//BREAKING//
Loading...

ମନରେଗା ମହା ଦୁର୍ନୀତି ଅଭିଯୋଗ : କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ, ମିଥ୍ୟା ବିଲରେ ଉଠିଲାଣି ଲକ୍ଷାଧିକ ଟଙ୍କା !!!

  ମହା ଦୁର୍ନୀତି ଅଭିଯୋଗ : କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ, ମିଥ୍ୟା ବିଲରେ ଉଠିଲାଣି ଲକ୍ଷାଧିକ ଟଙ୍କା !!!


ଥୁ : ରାମପୁର

( ତର୍ଜମା ନ୍ୟୁଜ )


ଦାଦନ ସମସ୍ୟା ଦୂରୀଭୂତ ସହ ଲୋକଙ୍କୁ କାମଧନ୍ଦା ଯୋଗାଇ ଦେବା ଲକ୍ଷ୍ୟନେଇ ସରକାର ମନରେଗା ଯୋଜନା ପ୍ରଣୟନ କରିଛନ୍ତି । ହେଲେ ଏହି ଜନହିତକର ଯୋଜନା ଲୋକାଭିମୁଖୀ ହେବା ପୂର୍ବରୁ ସରକାରୀ ବାବୁମାନେ କିପରି ନିଜ ନିଜ ପକେଟ ଗରମ କରି ଚାଲିଛନ୍ତି ତାହାର ନିଛକ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅଞ୍ଚଳରେ । ଭାତହାଣ୍ଡି ରୁ ଗୋଟିଏ ଚିପୁଡିଲା ପରି ଏହି ବ୍ଳକ ଅନ୍ତର୍ଗତ ବିରିକୋଟ ପଞ୍ଚାୟତ ଏହାର ଜ୍ୱଳନ୍ତ ଉଦାହରଣ । ବିରିକୋଟ ପଞ୍ଚାୟତ ଅଧିନରେ  କେନ୍ଦୁ ପଡା ଠାରୁ ସେମେଲପଦର ରାସ୍ତା ଉନ୍ନତିକରଣ କରଣ ପାଇଁ ଆର୍ଥିକ ବର୍ଷ ୨୦୨୨/୨୩ରେ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ୯ ଲକ୍ଷ ୯୫ ହଜାର ଟଙ୍କା ଅଟକଳ କରି କାର୍ଯ୍ୟ କରିବାର ଧାର୍ଯ୍ୟ କରାଯାଇଥିଲା । ଏଥିପାଇଁ ୩୫୧ ଶ୍ରମଦିବସ ସୃଷ୍ଟି କରି ୫୫ ଜଣ ଶ୍ରମିକ ନିୟୋଜନ ପାଇଁ ଗତ ଏପ୍ରିଲ ମାସ ୧୫ ତାରିଖରେ ୭ଗୋଟି ମଷ୍ଟରରୋଲ ବାହାର କରାଯାଇଥିଲା । ହେଲେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟ କରା ନ ଯାଇ ୧ ଲକ୍ଷ ୨୧ ହଜାର ୯୫ ଟଙ୍କା ଉଠାଇ ନିଆଯାଇଛି। ଏନେଇ ଗ୍ରାମବାସୀମାନେ ଆଦୌ କାମ ହୋଇ ନ ଥିବା କହିଥିବା ବେଳେ ଆମ ନିଜ ସୁବିଧା ପାଇଁ ଆମେ ନିଜେ ଲଟାବୁଦା କାଟିବୁ । କେହି ଆମକୁ ଏଥିପାଇଁ ଏକ ଟଙ୍କା ବି ସହଯୋଗ କରିନଥିବା କହିଛନ୍ତି । ଏଥି ସହ ତମ ଗାଁ କୁ କାମ ଆସିଛି ସେହି କାମ ତମେ କରିବ ବୋଲି ପଞ୍ଚାୟତ କର୍ମଚାରୀ ମାନେ କହିବାରୁ କିଛି ଲୋକ ନିଜ ହାତରୁ ସୂଚନା ଫଳକ ତିଆରି କରି ଦେଇଛନ୍ତି ହେଲେ ସେହି ପାଉଣା ବି ସେମାନେ ପାଇନାହାନ୍ତି । ତେବେ ପ୍ରଶ୍ନ ଉଠେ ଏହି ଟଙ୍କା ଖାଇଲା କିଏ? ଶ୍ରମିକ ମାନେ କାମ କରିନାହାନ୍ତି କିନ୍ତୁ ୭ଦିନ କାମ କରିଥିବା ଦର୍ଶାଇ ଦିନକୁ ୩୪୫ ଟଙ୍କା ମଜୁରୀ ହିସାବରେ ୭ଦିନକୁ ଜଣପିଛା ୨୪୧୫ ଟଙ୍କା ୭ ଗୋଟି ମଷ୍ଟରରୋଲ ରେ ୫୫ ଜଣକୁ ପୈଠ କରାଯାଇଛି । ସରକାରଙ୍କ ଏତେସବୁ କଟକଣା ସତ୍ତ୍ଵେ ଏହା ସମ୍ଭବ ହେଲା କିପରି? ନା ଏହାର ଚେର ତଲୁଉପର ଯାଏଁ ଲମ୍ଭିଛି ଏହା ହିଁ ବଡପ୍ରଶ୍ନ । ଏହି ପଞ୍ଚାୟତର ଏହି ଗୋଟିଏ କାର୍ଯ୍ୟ ଯେ ଏହିପରି ସରକାରୀ ବାବୁ ମାନଙ୍କ ଅର୍ଥ ଉପାର୍ଜନର ମାଧ୍ୟମ ହୋଇଛି ତାହା ନୁହେଁ ସମଗ୍ର ବ୍ଳକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଏଭଳି ଅଭିଯୋଗ ହେଉଛି । ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଉଚ୍ଚସ୍ତରୀୟ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନ ସାଧାରଣରେ ଦାବି ହେଉଛି ।

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe