କଳାହାଣ୍ଡି ଓ କଳାହାଣ୍ଡିଆ ଙ୍କ ସ୍ଥିତି ଓ ଅସ୍ତିତ୍ଵ କେଉଁଠି??
---------------------------------------------
ପ୍ରତ୍ୟେକ କଳାହାଣ୍ଡିଆ ଙ୍କ ପାଇଁ ଆତ୍ମ ସମୀକ୍ଷା ର ଦିନ । ଆଜି ଜିଲ୍ଲା ରେ ପ୍ରକୃତ କଳାହାଣ୍ଡିଆ ମାନଙ୍କ ସ୍ଥିତି, ଅସ୍ତିତ୍ବ କେଉଁଠି । ଆସନ୍ତା ନଭେମ୍ବର ମାସ ଏକ ତାରିଖ କଳାହାଣ୍ଡି ର ପ୍ରତିଷ୍ଠା ଦିବସ । ଏଥି ପୁର୍ବରୁ କଳାହାଣ୍ଡି ଏକ ଉନ୍ନତ, ସ୍ଵର୍ଣ୍ଣପ୍ରସୁ ରାଜ୍ୟ ଭାବରେ ପ୍ରତିଷ୍ଠିତ ଥିଲା । କିନ୍ତୁ ଆଜି ର ଦିନ ରେ ପ୍ରତ୍ୟେକ କଳାହାଣ୍ଡିଆ ଭୁମି ପୁତ୍ର ମାନେ ଜିଲ୍ଲା, ରାଜ୍ୟ ଓ ଦେଶ ପାଇଁ ଦ୍ଵିତୀୟ ଶ୍ରେଣୀ ନାଗରିକ ଭାବରେ ଜୀଵନ ଯାପନ କରୁଛନ୍ତି । ବୁଦ୍ଧିଜୀବୀ, ରାଜନେତା ଗଣ ମୋ କଥା କୁ ଅସ୍ବୀକାର, ତାଚ୍ଛଲ୍ୟ କରି ପାରନ୍ତି । କିନ୍ତୁ ସତ୍ୟ କୁ ଅସ୍ବୀକାର କରିବା ଏ ମାଟି ପାଇଁ ବିଶ୍ୱାସ ଘାତକତା ପରି ହେବ । ସରଳ, ନିଷ୍କପଟ, ଆଦିବାସୀ, ଦଳିତ, ପଛୁଆ ବର୍ଗ କେଉଁ ଆବହମାନ କାଳରୁ ବସତି ସ୍ଥାପନ କରି ରହୁଥିବା ବେଳେ ନିଜ ମୌଳିକ ଅଧିକାର ରୁ ପୁରୁଷ, ପୁରୁଷ ଧରି ବଞ୍ଚିତ । ଅଳ୍ପ କିଛି ଦିନ, କିଛି ମାସ ବା କିଛି ବର୍ଷ ନିଜ ଜୀଵନ ଜୀବିକା ରୂପେଖାଲି ହାତ ରେ ଆସିଥିବା ଅଣ କଳାହାଣ୍ଡିଆ ମାନେ କଳାହାଣ୍ଡିଆ ଙ୍କ ସଂସ୍କୃତି, ପରମ୍ପରା, ଜଳ, ଜଙ୍ଗଲ, ଖଣି, ଜୀଵନ ଜୀବିକା ଛଡେଇ ନେଇ ସେଇ ଭୂମିପୁତ୍ର କଳାହାଣ୍ଡିଆ ମାନଙ୍କ ସାହୁକାର, ମାଲିକ, ତଥା ଜିଲ୍ଳାର ଐତିହ୍ୟ, ପରମ୍ପରା ର ବାର୍ତ୍ତା ବହ ସାଜିଥିବା ଦେଖିବାକୁ ମିଳୁଛି । ପ୍ରାକୃତିକ ସମ୍ପତ୍ତି ରେ ଭରପୁର ରତ୍ନ ଗର୍ଭା କଳାହାଣ୍ଡି ଓ କଳାହାଣ୍ଡିଆ ମାନଙ୍କ ଦୁର୍ଗତି ପାଇଁ କିଛି ଦଲାଲ ଗୋଷ୍ଠୀ, ଚାଟୁକାର, ତୋଷାମତିଆ , ନମକ ହରାମ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ । ସରଳତା ର ପ୍ରତୀକ ପ୍ରକୃତ ଭୂମିପୁତ୍ର ମାନଙ୍କ ମଧ୍ୟରେ କିନ୍ତୁ ଆଜି ବି ପ୍ରତିବାଦ ନାହିଁ । ସତେ ଯେମିତ ସମସ୍ତେ ଏକ ଏକ ପ୍ରସ୍ତର ନିର୍ମିତ ମୂର୍ତ୍ତି ସଦୃଶ । ସ୍ୱଚ୍ଛ ପାନୀୟ ଜଳ, ଶିକ୍ଷା, ସ୍ଵାସ୍ଥ୍ୟ, ଗମନା ଗମନ ରୁ ବଞ୍ଚିତ ଏହି ଭୂମିପୁତ୍ର ଗଣ ଦାଦନ ହେଇ ଦକ୍ଷିଣ ଓ ଉତ୍ତର ଭାରତର ଅନେକ ରାଜ୍ୟ ଯିବା ଓ ଶବ ହୋଇ ଫେରିବା ଘଟଣା ସ୍ବାଧିନତା ର 76 ବର୍ଷ ପରେ ମଧ୍ଯ କଳାହାଣ୍ଡି ଆକାଶ ରେ କଳଙ୍କିତ କଳା ମେଘ ଭଳି ଗ୍ରାସି ସାରିଛି । ବେଳେ ବେଳେ କଳାହାଣ୍ଡି ର ସ୍ଵର୍ଣ୍ଣିମ ଇତିହାସ କୁ ଅଧ୍ୟୟନ କଲେ ଆଜି ର କଳାହାଣ୍ଡି ଓ ସ୍ୱାଧିନତା ପୂର୍ବ ର କଳାହାଣ୍ଡି ଭିତରେ ଆକାଶ ଓ ପାତାଳ ଭଳି ତଫାତ ଦେଖିବାକୁ ମିଳେ । ଗୋଲାମ ଭାରତ ର ଗୋଲାମ ରାଜ୍ୟ ର ସରଳ ମଣିଷ ମାନଙ୍କ ମସ୍ତିଷ୍କ ରୁ ଆଜି ବି ଗୋଲାମି ମାନସିକତା ଯାଇ ନ ଥିବା ପରି ମନେ ହୁଏ । ଭୋଟ ରାଜନୀତି, ସରକାରୀ ପ୍ରତାରଣା, ପ୍ରଶାସନିକ ଉପେକ୍ଷା, ଓ ଧଳା ହାତୀ ମାନଙ୍କ ମିଳିତ ଚକ୍ରାନ୍ତ ରେ ଆଜି ବି ଶୋଷିତ ବର୍ଗ ଶୋଷିତ ।
ଇତିହାସ ର ଆଇନା ରୁ ଜଣା ପଡ଼େ, ଯେବେ, ଯେବେ ଭୋକିଲା ପେଟ, ସରଳ ନିଷ୍କପଟ ମଣିଷ ନିଜ ହକ, ମୌଳିକ ଅଧିକାର ହାସଲ ପାଇଁ ସଂଗଠିତ ଭାବରେ ସଙ୍କଳ୍ପ ନେଇଥାଏ , ଇତିହାସ ର ମୋଡ କୁ ବି ପରିବର୍ତନ କରି ଦେଇ ଥାଏ । ଲୁଣ୍ଠିତ, ଧର୍ଷିତ, ଶୋଷିତ, ଅତ୍ୟାଚାରୀତ କଳାହାଣ୍ଡି ଜିଲ୍ଲାର ପ୍ରକୃତ କଳାହାଣ୍ଡିଆ ମାନଙ୍କ ଆଗମୀ ଦିନରେ ସ୍ଥିତି କିପରି ହେବ, ଆଉ କେତେ ସାଇବେରିଆନ ବିଦେଶୀ ପକ୍ଷୀ ମାନଙ୍କ ଲୁଟେରା ପ୍ରବୃତ୍ତି, ପ୍ରକୃତି, ଛଳନା ର ଚକ୍ରବ୍ୟୁହ ରେ ପ୍ରତ୍ୟେକ ଦିନ ମରୁଥିବେ ଓ ଯନ୍ତ୍ରଣା ପାଉ ଥିବେ ତାହା ସମୟ କହିବ । ତେବେ କଳାହାଣ୍ଡିଆ ଭୂମିପୁତ୍ର ମାନଙ୍କୁ ଅତୀତ ର ସଂଗ୍ରାମୀ ମାନଙ୍କ ନିଜ ଅଧିକାର ଓ ଗୁଲାମି ରୁ ମୁକ୍ତି ପାଇଁ ସିପାହୀ ବିଦ୍ରୋହ ପୂର୍ବ ରୁ ସମଗ୍ର ଗଡଜାତ ଅଞ୍ଚଳ ରେ ଐତିହାସିକ କନ୍ଧମେଳି ହଉ କି ନିଜ ଜୀଵନ କୁ ବଳିଦାନ ଦେଇ ନିଜର ଭବିଷ୍ୟତ ବଂଶ ଧର ମାନଙ୍କ ମାନଙ୍କ ପାଇଁ ନିଶ୍ୱାର୍ଥ ତ୍ୟାଗ ଓ ବଳିଦାନ ଭୁଲି ନ ଯାଇ ନିଜର ଭବିଷ୍ୟତ ବଂଶଧର ମାନଙ୍କୁ ଏକ ସ୍ଵାଧୀନ ରାଷ୍ଟ୍ର ରେ ନିଜ ହକ, ମୌଳିକ ଅଧିକାର ହାସଲ ପାଇଁ ନିଶ୍ୱାର୍ଥ ଭାବରେ ସ୍ଵର ଉତ୍ତୋଳନ ର ଆବଶ୍ୟକତା ରହିଛି । ନଚେତ କଳାହାଣ୍ଡି ଓ କଳାହାଣ୍ଡିଆ ଙ୍କ ଅସ୍ମିତା,ଐତିହ, ସଂସ୍କୃତି ଓ ପରମ୍ପରା ଲୋପ ପାଇଯିବ ।




Post a Comment