଠ ନେତା ମାନଙ୍କୁ ଦାୟିତ୍ୱ ନ ଦେଇ ପଙ୍ଗୁ କରି ରଖିବା କେବଳ ଏକଛତ୍ରବାଦୀ ମାନସିକତା ର ପ୍ରତୀକ ଅଟେ । କଂଗ୍ରେସ ଦଳ ତ୍ୟାଗ ଓ ବଳିଦାନ ର ପ୍ରତୀକ ।କୋଟି କୋଟି ଦେଶବାସୀ ଙ୍କ ଆସ୍ଥା ଓ ବିଶ୍ୱାସ ର ପ୍ରତୀକ ।ଦଳରେ ଯଦି ଦାୟିତ୍ୱବାନ ନେତା ମାନେ ଅସହିଷ୍ଣୁ ହେବେ ଓ ପରସ୍ପର ପ୍ରତି ବିଶ୍ଵାସ ବଦଳରେ ଗୋଡ଼ ଟଣାଟଣିରେ ଲିପ୍ତ ରହିବେ ତେବେ ଦଳ ର ଅବସ୍ଥା ଯାହା ହେବାର କଥା ଆଜି ସେହି ସ୍ଥିତି ରେ ପହଂଚିଛି ।କେବଳ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ରେ ମିଟିଙ୍ଗ କିମ୍ବା ତାଲିପକା କାର୍ଯ୍ୟକ୍ରମ କରିଦେଲେ କିମ୍ବା ଲୋକ ଦେଖାଣିଆ ଭାବରେ ଗୋଷ୍ଠୀ କନ୍ଦଳ ନଥିବା ଗଣ ମାଧ୍ୟମ ଆଗରେ ବଖାଣି ସାମାଜିକ ଗଣ ମାଧ୍ୟମ ରେ ପ୍ରକାଶ କରିଦେଲେ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ହାସଲ କରିବା ଅସମ୍ଭବ ଅଟେ ।ଯେଉଁମାନେ ଦଳର ନେତୃତ୍ୱ ନେଇଛନ୍ତି ଖୋଲା ହୃଦୟ ରେ ପରସ୍ପର ପ୍ରତି ସମ୍ମାନ ଓ ନିଷ୍ଠାପର କଂଗ୍ରେସ କର୍ମୀ ମାନଙ୍କୁ ଗୁରୁତ୍ୱ ଦେବା ମଧ୍ୟ ଆବଶ୍ୟକତା ରହିଛି ।ଜିଲ୍ଲା କଂଗ୍ରେସ କମିଟି ଘୋଷଣା ରେ ମହିଳା ଓ ସଂଖ୍ୟାଲଘୁ ମାନଙ୍କୁ ଉପେକ୍ଷା ଓ ଅଣଦେଖା ସେମାନଙ୍କ ନିଷ୍ଠାପରତା ପ୍ରତି ପ୍ରଶ୍ନବାଚି ଅଟେ ।

    ଇତି ମଧ୍ୟରେକଳାହାଣ୍ଡି ଓ ନୂଆପଡା ଜିଲ୍ଲାର କଂଗ୍ରେସ ଦଳ ର ନୂତନ କାର୍ଯ୍ୟକର୍ତା ମାନଙ୍କ ନାମ ଘୋଷଣା କରାଯାଇଛି ।ତେବେ ଏହି କମିଟିରେ ମହିଳା ଓ ସଂଖ୍ୟାଲଘୁ ମାନଙ୍କୁ ଉପେକ୍ଷା ଘଟଣା ପ୍ରଦେଶ କଂଗ୍ରେସ ସଭାପତି ଙ୍କ ଏକଛତ୍ରବାଦ ମାନସିକତା ର ପ୍ରତୀକ ମାତ୍ର ।ଅବିଭକ୍ତ କଳାହାଣ୍ଡି ଜିଲ୍ଲାରେ ଅନେକ ସଂଖ୍ୟା ଲଘୁ ବ୍ୟକ୍ତି  କଂଗ୍ରେସ ଦଳର ନେତୃତ୍ୱ ନେଇଥିଲେ । ଦୀର୍ଘ  ୧୭ ବର୍ଷ କାଳ ବରିଷ୍ଠ ଆଇନଜୀବୀ, ସମାଜସେବୀ ସ୍ବର୍ଗତ  ହାଇଦର ଅଲ୍ଲୀ ସଭାପତି ଭାବରେ ନିଷ୍ଠାପର ସହ ନିଜ ଦାୟିତ୍ୱ ନିର୍ବାହ କରିଥିଲେ ।ସେହିପରି ଯୁବକଂଗ୍ରେସ ସଭାପତି ଭାବେ ସ୍ବର୍ଗତ ଡ଼ଃ, ରମଜାନ ଅଲ୍ଲୀ ଖାନ, ଓ ବରିଷ୍ଠ ଆଇନଜୀବୀ ସବୀର ମହମ୍ମଦ ଏବଂ ଅବଦୁଲ ସାଜିଦ ରହି ନିଷ୍ଠାପର ସହ ଦାୟିତ୍ୱ ନିର୍ବାହ କରିଥିଲେ ।କିନ୍ତୁ ଆଜି ଜିଲ୍ଲାରେ କଂଗ୍ରେସ ଦଳ ର ଆଭିମୁଖ୍ୟ ବଦଳିଛି ।

 ଉଭୟ ନୂଆପଡା ଓ କଳାହାଣ୍ଡି ଜିଲ୍ଲାରେ ନୂତନ ଜିଲ୍ଲା କଂଗ୍ରେସ କମିଟିରେ ସଂଖ୍ୟାଲଘୁ (ଖ୍ରୀଷ୍ଟିଆନ, ଶିଖ, ଜୈନ, ବୁଦ୍ଧଓ ମୁସଲିମ ସମ୍ପ୍ରଦାୟ କୁ  ଉପେକ୍ଷା କରାଯାଇ ଥିବା ବେଳେ ସମସ୍ତ ବର୍ଗର ମହିଳା ମାନଙ୍କୁ ଅଣଦେଖା କରାଯାଇଛି ।ଏହି ଅଣଦେଖା କିମ୍ବା ଉପେକ୍ଷା କୁ ତର୍ଜମା କରିବା ର ଆଵଶ୍ୟକତା ରହିଛି ।ରାଜ୍ୟ ନେତୃତ୍ୱ କିମ୍ବା ଜିଲ୍ଲା ନେତୃତ୍ୱ ସଂଖ୍ୟଲଘୁ ଙ୍କ ପ୍ରତି ହେୟ ଜ୍ଞାନ ଓ ମହିଳା ମାନଙ୍କୁ ଜିଲ୍ଲାକଂଗ୍ରେସ କମିଟିରେ ସ୍ଥାନ ନ ଦେବା ଓ ଆଜୀବନ ସଂଗ୍ରାମୀ ମନୋଭାବ ନେଇ ଦଳପ୍ରତି ସମର୍ପିତ କଂଗ୍ରେସ କର୍ମୀ ମାନଙ୍କୁ ଉପେକ୍ଷା ସମସ୍ତଙ୍କ ମନରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । 

ପଶ୍ଚିମ ଓଡିଶାର ଲୋକପ୍ରିୟ ସଂଗଠକ ,ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ କଂଗ୍ରେସ ବିରୋଧୀ ରାଜନୀତି ରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରି ଭାରତୀୟ ରାଜନୀତି ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଦେଶର ରେଳ ରାଷ୍ଟ୍ରମନ୍ତ୍ରୀ ରହି ଇତିହାସ ସୃଷ୍ଟି କରିଥିଲେ ।ପରବର୍ତୀ ସମୟରେ ଦେଶର ରାଜନୈତିକ ପାଣି ପାଗ ର ପରିବର୍ତ୍ତନ ହେବା ଯୋଗୁଁ ନିଜର ସମସ୍ତ ଶକ୍ତି ସହ କଂଗ୍ରେସ ଦଳ ରେ ୧୯୯୮ ମସିହାରେ ଯୋଗଦେଲେ ।କିନ୍ତୁ  କଂଗ୍ରେସ ରେ ଗୋଡ଼ଟଣା ରାଜନୀତି ର ଶିକାର ହୋଇ ନିଜ ଅସ୍ତିତ୍ୱ ରକ୍ଷା କରିବା ପାଇଁ ଦୀର୍ଘ ବର୍ଷ ଧରି ସଂଗ୍ରାମ କରିବାକୁ ପଡିଲା ।ରାଜ୍ୟର କଂଗ୍ରେସ ମଙ୍ଗୁଆଲ ଧରିଥିବା ନେତା ମାନେ ପଶ୍ଚିମ ଓଡିଶାର ନେତା ମାନଙ୍କୁ ସହଜେ ଗ୍ରହଣ କରୁ ନାହାନ୍ତି । ତେଣୁକରି ଆମ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଅନେକ ବରିଷ୍ଠ ସଂଗଠକ, ପୂର୍ବତନ ପ୍ରଦେଶ ସଭାପତି, ଉପ ସଭାପତି ପୂର୍ବତନ ମନ୍ତ୍ରୀ, ବିଧାୟକ ଓ ଦକ୍ଷ ରାଜନେତା ଆଜି କୋଣ ଠେସା ହୋଇ ରହିଛନ୍ତି । ଭକ୍ତବାବୁ ନିଜ ସାଙ୍ଗଠନିକ ଦକ୍ଷତା ଓ ଦଳ ପ୍ରତି ସମର୍ପଣ ଭାବନା ନେଇ ଅନେକ ବିରୋଧୀ ଙ୍କ ଚକ୍ରାନ୍ତ ସତ୍ୱେ ଜାତୀୟ ରାଜନୀତି ରେ AICC ସମ୍ପାଦକ, ପ୍ରବକ୍ତା, ବିହାର, ମଣିପୁର ଓ ମିଜୋରାମ ପ୍ରଦେଶ କଂଗ୍ରେସ ଦଳ ର ପ୍ରଭାରୀ ଭାବରେ ରହି କଂଗ୍ରେସ ଦଳ ର ପୁନଃ ନିର୍ମାଣ ପାଇଁ ପ୍ରତିକୂଳ ପରିସ୍ଥିତି ରେ ମଧ୍ୟ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

           ଆଦରଣୀୟ ଭକ୍ତ ଦାସ ଙ୍କ ଅନୁପସ୍ଥିତି ରେ ପିସିସି  ପକ୍ଷରୁ ନୂତନ ଜିଲ୍ଲା କମିଟି ଘୋଷଣା ରେ  ସଂଖ୍ୟଲଘୁ ଓ ମହିଳା ଙ୍କୁ ଉପେକ୍ଷା କରି ଥିବା ରାଜନୈତିକ ବିଶ୍ଲେଷକ ଙ୍କୁ ଚକିତ କରିଛି ।ଉଭୟ ନୂଆପଡା ଓ କଳାହାଣ୍ଡି ଜିଲ୍ଲାରେ ଏହି ଜିଲ୍ଲା କମିଟି  ଘୋଷଣା ରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, ଓଡିଶା ପିସିସି ର ନେତୃତ୍ୱ ସଂଖ୍ୟଲଘୁ ମାନଙ୍କୁ ନୀଚ ଦୃଷ୍ଟି ରେ କିମ୍ବା ଘୃଣା ଚକ୍ଷୁ ରେ କିମ୍ବା ନେତୃତ୍ୱ ନେବାରେ ଓ ଜିଲ୍ଲାକମିଟି ରେ ରହିବାକୁ ଅଯୋଗ୍ୟ ଅଟନ୍ତି ବୋଲି ଭାବି ନେଇଛନ୍ତି ବୋଲି ଅନୁଭବ ହେଇଛି।ସ୍ପଷ୍ଟ ଭାବରେ କହିବାକୁ ଗଲେ ଓଡିଶା ପିସିସି ପକ୍ଷରୁ ଏହି ଦୁଇଟି ଜିଲ୍ଲାରେ କଂଗ୍ରେସ କମିଟି ମାନଙ୍କରେ ସଂଖ୍ୟଲଘୁ ମୁକ୍ତ କରି ଛନ୍ତି ।ସଂପ୍ରତ୍ତି ଭାରତୀୟ ରାଜନୀତି ରେ କ୍ଷମତା ହାସଲ ପାଇଁ ଅନ୍ୟ ରାଜନୈତିକ ଦଳ ପକ୍ଷରୁ ସଂଖ୍ୟଲଘୁ ଓ ମହିଳା ମାନଙ୍କୁ ଉପଯୁକ୍ତ ସମ୍ମାନ ଓ ଦାଇତ୍ୱ ଦେଉଥିବା ବେଳେ ଓଡିଶା କଂଗ୍ରେସ ପକ୍ଷରୁ ଘୋଷିତ ନୂତନ ଜିଲ୍ଲା କମିଟି ମାନଙ୍କରେ ସଂଖ୍ୟଲଘୁ ଙ୍କୁ ଅଯୋଗ୍ୟ ଭାବି ସ୍ଥାନ ନ ଦେବା ମହାନ ଜାତୀୟ କଂଗ୍ରେସ ଦଳ ର ନୀତି ଓ ଆଦର୍ଶ ବିରୋଧୀ ମନୋଭାବ ବୋଲି ସ୍ପଷ୍ଟ ପ୍ରମାଣିତ ହେଉଛି ।

           ଜାତି, ବର୍ଣ୍ଣ, ଓ ଧର୍ମ ରୁ ଉର୍ଧ୍ୱରେ କଂଗ୍ରେସ ଦଳର ନୀତି ଓ ଆଦର୍ଶ କୁ ଧ୍ୱସ୍ତ କରିବା ପାଇଁ ରାଜ୍ୟ ରେ ନେତୃତ୍ୱ ନେଉଥିବା ଓ ଜିଲ୍ଲାରେ ନେତୃତ୍ୱ ନେଉଥିବା ସଂକୀର୍ଣ୍ଣ ମାନସିକତା ର ବ୍ୟକ୍ତି ବିଶେଷ ଓ ବିଚାରଧାରା ଦଳ ର ନୀତି ଓ ଆଦର୍ଶ ଉପରେ ବୋଝ ହୋଇ ପଡିଛି କହିଲେ ଅତ୍ୟୁକ୍ତି ହେବନାହିଁ ।

            ଆଗାମୀ ପଞ୍ଚାୟତ ନିର୍ବାଚନ ଓ ପୌରପାଳିକା ନିର୍ବାଚନ ର ପ୍ରସ୍ତୁତି ବୈଠକ ପୂର୍ବରୁ ପ୍ରଦେଶ କଂଗ୍ରେସ ର ନେତୃତ୍ୱ ରେ ମାନସିକତା ର ପରିବର୍ତ୍ତନ ଆବଶ୍ୟକ ମନେ ହୁଏ ।ନଚେତ ରାଜ୍ୟରେ ସଂଖ୍ୟଲଘୁ ମାନଙ୍କ ଆସ୍ଥା ହରେଇବା ସୁନିଶ୍ଚିତ ।ନଚେତ "ଓଡିଶା କଂଗ୍ରେସ ବୁଡ଼ିଗଲା ଗୋଡ଼ ତଳକୁ ତଳକୁ" ଓ ରାଜ୍ୟରେ କଂଗ୍ରେସ ଦଳର ସ୍ଥିତି ଏହିପରି ମନୋଭାବ ଯୋଗୁଁ  ନିଶ୍ଚିନ୍ହ ହେବା ଅସମ୍ଭବ ନୁହେଁ ।



 ମହମ୍ମଦ ଅଲ୍ଲୀ, 

ବରିଷ୍ଠ ସାମ୍ବାଦିକ ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe