//BREAKING//
Loading...

ଯୁବପିଢି ଙ୍କ ପାଇଁ ପ୍ରେରଣା--ଏକ ବାସ୍ତବବାଦୀ ବ୍ୟକ୍ତିତ୍ୱ ଭକ୍ତ ଚରଣ ଦାସ


ନ୍ଦୋଳନ ରୁ ଜନ୍ମ ଆନ୍ଦୋଳନ ରେ ମୃତ୍ୟୁ ଏହାହିଁ ଆଦରଣୀୟ ଭକ୍ତ ଦାସ ଓ ତାଙ୍କ ସଂଗ୍ରାମୀ ସହଯୋଗୀ ଙ୍କ ସିଦ୍ଧାନ୍ତ ଅଟେ ।"ପ୍ରାଣୀ ଙ୍କ ଆରତ ଦୁଖଃ ଅପ୍ରମିତ ଦେଖୁ ଦେଖୁ କେ' ବା ସହୁ -ଏ ଜୀବନ ପଛେ ନରକେ ପଡି ଥାଉ ଜଗତ ଉଦ୍ଧାର ହଉ"କେବଳ ବଫଳା ମାଳି ନୁହଁ ରାଜ୍ୟ ଓ କେନ୍ଦ୍ର ସରକାର ରାଜ୍ୟର ଯେଉଁ ସବୁ ଖଣି କୁ ଲିଜଦେଇଛନ୍ତି ସମସ୍ତ ଅଞ୍ଚଳରେ ବିସ୍ଥାପିତ ମାନଙ୍କ ସମସ୍ୟା ର ସମାଧାନ କରିବା ପାଇଁ ଆଗାମୀ ଫେବୃଆରୀ ମାସ ପରେ ଆନ୍ଦୋଳନ ଦୁର୍ବାର ହେବ ଏହା ନିଶ୍ଚିତ ।ରାଜ୍ୟ ସରକାର ବେଳ ଠୁ ବିସ୍ଥାପିତ ଙ୍କ ସମସ୍ୟା ସମାଧାନ କରନ୍ତୁ ନଚେତ ସମଗ୍ର ରାଜ୍ୟରେ ଜନ ଆକ୍ରୋସ କେଉଁ ରୂପ ନେବ କହି ହେବ ନାହିଁ ।ଅତି ନିକଟରୁ ପିଲାଟି ଦିନରୁ ଆଦରଣୀୟ ଭକ୍ତ ଦାସ ଙ୍କୁ ଦେଖିଛି, ଚିନ୍ହିବାକୁ ଚେଷ୍ଟା କରିଛି ।କଳାହାଣ୍ଡି ମାଟିର ନିରୀହ, ସରଳ ଓ ଅବହେଳିତ ବର୍ଗ ଙ୍କ ଦୁଖଃ କୁ ଯିଏ ନିଜର ଦୁଃଖ, କଷ୍ଟ ବିବେଚନା କରି ଯେକୌଣସିପ୍ରତିବଦଳରେ ସମସ୍ୟା ସମାଧାନ କରିବା ପାଇଁ ନିଜର ସମସ୍ତ ଶକ୍ତି ପ୍ରୟୋଗ କରି ଏବଂ ବିରୋଧୀ କିମ୍ବା ପ୍ରତିପକ୍ଷ କିଛି ନ୍ୟସ୍ତ ସ୍ୱାର୍ଥପର ବ୍ୟକ୍ତି ଙ୍କ କଟାକ୍ଷ କୁ ଭ୍ରୁକ୍ଷେପ ନ କରି ଆଗକୁ ଆଗକୁ ମାଡି ଚାଲନ୍ତି ସିଏ ହିଁ ଭକ୍ତ ଦାସ ।


ଏକ ଖୋଲା ବହି ତାଙ୍କ ପାଇଁ କୌଣସି କ୍ଷମତା କିମ୍ବା କ୍ଷମତାଶାଳୀ ଙ୍କ କୌଣସି ମୂଲ୍ୟ ନାହିଁ ।ଯିଏ ରାଜନୀତି ରେ କିଶୋର ବୟସରେ ପାଦ ଥାପିବା ସହ ଦେଶର ଅନେକ ସମାଜବାଦୀ ଆନ୍ଦୋଳନର ପୁରୋଧା ମାନଙ୍କ ସଂସ୍ପର୍ଶ ରେ ନିଜକୁ ସମର୍ପିତ କରିଦେଇ ଥିଲେ ଓ ଜଣେ ପରିପକ୍ୱ ରାଜନୈତିଜ୍ଞ ଭାବରେ ସମଗ୍ର ଦେଶରେ ପ୍ରତିଷ୍ଠିତ ହୋଇ ପାରିଲେ ସେ ଭକ୍ତ ଦାସ ଙ୍କ ଛଡା ଆଉ କିଏ ହୋଇପାରେ ।ଜୟପ୍ରକାଶ ଆନ୍ଦୋଳନ ରେ ଯୁବ ଛାତ୍ର ସଙ୍ଘର୍ଷ ବାହିନୀ ର ସର୍ଵ ଭାରତୀୟ ଆବାହକ ଭାବେ ବିହାର ଆନ୍ଦୋଳନ ରୁ ଆରମ୍ଭ ରାଜନୈତିକ ଜୀବନ ଏକ ଚଳଚିତ୍ର ର କାହାଣୀ ପରି ରୋମାଂଚକର ଅଟେ ।ପ୍ରତିକୂଳ ପରିସ୍ଥିତି ରେ କିପରି ସମ୍ମାନ ର ସହ ବଞ୍ଚିବାକୁ ହୁଏ ତାହା ଭକ୍ତ ଦାସ ଏକ ଉଦାହରଣ ଅଟନ୍ତି ।ମାତ୍ର ୨୫/୨୬ ବର୍ଷ ବୟସରେ ସଦର ବିଧାୟକ ଭାବେ ନିର୍ବାଚିତ ହେବା ପରେ ନିଜ ମାଟି ଓ ମାଟିର ମଣିଷ ଙ୍କ ଦୁଃଖ ଓ କଷ୍ଟ କୁ ସ୍ଵଚକ୍ଷୁ ରେ ଦେଖିବା ଓ ଅନୁଭବ କରିବା ପାଇଁ ସମଗ୍ର ଜିଲ୍ଲା ରେ ପଦଯାତ୍ରା କେବଳ ଭକ୍ତ ଦାସ ହିଁ କରିଛନ୍ତି ।ଏଥି ସହ, ମାଥିଲି ରୁ ଭୁବନେଶ୍ୱର ସାଇକେଲ ଯାତ୍ରା, କଳାହାଣ୍ଡି ର ସମସ୍ୟା କୁ ନେଇ ଦିଲ୍ଲୀ ରେ ପାର୍ଲିଆମେଣ୍ଟ ଭବନ ଘେରାଉ କରିବା ପାଇଁ ପଦଯାତ୍ରା, ସମ୍ବିଧାନ ର ୩୭୧ ଧାରା ଲାଗୁ କରି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ ଦାବି ଫଳରେ କଳାହାଣ୍ଡି ଜିଲ୍ଲା ପାଇଁ କେନ୍ଦ୍ରୀୟ ସହାୟତା ସମ୍ଭବ ହୋଇଥିଲା ।ଯାହାଙ୍କ ପାଇଁ କ୍ଷମତା ମୂଲ୍ୟହୀନ, ଯାହାଙ୍କ ପାଇଁ କେବଳ କଳାହାଣ୍ଡି ମାଟିର ବିକାଶ ଓ ପ୍ରକୃତି କୋଳ ରେ ବଞ୍ଚୁଥିବା ସରଳ ନିରୀହ ନିଷ୍ପେସିତ ମାନଙ୍କ ବିକାଶ ହିଁ ମୁଳ ଲକ୍ଷ୍ୟ ଅଟେ ସେ କେବଳ ଆଉ କେବଳ ଭକ୍ତ ଦାସ ।ଯିଏ ନିଜର ରାଜନୈତିକ ଜୀବନ କାଳରେ କେତେ ସରପଞ୍ଚ, ସମିତି ସଭ୍ୟ, ପଂଚାୟତ ସମିତି ଅଧ୍ୟକ୍ଷ / ଅଧ୍ୟକ୍ଷା, ବିଧାୟକ, ଜିଲ୍ଲା ପରିଷଦ, ପୌରପରିଷଦ, ବିଧାୟକ, ସାଂସଦ ତିଆରି କରିଛନ୍ତି ତାହା ର ଲମ୍ବା ତାଲିକା ରେ ଗୋଟିଏ ବହି ହେବ ।


ଯାହାଙ୍କ ରାଜନୈତିକ ସଂକଳ୍ପ ଆଗରେ ବିଶ୍ୱର ଯେତେ ବଡ଼ ଧନୀ କିମ୍ବା ପ୍ରତିପତ୍ତି କ୍ଷମତାଶାଳୀ ଧନୀକ ବ୍ୟକ୍ତି ମୂଲ୍ୟହୀନ ଯାହାଙ୍କ ପାଖରେ ଲୋଭ, ଭୋକ, କ୍ଷମତା ହାର ମାନିବାକୁ ବାଧ୍ୟ ହୋଇ ପଡେ ଯାହାଙ୍କ ଜ୍ଞାନ ଓ ଯୁକ୍ତି ଆଗରେ ସବୁକିଛି ଫିକା ପଡ଼ିଯାଏ ସେ ହିଁ ବାସ୍ତବରେ ଜଣେ ବାସ୍ତବବାଦୀ ମଣିଷ ଭକ୍ତ ଚରଣ ଦାସ । ଭକ୍ତ ଦାସ ଙ୍କୁ ଜାଣି ନଥିବା କିମ୍ବା ତାଙ୍କ ପାଖରେ ଛଳନା କରି ପ୍ରିୟପାତ୍ର ହୋଇ କେବଳ ନିଜ ସ୍ୱାର୍ଥ ହାସଲ କରିବା ପାଇଁ ଉଦ୍ୟମ କରିଥିବା ତଥା କଥିତ କଳାହାଣ୍ଡି ର ଭାଗ୍ୟ ବିଧାତା ଗଣ ଔଷଧ ବିକଳରେ ତାଟିଆ କାମୁଡିବା ନ୍ୟାୟ ରେ କେବଳ ନିଜ ଚାଟୁକାର ମାନଙ୍କ ନିକଟରେ ବାହାସ୍ଫୋଟ ମାରି ଚାଲିଛନ୍ତି । ମନେ ପଡେ ବିଧାନସଭା ରେ ବିଧାୟକ ଭାବେ କଳାହାଣ୍ଡି ଜିଲ୍ଲାର ସମସ୍ୟା କୁ ନେଇ ସ୍ୱର ଉତ୍ତୋଳନ କରିବା ପାଇଁ ଛିଡା ହେଲେ ତାଙ୍କୁ ଅନୁମତି ମିଳିଲା ନାହିଁ ।ସେତେ ବେଳେ ମାତ୍ର ୧୦ ଜଣ ବିରୋଧୀ ବିଧାୟକ ଓ ସ୍ବର୍ଗତ ବିଜୁ ପଟ୍ଟନାୟକ ଭକ୍ତ ଙ୍କ ନେତା । ବାରମ୍ବାର ଭକ୍ତଦାସ ବିଧାନସଭା ରେ ବକ୍ତବ୍ୟ ପ୍ରଦାନ କରିବା ପାଇଁ ଉଦ୍ୟମ ସମୟରେ ନିକଟରେ ବସି ଥିବା ବିଜୁ ବାବୁ ଭକ୍ତ ଦାସ ଙ୍କୁ ନିଜ ଆସନରେ ଚୁପଚାପ ବସିବା ପାଇଁ ଆଦେଶ ଦେବା ସହ ଏପରି କଟାକ୍ଷ ଭାଷା ପ୍ରୟୋଗ କରି ଭକ୍ତ ଙ୍କୁ ଚୁପ ବସିବାକୁ କହିଲେ ସେତେବେଳେ ଭକ୍ତ ଦାସ ଙ୍କ ରାଗ ପଞ୍ଚମରେ ।ନିଜ ନେତା ଓ ଜଣେ କିମ୍ବଦନ୍ତୀ ବ୍ୟକ୍ତିତ୍ୱ ଙ୍କ ଠାରୁ ଶୁଣିବା ପରେ ଭକ୍ତ ଦାସ ଙ୍କ ବିଦ୍ରୋହର ବାସ୍ତବ ରୂପ ପଦାକୁ ଆସିଲା ଏବଂ ହଟାତ ଭକ୍ତ ଦାସ ନିଜ ମାଇକ ଭାଙ୍ଗି ବାଚସ୍ପତି ଙ୍କ ଟେବୁଲ ଉପର କୁ ଫୋପାଡ଼ି ବିଧାୟକ ଭାବେ ଆସି ରାଜଧାନୀ ରେ ଅଏସ ଆରାମ କରିବା କିମ୍ବା ଗୁଳାମି କରିବା କୁ ଆସି ନାହିଁ ବୋଲି ଗର୍ଜିଥିଲେ ଯାହାକି ସମଗ୍ର ଦେଶରେ ଚହଳ ସୃଷ୍ଟି କରିଥିଲା ।


