କଳାହାଣ୍ଡି ଓ କଳାହାଂଡିଆ ଆଜି ଅବହେଳିତ, ଶୋଷିତ, ଏବଂ ବିକାଶରୁ ବଂଚିତ ଓ ଉପେକ୍ଷିତ ରହିଛି କାହିଁକି ।ଏ ପ୍ରସଙ୍ଗରେ ଜଣେ କଳାହାଂଡିଆ ଭାବରେ ମନ ଭିତରେ ପ୍ରଶ୍ନ ଉଙ୍କି ମାରିବା ସ୍ୱାଭାବିକ ।ନିଜ ଅନ୍ତର ଆତ୍ମା ରେ ଆତ୍ମ ଚିନ୍ତନ, ସମୀକ୍ଷା ଓ ନିଜ ଭିତରେ ଥିବା ଭୁଲ ତ୍ରୁଟି କୁ ଚିନ୍ହି ତାକୁ ସଂଶୋଧନ କରିବା ସହ ନିଜ ଭିତରେ ମାଆ ମାଟି ର ପ୍ରଗତି ପାଇଁ ଆତ୍ମ ସଂକଳ୍ପ ର ଆଵଶ୍ୟକତା ରହିଛି ।ଯେ କୌଣସି ବ୍ୟକ୍ତି ନିଜଭିତରେ ଥିବା ଭୁଲ ତ୍ରୁଟି କୁ ଚିନ୍ହି ପାରେ ଓ ପରବର୍ତୀ ସମୟରେ ନିଜ ଭୁଲ ରୁ ଶିକ୍ଷା ପାଏ ସେ ହିଁ ଜୀବନର ଶିର୍ଷ ସୋପାନ ରେ ପହଂଚିପାରେ । କଳାହାଣ୍ଡି ମୋ ରତ୍ନଗର୍ଭା, ସ୍ଵର୍ଣପ୍ରସୂ କଳାହାଣ୍ଡି ।ସ୍ୱାଧୀନତା ହାସଲ ପୂର୍ବରୁ କଳାହାଣ୍ଡି ଏକ ଉନ୍ନତ, ଓ ଅନ୍ୟ ବିକଶିତ ରାଜ୍ୟ ମାନଙ୍କ ସହ ସମକକ୍ଷ ଥିଲା ।କୃଷି, ଶିକ୍ଷା ଓ ସମସ୍ତ ପ୍ରକାର ସେ ସମୟର ଆଧୁନିକତା ର ସ୍ୱାଦ କଳାହାଂଡିଆ ପାଇଥିଲେ ।ସିନେମାହଲ, ରାସ୍ତା କଡ଼ର ବିଜୁଳି ଆଲୋକ, ଟ୍ରେନ ଲାଇନ, ସହ ଦେଶରେ ମାତ୍ର ୨୨ ଟି ଟେଲିଫୋନ ମଧ୍ୟରୁ ଗୋଟିଏ କଳାହାଣ୍ଡି ମହାରାଜା ଙ୍କ ପାଖରେ ଥିଲା ଏଥିସହ ଦେଶରେ ମାତ୍ର କେତୋଟି ମୂଲ୍ୟବାନ ରାଲସ ରୟେସ କାର ମଧ୍ୟରୁ ଗୋଟିଏ କଳାହାଣ୍ଡି ମହାରାଜା ଙ୍କ ପାଖରେ ଥିଲା ଓ ଆଜିବି ତାହା ସଂରକ୍ଷିତ ରହିଛି ଶୃତି ହୋଇ ।ସ୍ୱାଧୀନତା ପରବର୍ତ୍ତୀ ସମୟରେ ଭବାନୀପାଟଣା ସହରର ଜନସଂଖ୍ୟା ମାତ୍ର ୧୧୦୦୦ ଥିଲା ।ସ୍ୱତନ୍ତ୍ର ରାଜ୍ୟ କଳାହାଣ୍ଡି ସ୍ୱାଧୀନତା ପ୍ରାପ୍ତି ପରେ ଦେଶ ରେ ମିଶ୍ରଣ ହୋଇ ଓଡ଼ିଶାର ଗୋଟିଏ ଜିଲ୍ଲା ରୂପେ ମାନ୍ୟତା ପାଇଲା। ଗଡ଼ଜାତ ଶାସନ ସମୟରେ ମାତ୍ର କେତୋଟି ସ୍କୁଲ ଓ ହାଇସ୍କୁଲ କୁ ଛାଡି ଦେଲେ ସେପରି କୌଣସି ବ୍ୟବସ୍ଥା ନ ଥିଲା ।ସ୍ୱାଧୀନତା ପରେ 1962 ମସିହା ଠାରୁ ସରକାର ସମସ୍ତ ଜିଲ୍ଲା ମାନଙ୍କରେ କର୍ମଚାରୀ ନିଯୁକ୍ତି ବ୍ୟବସ୍ଥା କଲେ ।ସବୁଠି ଉପକୂଳ ଓଡିଶାର ଉନ୍ନତ ଶିକ୍ଷିତ ଙ୍କୁ ନିଯୁକ୍ତି ମିଳିଲା ।ସେମାନେ ଆସି ଏଇଠି ରାଜୁତି କଲେ ।ଅଶିକ୍ଷା, ଲୋକଙ୍କ ସରଳତା ର ସୁଯୋଗ ନେଇ ନିଜର କାୟା ବିସ୍ତାର କରିଚାଲିଲେ ।ବ୍ୟବସାୟ ରେ ମଧ୍ୟ ସମାନ ଅବସ୍ଥା ।ନିଜ ଭିଟାମାଟି ଛାଡି କଳାହାଂଡିକୁ ମାତ୍ର ଖାଲିହାତରେ ଆସି ଲୋକଙ୍କ ସରଳତା ଓ ଆଵଶ୍ୟକତାର ସୁଯୋଗ ନେଇ ନିଜ କାୟା ବିସ୍ତାର କରିଚାଲିଲେ ।70 ଦଶକ ପର୍ଯ୍ୟନ୍ତ କଳାହାଣ୍ଡି ର ଅବସ୍ଥା ସେତେ ଗୁରୁତର ନଥିଲା ।କିନ୍ତୁ ପରବର୍ତୀ ସମୟରୁ ଆଜିପର୍ଯ୍ୟନ୍ତ ଏକ ଭିନ୍ନ ପରିସ୍ଥିତି ସୃଷ୍ଟି ହୋଇଛି ।ଜିଲ୍ଲାରେ ବ୍ୟବସାୟୀ ଗୋଷ୍ଠୀ, କର୍ମଚାରୀ ଗୋଷ୍ଠୀ, ଥରେ ଜିଲ୍ଲା କୁ ଆସି ଏପରି ସ୍ନେହ ଶ୍ରଦ୍ଧା ପାଇଲେ ଯେ , ନିଜର ଜନ୍ମମାଟି କୁ ଭୁଲିଗଲେ ଏହାହିଁ କଳାହାଣ୍ଡି ମାଆ ମାଟିର ବିଶେଷତ୍ୱ ଓ ମହନୀୟତା ଅଟେ ।ଏଥିସହ ଠିକାଦାର ମାନଙ୍କ ଆବିର୍ଭାବ , ସରକାରୀ କାର୍ଯ୍ୟରେ ହରିଲୁଟ ପାଇଁ ମିଳିତ ଭାବେ ସରକାର, ରାଜନେତା, କର୍ମଚାରୀ ଙ୍କ ପରୋକ୍ଷ ଓ ପ୍ରତ୍ୟକ୍ଷ ସମ୍ପୃକ୍ତି କଳାହାଂଡିକୁ ଚରାଭୂଇଁ ରେ ପରିଣତ କରିଛି ।ଆଜି ବି କଳାହାଣ୍ଡିର ଆଦିମ କାଳରୁ ବସବାସ କରୁଥିବା ମଣିଷ ସାଇବେରିଆନ ପକ୍ଷୀ ମାନଙ୍କ ଦ୍ୱାରା ଶୋଷିତ ।ଯେତେ କଷ୍ଟ, ଦୁଖଃ ହେଲେ ମଧ୍ୟ କଳାହାଣ୍ଡିଆ ଲୋକ ନିଜପାଇଁ ସ୍ୱର ଉତ୍ତୋଳନ କଦାପି କରିନି ।ସମୟ ସମୟରେ ରାଜନୀତି ଚକ୍ରବ୍ୟୁହ ରେ ପେଷି ହେଇ ଲାଂଛିତ ହୁଏ ।ଏହାର ସୁଯୋଗ ନେଇ ସରକାର ବିଭିନ୍ନ ସମୟରେ ଅନେକ ଯୋଜନା ପ୍ରସ୍ତୁତ କରନ୍ତି ତାହା କେବଳ ଧଳାହାତୀଙ୍କୁ ପୋଷିବା ପାଇଁ ଉଦ୍ଧିଷ୍ଟ ।ଆଜି ଯଦି ସର୍ବେକ୍ଷଣ କରାଯାଏ ତେବେ 1980 ମସିହା ପରଠାରୁ ଜିଲ୍ଲାରେ କୋଟିପତି ଓ ଲକ୍ଷପତି ଙ୍କ ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଇଛି ।ତେବେ ଗଡ଼ଜାତ ଅମଳ ରୁ ଯେଉଁ ବାପ , ଅଜା ଙ୍କ ଅମାପ ସମ୍ପତି ଛାଡି ଯାଇଥିବା ସତ୍ୱେ କେତେ କଳାହାଣ୍ଡିଆ ସେହି ସମ୍ପତ୍ତିକୁ ବୃଦ୍ଧି କରିପାରିଛନ୍ତି କିମ୍ବା ବିକ୍ରିକରି ସର୍ଵସ୍ୱାନ୍ତ ହୋଇଛନ୍ତି ତାହା ମୁଖ୍ୟ ବିଷୟ ଅଟେ ।ଏ ସମ୍ପର୍କରେ ପ୍ରତ୍ୟେକ କଳାହାଂଡିଆ ନିଜର ଆତ୍ମ ଚିନ୍ତନ ଜରୁରୀ ଅଟେ । କଳାହାଣ୍ଡି ଜିଲ୍ଲା ପ୍ରକୃତ ପକ୍ଷେ ନିଜ ଜୀବନ ଜୀବିକା ପାଇଁ ଆସିଥିବା ଲୋକଙ୍କ ପାଇଁ ଭୂସ୍ବର୍ଗ ଅଟେ ।ଏହି ବାସ୍ତବିକ ସତ୍ୟ କାହା ପ୍ରତି ବ୍ୟକ୍ତିଗତ ଆକ୍ଷେପ ନୁହେଁ କିମ୍ୱା ଆଞ୍ଚଳିକ ବୈଷମ୍ୟ ର ପ୍ରତୀକ ନୁହଁ ।କିନ୍ତୁ ଏଇଥି ପାଇଁ ଜିଲ୍ଲାରେ ନିଜ ହକ ପାଇଁ ଭୂମିପୁତ୍ର ମାନଙ୍କ ସ୍ୱର ଉତ୍ତୋଳନ ପାଇଁ କୁଣ୍ଠାବୋଧ , ଓ ସରଳତା ହିଁ ମୁଖ୍ୟତଃ ଦାୟୀ ।ଯେଉଁମାନେ ଆଜିଯାଏ କଳାହାଣ୍ଡିଆ ଭାଷା , ଚାଲିଚଳନ ଓ ସଂସ୍କୃତି କୁ ଆପଣେଇ ନାହାନ୍ତି ସେହି ମାନେ ହିଁ ନିଜକୁ ପ୍ରକୃତ କଳାହାଣ୍ଡିଆ ଭାବରେ ପରିଚିତ କରେଇବାରେ ବ୍ୟସ୍ତ ।