//BREAKING//
Loading...

ତାରଜାଲି, କୁକୁଡା ଓ କଟୁରୀ


 Il ତାରଜାଲି, କୁକୁଡା ଓ କଟୁରୀ ll

ତାରଜାଲି, କୁକୁଡା ଓ କଟୁରୀର

ପୃଥିବୀରେ ତୃଷ୍ଣା ଓ ତପସ୍ୟା,

ବିଦ୍ରୋହ ଓ କ୍ରାନ୍ତି ସବୁ କିଛି

ଜୀବନ ବିକୁଥିବା ମଣିଷଙ୍କ ହାତରେଯିଏ

ଓଲାଟା ଅକ୍ଷରର ବିମର୍ଷ ସୂତ୍ରରେ

ବଣିଜ କରେ ଦେଶ, ଦେଶପ୍ରେମ ଓ ଇଶ୍ୱର ll

ସେ ମଣିଷ ବେଶ୍ ପ୍ରଭାବଶାଳୀ ଓ ନିର୍ମମ

ତାର୍କିକ ଓ ମୁଖର

ଉଷାକାଳର ମାୟା ଓ ଧୂଳିଝଡ଼ର ସୂକ୍ତ

ଫୁଲଭଳି ଗୁନ୍ଥି ଦିଏ ସୋରିଷ ଭଳି ବୁଣି ହୁଏ

କ୍ଷମତା ଓ ସିଂହନାଦ ସବୁଥିରେ ତାର ହସ୍ତାକ୍ଷର

କଟୁରୀ ପଜାଏ

ବେକ ଓ ବିବେକ ଉଭୟକୁ କାଟେ

ଲୋକଙ୍କ ଉପରେ ସବାର୍ ହୁଏ

ମନ୍ତ୍ର ଓ ତନ୍ତ୍ର ବଳରେ ଶବ୍ଦର ଜାଲବୁଣେ

ଦେହ ଓ ନିର୍ବାଣ ଉଭୟର

ଶିକାରୀ ଓ ପୂଜାରୀ ସେ ll

ଧାନକ୍ଷେତ ଜଳାଇ ସିଗାରେଟ୍ ପିଏ

ଧୂଆଁ ଛାଡେ ଅକାଶକୁ

ଲଙ୍ଘନକରେ ସୀମା ଓ ଅସୀମା ସବୁ କିଛି

କବରୀ ଓ କବର ଉଭୟରେ ଫୁଲ ସଜାଏ

ତାଜା ଓ ସୁଗନ୍ଧିତ

କୁକୁଡ଼ାର ବେକ କାଟି ମନ୍ଦାର ମାଳ ପିନ୍ଧେ

ଦେବୀ ହୁଏ, ରକ୍ତ ପିଏ

ଲାଲ୍ ଲାଲ୍ ପଦଚିହ୍ନରେ ସଜାଏ ହୃଦୟର ଘର

ଜରାୟୁରୁ ଜଠର ପଳାଶର ମଞ୍ଜି ବୁଣେ

ଆୟୁଷ ଓ ଆମିଷ ଦିଗରୁ ଦିଗନ୍ତ ଯାଏଁ ବିଛାଡ଼ି ଦିଏ ll

ପ୍ରାପ୍ତି ଓ ଅତୃପ୍ତି ଉଭୟର ଅନଳ ଜାଳେ

ସାମ୍ନାରେ ଲାଳାୟିତ ଜିଭଙ୍କର ଭିଡ ଜମେ

ସ୍ଵାଦ ଓ ଆଶିଷ, ମିଛସତର ମାୟାଜାଲରେ

ବନ୍ଦୀ ହୁଏ ମନ ଓ ମଗଜ

ଜଡ ଓ ଚେତନାର ଦ୍ୱନ୍ଦରେ ଝୁଲୁଥାଏ

ଦର୍ଶନର ବୋଝତଳେ ଚାପିହୋଇ

ଶୁଦ୍ଧ ହେବାର ଯନ୍ତ୍ରଣାରେ ଯୁଝୁଥାଏ

ଅନେକ ସମ୍ଭାବନା ସହ

କଷ୍ଟପାଇ ଅବିରତ,

କିନ୍ତୁ

ତାରଜାଲି, କୁକୁଡା ଓ କଟୁରୀ

ଜାତୀୟ ରାଜପଥର ରାସ୍ତାକଡ ଦୋକାନରେ

ସୁଦୃଶ୍ୟ ମରଣର ବିଜ୍ଞାପନ ଭଳି ଶୋଭାପାଉଥାଏ

ମାଂସଲୋଭୀ ଲୋକଙ୍କର ଭିଡ଼ ଜମୁଥାଏ

କଟୁରୀର ଉଲ୍ଲାସର ଅଂଶ ହେବା ପାଇଁ ,

ତାରଜାଲିର କୁକୁଡା ଭାଗ୍ୟରେ ନଥାଏ

ଆତତାୟୀ କଟୁରୀରୁ ମୁକୁଳିବାର ସୂତ୍ର

କାରଣ ସେ ଏବେ ଜୀବନ ବିକୁଥିବା ମଣିଷର

ଅଦ୍ଭୁତ ଭୋକର ବେପାର ll

***************=**************

ସତ୍ୟ ପଟ୍ଟନାଏକ,

ଅବସରପ୍ରାପ୍ତ ବରିଷ୍ଠ ପ୍ରାଧ୍ୟାପକ,

କଳାହାଣ୍ଡି

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe