ଜୟପାଟଣା:---( ତର୍ଜମା ନ୍ୟୁଜ ) ସରକାର ବିଦ୍ୟାଳୟ ଗୁଡିକୁ ଦଣ୍ତମୁକ୍ତ ସହ ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ଭେଦଭାବ ଶୂନ୍ୟ ଅଞ୍ଚଳ ଘୋଷଣା କରିଛନ୍ତି । ଏହା ସ୍ବତ୍ବେ ଏଥିରେ ଅନେକାଂଶରେ ବ୍ୟତିକ୍ରମ ଘଟିବା ନଜରକୁ ଆସେ । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକର ଧନଶୁଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନ କର୍ଲାକୋଟ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆସିଛି ସାଙ୍ଘାତିକ ଅଭିଯୋଗ । ଘଟଣାରୁ ପ୍ରକାଶ ଜାତିଆଣ ଭେଦଭାବ ଦର୍ଶାଇ ଗ୍ରାମର ହରିଜନ ସାହିର ଛାତ୍ରଛାତ୍ରୀ ବିଦ୍ୟାଳୟ ବର୍ଜନ କରିଛନ୍ତି । ସେମାନଙ୍କୁ ଦିଆ ଯାଉଥିବା ମଧ୍ୟାହ୍ନ ଭୋଜନ ସମୟରେ ତଥା ଶ୍ରେଣୀ କକ୍ଷରେ ଛୁଆଁ ଅଛୁଆଁ ଭେଦଭାବ ରଖା ଯାଉଥିବା ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ସ୍ଥାନୀୟ ବିଡ଼ିଓ ସ୍ନିଗ୍ଧାରାଣୀ ପ୍ରଧାନ,ସରପଞ୍ଚ କୈଳାସ ସାହୁ,ସ୍ଥାନୀୟ ନାଏବ ସରପଞ୍ଚ ପ୍ରମୁଖ ଉତ୍ତେଜିତ ଜନତାଙ୍କୁ ବୁଝାସୁଝା କରିଥିଲେ ।ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ଗ୍ରାମରେ ଦୁଇ ସାଇ ମଧ୍ୟରେ ତିକ୍ତତା ଥିବା ଦୃଷ୍ଟିରୁ ଏହାର ପ୍ରଭାବ ବିଦ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚି ଥିବା ଅନୁମାନ କରାଯାଉଛି । ଏହାର ଉପଯୁକ୍ତ ତଦନ୍ତ କରାଯାଇ ଦୋଷୀଙ୍କ ଉପରେ କୋଠର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି ।
ଜୟପାଟଣା ରୁ ଅମଜଦ ଖାଁ ଙ୍କ ରିପୋର୍ଟ
Post a Comment