ଯଦି କିଏ ନିଜ ହକ ପାଇଁ ସ୍ୱର ଉତ୍ତୋଳନ କରିବାକୁ ପ୍ରୟତ୍ନ କରେ ତେବେ ଏହି ସାଇବେରିଆନ ପକ୍ଷୀ ମାନଙ୍କ ଅଧିନସ୍ଥ ଗୋଷ୍ଠୀ ଏପରି ଅବସ୍ଥା ସୃଷ୍ଟି କରିବେ ଯେ, ସ୍ୱର ଉତ୍ତୋଳନକାରୀ ଆପଣା ଛାଏଁ ଚୁପ ରହିବାକୁ ବାଧ୍ୟ । ତାହା ଛତର ଯାତ୍ରା ହଉ କି କଳାହାଣ୍ଡି ଉତ୍ସବ ହଉ ସବୁଠି ସେଇ ସାଇବେରିଆନ ପକ୍ଷୀ ଙ୍କ ଭିଡ଼ ।ଆଜି ସେଇ ମାନେ ହିଁ ନିଜକୁ ପ୍ରକୃତ ଭୂମିପୁତ୍ର ଭାବରେ ସମସ୍ତଙ୍କ ପ୍ରିୟ ପାତ୍ର ।କମ୍ବଳ ଯାକ ବାଳ କୋଉ ବାଳକୁ ଓପାଡିବ ।କିନ୍ତୁ ସମୟ ସବୁବେଳେ ସମାନ ରହେ ନାହିଁ । ସମୟ ଆସିବ ଓ ଇତିହାସ କହିବ ଏ ଚାରି ଦଶନ୍ଧି ଧରି କଳାହାଂଡିକୁ ହରିଲୁଟ କରୁଥିବା ଲୁଟେରା ମାନଙ୍କ ସମ୍ପର୍କରେ ।ବାସ୍ତବିକ ସତ୍ୟକୁ ସ୍ୱୀକାର କରି ପ୍ରତ୍ୟେକ କଳାହାଣ୍ଡିଆ ନିଜର ଆତ୍ମଚିନ୍ତନ କରିବାର ସମୟ ଆସିଛି ।କାରଣ ଆଜି ପ୍ରକୃତ କଳାହାଣ୍ଡିଆ ଜିଲ୍ଲାରେ ଅଘୋଷିତ ଦ୍ଵିତୀୟ ଶ୍ରେଣୀ ନାଗରିକ ହୋଇ ପଡିଛନ୍ତି ।ରାଜ୍ୟ ସରକାରଙ୍କ କଳାହାଣ୍ଡି ସମେତ ଅନ୍ୟ ପଶ୍ଚିମ ଓଡିଶା ଅନ୍ତର୍ଗତ ଜିଲ୍ଲା ମାନଙ୍କୁ ଲଗାତାର ଅବହେଳା ଆଜି ଚରମ ସୀମାରେ ପହଁଚିଛି ।ଯଦି କାଁ ଭାଁ କେବେ ନିଜ ହକ ପାଇଁ ଆନ୍ଦୋଳନ ହୁଏ ତେବେ ବିଭିନ୍ନ ଉପାୟ ଅବଲମ୍ବନ ଓ ଲୋଭନୀୟ, ଆକର୍ଷଣୀୟ ଯୋଜନା ପ୍ରଣୟନ କରି ଲୋକଙ୍କ ସ୍ୱର କୁ ଚପାଇ ଦେବାକୁ ଉଦ୍ୟମ ହୁଏ ଓ ସଫଳତା ମଧ୍ୟ ମିଳେ ।ଏଥିସହ ଆନ୍ଦୋଳନ ରେ ମୁଖ୍ୟ ଭୂମିକା ନେଇ ଥିବା ବା ନେତୃତ୍ୱ ନେଇ ଥିବା ବ୍ୟକ୍ତି ସରକାରୀ ଦଳର ଲୋଭନୀୟ ଆକର୍ଷଣୀୟ ପ୍ରସ୍ତାବ ରେ ଭାସିଯାଇ ମିଶିଯାଏ ଶାସକ ଦଳ ରେ ଓ ଭୁଲି ଯାଏ ନିଜ ମାଟି ର ମଣିଷଙ୍କ ବ୍ୟଥା, ଦୁଖଃ ଓ ଯନ୍ତ୍ରଣା କୁ ।ନିଜର ବିକାଶ ହେଲା ପରେ ଭାବି ନିଏ ଯେ, ଏହା ମୋ ଜିଲ୍ଲାର ବିକାଶ । ଆଉ କଳାହାଂଡିଆ କେବଳ ସରକାରୀ ଯୋଜନା ରେ ବିଧବା ବାର୍ଦ୍ଧକ୍ୟ ଭତ୍ତା, ଇନ୍ଦିରା ଆବାସ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହଉ କିମ୍ବା ବିଜୁ ପକ୍କା ଘର ଯୋଜନା, ବିକଳାଙ୍ଗ ଭତ୍ତା ରେ ହିତାଧିକାରୀ ହେବା ଭିତରେ ସୀମିତ, ଏଇଠି ବି କଳାହାଂଡିଆ ଉପେକ୍ଷିତ ।ସରକାର ଯେତେ ଯୋଜନା କଲେ ମଧ୍ୟ ସରକାରୀ ଚାକିରୀ ରୁ ଆଜି ବଂଚିତ କଳାହାଂଡିଆ ଶିକ୍ଷିତ ବେକାର ଯୁବକ ଓ ଯୁବତୀ ।କଳାହାଣ୍ଡି ର ମହାନ ସଂସ୍କୃତି ଓ ପରମ୍ପରା ର ପ୍ରତୀକ "ନୂଆଁଖାଇ" ସରିବା ପରେ ଜିଲ୍ଲା ବାହାରକୁ କିମ୍ବା ରାଜ୍ୟ ବାହାରକୁ ଦାଦନ ଶ୍ରମିକ ଭାବେ ପେଟ ଚାଖଣ୍ଡ ପାଇଁ ଯିବାକୁ ବାଧ୍ୟ ଓ ପରିସ୍ଥିତି ଖରାପ ହେଲେ ଶବ ହୋଇ ନିଜ ଭିଟା ମାଟି କୁ ଫେରିବା ନିଶ୍ଚିତ ।ଯେଉଁମାନେ ନିଜ ଯୋଗ୍ୟତା ବଳ ରେ ଚାକିରୀ କରନ୍ତି ତାହା ବେସରକାରୀ ହଉ କିମ୍ବା ସରକାରୀ ଥରେ ନିଯୁକ୍ତି ପାଇବା ପରେ ଭୁଲି ଯାନ୍ତି ନିଜ ମାଟି ମାଆ କୋଳରେ କଲବଳ ହୋଇ ବଞ୍ଚିଥିବା ନିଜ ଜିଲ୍ଲାର ଅନ୍ୟ ସାଧାରଣ ମଣିଷ ମାନଙ୍କୁ ଏପରିକି ନିଜ ପରିବାର ବର୍ଗଙ୍କୁ ମଧ୍ୟ ଭୁଲି ଯାଆନ୍ତି କ୍ଷମତାର ଅଳିନ୍ଦ ଭିତରେ ।ସେମାନଙ୍କ ସମୟ ନ ଥାଏ ଏତେ ସବୁ କୁ ବୁଝିବାକୁ ।ଭାବି ନିଅନ୍ତି "ଆପେ ବଞ୍ଚିଲେ ବାପାର ନାଁ" । ଏମିତି ସମୟ ଆସି ପହଞ୍ଚେ ସେମାନେ ବି ହୋଇ ଯାଆନ୍ତି ଅପରିଚିତ ବ୍ୟକ୍ତି ।
ଗଣତାନ୍ତ୍ରିକ ପଦ୍ଧତି ରେ ନିର୍ବାଚିତ ସରକାର କିମ୍ବା ଜିଲ୍ଲାରୁ ନିର୍ବାଚିତ ବିଧାୟକ, ସାଂସଦ ମାନେ ମଧ୍ୟ ଥରେ ରାଜଧାନୀ ରେ ପହଂଚିବା ପରେ ଭୁଲି ଯାଇଥାନ୍ତି ନିଜର କର୍ତବ୍ୟ ଓ ଜିଲ୍ଲାର ଉନ୍ନତି ପାଇଁ, ସବୁକିଛି ଭୁଲି ଯାଇ ମାନବିକତାର ମୂଲ୍ୟବୋଧ କୁ ବିକ୍ରି କରି ନିଜେ ସପରିବାର ଅଏଶ ଆରମ୍ ର ଜୀବନ ବିତେଇ ନିଜ ମାଲିକ ମାନଙ୍କ ବୋଲକରା ସାଜି ଯାଇଥାନ୍ତି ।ଗୁଲାମୀ ର ମାନସିକତା ର ଏତେ ବଶବର୍ତ୍ତୀ ହୋଇ ଯାଇଥାନ୍ତି ଯେ, ସତେ ଯେପରି ସେମାନେ କ୍ଷମତାର ଶିର୍ଷ ରେ ଥିବା ଲୋକଙ୍କ ଦୟାରେ ରାଜଧାନୀ ଦେଖିବା ଓ ବିଧାୟକ କିମ୍ବା ସାଂସଦ ହେବାର ସ୍ୱାଦ ଚାଖୁଛନ୍ତି ।ଗୁଳାମି ର ସମସ୍ତ ସୀମା ଲଙ୍ଘନ କରି ନିଜ କର୍ତବ୍ୟ ଓ ଦାୟିତ୍ୱ ରୁ ମୁହଁ ମୋଡି କିଛି ଦଲାଲ ମାନଙ୍କୁ ପାଖରେ ରଖି କେବଳ ଓ କେବଳ ନିଜ ମାଲିକ ମାନଙ୍କ ଆଦେଶ ପାଳନ କରିବା ପାଇଁ ତତ୍ପର ରହିଥାନ୍ତି ।ରାଜଧାନୀ ର ଚାକଚକ୍ୟ ର ମୋହ ଥରେ ପାଇଲା ପରେ ବର୍ତ୍ତମାନ ରେ ବଞ୍ଚୁଥିବା ବ୍ୟକ୍ତି ଆଉ ନିଜର ଅତୀତ କୁ ସ୍ମରଣ କରିବା କିମ୍ବା ନିଜ ମାଟି ମାଆ ପ୍ରତି କର୍ତବ୍ୟ କୁ ଭୁଲି ଯାଇଥାନ୍ତି ।ଏହି ଧ୍ରୁବ ସତ୍ୟ କୁ ସମସ୍ତ ମାଆ ମାଟିର ମଣିଷ ଙ୍କୁ ସ୍ୱୀକାର କରିବାକୁ ପଡିବ ।ନିଜର ଆତ୍ମ ଚିନ୍ତନ କରିବାକୁ ପଡିବ ।ସ୍ୱାଧୀନତା ର ମୁଲତତ୍ୱ ଅନୁଯାୟୀ ନିଜ ହକ ପାଇବା ପାଇଁ ପ୍ରଥମେ ନିଜ ଭିତରୁ ଗୁଲାମୀ ର ମାନସିକତା କୁ ତ୍ୟାଗ କରିବାକୁ ପଡିବ ।ନିଜ ଭିତରେ ଆତ୍ମ ବିଶ୍ୱାସ ଓ ଜିଲ୍ଲାର ର ସାମୁହିକ ବିକାଶ ପାଇଁ ସଂକଳ୍ପ ନେବା ସହ ଜିଲ୍ଲାରେ ଶୋଷଣ ବ୍ୟବସ୍ଥା କୁ ପ୍ରତିହତ କରିବା ପାଇଁ ସଂଗଠିତ ଭାବେ ସଂକଳ୍ପ ଓ ଶପଥ ନେବା ର ସମୟ ଆସି ପହଂଚିଛି । ଏ ମାଟି ମାଆ କୋଳରେ ଆମେ ଜନ୍ମ ନେଇଛୁ ଯଦି ମାଟି ମାଆ ପାଇଁ ପ୍ରକୃତି କୋଳ ର ସନ୍ତାନ ଭାବରେ ନିଜ କର୍ତବ୍ୟ ଓ ଦାୟିତ୍ୱ ପ୍ରତି ଅବହେଳା କରିବା ତେବେ ନିଶ୍ଚିତ ଭାବେ ତାହା ଏକ ଅପରାଧ ଅଟେ ।ଏ ପରି ଲାଗୁଛି ସତେ ଯେପରି ଆମେ ସମସ୍ତ କଳାହାଂଡିଆ ଜଣେ ଜଣେ ଅପରାଧୀ ! ନିଜ ମାଟି ମାଆ ପ୍ରତି ଓ ତାର କୋଳରେ ବଞ୍ଚୁଥିବା ସରଳ ମଣିଷ ମାନଙ୍କ ପ୍ରତି ଅବହେଳା ଓ ଲଗାତାର ଅଣ ଦେଖା କରି ଅପରାଧ କରିଛୁ ଓ କରୁଛୁ । ଯୁଗେ ଯୁଗେ ମାଆ ର ହୃଦୟ ବହୁତ ବିଶାଳ ଅଟେ ।ନିଜ ସନ୍ତାନ ଯେତେ କଷ୍ଟ ଦେଲେ ବି ହସି ହସି ସହି ଯାଇ ନିଜ ସନ୍ତାନ ମାନଙ୍କୁ ସଦା ସର୍ବଦା ଆଶିଷ ଓ ଆଶୀର୍ବାଦ କରିଥାଏ । ତେବେ କଳାହାଣ୍ଡି ମାଟିର ସନ୍ତାନ ଭାବରେ ନିଜର ମଧ୍ୟ କର୍ତବ୍ୟ ରହିଛି ନିଜ ମାଟି ମାଆ ପ୍ରତି ।ଆସନ୍ତୁ ଥରେ ସୁସ୍ଥ ମସ୍ତିଷ୍କ ରେ ଆତ୍ମ ଚିନ୍ତନ କରନ୍ତୁ ଓ ନିଜର କର୍ତବ୍ୟ ବୋଧ ଉପରେ ଆତ୍ମ ସମୀକ୍ଷା କରି ସଂଗଠିତ ଭାବେ ରାଜନୀତି, କ୍ଷମତା ଓ ସମସ୍ତ ମତପାର୍ଥକ୍ୟ ଭୁଲି ଯାଇ ନିଜ ଜିଲ୍ଲା ଓ ମାଟିର ମଣିଷ ମାନଙ୍କ ଉନ୍ନତି ପାଇଁ ସଂକଳ୍ପ ନିଅନ୍ତୁ ।ଭୁଲି ଯାଆନ୍ତୁ ଏ ମାଟି ଆମକୁ କଣ ଦେଇଛି--କେବଳ ସଂକଳ୍ପ ନିଅନ୍ତୁ ଆମେ ଆମ ଜନ୍ମ ମାଟି କୁ କଣ ଦେଇଛୁ ଓ ଦେଇ ପାରିବୁ ।ତେବେ ଯାଇ ଏ ଜିଲ୍ଲାର ପ୍ରଗତିର ଦ୍ୱାର ଫିଟିବ ନଚେତ ଏଇମିତି ଦ୍ଵିତୀୟ ଶ୍ରେଣୀ ନାଗରିକ ଭାବରେ ସରକାର ଙ୍କ ଦ୍ଵାରା ଅବହେଳିତ ଓ ଅନୁନ୍ନତ ହୋଇ ରହିଥିବୁ ।
ମହମ୍ମଦ ଅଲ୍ଲୀ ଖାଁ, ବରିଷ୍ଠ ସାମ୍ବାଦିକ ,
Copy right resetved...
Post a Comment