ପ୍ରକାଶ ପାଇଲା ବିଜ୍ଞପ୍ତି,୧୮ରେ ହେବ ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ,
କଲମପୁର- ୧୨/୬(ତର୍ଜମା ନ୍ୟୁଜ) କଲମପୁର ପଞ୍ଚାୟତ ସମିତି ପକ୍ଷରୁ ଅଧ୍ୟକ୍ଷ ଉପନିର୍ବାଚନ ପାଇଁ ଚିଠି ନଂ - ୧୬୯୧, ତା. ୧୧. ୬. ୨0୨୫ ରିଖରେ ବିଜ୍ଞପ୍ତି ପ୍ରକାଶ ପାଇଛି l ରାଜ୍ୟ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ସଂଖ୍ୟା - ୧୪୪୫ ତା ୬. ୬. ୨0୨୫ ଏବଂ କଳାହାଣ୍ଡି ଜିଲ୍ଲାପାଳଙ୍କ ଆଦେଶ ସଂଖ୍ୟା ୮୯୪ ତା ୬. ୬. ୨0୨୫ ଅନୁସାରେ ସୂଚନା ରହିଛି ଯେ, କଲମପୁର ପଞ୍ଚାୟତ ସମିତିର ଅଧ୍ୟକ୍ଷ ଉପ ନିର୍ବାଚନ ନିମନ୍ତେ ସ୍ୱତନ୍ତ୍ର ବୈଠକ ଓଡିଶା ପଞ୍ଚାୟତ ସମିତି ନିର୍ବାଚନ ନିୟମ ୧୯୯୧ ର ନିୟମ ୩୮ ରୁ ୪୫ ଅନୁସାରେ ପଞ୍ଚାୟତ ସମିତି ସଭାଗୃହ ଠାରେ ଆସନ୍ତା ତା ୧୮. ୬. ୨୦୨୫ ତାରିଖ ସକାଳ ୧୦ ଘଣ୍ଟା ସମୟରେ ଅନୁଷ୍ଠିତ ହେବାକୁ ୧୧ ଜଣ ସମିତି ସଭ୍ୟ ସଭ୍ୟାଙ୍କୁ ଉପସ୍ଥିତ ରହିବା ପାଇଁ ଜଣାଇ ଦିଆଯାଇଛି l ଉକ୍ତ ଚିଠି ସହିତ ୧୫, ୧୬ ଫର୍ମରେ ଉପ ନିର୍ବାଚନ ସମ୍ବନ୍ଧୀୟ ସ୍ଥାନ ନିୟମ ଏବଂ ସମୟ ନିର୍ଘଣ୍ଟ ଉଲ୍ଲେଖ କରାଯାଇଛି l ନିର୍ବାଚନ ଅଧିକାରୀ ଭାବେ କୋକସରା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ. ହିମାଞ୍ଚଳ ମାଝୀଙ୍କୁ ଦାୟିତ୍ୱ ଦିଆଯାଇଛି l
ପ୍ରକାଶ ଯେ ଗତ ଏପ୍ରିଲ ୧୬ ତାରିଖରେ ଅଧ୍ୟକ୍ଷା ମୋତି ବିହାରୀ ଅନାସ୍ଥା ପ୍ରସ୍ତାବ ଭୋଟରେ ଆସ୍ଥା ହରାଇବା ପରେ ପଦ ଖାଲି ରହିଥିଲା l ଜିଲ୍ଲାପାଳଙ୍କ ଚିଠି ନଂ ୬୪୫ ଏପ୍ରିଲ ୨୧ ତାରିଖ ଅନୁସାରେ ଖାଲି ଥିବା ଅଧ୍ୟକ୍ଷ ପଦରେ ସମିତିର ଉପାଧ୍ୟକ୍ଷ ଚିନ୍ତାମଣି ବେହେରା ଅଧ୍ୟକ୍ଷ ଦାୟିତ୍ୱରେ ରହିଥିଲେ l ଏବେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ କଲମପୁର ଅଞ୍ଚଳରେ ରାଜନୈତିକ ଉଷ୍ମତା ପୁଣି ଆରମ୍ଭ ହୋଇଛି l ଅଧ୍ୟକ୍ଷ ପଦ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଥିବାରୁ ଅନୁସୂଚିତ ଜାତି ମହିଳା ହିଁ ଏହି ପଦ ପାଇଁ ଦାବିଦାର ରହିବେ l ବ୍ଲକ ଅଞ୍ଚଳରେ ନିର୍ବାଚିତ ସମୁଦାୟ ତିନି ଜଣ ଅନୁସୂଚିତ ଜାତି ମହିଳା ମଧ୍ୟରୁ ଜଣେ ଅଧ୍ୟକ୍ଷ ପଦ ହରାଇବା ପରେ ଏବେ ଆଉ ୨ ଜଣ ସଭ୍ୟା ଅଧ୍ୟକ୍ଷl ପଦ ପାଇଁ ଦାବିଦାର ରହିଛନ୍ତି l ତେବେ ଏହି ପଦବୀ ପାଇଁ ହେବାକୁ ଥିବା ନିର୍ବାଚନ ପ୍ରତିଦ୍ବନ୍ଦୀ ହେବ ନା ନିର୍ଦ୍ୱନ୍ଦ୍ୱ ଭାବେ ନିର୍ବାଚନ ହେବ ସେ ଉପରେ ସମସ୍ତଙ୍କ ନଜର ରହିଛି l
କଲମପୁରରୁ ସୁରେନ୍ଦ୍ର କୁମାର ନାଏକଙ୍କ ରିପୋର୍ଟ, ତର୍ଜମା ନ୍ୟୁଜ,
Post a Comment