ଲାଞ୍ଜିଗଡ:--(ତର୍ଜମା ନ୍ୟୁଜ)ଦୁର୍ଗମ ଲାଞ୍ଜିଗଡ଼ ବ୍ଲକ ଠିକାଦାର ଓ ସରକାରୀ ଯନ୍ତ୍ରୀ ମାନଙ୍କ ପାଇଁ ଚରାଭୂମୀ ରେ ପରିଣତ ହୋଇଛି ।ପ୍ରାପ୍ତ ସୂଚନା ଅନୁଯାୟୀ, ଲାଞ୍ଜିଗଡ ବ୍ଲକ ଗୁଣ୍ଡୁରୀ ଗ୍ରାମ ପଞ୍ଚାୟତ ବଡ଼ ଜାମକନା ଗାଁଠାରୁ କାବାଗେଂଜୁ ଗାଁକୁ ସଂଯୋଗ କରୁଥିବା ସ୍ଥାନୀୟ ନାଳ ଉପରେ ସେତୁ ଓ ରାସ୍ତା ନିର୍ମାଣ ପାଇଁ ଗତ ୨୦୧୮ ମସିହାରେ ଜନୈକ ଠିକାଦାର ଏହି ସେତୁ କାମକୁ ଅଧାରୁ ବନ୍ଦ କରିଦେଇ ଦେବା ଯୋଗୁଁ ପ୍ରାୟ ୪ ବର୍ଷ କାଳ କାମବନ୍ଦ ରହିଥିଲା। ସ୍ଥାନୀୟ ଅଞ୍ଚଳବାସୀଙ୍କ ବାରମ୍ବାର ଅଭିଯୋଗ ପରେ ପୁଣି ଏସସିଏ (କେବିକେ) ଯୋଜନା ଜରିଆରେ ସେତୁର ଛାତ ଓ ସେତୁର ଦୁଇ ପାର୍ଶ୍ଵରେ ଗାଡ଼ୱାଲ ପାଇଁ ଠିକାଦାର ଚୁକ୍ତି କରିଥିଲା। ବିଭାଗ ପକ୍ଷରୁ ଏହି କାର୍ଯ୍ୟ ୨୦୨୨ ଜାନୁଆରୀ ୫ ତାରିଖରେ ଆରମ୍ଭ ହୋଇ ୪ ମେ ୨୦୨୨ରେ କାର୍ଯ୍ୟ ଶେଷ କରିବା ପାଇଁ ନିର୍ଦ୍ଦେଶ ରହିଥିଲା। କିନ୍ତୁ କାର୍ଯ୍ୟ ୩ ମାସ ବିଳମ୍ବରେ ଆରମ୍ଭ ହୋଇ ୨ ମାସ ମଧ୍ୟରେ ଶେଷ ହୋଇଥିଲା।ବର୍ତ୍ତମାନ ସେତୁ ଦୁଇ ପାର୍ଶ୍ଵରେ ଗାଡ଼ୱାଲ ଓ ୧ କିଲୋମିଟର ପିଚୁ ରାସ୍ତା ନିର୍ମାଣ ହୋଇଥିବା ବେଳେ ନିମ୍ନ ମାନର କାମ ତଥା କମ ପରିମାଣରେ ଚିପସ୍ ଓ ପିଚୁ ବ୍ୟବହାର ଯୋଗୁଁ ମାତ୍ର ୨ ମାସ ମଧ୍ୟରେ ରାସ୍ତାରୁ ପିଚୁ ଉଠୁଥିବା ବେଳେ ସେତୁର ଦୁଇ ପାର୍ଶ୍ଵରେ ରାସ୍ତା ଦବି ଯାଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ସେତୁର ଦୁଇ ପାଶ୍ୱର୍ରେ ହୋଇଥିବା ୧ କିଲୋମିଟର ପିଚୁ ରାସ୍ତା ରେ ସୂଚନା ଫଳକ ଲଗା ଯାଇନଥିବା ଯୋଗୁଁ କେତେ ଟଙ୍କା ବ୍ୟୟ ଅଟକଳ ରହିଛି ତାହା ଜଣା ପଡୁ ନାହିଁ। ଅତି ନିମ୍ନ ପରିମାଣରେ ଚିପସ ଓ ପିଚୁ ବ୍ୟବହାର କରିବା ସହ ନୂଆ ମାଟିରେ ରୋଲର ମଡ଼ା ଯାଇନଥିଲା। ଏହାକୁ ନେଇ ସେହି ସମୟରେ ଅଞ୍ଚଳବାସୀ ଅଭିଯୋଗ କରିଥିଲେ।କିନ୍ତୁ ରାସ୍ତା ନିର୍ମାଣ ଦାଇତ୍ୱରେ ଥିବା ଠିକାଦାର ଅଞ୍ଚଳବାସୀଙ୍କ କଥା ଶୁଣି ନଥିଲା।ଯାହା ଫଳରେ ୨ମାସ ମଧ୍ୟରେ ରାସ୍ତାରୁ ପିଚୁ ଉଠିବା ସହିତ ସେତୁର ଦୁଇ ପାର୍ଶ୍ଵରେ ପ୍ରାୟ ୨ ଫୁଟ ରାସ୍ତା ଦବି ଯାଇଛି। ଏହି ସେତୁ ଠାରୁ ଗୁଣ୍ଡରି ପଞ୍ଚାୟତ ମାତ୍ର ୩ କିଲୋମିଟର ଦୂରରେ ରହିଥିବା ବେଳେ ଏହି ସେତୁ ଦେଇ ପଞ୍ଚାୟତର ବିଭିନ୍ନ ଗାଁ କାବାଗେଂଜୁ, ଶୋଷପଦର, କଟାଙ୍ଗଭଟା, ବରଙ୍ଗପଦର, କାର ପେଙ୍ଗ, ମନସ୍ଥରା, ଦେହେଡା ଗମପେନୁ, ବିଜେପୁର, କୁଟେହେଜୁ, ହାତିମୁଣ୍ଡା, ଦାରବେଙ୍ଗ, ଆଦଲଡୁ, ତରଙ୍ଗଲ, ସାଡାଙ୍ଗପଦର, ମାଡିବନ୍ଧା ଓ ଡମେର। ଯାହାର ଦୂରତା ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ପ୍ରାୟ ୨୫ରୁ ୩୦ କିଲୋମିଟର ପଡେ। ବର୍ତ୍ତମାନ ନାଳରେ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ଲୋକେ ନାଳ ମଧ୍ୟରେ ଯାତାୟତ କରିପାରୁନାହାନ୍ତି। ଏପଟେ ବିପଦ ସଂକୁଳ ସେତୁ ଉପରେ ଗାଡି ନେଇ ଯାତାୟତ କରିବା ପାଇଁ ଭୟ କରୁଛନ୍ତି। ଯାହା ଫଳରେ ପଞ୍ଚାୟତ କାର୍ଯ୍ୟାଳୟକୁ ପିଡ଼ିଏସ ଚାଉଳ, ଭତ୍ତା ଆଣିଯିବା ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହିପରି ରାସ୍ତା ନିର୍ମାଣ ର ସ୍ଥାୟୀତ୍ୱ କୁ ନେଇ ଦୁର୍ଗମ ଅଞ୍ଚଳ ବାସୀ ଙ୍କ ନିତିଦିନିଆ ଦୁଃଖ କୁ ବୁଝିବ କିଏ ?ଏ ପ୍ରଶ୍ନ ର ଉତ୍ତର ନା ଜିଲ୍ଲା ପ୍ରଶାସନ, ବିଧାୟକ ସାଂସଦ, ସରକାର କାହା ପାଖରେ ନାହିଁ ।
Post a Comment