ଅକୁହା କଥା ଓ ହୃଦୟ ର ବ୍ୟଥା କିମ୍ବା ଜୀବନ କାଳ ମଧ୍ୟରେ ସାଉଁଟି ଥିବା କିଛି ଅନୁଭୂତି ର ସୃତି ମନେ ପଡ଼ିଯାଏ ଯେତେବେଳେ ମନ ଭାରାକ୍ରାନ୍ତ ହୁଏ, ଖୋଜି ବୁଲେ ଶାନ୍ତି କିନ୍ତୁ ଶାନ୍ତି ବଦଳରେ ଜୀବନ ଯନ୍ତ୍ରଣା ଦିଏ ଅସୁମାରୀ କଷ୍ଟ ।ଆଉ ସେ କଷ୍ଟ କୁ ଦୁରେଇବା ପାଇଁ ମୁଁ ଖୋଜିବସେ ଅତୀତରେ ପାଇଥିବା କିଛି କିଛି ସୁଖଦ, ଦୁଃଖଦ ଯନ୍ତ୍ରଣା କୁ ପାଠକ ମାନଙ୍କ ମଧ୍ୟରେ ପରସି କିଛି ମାନସିକ ଯନ୍ତ୍ରଣା ଦୂର କରିବା ପାଇଁ ।ଆଜିବି ଠିକ ସେହିପରି ଏକ ଘଟଣା ଯାହାକି ମୋ ଜୀବନର ସମସ୍ତ ସୁଖ ଶାନ୍ତି ଛଡେଇ ନେବା ସହ ଏକ ଅନ୍ଧକାର ଭିତରକୁ ଠେଲି ଦେଇଛି ।ତଥାପି ବି, ବନ୍ଧୁ, ସାଙ୍ଗ ସାଥି ଙ୍କ ଭଲ ପାଇବା ଓ ମୋତେ ସାହସ, ଶକ୍ତି, ଓ ଧର୍ଯ୍ୟ ପ୍ରଦାନ ପାଇଁ ମୋ ଧର୍ମପତ୍ନୀ ଓ ଝିଅ ମାନଙ୍କ ପ୍ରେରଣା,ସବୁକୁ ଭୁଲି ଜୀବନରେ ଘଟି ଥିବା ଅନେକ ଯନ୍ତ୍ରଣା ଓ ଦୁଃଖ କୁ ମନେ ପକାଇ ଆଗାମୀ ଜୀବନକୁ ବିଶ୍ୱାସ ର ସହ ବିତେଇବା ପାଇଁ ଯେଉଁ ସାହସ ଦେଇଛନ୍ତି ତାହା ମୋତେ ଆଗାମୀ ଝଡ଼ କୁ ମୁକାବିଲା ପାଇଁ ପ୍ରେରଣା ଦେଇଛି ।ଶାରୀରିକ ଯନ୍ତ୍ରଣା ରୁ ମାନସିକ ଯନ୍ତ୍ରଣା ଅଧିକ ମାରାତ୍ମକ ଅଟେ ।ଜୀବନର ଶାୟାହ୍ନ ରେ ଘର ପରିବାର ର ସମସ୍ତ ଗୁରୁ ଦାଇତ୍ୱ ଏବଂ ସମାଜ ପାଇଁ ଥିବା ଦାୟିତ୍ୱ ନିଷ୍ଠାର ସହ ପାଳନ କରି ପରିଣତ ବୟସରେ ଟିକିଏ ଶାନ୍ତି ରେ ବଞ୍ଚିବା ପାଇଁ ଇଚ୍ଛା ପ୍ରାୟ ସମସ୍ତଙ୍କ ଥାଏ ମୋର ବି ଅଛି, କିନ୍ତୁ ମନୁଷ୍ୟ ଯାହା ଚାହେଁ ବେଳେ ବେଳେ ଭଗବାନ ତାହା କରେଇ ଦିଏ ନାହିଁ କିମ୍ବା ପୁରଣ କରେ ନାହିଁ ଫଳରେ ମଣିଷ ହତାଶ, ଦୁଃଖ ଓ ଯନ୍ତ୍ରଣା ଭିତରେ ଛଟପଟ ହୋଇ ବଞ୍ଚିବା ପାଇଁ ବାଧ୍ୟ ହୋଇଯାଏ ।ଆଜି ମୋର ବି ଅବସ୍ଥା ଠିକ ସେହି ଅସହାୟ, ନିରୁପାୟ ଯନ୍ତ୍ରଣାରେ ଛଟପଟ ଜଣେ ହତଭାଗା ଯିଏ ତମାମ ଜୀବନ କେବଳ ବଞ୍ଚିବା ପାଇଁ ସଂଗ୍ରାମ କରି କରି ଆଜି ନିର୍ବଲ, ନିରୁପାୟ ଅସହାୟ ହୋଇ ପଡିଛି ତଥାପି ବିଶ୍ୱାସ ଅଛି ସେହି ବିଶ୍ୱ ନିୟନ୍ତା ଭଗବାନ ଙ୍କ ଉପରେ ଓ ନିଜକୁ ସମର୍ପି ଦେଇଛି ତାଙ୍କ ନିଷ୍ପତ୍ତି ଉପରେ ।
"ସତ୍ୟସବୁବେଳେ ସତ୍ୟ" ବେଳେ ବେଳେ ମିଥ୍ୟା ସତ୍ୟ ଉପରେ ଦାଉ ସାଧେ କିନ୍ତୁ ସବୁବେଳେ ସତ୍ୟ ର ହିଁ ବିଜୟ ହୁଏ । ବଡ଼ ପରିବାର ର ବଡ଼ପୁଅ ଭାବରେ କିଶୋର ବୟସରେ ଦେଖିଥିବା ଅନେକ ସ୍ବପ୍ନ କୁ ଆଖିର କିଛି ବୁନ୍ଦା ଲୁହ ଜରିଆରେ ପୋଛି କେବଳ ସଂଘର୍ଷ କୁ ସାମ୍ନା କରି କରି ଆଜି ୬୫ ବର୍ଷ ବୟସ ପୂରଣ କରିବାକୁ ଯାଉଛି ।୨୫ ବର୍ଷ ବୟସରେ ବିବାହ ଓ ବିବାହ ର ଗୋଟିଏ ବର୍ଷ ପରେ ଗୋଟିଏ ପୁତ୍ର ସନ୍ତାନ ର ବାପା ।ନବ ବିବାହିତ ଦମ୍ପତ୍ତି ଯେଉଁ ଯେଉଁ ସ୍ବପ୍ନ ଦେଖନ୍ତି ଆମେ ବି ସେହି ପରି ସ୍ବପ୍ନ ଦେଖିବାରେ ମସଗୁଲ ଥାଉ ।୧୯୮୩ ମସିହା ସରସ୍ୱତୀ ପୂଜା ଦିନ ରୁ ପତ୍ନୀ ଙ୍କ ଗର୍ଭ ବେଦନା ଆରମ୍ଭ ହୁଏ ।ସେ ସମୟରେ ଘରେ ଆଈ ମାଁ, ଘରୁଆ ଧାଈ ମାଁ ମାନଙ୍କ ରାଜୁତି ।ଗର୍ଭବତୀ ମହିଳା ମାନଙ୍କ ପ୍ରସବ ଠାରୁ ଆରମ୍ଭ କରି ଛୁଆ କୁ ଯତ୍ନ ନେବା କାମ ସବୁ କେବଳ ପରିବାର ର ବୁଢ଼ୀ ଆଈମାଁ କିମ୍ବା ଧାଈ ମାଁ ମାନଙ୍କର ।ଧର୍ମପତ୍ନୀ ଙ୍କ ଗର୍ଭ ବେଦନା ର କଷ୍ଟ ଦେଖି ଦେଖି ସହି ନପାରି ଘରେ ଡରି ଡରି ଡାକ୍ତରଖାନା ନେବାକୁ କହିଲି ।ତେବେ ଘରେ ଉପସ୍ଥିତ ଥିବା ଆଈ ମାଁ, ଓ ଧାଈ ମାଁ ଓ ମୋ ମାଁ ଙ୍କ ଉତ୍ତର ତୁ କାହିଁକି ଚିନ୍ତା କରୁଛୁ ଯା ନିଜ କାମରେ କୋଉ ଡାକ୍ତର ଖାନା ନେବାର ଆମ ପରମ୍ପରା ନାହିଁ ସବୁ ଆମେ ବୁଝିବୁ, ଏହା ଶୁଣି ଅସହାୟ ହୋଇ ଚାଲି ଯାଉଥିଲି ନିଜ କର୍ମ କ୍ଷେତ୍ରକୁ ।ସନ୍ଧ୍ୟା ରେ ଫେରିଦେଖେ ପତ୍ନୀ ଙ୍କ ବେଦନା ଯୁକ୍ତ ମଳିନ ଚେହେରା, ଆସ୍ତେ ଧୀରେ ପଚାରେ କେମିତି ଲାଗୁଛି, ପତ୍ନୀ ଚୁପ ଦୀର୍ଘ ନିଶ୍ଵାସ ଛାଡି କୁହନ୍ତି ସବୁ ଠିକ ଅଛି ଭଗବାନଙ୍କ ଇଚ୍ଛା ତୁମେ ଖାଇନେଇ ଶୋଇପଡ ଥକି ଯାଇଥିବ ।କିନ୍ତୁ ତାଙ୍କ ଚେହେରା ର ଭାବ କୁ ଦେଖି ପେଟର ଭୋକ ଓ ଆଖିରୁ ନିଦ ହଜି ଯାଇଥାଏ କେବଳ ଅସହାୟ ଭାବରେ ତାଙ୍କ ଚେହେରା କୁ ଦେଖିବା ଛଡା କିଛି ଉପାୟ ନ ଥାଏ ।ଏଇମିତି ୯ ଦିନ ଧରି ଗର୍ଭ ବେଦନା ରେ ଛଟପଟ ହୋଇ ଶେଷରେ ଭଗବାନଙ୍କ କୃପା ରେ ୨୬ମାର୍ଚ୍ଚ ୧୯୮୩ ଦିନ ଘ ୧,୦୦ଣ୍ଟା ସମୟରେ ପୁତ୍ର ସନ୍ତାନ ପ୍ରାପ୍ତି ହେଲା ।ଘରେ ବଡବାପା ଝିଅ ଭଉଣୀ ଓ ପରିବାର ରେ ସମ୍ପର୍କୀୟ ମାନଙ୍କ ଭିଡ଼ ଥାଏ ।ଉଦାସୀନ ମାନସିକତା ଭିତରେ ଜଣେ ବଡ ଭଉଣୀ କହିଲେ ଭଗବାନଙ୍କ ନିକଟରେ ଧୂପ ଜାଳି ପ୍ରାର୍ଥନା କରି ଘରୁ ଯା ନିଶ୍ଚୟ ଶୁଭହେବ ମୁଁ ଆଜ୍ଞାକାରୀ ପରି ଗାଧୋଇ ଭଗବାନଙ୍କ ନିକଟରେ ଧୂପକାଠି ଜାଳି ମୋ ଇହକାଳ, ଓ ପରକାଳ ର ସାତଜନ୍ମ ପାଇଁ ଦୁଇ ଶରୀର ଗୋଟିଏ ଆତ୍ମା ଙ୍କ କୁଶଳ ପାଇଁ ପ୍ରାର୍ଥନା କରି ଘରୁ ବାହାରି ଗଲି ଭବାନୀପାଟଣା ।ଦିନ ୩ ଘଣ୍ଟା ସମୟରେ ଖବର ଆସିଲା ପୁଅ ଟେ ଜନ୍ମ ହେଇଛି ।ବାପାଙ୍କ ଦୋକାନରେ ମୁଁ ଥାଏ, ବାପା ଙ୍କ ଖୁସି ଏତେ ଯେ, ତାଙ୍କ ବଂଶ ର ତୃତୀୟ ପିଢ଼ି ରେ ପ୍ରଥମ ପୁଅ ଟେ ହୋଇଛି ।ସଙ୍ଗେ ସଙ୍ଗେ ହୋଟେଲ ରୁ ୩ କେଜି ବୁନ୍ଦୀ ଆଣି ବଜାର ସାରା ବାଣ୍ଟିଲେ ଓ କହିଲେ ମେରା ଘର ପୋତା ହୁଆ ହେ, ଖାନଦାନ କା ଚିରାଗ ହେ ।ମୁଁ କିନ୍ତୁ ତଳେ ମୁଣ୍ଡ ପାତି କାହିଁକି କେଜାଣି ଏକ ଅଜଣା ଦୁଃଖ ରେ ମର୍ମାହତ ହୋଇ ଆଖି ଛଳ ଛଳ ରେ ଚୁପ ବସିଥାଏ ।ମୋତେ ବି ବୁନ୍ଦି ଦେଲେ ବାପା ହୋଇଥିବା ଯୋଗୁଁ ଶୁଭେଚ୍ଛା ଦେଲେ କିନ୍ତୁ ମୁଁ ସେ ସମୟରେ କୋହ ସମ୍ଭାଳି ନ ପାରି ଭୋ ଭୋ ହୋଇ କାନ୍ଦୁ ଥାଏ ।କାହିଁକି କେଜାଣି ହୃଦୟ ଭିତରେ ଏକ ଆନ୍ଦୋଳନ ହେଉଥାଏ ମୋତେ ପୁଅ ନୁହଁ ଝିଅ ଦରକାର ।ବାପା କହିଲେ ପାଗଳ ଟା କିରେ ପ୍ରଥମ ପୁଅ ହୋଇଛି କେତେ ଭାଗ୍ୟବାନ ତୁ କିନ୍ତୁ ମୋ ପାଟି ରୁ ବାହାରି ପଡ଼ିଲା ଆଜିଠୁ ବୋଧେ ମୋ ଦୁର୍ଭାଗ୍ୟ ଆରମ୍ଭ ହୋଇଛି । ପୁଅ-ପୁଅ-ପୁଅ କାହିଁକି ପୁଅ ପାଇଁ ଏତେ ଖୁସି ଝିଅ ପାଇବା ପାଇଁ କାହିଁକି ଇଚ୍ଛା ନାହିଁ ସମାଜର ।ଏତେଖୁସି ଯଦି ପୁଅ କୂଳଅଙ୍ଗାର ହୁଏ ତେବେ । ଝିଅକୁ କାହିଁକି ସମାଜ ବୋଝ ଭାବୁଛି, ଯିଏ ଜୀବନ ତମାମ, ମାଁ, ଭଉଣୀ, ଜାୟା, ଝିଅ ପତ୍ନୀ ଭାବରେ ସମସ୍ତଙ୍କ ଦୁଃଖ କୁ ସାଉଁଟି ବାରେ ବିତେଇ ଦିଏ ।ବହୁତ କଷ୍ଟ ରେ ଆଖିରୁ ଲୁହ ଝରିବା ଓ ମନର କୋହ କୁ ନିୟନ୍ତ୍ରଣ କରି ସନ୍ଧ୍ୟାରେ ଘରକୁ ଫେରିଲି । ଅନେକ ଦ୍ଵନ୍ଦ ଥାଏ ମନ ଭିତରେ ଘରେ କିନ୍ତୁ ସମସ୍ତଙ୍କ ପାଦ ଭୁଇଁରେ ପଡୁ ନ ଥାଏ ଦୀପଚାନ୍ଦ ଦୋକାନରୁ ବାପା ନେଇଥିବା ବାଣ ଛୋଟ ଭାଈ ମାନେ ଫୁଟେଇ ଖୁସି ମନାଉଥାଆନ୍ତି ।ମୋ ଜଣେ ବଡ ଭଉଣୀ ଆସି କହିଲେ ଶୀଘ୍ର ଗାଧୋଇ ସାରି କ୍ଷୀରରେ ପୁଅ ର ଗୋଡ଼ ଧୋଇ ଟିକେ ମନା ବୁଝା କର ଜନ୍ମ ପରଠୁ ମାଁ କ୍ଷୀର ଖାଇନି ।କିଛି ଅଭିମାନ କରିଛି ।ବାଧ୍ୟ ହୋଇ ସୁନା ପିଲାଟି ପରି ଗାଧୋଇ ସଦ୍ୟ ଦୁହା ହୋଇ ଥିବା ଗାଈଖୀର ନେଇ ଛଳ ଛଳ ଆଖିରେ ତଳେ ମୁଣ୍ଡ ପାତି କୋଠରୀ ଭିତରକୁ ଗଲି ।ପତ୍ନୀଙ୍କ ମୁହଁରେ ବେଦନା ଯୁକ୍ତ ହସ, ପ୍ରଣାମ କଲେ ଓ କହିଲେ ଆପ ବାପ ଔର ମେ ମାଁ ବନଗୟି, ବଧାଇ, ମୁଁ ବାଧ୍ୟହୋଇ ଅନିଚ୍ଛା ସତ୍ୱେ ଛଳ ଛଳ ଆଖିରେ ପ୍ରଣାମ ର ପ୍ରତି ଉତ୍ତର ଦେଇ ଶୁଭେଚ୍ଛା ଜଣାଇବା ସହ ପୁଅ ର ଦୁଇ ଗୋଡ଼ କୁ କ୍ଷୀର ରେ ଧୋଇ ସଂସାର ରେ ଯେମିତି ଆସିଛୁ ସେଇମିତି ହସଖୁସିରେ ଭଲ ମଣିଷ ହୋଇ ନାଁ କମେଇବା ପାଇଁ ପ୍ରାର୍ଥନା କଲି ଓ କୋଠରୀ ରୁ ବାହାରି ଆସିଲି ।କିଛି ସମୟ ପରେ ଶୁଣିଲି ପୁଅ ମାଁ କ୍ଷୀର ପିଉଛି ।ପରିବାର ବର୍ଗ ଖୁସି ରେ ଆତ୍ମହରା କେବଳ ମୋ ଆଖିରୁ କେବଳ ଝରୁ ଥାଏ ମୋ ଅଜାଣତରେ ଲୁହ ତାକୁ ଲୁଚେଇବା ପାଇଁ ମୋତେ ଅନେକ ସଂଘର୍ଷ କରିବାକୁ ପଡୁଥାଏ ।ଏଇମିତି ଭାବରେ ଜୀବନ ର ଅଖ ଆଗକୁ ଆଗକୁ ଯିବାସହ ଦୁଇ ବର୍ଷ ପରେ ଘରେ ଝିଅ ଟେ ଜନ୍ମ ନେଲା ମୋ ଖୁସି କହିଲେ ନ ସରେ ସତେ ଯେମିତି ମୋତେ ସବୁକିଛି ମିଳିଗଲା ।ସେହିପରି ଦୁଇବର୍ଷ ପରେ ଆଉ ଗୋଟିଏ ଝିଅ ଜନ୍ମ ନେଲା ମୁଁ ଖୁସି ରେ ଭଗବାନଙ୍କ ଆଶୀର୍ବାଦ କୁ ଗ୍ରହଣ କରିଥାଏ ।କିନ୍ତୁ ଖୁସି ବେସିଦିନ ରହିଲା ନାହିଁ ।କଳାହାଣ୍ଡି ୧୯୮୬ମସିହା ରେ ଭୟାବହ ମେନିନ ଯାଇଟିସ ରୋଗ ରେ ପୀଡିତ ହୋଈ ମୋର ଦ୍ଵିତୀୟ ଝିଅ ମାତ୍ର ୪ମାସ ବୟସରେ ଡାକ୍ତରଖାନା ରେ ଭର୍ତ୍ତି ହୁଏ ।ଡାକ୍ତର ମାନଙ୍କ ଅକ୍ଲାନ୍ତ ପରିଶ୍ରମ , ଚେଷ୍ଟା ସତ୍ୱେ ହାର ମାନି ଯାଏ ଜୀବନ ଓ ମାତ୍ର ୮ମାସ ର ଶିଶୁ କନ୍ୟା କୁ ହରେଇବସେ ମୁଁ ସବୁଦିନ ପାଇଁ ।ମେନିନ ଯାଇଟିସ ର ଭୟାବହତା ଅଙ୍ଗେ ନିଭେଇଛି ।ପିଡିତା ଶିଶୁ ର ଖାଦ୍ୟନଳୀ, ଓ ଆଖି ଦୁଇଟି ନଷ୍ଟ ହୋଇ ସାରି ଥାଏ ମୁଁ କିନ୍ତୁ ତାକୁ ବଞ୍ଚେଇବା ପାଇଁ ମୋ ଜୀବନର ସବୁ ହରେଇ ସାରିଥାଏ ।ଝିଅ ମୃତ୍ୟୁ ରେ ଜଣେ ହାରି ଯାଇଥିବା ଯୁଆଡି ପରି ଅସହାୟ ମଣିଷ ପାଲଟି ଯାଇଥାଏ ।ସେହି ସମୟରୁ ମୋ ଜୀବନ ର ଗତିପଥ ବଦଳି ଯାଏ ।ଖରାପ ସମୟ ସର୍ଵସ୍ୱାନ୍ତ ହୋଇ କେବଳ ବଞ୍ଚିବା ପାଇଁ ଓ ଦୁଇ ପୁଅଝିଅ ଙ୍କୁ ଭୋକ ଦାଉରୁ ରକ୍ଷା କରିବା ପାଇଁ କେବଳ ସଂଘର୍ଷ କରିବାକୁ ପଡୁଥାଏ ପ୍ରତ୍ୟେକ ଦିନ ।କେବଳ ରାତିରେ ଗୋଟିଏ ପହର ଖାଇ ଦିନ ତମାମ ଭୋକ ରେ ରହି ଛୁଆ ମାନଙ୍କ ଭୋକର ଜ୍ୱାଳା ମେଣ୍ଟାଇବା ପାଇଁ ସଂଘର୍ଷ ଓ ଏ ସଂଘର୍ଷ ରେ ମୋ ପତ୍ନୀ ମୋ ସହିତ ତାଳ ଦେଇ ମୋତେ ଧର୍ଯ୍ୟ, ସାହସ ଓ ପ୍ରେରଣା ଦେବା ସହ ଭଗବାନ ଙ୍କ ପ୍ରତି ବିଶ୍ଵାସ ଓ ସମର୍ପଣ ଭାବ ରଖି ଭାଙ୍ଗି ନ ପଡିବା ପାଇଁ ଧର୍ଯ୍ୟ ଦେଉଥାନ୍ତି ।ସମୟ କ୍ରମେ ବର୍ଷ ପରେ ବର୍ଷ ଅତିକ୍ରମ କରି ସମସ୍ତ ଛୁଆ ଙ୍କୁ ଶିକ୍ଷିତ କରିବା, ଦୁଇ ଝିଅ ଙ୍କୁ ବିବାହ ଦେବା ସହ ଶେଷ ଝିଅ ଅର୍ଥଶାସ୍ତ୍ର ରେ PG( 1ST DIVISION)ପାସ କରିବା ସହ ପୁଅ କୁ ମଧ୍ୟ ବିବାହ କରି ତା ଘରେ ଦୁଇ ପୁଅଝିଅ ।ସମସ୍ତଙ୍କ ଘର ହସ ଖୁସି ରେ ଚାଲିଛି ।ଦୁଇ ଝିଅ ଘରେ ଦୁଇ ଦୁଇଟି ଝିଅ, ।ସମସ୍ତେ ନିଜ ନିଜ ଜୀବନ ହସଖୁସିରେ ବିତାଉଛନ୍ତି ।ତେବେ ଗତ ଗଣେଶ ପୂଜା ଦିନ ଏକ ଅଜଣା ଝଡ଼ ସତେ ଯେମିତି ମୋ ପରିବାର କୁ ଛାରଖାର କରିଦେଲା ।ସାମାନ୍ୟ ଏକ କଥା କୁ ନେଇ ମୋ ପତ୍ନୀ ଙ୍କ ଉପରେ ଅଶ୍ଳୀଳ ଭାଷା ପ୍ରୟୋଗ କରି ଗାଳି ଦେଇ ଚାଲିଲା ।ମୁଁ କାହିଁକି ଏପରି ଅସଭ୍ୟ ଓ ଅଶ୍ଳୀଳ ଭାଷା ପ୍ରୟୋଗ କରୁଛୁ କହିବାରୁ ହଟାତ ରାଗି ଯାଇ ମୋତେ ମାରିବା ପାଇଁ ଉଦ୍ୟତ ହେବା ସହ ଘରୁ ଚାଲିଯିବା ପାଇଁ ଧମକ ଦେଲା ।ସେ ଆଉ କିଏ ନୁହଁ ମୋ ଏକମାତ୍ର ପୁତ୍ର ଯିଏକି ମାଁ କୁ ଚାକରାଣୀ ଓ ପତ୍ନୀ କୁ ମହାରାଣୀ ଉପାଧିରେ ଭୂଷିତ କରିପାରେ ।ଯାହାର ଜନ୍ମ ହେବା ଖବର ଶୁଣି ମୁଁ ବିକଳ ହୋଇ ଦୁଃଖ ରେ କାନ୍ଦି ଥିଲି ।ସତେ ଯେମିତି ଭଗବାନ ଆଗୁଆ ମୋତେ ସୂଚନା ଦେଇଥିଲେ ତା ଜନ୍ମ ଗ୍ରହଣ ଖବର ଶୁଣି ଖୁସି ହେବା ପରିବର୍ତେ ଦୁଃଖ ରେ ମର୍ମାହତ ଅସହାୟ ମଣିଷ ହୋଇ ପଡ଼ିଥିଲି ।ଠିକ ଆଜି ବି ମୁଁ ସେଇ ସମାନ ସ୍ଥିତି ରେ ଆସି ଯାଇଛି ।ଫରକ ଏତିକି ସେ ସମୟରେ ମୁଁ ୨୬ ବର୍ଷ ବୟସ୍କ ଯୁବକ ଓ ଆଜି ୬୫ବର୍ଷ ବୟସର ଜଣେ ଆଜୀବନ ସଂଘର୍ଷ ରତ ବ୍ୟକ୍ତି ।ଆଜି ସେଇ ପୁଅ ନିଜ କର୍ତବ୍ୟ ଠାରୁ ଦୂରେଇ ଯାଇ ଘର ଛାଡ଼ି ଚାଲି ଗଲା ଏକ ବିଳାସପୂର୍ଣ ଜୀବନ ଅତିବାହିତ କରିବା ପାଇଁ ।ପତ୍ନୀ ଓ ବାପା, ମାଁ ଙ୍କ ଆଶ୍ୱାଶନା, ଘନିଷ୍ଟ ବନ୍ଧୁ ଓ ଶୁଭ ଚିନ୍ତକ ମାନଙ୍କ ଆଶ୍ୱାସନା ସେଇ ଗୋଟିଏ କଥା ଧର୍ଯ୍ୟ ଓ ଭଗବାନ ଙ୍କ ପ୍ରତି ସମର୍ପଣ ଓ ବିଶ୍ୱାସ ନିଶ୍ଚୟ ଭଲ ହେବ ।କିନ୍ତୁ ମୋ ହୃଦୟ ଭିତରେ ଉଠୁଥିବା ଝଡ଼ ଓ ଅନେକ ଅସମାହିତ ପ୍ରଶ୍ନ ର ଉତ୍ତର କାହା ପାଖରେ ନାହିଁ ।ପୁଅକୁ ସମାଜରେ ପ୍ରତିଷ୍ଠିତ କରିବା ଓ ଜୀବନ ରେ ଆଗକୁ ଯିବା ପାଇଁ ଓ ସମ୍ନାନର ସହ ଜୀବନ ବିତେଇବା ପାଇଁ ସଦା ସର୍ବଦା ଉଦ୍ୟମରତ ମୋ ପରି ହତଭାଗ୍ୟ ର ହୃଦୟ ର ବ୍ୟଥା ଓ କଷ୍ଟ ଶୁଣିବା କିମ୍ବା ମନ ଭିତରେ ଥିବା ପ୍ରଶ୍ନ ର ଉତ୍ତର କାହା ପାଖରେ ନାହିଁ ।ତଥାପି ମଧ୍ୟ ମୁଁ ଭାଙ୍ଗି ପଡିନି " ଏଇତ ଜୀବନ" । ଆଜି ଅନୁଭବ ହଉଛି ସଂଘର୍ଷ ମୟ ଜୀବନ ରେ ପ୍ରତ୍ୟେକ ମୁହୂର୍ତ୍ୱ୍ୱ କୁ ନିଜ ଶୈଳୀ ରେ ବଞ୍ଚୁଥିବା ମଣିଷ ପ୍ରତି ଭଗବାନ ଙ୍କ ଦ୍ଵାରା ଅଗ୍ନି ପରୀକ୍ଷା କାହିଁକି ।ମୁଁ ଖୋଜୁଛି ଆଜି ସେଇ ଭୁଲ କୁ ଯାହା କି ମୋ ଜାଣତ କିମ୍ବା ଅଜାଣତରେ ମୋ ଦ୍ୱାରା ହେଇଛି ଯାହାର ପରିଣାମ ଏକ ଅସଭ୍ୟ, କୂଳଅଙ୍ଗାର, ଓ ମାଁ କୁ ଅପମାନିତ କରିଥିବା ଗୋଟିଏ କୃତଘ୍ନ ପୁଅ ର ବାପା ର ଦୋଷ କୋଉଁଠି ରହିଲା । ତେବେ ଜୀବନ ତମାମ ହାର ମାନି ନ ଥିବା ବ୍ୟକ୍ତି ଜୀବନ ଯନ୍ତ୍ରଣା ର ନୂଆ ଅଧ୍ୟାୟ ଆରମ୍ଭ କରି ମଧ୍ୟ ହାର ମାନି ନାହିଁ କିମ୍ବା ମାନିବି ନାହିଁ ମଧ୍ୟ ।ଜୀବନ ସଂଘର୍ଷ ରେ ସମ୍ମାନ ର ସହ ବଞ୍ଚିବା ଜାଣିଛି ଓ ଜୀବନ ର ଶେଷ ଅଧ୍ୟାୟ ମଧ୍ୟ ସମ୍ମାନର ସହ ଅତିକ୍ରମ କରି କବରସ୍ଥାନ ର କବର ତଳେ ଶୋଇବାର ସ୍ବପ୍ନ ଦେଖୁଛି ।ଆଶା ବନ୍ଧୁ, ଶୁଭଚିନ୍ତକ ତଥା ପ୍ରିୟଜନ ମୋ ଜୀବନ ସଂଗ୍ରାମ ର ସଂଘର୍ଷ ର ସଫଳତା କାମନା କରିବେ ।
ଶୁଭରାତ୍ରୀ
ମହମ୍ମଦ ଅଲ୍ଲୀ ,ବରିଷ୍ଠ ସାମ୍ବାଦିକ
Post a Comment