ଦ୍ୱିତୀୟ ଘଟଣା ସରକାରୀ ଦଳ ର ସାଂସଦ ଭାବରେ କଳାହାଣ୍ଡି ଜିଲ୍ଲାର ନର୍ଲା ନିକଟସ୍ଥ ଚପଟଖଣ୍ଡା ନିକଟରେ ରେଳଡ଼ବା ମରାମତି କାରଖାନା ନିର୍ମାଣ ପାଇଁ ପୂର୍ବ ପାରିତ ପ୍ରକଳ୍ପ ପାଇଁ ବଜେଟ ରେ ସ୍ଥାନ ଦେବା ପାଇଁ ଦାବି କରି ରେଳମନ୍ତ୍ରୀ ଙ୍କୁ ଓ ସଦନରେ ରେଳଡ଼ବା କାରଖାନା ପାଇଁ ବ୍ୟବସ୍ଥା ଗ୍ରହଣ ନ କଲେ ସାଂସଦ ପଦରୁ ଇସ୍ତାଫା ଦେବା ପାଇଁ ଘୋଷଣା ଘଟଣା କ୍ଷମତାଶୀଳ ଦଳ ରେ ଚହଳ ସୃଷ୍ଟି କରିଥିଲା ।ଏହି ଘଟଣା ରେ ସଂସଦ ରେ ଉପସ୍ଥିତ ସମ୍ମାନନୀୟା ସୋନିଆ ଗାନ୍ଧୀ ହସ୍ତକ୍ଷେପ କରି ରେଳମନ୍ତ୍ରୀ ଙ୍କୁ ବଜେଟରେ ଘୋଷଣା କରିବାକୁ ନିର୍ଦେଶ ଦେଇଥିଲେ । କଳାହାଣ୍ଡି ସମେତ ପଶ୍ଚିମ ଓଡିଶାର ପରିବେଶ ସୁରକ୍ଷା ପାଇଁ, ଭବିଷ୍ୟତ ବଂଶଧର ମାନଙ୍କ ସୁରକ୍ଷା ଓ ଜଳ, ଜଙ୍ଗଲ ଜମି ର ସୁରକ୍ଷା ପାଇଁ ବେଦାନ୍ତ ବିରୁଦ୍ଧ ରେ ନିୟମଗିରି ର ସୁରକ୍ଷା ପାଇଁ ସଫଳ ଆନ୍ଦୋଳନ ର ସଫଳ ନାୟକ କିଏ ତେବେ ନିଶ୍ଚିତ ଉତ୍ତର ଆସିବ ଶ୍ରୀ ଭକ୍ତ ଚରଣ ଦାସ । ଏହିପରି ଅନେକ ଘଟଣା ଫଳରେ କଳାହାଣ୍ଡି ର ବିକାଶ ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ, ପଶ୍ଚିମ ଓଡିଶା ବିକାଶ ପରିଷଦ ଯୋଜନା ଆରମ୍ଭ ହୋଇ ସମଗ୍ର ପଶ୍ଚିମ ଓଡ଼ିଶାର ଅନୁନ୍ନତ ଅଞ୍ଚଳ ର ବିକାଶ ପ୍ରକ୍ରିୟା ଆରମ୍ଭ ହୁଏ ।


ଲାଭବାନ ହୁଅନ୍ତି ନେତା, ଠିକାଦାର, ଯନ୍ତ୍ରୀ ଓ ଦଲାଲ କିନ୍ତୁ ବାସ୍ତବ ରେ ସାଧାରଣ ନିରୀହ ଜିଲ୍ଲାବାସୀ ଆଜିବି ବଞ୍ଚିତ ହେଇଛନ୍ତି ।ସ୍ୱାସ୍ଥ୍ୟ, ଶିକ୍ଷା, ଗମନା ଗମନ , ସହ ନୀତିଦିନ ନିଜ ମୌଳିକ ଅଧିକାର ରୁ ବଞ୍ଚିତ ବର୍ଗ ଙ୍କ ସ୍ୱର ଆଜିବି ଚଳ ଚଞ୍ଚଳ ।ଜଣେ ସଂଗ୍ରାମୀ ଭାବରେ ଦେଶର କୋଣ ଅନୁକୋଣରେ ନିଜର ଲଢୁଆ ପ୍ରବୃତ୍ତି ଯୋଗୁଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ଆଦରଣୀୟ ଭକ୍ତ ଦାସ ।କ୍ଷମତାରେ ଥିଲେ କି ନ ଥିଲେ ବି ଦେଶର ଯେ କୌଣସି ଡାକ୍ତର ଖାନା ରେ କେହି କଳାହାଂଡିଆ ଚିକିତ୍ସା ପାଇଁ ଭର୍ତି ଥାଆନ୍ତି ତେବେ ଖବର ପାଇଲେ ନିଶ୍ଚୟ ଆଜିବି ନିଜ ସାଧ୍ୟମତେ ସମସ୍ତ ସୁବିଧା କରିବା ପାଇଁ ଚେଷ୍ଟା କରିବାକୁ କେବେ ବି ପଛଘୁଞ୍ଚା ଦେଇ ନାହାନ୍ତି ।


ଗରିବ ପରିବାର ର ଜାତିଧର୍ମ ନିର୍ବିଶେଷରେ ଯେ କୌଣସି ଯୋଗ୍ୟ ଛାତ୍ର- ଛାତ୍ରୀ ଙ୍କ ଉଚ୍ଚ ଶିକ୍ଷା ପାଇଁ ସଦାସର୍ବଦା ତତ୍ପର ଥାନ୍ତି ଭକ୍ତଦାସ ।କିନ୍ତୁ କେବେ ବି ଆତ୍ମ ବଡିମା ର ଶିକାର ହୋଇ ନାହାନ୍ତି ।ବାସ୍ତବ ଜୀବନରେ ହଉ କି ରାଜନୈତିକ ଜୀବନ ରେ ନିଷ୍ପତ୍ତି ନେବା ଓ ସମଗ୍ର ଦୁଖଃ କଷ୍ଟ କୁ ଅମୃତ ଭାବି ସହି ଯିବା ଯାହାଙ୍କ ସିଦ୍ଧାନ୍ତ ସେ ବାସ୍ତବରେ ପ୍ରଶଂସନୀୟ । ମୁଁ ଜାଣିଥିବା ପଶ୍ଚିମ ଓଡ଼ିଶାର ଯେତେ ବି ନିର୍ବାଚିତ ପ୍ରତିନିଧି ଭକ୍ତଦାସ ଙ୍କ ନିଜମାଟି ର ହକ ହାସଲ ପାଇଁ ରାଜନୈତିକ ଦାବି ନିର୍ଭୀକ ଭାବରେ ଉଦ୍ୟମ କରିବା ଲଢୁଆ ସଂଗ୍ରାମୀ ମନୋଭାବ ପୋଷଣ କରିଛନ୍ତି ନୂତନ ପିଢ଼ିର ରାଜନେତା ଯଦି ତାଙ୍କ ଆଦର୍ଶ ର ଦଶ ଭାଗ ସଂକଳ୍ପ କୁ ଆପଣେଇ ନିଅନ୍ତି ତେବେ ଅଞ୍ଚଳ ର ବିକାଶ ରେ କିଛି ସଫଳ ହୋଇ ପାରନ୍ତେ ।ଆଜି ଏହି ପରି ଜଣେ ବ୍ୟକ୍ତି ଙ୍କ ସମ୍ପର୍କରେ ଲେଖିବାକୁ କାହିଁକି ବାଧ୍ୟହେଲି ତାହା ଅନେକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିବାରେ ।ତେବେ ଉତ୍ତର ଅତି ସରଳ ଓ ନିରପେକ୍ଷ ।ପିଲାଟି ଦିନରୁ ଜିଲ୍ଲାର ଅନେକ ରାଜନେତା, ବିଧାୟକ, ସାଂସଦ ଓ ନିର୍ବାଚିତ ପ୍ରତିନିଧି ଙ୍କୁ ଅତି ନିକଟରୁ ଦେଖିଛି, ଜାଣିବାକୁ ଚେଷ୍ଟା କରିଛି ।କିନ୍ତୁ ଯେଉଁ ମାନେ ଅନେକ ସମୟରେ ବାହାସ୍ଫୋଟ ମାରି ଯାହାଙ୍କ ସମ୍ପର୍କରେ କିଛି ନ ଜାଣି ନ ଚିନ୍ହି ଭିତ୍ତିହୀନ କଟାକ୍ଷ କରିବା, ନିଜ ଔକାତ ବାହାରେ ବ୍ୟଙ୍ଗ କରିବା ଏବଂ ଭକ୍ତ ଦାସଙ୍କ ଜୀବନ ଆରମ୍ଭ ସମୟରେ ଜନ୍ମ ଗ୍ରହଣ ମଧ୍ୟ କରି ନ ଥିବା ବ୍ୟକ୍ତି ଯଦି କିଛି କହେ ତେବେ ସେମାନେ ଜାଣିବା ଉଚିତ ଯେ, ଭକ୍ତ ଦାସ ଜଣେ ବ୍ୟକ୍ତି ନୁହନ୍ତି, ସେ ଏକ ବିରାଟ ଅନୁଷ୍ଠାନ ଓ ଯାହାଙ୍କ ସଂକଳ୍ପ ଓ ଲଢୁଆ ମନୋବୃତ୍ତି କୌଣସି ସୀମା ନାହିଁ ।