ଅଳବିଦା ଅସଲମ !!!
"ଏକ ଚିରାଗ ଔର ବୁଝା ରୋସନି କମ ହୁଇ"
ହୃଦୟ ର କୋହ ଓ ଦୁଖଃ କୁ ନିୟନ୍ତ୍ରଣ କରି ନିଜର ଅତିପ୍ରିୟ ଅସଲମଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ ଓ ତାଙ୍କ ସୃତି ଚାରଣ କରିବା ପାଇଁ ଓ ତାଙ୍କ ସମ୍ପର୍କରେ ଅନେକ ଅକୁହା କଥା କୁ ମନେ ପକାଇବା ପାଇଁ ମୋତେ ବହୁତ ମାନସିକ ସଂଘର୍ଷ କରିବାକୁ ପଡୁଛି ।କଳାହାଣ୍ଡି ଆକାଶରୁ ଏକ ଉଜ୍ବଳ ନକ୍ଷତ୍ର ଅସମୟ ରେ ଝଡି ପଡିବା ସମଗ୍ର ଜିଲ୍ଲା କାହିଁକି ଓଡିଶା ସାମ୍ବାଦିକ ମହଲ କୁ ନିସ୍ତବ୍ଧ କରି ଦେଇଛି ।କାହିଁକି କେଜାଣି କାହାରି ମୁହଁରେ ଭାଷା ନାହିଁ ଏ ଦାରୁଣ ଦୁଃଖ କୁ କିପରି ଭାବରେ ସହ୍ୟ କରି ପାରିବେ । ସଂସାର ରେ ଜନ୍ମ ଓ ମୃତ୍ୟୁ କେବଳ ସତ୍ୟ କିନ୍ତୁ ଅସମୟରେ କାହାକୁ କିଛି ନ କହି କିମ୍ବା କୌଣସି ପୂର୍ବ ସୂଚନା ନ ଦେଇ ନିଜର ସମସ୍ତ ପ୍ରିୟଜନ,ପରିବାର, ସାଙ୍ଗ ସାଥି, ବନ୍ଧୁ ଓ ଶୁଭ ଚିନ୍ତକ ମାନଙ୍କୁ କାହିଁକି କେଜାଣି ସବୁଦିନ ପାଇଁ ପର କରି ଦେଇ ଚାଲି ଗଲେ ଏକ ଅଫେରା ରାଇଜକୁ ତାହା କେବଳ ପ୍ରଭୁ ବିଶ୍ୱ ନିୟନ୍ତା ଙ୍କ ନିଷ୍ପତ୍ତି ।
ମୁଁ ବି ଭାଷା ପାଉ ନାହିଁ ଆମ ସମସ୍ତଙ୍କ ପ୍ରିୟ, କଳାହାଣ୍ଡି ସାମ୍ବାଦିକ ମହଲରେ ଓ ଜିଲ୍ଲାର କୋଣ ଅନୁକୋଣରେ ପରିଚିତ ଯୁବ ସାମ୍ବାଦିକ ମହମ୍ମଦ ଅସଲମ ଙ୍କ ଅସମୟ ରେ ପରଲୋକ ସମ୍ବାଦ ।କଳାହାଣ୍ଡିରେ ସାମ୍ବାଦିକ କ୍ଷେତ୍ରରେ ଜଣେ ଯୁବ ନିର୍ଭୀକ ଓ ନିଷ୍ଠାପର ସାମ୍ବାଦିକ ଭାବରେ ଜିଲ୍ଲାର କୋଣ ଅନୁକୋଣରେ ପରିଚିତ ଥିଲେ ଅସଲମ ।ଆଜି ସମଗ୍ର ଜିଲ୍ଲା ଝୁରୁଛି ଅସଲମ ଙ୍କୁ ।ପରିବାର, ସମ୍ପର୍କୀୟ ସମସ୍ତେ ନିର୍ବାକ ନିସ୍ତବ୍ଧ ଏ ଦାରୁଣ ଦୁଃଖ କୁ କିପରି ସହ୍ୟ କରିବେ ଓ କିପରି ନିଜକୁ ସାନ୍ତ୍ୱନା ଦେବେ ସମସ୍ତେ ନିରୁପାୟ ।ତୁଳସୀ ଦୁଇ ପତ୍ର ରୁ ବସିବା ଭଳି ମହମ୍ମଦ ଅସଲମ ଜୁନ ୯-୧୯୭୫ ରେ ଜନ୍ମ ଗ୍ରହଣ କରିଥିଲେ ।ଏକ ବିପ୍ଲବୀ ପରିବାର ରେ ଜନ୍ମିତ ଅସଲମ ପିଲାଟି ଦିନରୁ ଶାନ୍ତ, ସରଳ ଓ ଭାବୁକ ।କଳାହାଣ୍ଡି ରାଜ୍ୟ ର ପ୍ରଥମ ଡାକ ମାଷ୍ଟର( ପୋଷ୍ଟ ମାଷ୍ଟର) ମହମ୍ମଦ ଅବଦୁଲ ଅଜିଜ ଙ୍କ ତିନିପୁଅ ।ଅବଦୁଲ ଅଜିଜ ସମଗ୍ର କଳାହାଣ୍ଡି ରାଜ୍ୟରେ ଡାକବାବୁ ଭାବରେ ପରିଚିତ ଥିଲେ ।ଦୁଇ ବଡ଼ ପୁଅ ରାଜ ପରିବାର ରେ ଡ୍ରାଇଭର ଭାବରେ ନିଯୁକ୍ତ ଥିଲେ । ଅଜିଜଙ୍କ ତିନିପୁଅ ବଡ଼ପୁଅ ମହମ୍ମଦ ଅବଦୁଲ ହଫିଜ, ଦ୍ଵିତୀୟ ପୁଅ ମହମ୍ମଦ ଅବଦୁଲ ରସିଦ ଓ ସାନ ପୁଅ ଅବଦୁଲ ସହିଦ ।ମହମ୍ମଦ ଅବଦୁଲ ସହିଦ ଙ୍କ ତିନି ପୁଅ ଓ ତିନିଝିଅ ।ମହମ୍ମଦ ଅବଦୁଲ ସିଦ୍ଧିକ ବଡ଼ପୁଅ ଅଟନ୍ତି । ମହମ୍ମଦ ଅବଦୁଲ ସିଦ୍ଧିକ ଏକାଧାରରେ ଜଣେ ଲେଖକ, କବି ଗବେଷକ, କ୍ରୀଡା ସଂଗଠକ, ସଂସ୍କୃତି ସଂଗଠକ, ସମାଜସେବୀ, ମଞ୍ଚ ଅଭିନେତା, ନିର୍ଦେଶକ ଥିଲେ ।"କଳାହାଣ୍ଡି ଇତିହାସ" ର ପ୍ରଥମ ଲେଖକ ସିଦ୍ଧିକ ଥିଲେ ଜଣେ ସମାଜ ସଂସ୍କାରକ ଏବଂ ମହାବୀର ସାଂସ୍କୃତିକ ଅନୁଷ୍ଠାନ ର ପ୍ରତିଷ୍ଠାତା ସଭ୍ୟ ସହ କଳାହାଣ୍ଡି ର ସୁଯୋଗ୍ୟ ସନ୍ତାନ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ରାସ ବିହାରୀ ବେହେରା, ସ୍ବର୍ଗତ କବି ଯୁଗଳ ଯୋଶୀ ଙ୍କ ସମ ସାମୟିକ ଥିଲେ । ସିଦ୍ଧିକ ମାମୁଁ ବ୍ରଜମୋହନ ହାଇସ୍କୁଲ ରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସମୟରେ ପ୍ରାର୍ଥନା କ୍ଳାସ ରେ ଜାତୀୟ ପତାକା ନିଜ ପକେଟ ରୁ ବାହାର କରି ଇଂରେଜ ଗୋ ବେକ-ଇଂକ୍ଳାବ ଜିନ୍ଦାବାଦ ସ୍ଲୋଗାନ ଦେଇ ସମଗ୍ର କଳାହାଣ୍ଡି ରାଜ୍ୟରେ ଛାତ୍ର ମାନଙ୍କ ମଧ୍ୟରେ ଜାତୀୟତା ବୋଧ ର ପ୍ରେରଣା ଦେଇ ଚର୍ଚ୍ଚିତ ହୋଇଥିଲେ ।ପିଲାଟି ଦିନ ରୁ ଜଣେ ବିପ୍ଲବୀ ବ୍ୟକ୍ତିତ୍ୱ ମହମ୍ମଦ ଅବଦୁଲ ସିଦ୍ଧିକ ଙ୍କ ତୃତୀୟ ସନ୍ତାନ ହେଉଛନ୍ତି ମହମ୍ମଦ ଅସଲମ ।କାକା ବିପ୍ଲବୀ କବି ମୁନିର ବିଶ୍ୱବନ୍ଧୁ ମଧ୍ୟ ନିଜ ବିପ୍ଲବୀ କବିତା କୁ ନେଇ ସମଗ୍ର ରାଜ୍ୟରେ ପରିଚିତ ଥିଲେ ।କବି ହୁସେନ ରବି ଗାନ୍ଧୀ ଙ୍କ ସମ ସାମୟିକ କବି ମୁନିର ଜଣେ ନିର୍ଭୀକ କବି ଓ ବକ୍ତା ଭାବରେ ପରିଚିତ ଥିଲେ । ଅସଲମ ଙ୍କୁ ନିଜ ପରିବାର ରୁ ହିଁ ଉଚ୍ଚ ସଂସ୍କାର, ନିଷ୍ଠାପରତା, ନିର୍ଭୀକତା ଏବଂ କଳାହାଣ୍ଡି ପରି ଅନୁନ୍ନତ ଜିଲ୍ଲାରେ ଅବହେଳିତ ଵର୍ଗ ଙ୍କ ସେବା କରିବା ପାଇଁ ପ୍ରେରଣା ମିଳିଥିଲା ।ବାପା, ମାଆଙ୍କ ଅତି ପ୍ରିୟ ଥିଲେ ଅସଲମ ।ମାଆ ପଶ୍ଚିମ ଓଡିଶାର ସୁନାମଧନ୍ୟ ଆଇନଜୀବୀ ବଲାଙ୍ଗୀର ର ସ୍ବର୍ଗତ ମସୁଦ ଖାଁ ଙ୍କ ଛୋଟ ଭଉଣୀ ଅଟନ୍ତି ।
ଅସଲମ ଙ୍କ ଜୀବନରେ ଏମିତି ଏକ ଝଡ଼ ସୃଷ୍ଟି ହୁଏ, ଯେତେବେଳେ ମାତ୍ର ୯/୧୦ ବର୍ଷ ବୟସରେ ନିଜ ବାପା ଙ୍କୁ ସବୁଦିନ ପାଇଁ ହରେଇ ଦିଅନ୍ତି ।ମହମ୍ମଦ ଅବଦୁଲ ସିଦ୍ଧିକଙ୍କ ମଧ୍ୟ ବ୍ରେନ ହେମରେଜ ରେ ପରଲୋକ ହୁଏ ।ସେ ସମୟରେ ମଧ୍ୟ ସମଗ୍ର ଜିଲ୍ଲା ସ୍ତବ୍ଧ ହୋଇପଡ଼ିଥିଲେ ।ସମ୍ପର୍କରେ ମହମ୍ମଦ ଅବଦୁଲ ସିଦ୍ଧିକ ମୋ ମାମୁଁ ହେବେ ।ତାଙ୍କ ଦୁଇ କାକା ଝିଅ ଭଉଣି ଙ୍କୁ ମୋ ବଡ଼ ବାପା ଓ କାକା ବିବାହ କରି ଥିବା ବେଳେ ମୋ ସମ୍ପର୍କୀୟ ପିଉଷୀ ଙ୍କୁ ସିଦ୍ଧିକ ମାମୁଁ ଙ୍କ ସମ୍ପର୍କୀୟ ବଡ଼ଭାଇ ବିବାହ କରିଥିଲେ ।ଏ ସମ୍ପର୍କ ଅତି ନିବିଡ଼ ଘନିଷ୍ଠ ଓ ପାରିବାରିକ ଅଟେ । ମହମ୍ମଦ ଅସଲମ ଙ୍କ ପରଲୋକ ଖବର ରେ ଆଜି ସମଗ୍ର ଜିଲ୍ଲାବାସୀ ସ୍ତବ୍ଧ ଏ ଦୁଖଦ ସମ୍ବାଦ ଶୁଣି।ଅସଲମ ବାବୁ ଗତ ଡିସେମ୍ବର ୭ ତାରିଖ ଦିନ ଅପରାହ୍ନ ସମୟରେ ହଠାତ ଅସୁସ୍ଥ ହୋଇ ସଂଜ୍ଞାହୀନ ହୋଇ ପଡିଲେ ।ପରିବାର ଵର୍ଗ ତୁରନ୍ତ ଭବାନୀପାଟଣା ମୁଖ୍ୟ ଡାକ୍ତର ଖାନା କୁ ନେଲେ କିନ୍ତୁ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ରାତାରାତି ଭୁବନେଶ୍ୱର ସ୍ଥିତ ଆମରି ହସ୍ପିଟାଲ କୁ ନିଆ ଯାଇଥିଲା । ସେଠାରେ ସିଟିସ୍କେନ ପରେ ମସ୍ତିଷ୍କ ରେ ହେମରେଜ ହୋଇଥିବା ଜଣା ପଡିଥିଲା ତୁରନ୍ତ ଅସଲମ ଙ୍କୁ ଅପରେସନ କରିବା ପାଇଁ ଡାକ୍ତର ପରାମର୍ଶ ଦେଲେ ।ଓ ବିରଳ AB+tive ରକ୍ତ ର ଆବଶ୍ୟକତା ପଡିଥିଲା ।ଭୁବନେଶ୍ୱର ରେ otv ର ଯୁବ ସାମ୍ବାଦିକ କଳାହାଣ୍ଡି ର ମାଟି ର ଗର୍ବ ଓ ଗୌରବ ଛୋଟଭାଇ ଲକ୍ଷ୍ମୀକାନ୍ତ ବାଗ ଙ୍କ ସମେତ ଅନେକ ବନ୍ଧୁ ପରିଜନ, ଶୁଭଚିନ୍ତକ ଓ ପରିବାରବର୍ଗ ଙ୍କ ଅକ୍ଲାନ୍ତ ଉଦ୍ୟମ ଓ ଡାକ୍ତରୀ ଟିମ ଙ୍କ ନିଷ୍ଠାପର ସେବା ଫଳରେ ଚାରିଘଣ୍ଟା ଧରି ମସ୍ତିଷ୍କ ଅପରେସନ ହୋଇଥିଲା ।ଅପରେସନ ପରେ ଡାକ୍ତର ଅପରେସନ ସଫଳ ହେଇଥିବା ଓ ୪୮ ଘଣ୍ଟା ପରେ ଜଣା ପଡିବ ବୋଲି କହିଥିଲେ । ଅପରେସନ ସଫଳ ହୋଇ ଥିବା ଜାଣି ପରିବାର ଵର୍ଗ, ଶୁଭ ଚିନ୍ତକ, ବନ୍ଧୁ ମାନଙ୍କ ମଧ୍ୟରେ ଆଶାର ସଂଚାର ହୋଇଥିଲା ।ସମସ୍ତେ ନିଷ୍ଠାପର ଓ ଭକ୍ତିଭାବରେ ଭଗବାନ ଙ୍କ ନିକଟରେ ଅସଲମ ଙ୍କ ଶୀଘ୍ର ଆରୋଗ୍ୟ ଲାଭ କରିବା ପାଇଁ ପ୍ରାର୍ଥନା କରିଥିଲେ ।ସମସ୍ତଙ୍କ ମନରେ ଦୃଢ଼ ବିଶ୍ୱାସ ଥିଲା ଯେ ଯୁବ ସାମ୍ବାଦିକ ଅସଲମ ନିଶ୍ଚୟ ଆରୋଗ୍ୟ ଲାଭ କରିବେ କିନ୍ତୁ ବିଧି ର ବିଧାନ ଗତ ଡିସେମ୍ବର ୯ ତାରିଖ ରାତି ପ୍ରାୟ ୮ .୦୦ ସମୟରେ ଅସଲମ ବାବୁ ସବୁଦିନ ପାଇଁ ଆମ ସମସ୍ତଙ୍କୁ ଛାଡି ଚାଲି ଗଲେ ଭଗବାନଙ୍କ ନିକଟକୁ ଚିରଦିନ ପାଇଁ । ଆଜି ଅସଲମ ସମସ୍ତଙ୍କ ଶ୍ରୁତି ରେ ଯେତେ ଭୁଲିବା ପାଇଁ ପ୍ରୟାସ କଲେ ମଧ୍ୟ କାହିଁକି କେଜାଣି ହୃଦୟ ଓ ମସ୍ତିଷ୍କ ଭିତରେ ଅସଲମ ବାବୁ ଙ୍କୁ ଜାଣିଥିବା, ଚିନ୍ହିଥିବା ଓ ଅସଲମ ଙ୍କ ସହ ବିତେଇଥିବା ଅନେକ ସ୍ବର୍ଣ୍ଣିମ ମୁହୂର୍ତ୍ତ କୁ କେହିବି ଭୁଲି ପାରୁ ନାହାଁନ୍ତି ମୁଁ ମଧ୍ୟ ସେଇମାନଙ୍କ ମଧ୍ୟରୁ ଜଣେ ।ପିଲାଟି ଦିନରୁ ପରିବାରର ସମସ୍ତେ ଅସଲମ ଙ୍କୁ ବାବାନୁର ବୋଲି ଡାକୁଥିଲେ ।ଜିଲ୍ଲାର ଏକ ସମ୍ଭ୍ରାନ୍ତ, ସଂସ୍କୃତି ସମ୍ପନ୍ନ ବିପ୍ଲବୀ ପରିବାର ର ଦାୟାଦ ବାବାନୁର ମାତ୍ର ୧୦ ବର୍ଷ ବୟସରେ ନିଜ ବାପା ଙ୍କୁ ହରେଇଥିଲେ ।ତିନିଭାଇ ଓ ଦୁଇ ଭଉଣୀ ମଧ୍ୟରେ ଅସଲମ ବାବୁ ହେଉଛନ୍ତି ପରିବାର ରେ ସବୁଠୁ ସାନ । ବାବାନୁର ଙ୍କ ଶାନ୍ତ ସରଳ ସ୍ଵଭାଵ ଯୋଗୁଁ ପରିବାର କାହିଁକି ସମସ୍ତ ପ୍ରିୟଜନ ଓ ବନ୍ଧୁ ବାନ୍ଧବ ଙ୍କ ଅତିପ୍ରିୟ ଥିଲେ ବାବାନୁର ।ବାପା ଙ୍କୁ ହରେଇବା ପରେ ମାଆ ଏବଂ କାକା ବିପ୍ଲବୀ କବି ମୁନିର ବିଶ୍ୱବନ୍ଧୁ ଙ୍କ ପ୍ରତକ୍ଷ ତତ୍ୱାବଧାନ ରେ ଲାଳନପାଳନ ହୁଏ ।ମାଆ ଙ୍କ ଆଦର୍ଶ ଓ ପ୍ରେରଣା ଯୋଗୁଁ ବାବାନୁର ନିଜର ଛାତ୍ର ଜୀବନରୁ ହିଁ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ । + ୨ ଛାତ୍ର ସଂସଦ ର ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇ ନିଜର ନେତୃତ୍ୱ ର ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲେ । ପରବର୍ତୀ ସମୟରେ ନିଜର ବଳିଷ୍ଠ ନେତୃତ୍ୱ ଓ ବିଚାରଧାରା ଶାନ୍ତ ସରଳ ସ୍ଵଭାଵ ଯୋଗୁଁ ଛାତ୍ର ସମାଜ ଏବଂ ଅଧ୍ୟାପକ ମାନଙ୍କ ଅତିପ୍ରିୟ ଭାଜନ ହୋଇ ପାରି ଥିଲେ ।+ ୩ ଛାତ୍ର ସଂସଦ ର ସଭାପତି ପାଇଁ ପ୍ରତିଦ୍ବନ୍ଦିତା କରନ୍ତି ଅସଲମ ।ସେତେବେଳେ ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ପ୍ଲାଟଫର୍ମ ଭାଷଣ ର ବହୁତ ଗୁରୁତ୍ୱ ଥିଲା ।ଯେଉଁମାନେ ରାଜନୀତି ରେ ରୁଚି ରଖୁଥିଲେ ଛାତ୍ର ସଙ୍ଘ ନିର୍ବାଚନ ପୂର୍ବରୁ ହେଉଥିବା ପ୍ଲାଟଫର୍ମ ଭାଷଣ ନିଶ୍ଚୟ ଶୁଣିବାକୁ ଯାଉଥିଲେ ।ସେହି ନିର୍ବାଚନ ପୂର୍ବରୁ ହୋଇଥିବା ପ୍ଲାଟଫର୍ମ ଭାଷଣ ରେ ଛାତ୍ର ସଂସଦ ର ସଭାପତି ପାଇଁ ନିର୍ବାଚନ ଲଢ଼ୁଥିବା ଅସଲମ ଙ୍କ ଭାଷଣ ସମଗ୍ର ଉପସ୍ଥିତ ଛାତ୍ର ସମାଜ, ଅଧ୍ୟାପକ ଙ୍କୁ ବିମୋହିତ କରିଥିଲା ।ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଏକ ନୂତନ ପ୍ରେରଣା ଯୋଗାଇଥିଲା ।ସମସ୍ତ ସମ୍ଭାବ୍ୟ ପ୍ରାର୍ଥୀ ଙ୍କ ଭାଷଣ ପରେ ସମସ୍ତଙ୍କ ଭିତରେ ଆଲୋଚନା ଓ କିଏ ପରବର୍ତୀ କଲେଜ ସଭାପତି ହେବ ଆକଳନ ଚାଲିଥାଏ ଓ ସମସ୍ତଙ୍କ ମୁହଁ ରେ କେବଳ ଜଣେ ଯୁବକ ଙ୍କ ନାମ ଆସୁଥିଲା ଏଥର ମହମ୍ମଦ ଅସଲମ ।ସେହି ନିର୍ବାଚନ ର ଅସଲମ ଙ୍କ ଐତିହାସିକ ଭାଷଣ ଓ ଛାତ୍ରଛାତ୍ରୀ ଙ୍କ ଭଲ ପାଇବା ଯୋଗୁଁ ବିପୁଳ ଭୋଟ ରେ ବିଜୟୀ ହୋଇ ଛାତ୍ର ସଂସଦ ର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ । କଳାହାଣ୍ଡି ଜିଲ୍ଲାରେ ସମ୍ଭାବ୍ୟ ଯୁବ ନେତୃତ୍ୱ ର ଉଦୟ ହୋଇଥିଲା ।ସମୟ ବଡ଼ ବଳବାନ ।ଅସଲମ ଶିକ୍ଷା ସମାପ୍ତି ପରେ ସରକାରୀ ଚାକିରୀ ପ୍ରତି ଆକୃଷ୍ଟ ହୋଇ ନ ଥିଲେ ।ଦୁଇ ବଡ଼ ଭାଈ ମହମ୍ମଦ ଆରିଫ ଶିକ୍ଷା ବିଭାଗରେ ଏବଂ ମଝିଆ ଭାଈ ମହମ୍ମଦ ଆବିଦ ଆଇଟିଆଇ ରେ ଚାକିରୀ କରିବା ସହ ସମସ୍ତ ଭାଇ ଭଉଣୀ ଙ୍କ ବିବାହ ସମ୍ପନ୍ନ ହେବା ସହ ସମସ୍ତେ ଦାରୁଣ ଦୁଖଃ ଭୁଲି ଯାଇଥିଲେ ।ସ୍ୱାଧୀନ ଚେତା ଅସଲମ ସରକାରୀ ଚାକିରୀ ପ୍ରତି ଆକୃଷ୍ଟ ନ ହୋଇ ଦାମୋଦର ପୁର ରେ ଥିବା ପୈତୃକ ଜମି ଚାଷ ସହ କିଛି ନୂଆ କରିବା ପାଇଁ ଚେଷ୍ଟା କରିଥିଲେ ।ଛାତ୍ର ସଂସଦ ର ସଭାପତି ହେବା ପରେ ମଧ୍ୟ ଦଳୀୟ ରାଜନୀତି ପ୍ରତି ଆକୃଷ୍ଟ ହୋଇ ନ ଥିଲେ ।ସାମ୍ବାଦିକତା କ୍ଷେତ୍ର ରେ ପ୍ରବେଶ କରି ଜିଲ୍ଲାର ନିଷ୍ପେସିତ, ଅବହେଳିତ ଵର୍ଗ ଙ୍କୁ ନ୍ୟାୟ ପ୍ରଦାନ ଏବଂ ଜିଲ୍ଲାର ସାମୁହିକ ବିକାଶ ପାଇଁ ପ୍ରୟାସ ଆରମ୍ଭକରି ଥିଲେ ।ମୋ ବନ୍ଧୁ ନରେନ୍ଦ୍ର ନେଗି ଏବଂ ଅସଲମ ନିଜର କିଛି ବନ୍ଧୁ ମାନଙ୍କ ସହ ମିଶି ଜିଲ୍ଲାରେ ପ୍ରଥମ ଥର ପାଇଁ ଆରମ୍ଭ କରନ୍ତି ବୈଦ୍ୟୁତିକ ଗଣ ମାଧ୍ୟମ କେବିକେ ସମାଚାର ।କେବୁଲ ନେଟୱାର୍କ ରେ କଳାହାଣ୍ଡି ଜିଲ୍ଲା ସମେତ ପଡୋଶୀ, ନୂଆପଡା, ବଲାଙ୍ଗୀର, ନବରଙ୍ଗପୁର, ରାୟଗଡା ସମେତ ପଶ୍ଚିମ ଓଡିଶାର ଅନେକ ଜିଲ୍ଲାରେ କେବିକେ ସମାଚାର ର ଲୋକପ୍ରିୟତା ରେ ବୃଦ୍ଧି ଘଟେ ।ଏହି ନିଉଜ ଚେନାଲ ର ମୁଖ୍ୟ ସାମ୍ବାଦିକ ଭାବରେ ଅସଲମ ବାବୁ ଙ୍କ ନିର୍ଭୀକ, ନିରପେକ୍ଷ ଓ ନିଷ୍ଠାପର ସାମ୍ବାଦିକତା ଅନେକ ଯୁବପିଢି ଙ୍କୁ ଆକୃଷ୍ଟ କରେ ଓ ବୈଦ୍ୟୁତିକ ଗଣ ମାଧ୍ୟମ ରେ ପ୍ରବେଶ କରନ୍ତି ପଶ୍ଚିମ ଓଡିଶାର ଅନେକ ଯୁବ ସାମ୍ବାଦିକ ।କଳାହାଣ୍ଡି ପରି ଜିଲ୍ଲାରେ ଏକ ବୈଦ୍ୟୁତିକ ସମ୍ବାଦ ପରିବେଷଣ ସଂସ୍ଥା ହଉ କି ପ୍ରିଣ୍ଟ ଗଣ ମାଧ୍ୟମ ନିୟମିତ ଭାବରେ ଚଲେଇବା କଷ୍ଟସାଧ୍ୟ ଅଟେ ।ପ୍ରଯୋଜକ ଙ୍କ ଅଭାବ ସହ ବିଜ୍ଞାପନ ର ଅଭାବ ଏବଂ ଦୈନିକ ଖବର କାଗଜ ମାନଙ୍କର ଆଞ୍ଚଳିକ ପ୍ରକାଶନ ର ଶିକାର ହୋଇ ଅନେକ ସଂସ୍ଥା ବନ୍ଦ ପ୍ରାୟ ।କେବିକେ ସମାଚାର ର ଅବସ୍ଥା ମଧ୍ୟ ଏଇମିତି ଘଟେ ଯେ ତାକୁ ବନ୍ଦ କରିବାକୁ ପଡେ ।ତେବେ ଏଥିରେ ଭାଙ୍ଗି ନ ଯାଇ ଅସଲମ ଯୋଗ ଦିଅନ୍ତି କାମୟାବ ଟିଭି ର ଜିଲ୍ଲା ପ୍ରତିନିଧି ଭାବରେ ଏବଂ ନିଜର ନିର୍ଭୀକତା, ନିଷ୍ଠାପର ଓ ନିରପେକ୍ଷତା ଯୋଗୁଁ ସମଗ୍ର ଓଡିଶା ର ସାମ୍ବାଦିକ ମହଲରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ ।ପରବର୍ତୀ ସମୟରେ ପ୍ରମେୟ ଦୈନିକ ସଂସ୍ଥା ନିଜର ବୈଦ୍ୟୁତିକ ସଂସ୍ଥା ନିଉଜ 7 ଆରମ୍ଭ କରିବା ଦିନଠୁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ନିଉଜ 7 ର ଜିଲ୍ଲା ପ୍ରତିନିଧି ଭାବରେ କାର୍ଯ୍ୟ ସମ୍ପାଦନ କରିଥିଲେ ।ନିୟମଗିରି ଆନ୍ଦୋଳନ ରେ ଜଳ, ଜଙ୍ଗଲ,ଜମି ଓ ଖଣିଜ ସମ୍ପଦ ର ରକ୍ଷା କରିବା ପାଇଁ ଆଦିବାସୀ ଙ୍କ ଆନ୍ଦୋଳନ ହଉ କିମ୍ବା କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଅଞ୍ଚଳ ରେ ବସବାସ କରୁଥିବା ଓ ପ୍ରକୃତିକୋଳ ରେ ବଞ୍ଚୁଥିବା ଗିରିଜନ ମାନଙ୍କ ସମସ୍ୟା କୁ ନିଜର ନିରପେକ୍ଷ ସାମ୍ବାଦିକତା ବଳରେ ସରକାର ଏବଂ ପ୍ରଶାସନ ଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସମସ୍ୟା ର ସମାଧାନ ପାଇଁ ଅହରହ ଉଦ୍ୟମ କରିଥିଲେ ମହମ୍ମଦ ଅସଲମ।୨୦୦୫ ମସିହା ରୁ ଦୀର୍ଘ ୧୬ ବର୍ଷ ଧରି ଜିଲ୍ଲାରେ ନିରପେକ୍ଷ ସାମ୍ବାଦିକତା ର ପ୍ରତୀକ ଥିଲେ ମହମ୍ମଦ ଅସଲମ । ବ୍ୟକ୍ତିଗତ ଭାବେ ଅସଲମ ପ୍ରତ୍ୟେକ ଦିନ ମୋ ସହ ଫୋନରେ ଯୋଗାଯୋଗ କରୁଥିଲେ ।ଏଥିସହ ସହରର କୌଣସି ନା କୌଣସି ସ୍ଥାନ ରେ ନିଶ୍ଚୟ ସାକ୍ଷାତ ହୁଏ ବାବାନୁର ଙ୍କ ସହ ପାରିବାରିକ ଘନିଷ୍ଠ ସମ୍ପର୍କ ଯୋଗୁଁ ଘରୋଇ ଆଲୋଚନା ସହ ମୋ ଏବଂ ମୋ ଧର୍ମପତ୍ନୀ ଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ନିଶ୍ଚୟ ପଚାରି ବୁଝୁଥିଲେ ।ବିଳମ୍ବିତ ରାତି ଯାଏଁ ନ ରହି ଶୀଘ୍ର ଘରକୁ ଫେରିବା ପାଇଁ ଅନୁରୋଧ କରିବା ସହ କଳାହାଣ୍ଡି ଜିଲ୍ଲାର ଅନେକ ସମସ୍ୟା ଓ ତାଜା ଘଟଣା ଉପରେ ଆଲୋଚନା ହୁଏ ।ବୟସରେ ୧୮ ବର୍ଷ ଛୋଟ ହେଲେ ବି ମତେ ବିଭିନ୍ନ ପ୍ରସଙ୍ଗ ରେ ଲେଖିବା ପାଇଁ ପ୍ରେରଣା ଦେଇ ଆସୁଥିଲେ ଏପରିକି ମୋ ବ୍ଲଗର ରେ ବାହାରିଥିବା ଲେଖା ପଢି ତୁରନ୍ତ ଯୋଗାଯୋଗ କରି ଆଲୋଚନା କରିବା ସହ ଆଗକୁ ବିଭିନ୍ନ ପ୍ରସଙ୍ଗ ରେ ଲେଖିବା ପାଇଁ ପ୍ରେରଣା ଦେଉଥିଲେ । ନିକଟରେ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଥିବା ଖବର ହଉ କି ସୁରଟ ରେ କଳାହାଣ୍ଡି ର ନିଖୋଜ ଯୁବକ କୁ ପରିବାର ଲୋକ ଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରିବା ଘଟଣା ହଉ ଅସଲମ ବ୍ୟକ୍ତିଗତ ଭାବେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ।ତଦନ୍ତ ଭିତ୍ତିକ ସମ୍ବାଦ ସଂଗ୍ରହ ସହ ଦୁର୍ଗମ ଗିରି ଅଞ୍ଚଳରେ ସାଧାରଣ ଲୋକ ଙ୍କ ଦୁଖଃ ଯନ୍ତ୍ରଣା ଓ ସମସ୍ୟା କୁ ଲୋକ ଲୋଚନ କୁ ଆଣିବା ପାଇଁ ନିଷ୍ଠାପର ବ୍ୟକ୍ତିଗତ ଉଦ୍ୟମ କରି ନିରପେକ୍ଷ ସାମ୍ବାଦିକତା ର ପରିଚୟ ଦେଇଥିଲେ ।ଯାହାକି ଜିଲ୍ଲା କାହିଁକି ରାଜ୍ୟର କର୍ତବ୍ୟରତ ଯୁବ ସାମ୍ବାଦିକ ମାନଙ୍କୁ ପ୍ରେରଣା ଦେଉଥିଲା ।
ଆଜି କଳାହାଣ୍ଡି ସାମ୍ବାଦିକତା କ୍ଷେତ୍ରରେ ଏକ ଶୁନ୍ୟତା ସୃଷ୍ଟି ହୋଇଛି ।
ଏକ ମୁସଲିମ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ଅସଲମ ପିଲାଟି ଦିନରୁ ନିରାମିଷସି, ଏବଂ କର୍ମଠ ବ୍ୟକ୍ତିତ୍ୱ ଥିଲେ ।କଳାହାଣ୍ଡି ରାଜ୍ୟର ନୂତନ ରାଜଧାନୀ ଜୁନାଗଡ଼ ରୁ ଭବାନୀପାଟଣା ରେ ପ୍ରତିଷ୍ଠା ହେବା ପରେ ଯେଉଁ କେତେ ମୁସଲିମ ପରିବାର କୁ କଳାହାଣ୍ଡି ର ତତ୍କାଳୀନ ହିଜ ହାଇନେସ ମହାରାଜା ଆଣିଥିଲେ ସେମାନଙ୍କ ମଧ୍ୟରେ ଅସଲମ ଙ୍କ ପରିବାର ଅନ୍ୟତମ ।ବିଗତ ୧୮୦ ବର୍ଷ ରୁ ଅଧିକ ହେବ ଅସଲମ ଙ୍କ ପରିବାର ର ପୂର୍ବଜ ଙ୍କ ସହ ସାତ ପିଢ଼ିର ସମ୍ପର୍କ ।ମୋ ଜାଣିବାରେ ମାତ୍ର ୫ ଟି ପରିବାର ଙ୍କୁ ମହାରାଜା କଳାହାଣ୍ଡି ନିଜ ରାଜ୍ୟ ର ଆବଶ୍ୟକତା ପାଇଁ କଳାହାଣ୍ଡି ଆଣି ଥିଲେ ଏବଂ କଳାହାଣ୍ଡି ରାଜ୍ୟର ତୁରକେଲ ରେ ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ ମୁନିର ଙ୍କ ପରିବାର, ଦାମୋଦରପୁର ରେ ଅସଲମ ଙ୍କ ପରିବାର, ବାଦୀଲୀ ଗ୍ରାମ ରେ ଆମ ପରିବାର ର ପୂର୍ବଜ ଏବଂ ବନମାଳୀ ପୁର ରେ ସ୍ବର୍ଗତ ଡାକ୍ତର ନୁର ମହମ୍ମଦ ଓ ଜୀବିତ ଡାକ୍ତର ଗଫୁର ମହମ୍ମଦ ଏବଂ ଏଡ଼ଭୋକେଟ ମହମ୍ମଦ ହବିବ ଙ୍କ ପୂର୍ବଜ ଗୌନ୍ତିଆ ଥିଲେ ଅନ୍ୟ ପକ୍ଷରେ ଖରିଆର ରାଜା ଙ୍କ ଅଧୀନରେ ୫୮ ଟି ମୁସଲିମ ଗୌନ୍ତିଆ ପରିବାର ଥିଲେ ।ଆଜି ଆଠ ପିଢ଼ି ରେ ଆମେ କଳାହାଣ୍ଡି ମାଟି, ପାଣି ପବନ ଓ ଭାଇଚାରା ର ପରିବେଶ ମଧ୍ୟରେ ଯୁଗ ଯୁଗ ଧରି ଚଳି ଆସିଛୁ ।କଳାହାଣ୍ଡି ର ସଂସ୍କୃତି, ପରମ୍ପରା ଏବଂ ଏ ମାଟିର ବାସ୍ନା ପ୍ରତ୍ୟେକ ମୁସଲିମ ପରିବାର ଭିତରେ ଦେଖିବାକୁ ମିଳେ ।ନିଜ ପୂର୍ବ ପୁରୁଷ ଙ୍କ ଗୌରବ ମୟ ଗାଥା କୁ ସ୍ମରଣ କରିବା ସହ ଆମେ ସମସ୍ତେ କଳାହାଂଡିଆ ଭାବେ ଗର୍ବିତ । ଯୁବ ସାମ୍ବାଦିକ ମହମ୍ମଦ ଅସଲମ ଙ୍କ ପରଲୋକ କେବଳ ତାଙ୍କ ପରିବାର, ଆତ୍ମୀୟ ପରିଜନ କିମ୍ବା ବନ୍ଧୁ ମାନଙ୍କୁ ଦାରୁଣ ଦୁଖଃ ଦେଇ ନାହିଁ ସମଗ୍ର କଳାହାଣ୍ଡି, ପଶ୍ଚିମ ଓଡିଶା ଏବଂ ଓଡିଶା ର ବୁଦ୍ଧିଜୀବୀ ମହଲରେ ଏକ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।କେଜାଣି କାହିଁକି କେହିବି ଏହାକୁ ସ୍ୱୀକାର କରି ପାରୁ ନାହାଁନ୍ତି ।
ଶେଷ ରେ ଏତିକି କହିବି ଏ ମାଟି ଆମକୁ କେତେ ଦେଇଛି କଣ ଦେଇଛି ତାକୁ ତର୍ଜମା ନ କରି ଜିଲ୍ଲାରେ କାର୍ଯ୍ୟରତ ଯୁବ ସାମ୍ବାଦିକ ମାନେ ମହମ୍ମଦ ଅସଲମ ଙ୍କ ପରି ନିର୍ଭୀକ, ନିରପେକ୍ଷ ସାମ୍ବାଦ ସଂଗ୍ରହ ଓ ପରିବେଷଣ ସହ କଳାହାଣ୍ଡି ମାଟିର ପ୍ରକୃତି କୋଳ ରେ ବଞ୍ଚୁଥିବା ସାଧାରଣ ନିଷ୍ପେସିତ, ଅତ୍ୟାଚାରିତ ଓ ଅବହେଳିତ ଵର୍ଗ ଙ୍କୁ ନ୍ୟାୟ ପ୍ରଦାନ ପାଇଁ ବ୍ରତୀ ହେଲେ ଅସଲମ ଙ୍କ ଆତ୍ମା ଶାନ୍ତି ପାଇବ ଏବଂ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ହେବ। ଜୀବନ ଥିବା ଯାଏ କାହାର ଭଲ ଗୁଣ , ତ୍ୟାଗ, ବଳିଦାନ, ନିଷ୍ଠାପର ବ୍ୟକ୍ତିତ୍ୱ କୁ ନେଇ ପ୍ରାୟ ଆଲୋଚନା ହୁଏ ନାହିଁ ଏବଂ ଫୋଟୋ ଓ ଶ୍ରୁତି କୁ ଉପେକ୍ଷା କରାଯାଏ କିନ୍ତୁ ବ୍ୟକ୍ତି ର ପରଲୋକ ଗମନ ପରେ ଶ୍ରୁତି ପଟଳରେ ଚଳଚିତ୍ର ପରି ଆଖି ଆଗରେ ଭାସି ଉଠୁଥାଏ ଅତୀତର ସମସ୍ତ ଅଭୁଲା ସୃତି ମନେ ପଡିବା ସହ ବ୍ୟକ୍ତିର ବ୍ୟକ୍ତିତ୍ୱ ର ପରିପ୍ରକାଶ ଘଟେ ।
ଅଳବିଦା ଅସଲମ ବାବୁ । ଜୀବନ କାଳ ମଧ୍ୟରେ ଯଦି ବ୍ୟକ୍ତି ଗତ ଭାବରେ ମୋ ଦ୍ୱାରା କିଛି ଭୁଲ ତ୍ରୁଟି କିମ୍ବା ତୁମ ହୃଦୟ କୁ ଆଘାତ ଦେଇଥାଏ ତେବେ କ୍ଷମା କରିବେ ଏବଂ ଅଲ୍ଲା ତୁମକୁ ଜନ୍ନତ ରେ ସ୍ଥାନ ଦିଅନ୍ତୁ ଏତିକି ପ୍ରାର୍ଥନା କରୁଛି ।ଏଥିସହ ଅସଲମ ବାବୁ ଙ୍କ ପରିବାର, ବନ୍ଧୁ ପରିଜନ, ବନ୍ଧୁ ଵର୍ଗ ଙ୍କୁ ଏ ଦାରୁଣ ଦୁଖଃ ସହ୍ୟ କରିବା ପାଇଁ ଭଗବାନ ଧର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ ଏବଂ ତାଙ୍କ ଏକ ମାତ୍ରଶିଶୁ ପୁତ୍ର ଙ୍କୁ ଭଗବାନ ଶକ୍ତି ଓ ସାହସ ପ୍ରଦାନ କରିବା ସହ ତାଙ୍କ ପୁତ୍ର ମଧ୍ୟ ଭବିଷ୍ୟତ ରେ ବାପା ମହମ୍ମଦ ଅସଲମ, ଅଜା ମହମ୍ମଦ ଅବଦୁଲ ସିଦ୍ଧିକ ଏବଂ ବିପ୍ଲବୀ କବି ମୁନିର ବିଶ୍ୱବନ୍ଧୁ ଙ୍କ ପରି ମାଆ ମାଟିର ସେବା କରିବା ପାଇଁ ଭଗବାନ ପ୍ରେରଣା ଦିଅନ୍ତୁ ଏତିକି ପ୍ରାର୍ଥନା କରୁଛି ।
ଅଳବିଦା ବାବାନୁର, ଅଶ୍ରୁପୂର୍ଣ ଶ୍ରଦ୍ଧାଞ୍ଜଳୀ ।
ମହମ୍ମଦ ଅଲ୍ଲୀ,
Post a Comment