ବାପା ମାଁ ଛେଉଣ୍ଡ ଟଙ୍କଧର ଆଧାର କାର୍ଡରୁ ବଞ୍ଚିତ: ପାଠପଢ଼ାରେ ଲାଗିଲା ଡୋରି -- ଭବିଷ୍ୟତ ଅନ୍ଧାର !!!
କଲମପୁର -୮/୬(ତର୍ଜମା ନ୍ୟୁଜ) କଅଁଳ ଶିଶୁ, ଜନ୍ମ ହେବାର କେଇଟା ଦିନ ବିତିଛି କି ନାହିଁ ଜନ୍ମଦାତ୍ରୀ ମାଆଙ୍କ ଦେହାନ୍ତ ହୋଇଗଲା, ମାଆଙ୍କ ମୃତ୍ୟୁର ଏକମାସ ନ ପୂରୁଣୁ ବାପା ବି ଆରପାରିକୁ ଚାଲିଗଲେ । ସ୍ଵାମୀ ସ୍ତ୍ରୀ ଚାଲିଗଲା ପରେ ରହିଗଲା ଏକମାତ୍ର କଅଁଳ ଶିଶୁ ପୂତ୍ର ଟଙ୍କଧର, ଏବେ ଟଙ୍କଧର ଦଶମ ଶ୍ରେଣୀର ଛାତ୍ର,ତା ପାଠ ପଢା ପାଇଁ ଆବଶ୍ୟକ ହେଉଛି ଆଧାର କାର୍ଡ । ହେଲେ ଆଧାର କାର୍ଡ ନ ଥିବାରୁ ଟଙ୍କଧରଙ୍କୁ ଶିକ୍ଷକ ସ୍କୁଲରୁ ବାହାର କରି ଦେଇଛନ୍ତି । ଏଭଳି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଦେପୁର ପଞ୍ଚାୟତ ସଦରମହକୁମାର ଲିଙ୍ଗରାଜ ଚଲାନ ଓ ତାଙ୍କ ସ୍ତ୍ରୀ କୁମୁଦିନୀ ଚଲାନ ଙ୍କ ପୁଅ ଟଙ୍କଧର ଚଲାନ ଏପରି ପରିସ୍ଥିତିର ସମ୍ମୁଖିନ ହୋଇଛନ୍ତି । କୁମୁଦିନୀ ଓ ଲିଙ୍ଗରାଜଙ୍କ ଦେହାନ୍ତ ପରେ ବୃଦ୍ଧ ଜେଜେମା ଓ ଜେଜେବାପା କୌଣସି ପ୍ରକାରେ ନାତି ଟଙ୍କଧରଙ୍କୁ ଲାଳନପାଳନ କରି ଆସୁଥିଲେ । ଜେଜେମା ଓ ଜେଜେବାପାଙ୍କ ବୃଦ୍ଧାବସ୍ଥା ଫଳରେ ନାତିକୁ ଲାଲନ ପାଲନ ପାଇଁ ବିବାହିତ ଝିଅ ଘରକୁ ପଠାଇ ଦେଲେ । ଝିଅଘର ଜୁନାଗଡ଼ ବ୍ଲକ କୋଲିଗାଁରେ ଅବସ୍ଥିତ, ସେଠାରେ ଟଙ୍କଧର ପାଠପଢ଼ା ଆରମ୍ଭ କଲେ,ସେବେ ଠାରୁ ସେ ଆଧାର କାର୍ଡ ପାଇଁ ଆବେଦନ କରି ଆସୁଛନ୍ତି । ହେଲେ ଆଜିଯାଏଁ ତାଙ୍କୁ ଆଧାର କାର୍ଡ ମିଲିପାରୁ ନାହିଁ, ବାପା ମାଁର ପ୍ରମାଣପତ୍ର, ଜନ୍ମ ପ୍ରମାଣପତ୍ର, ତଥା ପ୍ରସୁତୀ କାର୍ଡ ସମେତ ଗ୍ରାମବାସୀ ମାନଙ୍କ ସାକ୍ଷ୍ୟ ପ୍ରମାଣପତ୍ର ଦାଖଲ ପରେ ବି ଟଙ୍କଧରଙ୍କୁ ଆଧାର କାର୍ଡ ମିଲିପାରୁ ନାହିଁ ।କେଉଁଠି ରହିଲା ତୃଟି, କ'ଣ କଲେ ଏହାର ସମାଧାନ ହୋଇ ପାରିବ, ସେ ନେଇ ମଧ୍ୟ ଆଧାର କାର୍ଡ ପ୍ରସ୍ତୁତ କାରୀ ମାନେ କହି ପାରୁ ନାହାନ୍ତି, ଟଙ୍କଧର କଲମପୁରର ଦୁଇଟି ସ୍ଥାନରେ ଚିଲିଗୁଡା ଓ ଜୁନାଗଡ଼ ଠାରେ ବାରମ୍ବାର ଆବେଦନ କରି ବିଫଳ ହେବାରେ ଲାଗିଛନ୍ତି ।ଏହି କାର୍ଡ ଖଣ୍ଡିଏ ନ ଥିବାରୁ ସେ ଖାଦ୍ୟ ସୁରକ୍ଷା ଆଇନରୁ ବଞ୍ଚିତ ହୋଇଥିବା ବେଳେ ଏବେ ପାଠ ପଢାରୁ ମଧ୍ୟ ବଞ୍ଚିତ ହୋଇଛନ୍ତି । ଏହି ବାପା ମାଁ ଛେଉଣ୍ଡ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ପ୍ରଶାସନ ଆଧାର କାର୍ଡ ପ୍ରସ୍ତୁତ କରିବାରେ ସହଯୋଗ କରିବାକୁ ଜନ ସାଧାରଣରେ ଦାବୀ ହେଉଛି । ଆଧାର କାର୍ଡ ବିନା ଭବିଷ୍ୟତ ଅନ୍ଧାର ନ ହେଉ ।
କଲମପୁରରୁ ସୁରେନ୍ଦ୍ର କୁମାର ନାଏକଙ୍କ ରିପୋର୍ଟ, ତର୍ଜମା ନ୍ୟୁଜ
Post a Comment