ଯିଏ ଜଣେ ସୀମା ହୀନ ଦରିଆ ଜଣେ କୋମଳ ହୃଦୟ ର ମଣିଷ ।ଅନ୍ୟ ର ଦୁଖଃ ଦେଖି ଯିଏ ନିଜର ଆଖିର ଲୁହକୁ ବାହାରିବା ପୂର୍ବରୁ ନିୟନ୍ତ୍ରଣ କରି ନିଅନ୍ତି ଯିଏ ନିଜ ର ଜଣେ ପ୍ରଚଣ୍ଡ ଆଧ୍ୟତ୍ମିକ ବାଦୀ ଓ ଯିଏ କେବେ ବି ଅସତ୍ୟ, ଅନ୍ୟାୟ,ଓ ଶୋଷଣ, ଅତ୍ୟାଚାର ବିରୁଦ୍ଧରେ ନିସଙ୍କୋଚ ଓ ନିର୍ଭୀକ ଭାବରେ ସ୍ୱର ଉତ୍ତୋଳନ କରିବାକୁ ନିଜର ଧର୍ମ ବୋଲି ବିବେଚନା କରନ୍ତି ସିଏ ହିଁ ଏ ମାଟିର ସଂଗ୍ରାମୀ ଲଢୁଆ ସନ୍ତାନ ଆଦରଣୀୟ ଭକ୍ତ ଚରଣ ଦାସ । 


ଯୁବ ପିଢ଼ି ଙ୍କ ପାଇଁ ଏକ ପ୍ରେରଣା ର ଉତ୍ସ ।ଏହି ଲେଖା ପଢି ଅନେକ ମୋ ପ୍ରତି ଆକ୍ଷେପ, କଟାକ୍ଷ କିମ୍ବା ସମାଲୋଚନା କରି ପାରନ୍ତି ।ତେବେ ଲେଖା ଟି ମୋ ଶ୍ରୁତି ର କିଛି ଅଂଶ ବିଶେଷ ।ସମ୍ପ୍ରତି କଳାହାଣ୍ଡି ରାଜନୀତି ରେ ଯୁବ ପିଢୀରେ ଏକ ରାଜନୈତିକ ଶୂନ୍ୟତା ସୃଷ୍ଟି ହୋଇଛି । କ୍ଷମତାଶାଳୀ ଦଳ, ଅର୍ଥବଳ, ବାହୁବଳ ବଦଳରେ ନିର୍ବାଚିତ ହେବା କିମ୍ବା କୌଣସି ଯୋଗ୍ୟତା ନ ଥାଇ କଳାହାଣ୍ଡି କୁ ଚିହ୍ନି ନ ଥିବା ଜାଣି ନ ଥିବା ଓ ନିଜ ବସ ଙ୍କ ପାଖରେ ଗୁଳାମିର ମାନସିକତା ରେ ଭରପୁର ଚାଟୁକାର ମାନେ କଳାହାଣ୍ଡି ର ବିକାଶ ପରିବର୍ତ୍ତେ ଦଳୀୟ ଆଦେଶ ଓ ପ୍ରଶାସନିକ କଳର ନିର୍ଦେଶ ରେ ଉଠବସ ହେଉ ଥିବେ ସେମାନଙ୍କ ପାଇଁ ଆତ୍ମ ସମୀକ୍ଷା କରିବା ଓ ନିଜ ମାଟି ଓ ମାଟିର ମଣିଷ ମାନଙ୍କ ମୌଳିକ ଅଧିକାର ହାସଲ କରିବା ପାଇଁ ସଂକଳ୍ପ ନେବା ସକାଶେ ଉଦ୍ଦିଷ୍ଟ ନଚେତ ଇତିହାସ ସେହିପରି ଅଯୋଗ୍ୟ, ଅଥର୍ବ ମାନଙ୍କୁ କ୍ଷମା କରିବ ନାହିଁ ।


    ମହମ୍ମଦ ଅଲ୍ଲୀ

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe