//BREAKING//
Loading...

ସରିଲା ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ।

(ତର୍ଜମା ବ୍ୟୁରୋ): ଦେଶର ପଞ୍ଚଦଶତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଶେଷ ହୋଇଛି  । ସଂସଦରେ ପ୍ରଧାନମନ୍ତ୍ରୀଙ୍କ ସହ ସାଂସଦ ଓ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଧାୟକମାନେ ଭୋଟ ଦେଇଛନ୍ତି । ଦିନ ୧୦ଟାରୁ ଆରମ୍ଭ ହୋଇଥିବା ମତଦାନ ପ୍ରକିୟା ଅପରାହ୍ନ ୫ଟା ଯାଏଁ ଚାଲିଥିଲା । ଦେଶର ସର୍ବୋଚ୍ଚ ପଦବୀ ପାଇଁ ନିର୍ବାଚନ ମୈଦାନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏବଂ ମିଳିତ ବିରୋଧୀ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେଉଛି ।ଦ୍ରୌପଦୀଙ୍କ ସମର୍ଥନରେ ୪୪ଟି ଦଳ ରହିଥିବା ବେଳେ ଯଶୱନ୍ତଙ୍କ ସମର୍ଥନରେ ୩୪ଟି ଦଳ ରହିଛି । ଓଡିଶା ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ସଂସଦ ଭବନ ରେ ଭୋଟ ଦେଇଛନ୍ତି । ଅନେକ ଦଳ ର ନେତା ବିବେକ ଅନୁଯାୟୀ ଭୋଟ ଦେଇ କ୍ରସ ଭୋଟିଂ କରିଥିବା  ଅଭିଯୋଗ ହୋଇଛି ।ପ୍ରାୟ ୪ ହଜାର ୮ ଶହ ନିର୍ବାଚିତ ସାଂସଦ ଓ ବିଧାୟକଙ୍କୁ ନେଇ ଗଠିତ ଇଲେକଟୋରାଲ କଲେଜ ଏହି ମତଦାନରେ ଭାଗନେଇଥିଲେ  । ମୋଟ୍ ୧୦ ଲକ୍ଷ ୮୬ ହଜାର ୪୩୧ ମୂଲ୍ୟ ଭୋଟ୍ ମଧ୍ୟରୁ ମୁର୍ମୁଙ୍କ ସପକ୍ଷରେ ୬ ଲକ୍ଷ ୬୭ ହଜାରରୁ ଅଧିକ ମୂଲ୍ୟଭୋଟ୍ ମିଳିବାର ସମ୍ଭାବନା ରହିଛି ବୋଲି ଆକଳନ କରାଯାଇଛି। ଉତ୍ତରପ୍ରଦେଶ, ଗୁଜରାଟ, ଓଡିଶା ଓ ଆସାମରେ କ୍ରସ ଭୋଟିଂ ଦେଖିବାକୁ ମିଳିଛି । ଉତ୍ତରପ୍ରଦେଶ ବରେଲୀରୁ ସପା ବିଧାୟକ ସହଜିଲ ଇସଲାମ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନରେ ଭୋଟ ଦେଇଥିବା ବେଳେ  ଗୁଜରାଟରେ ଶରଦ ପାୱାରଙ୍କ ଦଳ ଏନସିପି ବିଧାୟକ କନ୍ଧାଲ ଏସ୍ ଜାଜେଡା ମୁର୍ମୁଙ୍କୁ ଭୋଟ ଦେଇଥିବା ଜଣାପଡିଛି । ଆସାମର ଏଆଇୟୁଡିଏଫର ବିଧାୟକ କମରିମୁଦ୍ଧିନ ବାରୁଭୁଇଆ ଦାବି କରିଛନ୍ତି ଯେ, କଂଗ୍ରେସ ବିଧାୟକମାନେ କ୍ରସ ଭୋଟିଂ କରିଛନ୍ତି । ସେହିପରି ଓଡିଶାରୁ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିବା ଜଣାପଡିଛି ।ଦ୍ରୌପଦୀ ମୁର୍ମୁଙ୍କୁ ବିଜେଡି ସମେତ ତେଲଗୁ ଦେଶମ ପାର୍ଟି, ଶିବସେନା, ଜେଏମ୍ଏମ୍, ବିଏସପି ଏବଂ ଅକାଳୀ ଦଳ ଭଳି ଅନେକ ଦଳ ସମର୍ଥନ ଦେଇଛନ୍ତି ।  ନିଜ ସହଯୋଗୀ ଏନଡିଏ ଘଟକ ଦଳଙ୍କ ବ୍ୟତିତ ବିରୋଧୀ କ୍ୟାମ୍ପରୁ ଅନେକ ଦଳ ମୁର୍ମୁଙ୍କ ସପକ୍ଷରେ ଭୋଟ ଦେଇ ଥିବା ଜଣାପଡିଛି । ଆସନ୍ତା ୨୧ ତାରିଖରେ ସଂସଦ ଭବନରେ ଭୋଟ୍ ଗଣତି କରାଯିବ । ନୂଆ ରାଷ୍ଟ୍ରପତି ଜୁଲାଇ ୨୫ ତାରିଖରେ ଶପଥ ନେବେ । ତେବେ ରାଇସିନା ହିଲ ରେ ଦେଶର ସର୍ବୋଚ୍ଚ ଆସନରେ କିଏ ବିଜୟୀ ହେବେ ଆସନ୍ତା ୨୧ ତାରିଖ ଦିନ ଭୋଟ ଗଣତି ହେଲେ ଜଣା ପଡିବ ।

 

Post a Comment

Previous Post Next Post

BREAKING

Tarzama News

Hi! Subscribe to my channel to receive inspiration, ideas, Tech and news in your YouTube screen 🔔

Subscribe